Unknown

 

 

 

 

 

 

 

ନବଜାଗୃତିର ଅନନ୍ୟ ସାରଥି

କୃପାସିନ୍ଧୁ ନରେନ୍ଦ୍ର ଦେବ

କୈଳାସ ଚନ୍ଦ୍ର ଦାଶ

 

ମୁଖଶାଳା

 

ନବୀନ ସାପ୍ତାହିକ ସମ୍ବାଦପତ୍ରର ପ୍ରଥମ ସଂପାଦକ ଓ ପ୍ରତିଷ୍ଠାତା କବି ଓ ସଂଗୀତଜ୍ଞ ମହୁରୀ ଯୁବରାଜ କୃପାସିନ୍ଧୁ ପଟ୍ଟଦେବ (ପରେ କୃପାସିନ୍ଧୁ ନରେନ୍ଦ୍ର ଦେବ)ଙ୍କର ଜନ୍ମ ଶତବାର୍ଷିକୀ ୨୦୦୩ ଜୁନ୍ ମାସ ୨୪ ତାରିଖରେ ଶେଷ ହେବ । ଏହି ଉପଲକ୍ଷେ ତାଙ୍କ ଜୀବନଯାତ୍ରାର କାହାଣୀକୁ ଏକ ପୁସ୍ତିକାରେ ପ୍ରକାଶ କରିବାର ବାସନା ମୋର ଜନ୍ମନେଲା । ରାଜ୍ୟ ଅଭିଲେଖାଗାର (ଭୁବନେଶ୍ୱର)ରୁ ନବୀନର ସଂଖ୍ୟାଗୁଡ଼ିକ ବାରବାଂର ପଢ଼ି ବହୁ ଦିନରୁ ସ୍ଥିର କରିଥିଲି ଏ ସଂପର୍କରେ କିଛି ଲେଖିବାପାଇଁ । ଏ ପୁସ୍ତକ ସେହି କଳ୍ପନାର ଏକ ବାସ୍ତବ ରୂପ ।

 

କୃପାସିନ୍ଧୁ ପଟ୍ଟଦେବ ଜନ୍ମ ହୋଇଥିଲେ ୧୯୦୩ରେ ଏବଂ ମୃତ୍ୟୁବରଣ କରିଥିଲେ ୧୯୫୩ରେ । ଏହି ଅର୍ଦ୍ଧଶତାବ୍ଦୀ ଓଡ଼ିଶା ଇତିହାସର ଏକ ଅବିସ୍ମରଣୀୟ ପର୍ଯ୍ୟାୟ । ୧୯୦୩ରେ ଉତ୍କଳ ସମ୍ମିଳନୀ ଏବଂ ଉତ୍କଳ ସାହିତ୍ୟ ସମାଜ ପ୍ରତିଷ୍ଠା ଫଳରେ ଓଡ଼ିଶାରେ ନବ ଜାଗୃତିର ପର୍ଯ୍ୟାୟ ଆରମ୍ଭ ହୋଇଥିଲା । ରାଜନୀତି, ଅର୍ଥନୀତି, ସମାଜ, ସାହିତ୍ୟ, ସଂସ୍କୃତିର ନବ ଅଭିଯାନ ଏହି କାଳରେ ଓଡ଼ିଶାରେ ଆରମ୍ଭ ହୋଇଥିଲା । କୃପାସିନ୍ଧୁ ଏହି ଅବିସ୍ମରଣୀୟ ଜାଗୃତି ପର୍ଯ୍ୟାୟରେ ୧୯୩୦ରୁ ୧୯୫୩ ମଧ୍ୟରେ ନବୀନ ପରି ସାପ୍ତାହିକ ସମ୍ବାଦପତ୍ରର ସଂପାଦକ ହିସାବରେ କାର୍ଯ୍ୟ କରିଥିଲେ । ଏହା ପୂର୍ବରୁ ଏବଂ ଏହାପରେ ଓଡ଼ିଶାରେ ବହୁ ସମ୍ବାଦପତ୍ର ବାହାରିଥିଲା । କିନ୍ତୁ ନବୀନର ନିବେଦନ ଥିଲା ସ୍ୱତନ୍ତ୍ର । ଜାତିକୁ ଉଦ୍‍ବୁଦ୍ଧ କରିବାପାଇଁ, ମୃତପ୍ରାଣରେ ଜୀବନ୍ୟାସ ଦେବାପାଇଁ କ୍ଷେତ୍ର ଦରକାର । ପୁରୋଧା ଆବଶ୍ୟକ । ଓଡ଼ିଆକୁ ଏକ ବିଶାଳ ଆହ୍ୱାନର ମୁକାବିଲା କରିବାପାଇଁ ୧୯୩୦ ମସିହା ମେ ମାସ ୧୩ ତାରିଖରେ ମଙ୍ଗଳବାରରେ କୃପାସିନ୍ଧୁଙ୍କ ସଂପାଦନାରେ ନବୀନ ମୁଣ୍ଡଟେକି ଉଠିଲା । ସହସା ନବୀନମାନେ ନବୀନରେ ନବଯୁଗର ବାର୍ତ୍ତା ପ୍ରଚାର କରିଗଲେ । କୃପାସିନ୍ଧୁ ସେତେବେଳେ ସମସ୍ତ କିଶୋର ତରୁଣମାନଙ୍କୁ ନବୀନରେ ଠିଆ କରାଇଥିଲେ । ଉଦ୍ଦେଶ୍ୟ ଥିଲା ନବଯୁଗର ବାର୍ତ୍ତା । ଓଡ଼ିଶାରେ ବର୍ତ୍ତମାନ ସୁପରିଚିତ ଅଧିକାଂଶ କବି ଓ ଲେଖକ ସେମାନଙ୍କର ପ୍ରଥମ ସୃଷ୍ଟି ନବୀନରେ ପ୍ରକାଶ କରାଇଥିଲେ । ନୂଆ ଲେଖକମାନଙ୍କୁ ଉତ୍ସାହଦେଇ କୃପାସିନ୍ଧୁ ସେମାନଙ୍କର ସୃଷ୍ଟି ଶକ୍ତିକୁ ଅଧିକ ଶାଣିତ କରିଥିଲେ । କୃପାସିନ୍ଧୁଙ୍କର ବିଶ୍ୱାସ ଥିଲା ଲେଖାଟିଏ ଆରମ୍ଭ କଲେ, ଭଲ ହୋଇପାରେ କିମ୍ବା ଖରାପ ହୋଇପାରେ ।

 

ପରେ ଲେଖୁ ଲେଖୁ ଖୁବ୍ ଭଲ ଲେଖା ଆସିଯିବ । ନୂଆ ହୋଇ ଗଜୁରୁଥିବା ଯେଉଁ ସାହିତ୍ୟିକମାନଙ୍କର ଛାପା ହରପରେ ନିଜ ନାମ ଦେଖିବାର ସୌଭାଗ୍ୟ ଘଟିନଥାଏ, ନବୀନ ସେହିମାନଙ୍କୁ ଉତ୍ସାହ ଦିଏ । ତାପରେ ସେମାନେ ଲେଖିବାକୁ ସାହାସ ପାଆନ୍ତି । ପ୍ରକୃତରେ ବହୁ ଆଧୁନିକ ଓଡ଼ିଆ ଲେଖକ ଲେଖିକାମାନଙ୍କର ସାହିତ୍ୟ ଜୀବନର ମୂଳଦୁଆ । ଯେ କୃପାସିନ୍ଧୁ ନବୀନରେ ପକାଇଛନ୍ତି ଏହା ଅସ୍ୱୀକାର କରିବାର ବାଟ ନାହିଁ । କୃପାସିନ୍ଧୁ କାଳରେ ଓଡ଼ିଶାରେ ସମ୍ବାଦବାହୀ ଖବର କାଗଜର ଅଭାବ ନଥିଲା । ତେଣୁ କୃପାସିନ୍ଧୁ ନବୀନର ଗତିକୁ ସମ୍ବାଦ ବହନ ଦିଗରେ ନ ଫେରାଇ ସାହିତ୍ୟ ଆଡ଼କୁ ଫେରାଇବା ଉଚିତ ମନେ କରିଥିଲେ । ଜଟିଳ ରାଜନୈତିକ କ୍ଷେତ୍ରରୁ ସାର୍ବଜନୀନ ସାହିତ୍ୟକୁ ଦୂରରେ ରଖି ସେ ଦୀର୍ଘ ୨୩ ବର୍ଷ କାଳ ସାରସ୍ୱତ ତପସ୍ୟାରେ ମଗ୍ନ ରହିଲେ । ଏହା ସହିତ ଦୀର୍ଘ ୨୩ ବର୍ଷ କାଳ ନବୀନରେ ସେ ଯେଉଁ ସଂପାଦକୀୟ ଅଭିମତ ଲେଖିଥିଲେ ତାହା ଓଡ଼ିଶା ଇତିହାସର ଏକ ବିଶିଷ୍ଟ ପ୍ରସଙ୍ଗ ହୋଇ ରହିବ ।

 

ଓଡ଼ିଶାର ସଂସ୍କୃତିକ ଜାଗରଣରେ, ସାମାଜିକ ପ୍ରଗତିର ଏବଂ ନବ ଉତ୍କଳର ନିର୍ମାଣର ପରୋକ୍ଷରେ ହେଲେ ମଧ୍ୟ ତାଙ୍କର ଅବଦାନ ଅବିସ୍ମରଣୀୟ । ସେ କବି ଥିଲେ । ସଂଗୀତର ଉପାସକ ଥିଲେ । ସାମ୍ବାଦିକ ଥିଲେ ଏବଂ କ୍ରିଡ଼ା-ବ୍ୟାୟାମର ସମର୍ଥକ ଥିଲେ । ତାଙ୍କର ବ୍ୟାୟାମ ସଂଘର ଖେଳ କସରତ ଏବଂ ହୋମିଓପ୍ୟାଥି ଔଷଧର ମୁକ୍ତ ବଣ୍ଟନ ମଧ୍ୟ ତାଙ୍କୁ ଜନପ୍ରିୟ କରିଥିଲା-। ପାଠାଗାର ଆନ୍ଦୋଳନର ସେ ଥିଲେ ଜଣେ ପ୍ରମୁଖ ନେତା । ଏକ ବିଳାସତ୍ୟାଗୀ ଋଷି ଏବଂ କବିତ୍ୱର ଆଦର୍ଶ ଧରି ଜୀବନ ସଂଗ୍ରାମ ପଥରେ ସେ ବେଶ୍ କିଛି ବାଟ ଆଗେଇ ଯାଇଥିଲେ-। ନବୀନ ମାଧ୍ୟମରେ ସେ ନବ ଜାଗୃତିର ଅନଳମନ୍ତ୍ର ଓଡ଼ିଶାରେ ଢାଳିଦେଇଥିଲେ । ଜାତୀୟ ଜାଗରଣ ବିଷୟକ ଯେ କୌଣସି ପ୍ରସଙ୍ଗ ପ୍ରକାଶ ପାଇ ସେ ନବୀନର ସ୍ତମ୍ଭମାନ ଉନ୍ମୁକ୍ତ ରଖିଥିଲେ-। ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଆନ୍ଦୋଳନର ଅନ୍ୟତମ ପ୍ରବକ୍ତା ପାରଳାର ଗଜପତି ମହାରାଜ କୃପାସିନ୍ଧୁଙ୍କଦ୍ୱାରା ଅନୁପ୍ରେରିତ ହୋଇଥିଲେ । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜାତୀୟ ସଂଗୀତାବଳୀକୁ ବାରଂବାର ଆବୃତ୍ତି କରି ଜାଗୃତିପାଇଁ ଆବାହନ କରିଥିଲେ । ଓଡ଼ିଆ ଜାଗୃତି ବିଷୟକ ସଂପାଦକୀୟ ବିବରଣୀମାନଙ୍କରେ କୃପାସିନ୍ଧୁ ଯେଉଁ ତଥ୍ୟ ଉପସ୍ଥାପନ କରିଥିଲେ ତାହା ଓଡ଼ିଶାର ଦିଗଦିଗନ୍ତ ସମୁଦଭାସିତ କରିଥିଲା । ସେ ଆଶା କରି ଥିଲେ ଓଡ଼ିଆମାନେ ଜାତୀୟ କଲ୍ୟାଣ ପଥରେ କର୍ମମୁଖର ପଥରେ ଧାବମାନ ହେଲେ ଜାତିର ନବ କଳେବର ପ୍ରତିଷ୍ଠା ପାଇବ-। ତାଙ୍କର ସମସ୍ତ ଉଦ୍‌ଘୋଷଣା ଓଡ଼ିଆ ଜାଗୃତିର ପଥ ପରିଷ୍କାର କରିଥିଲା ।

 

ଏହିପରି ଅସାଧାରଣ ବ୍ୟକ୍ତିତ୍ୱକୁ ବର୍ତ୍ତମାନର ସାହିତ୍ୟ ଜଗତରେ ପରିଚିତ କରିବାପାଇଁ ଏ ପୁସ୍ତକଟି ରଚନା କରାଯାଇଛି । ପୁସ୍ତକ ରଚନାପାଇଁ ଉତ୍ସାହିତ ଓ ଅନୁରୋଧ କରିଛନ୍ତି ନବୀନର ବର୍ତ୍ତମାନ ସଂପାଦକ ଶ୍ରୀଯୁକ୍ତ ରବି ରଥ । ବାସ୍ତବିକ ରଥ ମହାଶୟଙ୍କ ଉତ୍ସାହ ନ ପାଇଥିଲେ ଏପରି ଏକ କଳ୍ପନା କଳ୍ପନାରେ ରହିଥାନ୍ତା । ସେ ମଧ୍ୟ କୃପାସିନ୍ଧୁ ନରେଦ୍ର ଦେବଙ୍କ ଜନ୍ମ ଶତବାର୍ଷିକୀ ପାଳନ କରି ଏ ପୁସ୍ତକକୁ ଲୋକ ଲୋଚନକୁ ଆଣିବାକୁ ଚାହିଁ ଥିବାରୁ ତାଙ୍କ ନିକଟରେ ଲେଖକ କୃତଜ୍ଞ । ପୁସ୍ତକ ଲେଖିବାପାଇଁ ଅସୀମ ପ୍ରେରଣା ଯୋଗାଇଛନ୍ତି ଗବେଷଣାପ୍ରେମୀ ତଥା ଓଡ଼ିଆ ପ୍ରେମୀ ଶ୍ରୀଯୁକ୍ତ ସୁରସିଂହ ପଟ୍ଟନାୟକ । ତେଣୁ ଲେଖକ ମଧ୍ୟ ତାଙ୍କ ନିକଟରେ କୃତଜ୍ଞ-। ନବୀନ ସାହିତ୍ୟ ସଂସଦର ସଭାପତି ବ୍ରଜସୁନ୍ଦର ପଟ୍ଟନାୟକ ଏବଂ କାର୍ଯ୍ୟକାରୀ ସଭାପତି ଡକ୍ଟର କାର୍ତ୍ତିକ ଚନ୍ଦ୍ର ରାଉତଙ୍କର ପ୍ରେରଣା ନିମନ୍ତେ ଅଶେଷ ସାଧୁବାଦ ଜଣାଉଛି । ପୁସ୍ତକରେ ବ୍ୟବହୃତ ଅନେକ ତଥ୍ୟ ଓଡ଼ିଶା ରାଜ୍ୟ ଅଭିଲେଖାଗାର ଭୁବନେଶ୍ୱରରୁ ସଂଗୃହୀତ । ଏହିପରି ପୁସ୍ତକ ଲେଖିବାପାଇଁ ମୋତେ ଅଭିଲେଖାଗାରର ପୂର୍ବତନ ଅଧୀକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ସାହୁ ଏବଂ ସହଯୋଗୀ ବଂଧୁ ବଂଶୀଧର ଭୋଇ ପ୍ରେରଣା ଯୋଗାଇଥିବାରୁ ସେମାନଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରୁଛି । ଓଡ଼ିଶା ଅଭିଲେଖାଗାରରୁ ସମସ୍ତ ସହଯୋଗ ପାଇଥବାରୁ ଏହାର ବର୍ତ୍ତମାନର ଅଧୀକ୍ଷକ (ଭାଗିରଥି ମହାପାତ୍ର) ଏବଂ କର୍ମକର୍ତ୍ତାମାନଙ୍କୁ ସାଧୁବାଦ ଜଣାଉଛି ।

 

ପରିଶେଷରେ ପୁସ୍ତକଟି ଓଡ଼ିଆ ପାଠକମାନଙ୍କଦ୍ୱାରା ପଠିତ ଏବଂ ଆଦୃତ ହେଲେ ଲେଖକ ନିଜକୁ ଧନ୍ୟ ମନେ କରିବ ।

 

ଭୁବନେଶ୍ୱର

୨୩-୫-୦୩

 

ଲେଖକ ପରିଚୟ

 

ଡକ୍ଟର କୈଳାସ ଚନ୍ଦ୍ର ଦାଶ (ଜନ୍ମ ୧୯୫୪ ମସିହା)–ଓଡ଼ିଶାର ବିଭିନ୍ନ ସରକାରୀ ମହାବିଦ୍ୟାଳୟରେ ଇତିହାସ ଅଧ୍ୟାପକଭାବେ କାର୍ଯ୍ୟ କରନ୍ତି । ଓଡ଼ିଶା ଇତିହାସ, ସାହିତ୍ୟ, ସଂସ୍କୃତି ସଂପର୍କିତ ତାଙ୍କର ବହୁ ପ୍ରବନ୍ଧ ଦେଶ ବିଦେଶର ପତ୍ରପତ୍ରିକାମାନଙ୍କରେ ପ୍ରକାଶ ପାଇଛି । ଚୋଡ଼ଗଙ୍ଗ ଦେବଙ୍କ ସଂପର୍କରେ ଗବେଷଣା କରି ୧୯୮୭ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପି. ଏଚ୍. ଡ଼ି. ଉପାଧି ଲାଭ କରିଛନ୍ତି ।

•••

 

।। ୧ ।।

 

ମହୁରୀ ଜମିଦାରୀ (ରାଜବଂଶ)ର ଯୁବରାଜ କୃପାସିନ୍ଧୁ ପଟ୍ଟଦେବ (କୃପାସିନ୍ଧୁ ନରେନ୍ଦ୍ର ଦେବ) ଜୁନ୍ ୨୪, ୧୯୦୩ ମସିହାରେ ଜନ୍ମ ଗ୍ରହଣ କରିଥିଲେ ଏବଂ ୧୯୫୩ ଜୁନ୍ ୧୫ ତାରିଖରେ ଦେହତ୍ୟାଗ କରିଥିଲେ । ମାତ୍ର ପଚାଶଟି ବର୍ଷ ମଧ୍ୟରେ ଓଡ଼ିଶାର ସାମାଜିକ, ରାଜନୀତିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ଘଟଣାବଳୀ ସହିତ ନିଜକୁ ସଂଯୋଜିତ କରି ସେ ଅସ୍ତ ହୋଇଯାଇଥିଲେ । ଏହି ପଚାଶ ବର୍ଷ ଥିଲା ଓଡ଼ିଆ ଜାଗୃତିର ଅବିସ୍ମରଣୀୟ ପର୍ଯ୍ୟାୟ । ୧୯୦୩ ମସିହାରେ ଓଡ଼ିଆ ଜାତୀୟ ଜୀବନର ସୁପ୍ରଭାତ ଆରମ୍ଭ ହୋଇଥିଲା–ଯାହାର ଆନୁଷ୍ଠାନିକ ରୂପ ଥିଲା ଉତ୍କଳ ସମ୍ମିଳନୀ । ପୁଣି ୧୯୦୩ରେ ଓଡ଼ିଆ ଭାଷାର ସ୍ୱୀକୃତି ପଡ଼ୋଶୀ ରାଜ୍ୟମାନଙ୍କ ପ୍ରଭାବ ସତ୍ତ୍ୱେ ପ୍ରତିଷ୍ଠା ହୋଇଥିଲା । ତେଣୁ କୃପାସିନ୍ଧୁଙ୍କର ଅର୍ଦ୍ଧଶତାବ୍ଦୀର ଜୀବନ ହିଁ ଓଡ଼ିଶାର ଅର୍ଦ୍ଧଶତାବ୍ଦୀର ଇତିହାସ । ସେ ରାଜବଂଶରେ ଜନ୍ମିଥିଲେ ସତ; ତାଙ୍କର ପୋଷାକ ପହରଣ, ତାଙ୍କର ଚାଲିଚଳନ, ତାଙ୍କର ଆଚାର ବ୍ୟବହାର ଜଣେ ସାଧାରଣ ନାଗରିକ ପରି ଥିଲା । ସେ ସରଳ, ଅମାୟିକ ନିରାଡ଼ମ୍ବର ପ୍ରକୃତିର ମଣିଷ ଥିଲେ । ୧୯୧୯ ମସିହାରେ ସେ ସ୍କୁଲ ଶିକ୍ଷା ଆରମ୍ଭ କରିଥିଲେ । ୧୯୨୦ରେ ବଳଙ୍ଗାର ରାଧାକୃଷ୍ଣ ଥିଏଟର ନାଟ୍ୟଦଳ ବ୍ରହ୍ମପୁର ଆସି ନାଟ୍ୟ ପ୍ରଦର୍ଶନ କରିଥିଲେ ଏବଂ ତାହା ଦେଖି କୃପାସିନ୍ଧୁ ମୁଗ୍ଧ ହୋଇଥିଲେ । ନରେନ୍ଦ୍ର ଦେବ ନାଟକର ଅଭାବ ଓଡ଼ିଶାରେ ଲକ୍ଷ୍ୟକରି କେତେକ ଓଡ଼ିଆ ନାଟକ ଏ କାଳରେ ଲେଖିବାକୁ ଆରମ୍ଭ କରିଥିଲେ । ସେତେବେଳେ ବ୍ରହ୍ମପୁରଠାରେ କୌଣସି ନାଟ୍ୟ ଅନୁଷ୍ଠାନ ନଥିଲା । ନାଟକ ଲେଖା ସହିତ ଗୋଟିଏ ନାଟ୍ୟ ସଂଘ ଗଠନପାଇଁ ସେ ଉଦ୍ୟମ ଚଳାଇଲେ । ସେ ଏକ ନାଟ୍ୟ ଅନୁଷ୍ଠାନ ଗଠନ କଲେ ଏବଂ ନାଟ୍ୟ ସଂଘର ନାମ ନରେନ୍ଦ୍ର ନାଟ୍ୟସଂଘ ରଖିଥିଲେ । ଏହି ନରେନ୍ଦ୍ର ନାଟ୍ୟଦଳ ଅଳ୍ପ କେତୋଟି ବର୍ଷ ଅସ୍ତିତ୍ୱ ମଧ୍ୟରେ ଏଠାରେ ଯେଉଁ ବାୟୁମଣ୍ଡଳ ସୃଷ୍ଟି କରିଥିଲା ତାହା ଏ ଅଞ୍ଚଳର ନାଟ୍ୟ ଇତିହାସରେ ଏକ ଯୁଗ ପ୍ରବର୍ତ୍ତକ ଘଟଣା । ନରେନ୍ଦ୍ର ନାଟ୍ୟଦଳ ଏଠା ତରୁଣ ସଂପ୍ରଦାୟଙ୍କ ମନରେ ଯେଉଁ ଉତ୍ସାହ ଓ ଉନ୍ମାଦନା ସୃଷ୍ଟି କରିଥିଲା ତାହା ଅସାଧାରଣ । ନାଟ୍ୟଦଳପାଇଁ ପ୍ରଥମେ ସେ ପୌରାଣିକ ଉପଖ୍ୟାନ “ପ୍ରହ୍ଲାଦ ଚରିତ” ଅବଲମ୍ବନରେ ଗୋଟିଏ ଗୀତିନାଟ୍ୟ ରଚନା କରିଥିଲେ । “ପ୍ରହ୍ଲାଦ ଚରିତ” ପରେ ବଂଧୁମାନଙ୍କଦ୍ୱାରା ଅନୁପ୍ରେରିତ ହୋଇ ସେ ଆପଣାର ଇତିହାସ ପ୍ରସିଦ୍ଧ ମହୁରୀ ଜମିଦାରୀର ପତନ ବିଷୟକ କଥା ବସ୍ତୁକୁ ନାଟ୍ୟରୂପ ଦେବାପାଇଁ ଯତ୍ନ କଲେ । ଗଂଜାମ ଜିଲ୍ଲା ମାନୁଏଲ ଏବଂ ପୂର୍ବ ସଂଚିତ କାଗଜପତ୍ରରୁ ନାଟକର କଥା ବସ୍ତୁକୁ ଭିତ୍ତିକରି ଯେଉଁ “ମହୁରୀ ପତନ” ନାମକ ନାଟକ ଲେଖିଛନ୍ତି ତାହା ଓଡ଼ିଶାର ନାଟ୍ୟଗ୍ରନ୍ଥ ମହଲରେ ଗୋଟାଏ ବିଶିଷ୍ଟ ସ୍ଥାନ ପାଇପାରିଛି ଏବଂ ଏକ ମୂଲ୍ୟବାନ୍ ସାରସ୍ୱତ ସଂପଦ ରୂପେ ଉତ୍କଳୀୟ ବାଣୀମନ୍ଦିରକୁ ଆଲୋକିତ କରୁଛି । ନାଟକର ରଚନା ପରିପାଟୀ, ପରିକଳ୍ପନା, ଓଜସ୍ୱିନୀ ଭାଷା, ଦୃଶ୍ୟ ସମାବେଶ, ନୃତ୍ୟ ସଂଯୋଜନାରେ ଗୋଟାଏ ବିଶେଷତ୍ୱ ଫୁଟି ଉଠିଥିଲା ।

 

ଛାତ୍ର ଅବସ୍ଥାରେ ସେ ଜଣେ ଲବ୍ଧ ପ୍ରତିଷ୍ଠା ସାହିତ୍ୟିକର ସମ୍ମାନ ପାଇଥିଲେ । “ସହକାର” ଓ “ମୁକୁର” ପରି ଦୁଇଟି ସାହିତ୍ୟ ପତ୍ରିକାରେ ୧୯୨୭-୨୮ରେ ସେ କବିତା ପ୍ରକାଶ କରାଇଥିଲେ । ସେତେବେଳର ସଚିତ୍ର ସହକାର ପତ୍ରିକାରେ ତାଙ୍କର ଦୁଇଟି କବିତା ଏବଂ “ମହୁରୀ ପତନ” ନାଟକର ଆଲୋଚନା ତାଙ୍କ ସୃଷ୍ଟି ମାନସକୁ ପ୍ରସାରିତ କରିଥିଲା । “ସୁନ୍ଦର” ନାମକ ଗୋଟି କବିତା “ସହକାର” ୭ମ ଭାଗ, ୫ମ ସଂଖ୍ୟାରେ ପ୍ରକାଶ ପାଇଥିଲା । କବିତାଟି ନିମ୍ନରେ ଉଦ୍ଧାର କରାଯାଇଛି–

 

ତୁମେ ଅଟ ଶୋଭା ସାଗର

ତେଣୁ ବିଶ୍ୱସିନା ଦିଶେ ସୁନ୍ଦର

ପୂର୍ଣ୍ଣ ଜ୍ୟୋତି ତୁମେ ତେଣୁ କରି ପରା

ରବି ଶଶି ଅଟେ ଜ୍ୟୋତି ଆକର ।

 

ଏ ଯେ ସମୀରରେ ବିହଙ୍ଗ

ଏ ଯେ ଉଠେ ସିନ୍ଧୁ ତରଙ୍ଗ

ତୁମ ଲାଗି ଦିଶଇ ସୁନ୍ଦର

ତୁମେ ଅଟ ତେଣୁ ବଡ଼ ମଧୁର ।

 

ଚାନ୍ଦ କହେ ତୁମେ ଶୀତଳ

ଫୁଲ କହେ ତୁମେ କୋମଳ

ବାୟୁ କହେ ତୁମେ ଜୀବର ଜୀବନ

ତେଣୁ ଅଟ ତୁମେ ସର୍ବ-ଆଧାର ।

 

ତବ ଶୋଭା ଚିର ନବୀନ

ତବ ନାମ ଚିର ମୋହନ

ଏହି ଶୋଭା ମଧ୍ୟେ ଡୁବାଇ ରଖ ହେ

ବିଶ୍ୱବିମୋହନ ନିତ୍ୟ-ସୁନ୍ଦର ।

 

ସେହି ସହକାର ପତ୍ରିକାର ସପ୍ତମ ଭାଗ, ତୃତୀୟ ଓ ଚତୁର୍ଥ ସଂଖ୍ୟାରେ “ଯାଅନା” କବିତା ପ୍ରକାଶିତ । ତାହା ମଧ୍ୟ ନିମ୍ନରେ ଉଦ୍ଧୃତ ହେଲା :

 

ଫିଟାଇ ରଖିଛି ହୃଦୟ ଆସନ

ଦୂରେ ଛିଡ଼ା ନାହିଁ ସାଜେ ଗୋ ।

 

ପ୍ରାଣ ସାଥିମୋର ଆସ ଆସ ଥରେ

ଭଲ କରି ଥରେ ଦରଶନ କରେ

ଉଦାର ନୟନେ ଥରେ ଦରଶନ

ଲୋଡ଼େ ଏହି ମୋର ଜୀବନେ ଗୋ ।

 

ବସନ ବାନ୍ଧିଣ ନୟନର ପରେ

ନୀରବେ ବସିଣ ଦେଖିବି ତୁମରେ

ଦେଖି ନାହିଁ ଯାହା ଦେଖିଯିବି ତାହା

ଏତିକି କାମନା ପରାଣେ ।

 

ଡାକି ନାହିଁ କେବେ ଏ ଜୀବନେ ମୋର

ନିଜେ ଆସି ଦେଖା ଦେଇଛ ସୁନ୍ଦର

ଆସି ପାଖେ ଯେବେ ଫେରିଯିବ ଆଜି

ଡୁବିବି ସିନା କ୍ରନ୍ଦନେ ।

 

୧୯୨୭ ମସିହାରେ ଏହିପରି କବିତା ଓ “ମହୁରୀ ପତନ” ନାଟକ ରଚନା କରି କୃପାସିନ୍ଧୁ ଓଡ଼ିଶାର ସାହିତ୍ୟ ଜଗତରେ ବେଶ୍ ପରିଚିତ ହୋଇଥିଲେ । ନରେନ୍ଦ୍ର ଦେବଙ୍କ ସୁନାମ ପ୍ରସାର ପାଇବାରୁ ରାୟବାହାଦୂର ଏ.ଏମ୍.ଭି. ଆପାରାଓ ମହୋଦୟ ଭାରତୀୟ ରେଡ଼କ୍ରସ ସଂଘ ତରଫରୁ ପ୍ରକାଶିତ “ତାରକାଦୂତ” ନାମକ ମାସିକ ଓଡ଼ିଆ ସାହିତ୍ୟ ପତ୍ରିକାର ସଂପାଦନା ଭାର ଗ୍ରହଣ କରିବାପାଇଁ ତାଙ୍କୁ ଅନୁରୋଧ କରିଥିଲେ । ସେ ଉକ୍ତ ପତ୍ରିକାଟିକୁ ଏକ ପ୍ରଗତିଶୀଳ ସାହିତ୍ୟ ପତ୍ରିକା ରୂପେ ସଂପାଦନା କରିଥିଲେ । ୧୯୨୮ ଖ୍ରୀଷ୍ଟାବ୍ଦ ବେଳକୁ ନରେନ୍ଦ୍ର ଦେବ ସାହିତ୍ୟ ସାଧନ ସହିତ ସାମ୍ବାଦିକତା ପ୍ରତି ଆକୃଷ୍ଟ ହେଲେ । ସାମ୍ବାଦିକ ସୂତ୍ରରେ ସାହିତ୍ୟ ପରିବେଷଣ କରିବାପାଇଁ ସେ ଗୋଟିଏ ନୂଆ ପରିକଳ୍ପନା ପ୍ରତି ଆକୃଷ୍ଟ ହେଲେ ।

 

କୃପାସିନ୍ଧୁ ଜୀବନରେ ଚାରୋଟି ପ୍ରଧାନ କଥା ସ୍ମରଣ କରି କାର୍ଯ୍ୟ କଲେ ।

 

୧.

ଅସମ୍ଭବ ହେଲେ ସୁଦ୍ଧା ଥରେ ଯଦି ମନକୁ କିଛି କାମ ଆସିଲା ତା’ର ଚରମ ନିଷ୍ପତ୍ତି ସୁଦ୍ଧା କର ବା ମର ନୀତିରେ ଲାଗିବା ।

୨.

ଅପକାରୀର ଉପକାର କରି ତା’ର ପ୍ରତିଶୋଧ ନେବା ତଥା ଶତ୍ରୁ ମନରେ ପରିବର୍ତ୍ତନ ଆଣିବା ।

୩.

ଅଭାବ ଭିତରେ ଅନ୍ୟର ଅଭାବ ମେଣ୍ଟାଇବାରେ ଆତ୍ମ ବିସ୍ତୃତ ହୋଇ କାର୍ଯ୍ୟ କରିବା ।

୪.

ଜାତୀୟ ସାହିତ୍ୟ ଓ କଳାର ପୁଷ୍ଟି ସାଧନପାଇଁ ସମସ୍ତଙ୍କୁ ଉଦ୍‍ବୁଦ୍ଧ କରିବା ଏବଂ ନୂଆ ଛାଞ୍ଚରେ ତାକୁ ଗଢ଼ିବା ।

 

ଶ୍ରୀନିବାସ କବିରତ୍ନ ମହାଶୟ କୃପାସିନ୍ଧୁଙ୍କର ଆଦ୍ୟ ଜୀବନର ଏହି ପ୍ରଧାନ କଥା ମାଧ୍ୟମରେ ତାଙ୍କର ବୈଶିଷ୍ଟ୍ୟ ଦର୍ଶାଇ ଦେଇଥିଲେ । ଜଣେ ସାଧାରଣ ନାଗରିକ ହିସାବରେ, ସମାଜର ଉନ୍ନତିପାଇଁ ସେ ଅକାତରେ ସର୍ବସ୍ୱ ଢାଳି ଦେବାପାଇଁ ସେ ପିଲାଦିନରୁ ପ୍ରସ୍ତୁତ ଥିଲେ । ଦୟା ଓ ଦାନ ଥିଲା ତାଙ୍କ ଜୀବନର ଶ୍ରେଷ୍ଠ ନୀତି । ଏନେକ ଦୁଃସ୍ଥ ଗରୀବ ଛାତ୍ର ମଧ୍ୟ ତାଙ୍କଠାରୁ ସାମୟିକ ସାହାଯ୍ୟ ପାଇ ଅଧ୍ୟୟନ କରୁଥିଲେ । ନାଗରିକ ହିସାବରେ ସ୍ଥାନୀୟ ମୁନିସ୍‍ପାଲଟି ପରିଚାଳନାଠାରୁ ଆରମ୍ଭ କରି ଠାକୁରାଣୀ ଯାତ୍ରାର ପରିଚାଳନା ପର୍ଯ୍ୟନ୍ତ ସବୁ ପ୍ରକାର ସାମାଜିକ କାର୍ଯ୍ୟରେ ତାଙ୍କର କିଛି ନା କିଛି ସଂପର୍କ ଥିଲା ।

 

।। ୨ ।।

 

କୃପାସିନ୍ଧୁ ନରେନ୍ଦ୍ର ଦେବଙ୍କ ବହୁମୁଖୀ କାର୍ଯ୍ୟର ଆରମ୍ଭ ହୋଇଥିଲା ୧୯୩୦ରେ । ୧୯୩୦ ମସିହା ସମଗ୍ର ଭାରତୀୟ ଜାତୀୟତାବାଦ ଇତିହାସର ଏକ ଅବିସ୍ମରଣୀୟ ବର୍ଷ । ଗାନ୍ଧୀଭାବଧାରା ସାରା ଭାରତରେ ସାମ୍ରାଜ୍ୟବାଦ ବିରୁଦ୍ଧରେ ଦୃଢ଼ ଉଚ୍ଚାରଣ ସୃଷ୍ଟି କରିଥିଲା । ପ୍ରତିବାଦର ଏହା ଥିଲା ଏକ ମହା ସୋପାନ । ଭାରତୀୟ ମହାଜାଗରଣର ଏହି ପର୍ବରେ ଓଡ଼ିଶାର ଜାଗରଣ ଏକ ନୂଆ ମୋଡ଼ ନେଇଥିଲା । ସମାଜ, ସାହିତ୍ୟ, ସଂସ୍କୃତି, ରାଜନୀତି ଓ ଅର୍ଥନୀତିର ଏହା ଏକ ଭିନ୍ନ ପର୍ଯ୍ୟାୟ ଓଡ଼ିଆମାନଙ୍କପାଇଁ ଆଣିଦେଇଥିଲା । କୃପାସିନ୍ଧୁ ଏହି ସନ୍ଧିକାଳରେ ଓଡ଼ିଆ ଜାଗରଣକୁ ପ୍ରସାରିତ କରିବାରେ ବେଶ୍ ସକ୍ରିୟ ହୋଇଥିଲେ । ତାଙ୍କର ମହାନ୍ ଅବଦାନ ଥିଲା ୧୯୩୦ରୁ ନବୀନ ନାମକ ଏକ ସାପ୍ତାହିକ ସାହିତ୍ୟ ଓ ସମ୍ବାଦ ପତ୍ର ପ୍ରକାଶ ଓ ପ୍ରସାର ।

 

୧୯୩୦ ବେଳକୁ ଓଡ଼ିଶାର ସାହିତ୍ୟ ତୀର୍ଥର ଯାତ୍ରୀମାନେ ବଡ଼ କ୍ଳାନ୍ତ ଶ୍ରାନ୍ତ ହୋଇ ପଡ଼ିଥିଲେ । ଗଭୀର ଅବସାଦ ଜାତୀୟ ପ୍ରାଣକୁ ନିବିଡ଼ ଭାବରେ ଘୋଡ଼େଇ ରଖିଥିଲା । “ପ୍ରଦୀପ” ଲିଭିଯାଇଥିଲା “ସତ୍ୟବାଦୀ” ତା’ର ସ୍ଥାନ ହରାଇଥିଲା । “ସମାଜ ମିତ୍ର” ଅସମୟରେ ଲୁଚିଯାଇଥିଲା । “ପରିଚାରିକା”ର ବେଶ ପରିପାଟୀ ସ୍ମୃତିରେ ମାତ୍ର ଲାଗିରହିଥିଲା । ଉତ୍କଳର ସାହିତ୍ୟ ଜଗତରେ ତରୁଣ ପ୍ରାଣରେ ଉନ୍ମାଦ ରାଗିଣୀ ନଥିଲା । ତଥାପି ନବଯୁଗର ଆହ୍ୱାନ ଆସିବାକୁ ଅପେକ୍ଷା କରିଥିଲା । ଉତ୍କଳର ସାହିତ୍ୟ ପତ୍ରିକାମାନଙ୍କ ମଧ୍ୟରେ ବୟୋବୃଦ୍ଧ ଉତ୍କଳ ସାହିତ୍ୟ, ତରୁଣ ମୁକୁର, ସରଳ ସାଧୁ ଜୀବନ ଘେନି ସହକାର ଆଗେଇଥିଲେ । ଏ ତିନି ଖଣ୍ଡରେ ଏ ସଂକୀର୍ଣ୍ଣତା ମଧ୍ୟରେ ଏତେ ବଡ଼ ବିଶାଳ ଜାତିର ପ୍ରାଣ ଫୁଟିବ କିପରି ? ଜାତୀୟ ଜୀବନର ଗଭୀରତାକୁ ଚିହ୍ନେଇବାପାଇଁ ଏ କିଛି ନୁହେଁ । ଜାତିକୁ ଉଦ୍‍ବୁଦ୍ଧ କରିବାପାଇଁ, ମୃତପ୍ରାଣରେ ଜୀବନ୍ୟାସ ଦେବାପାଇଁ, ଶ୍ମଶାନରେ ଶବ ନଚାଇବାପାଇଁ କ୍ଷେତ୍ର ଦରକାର । ପୁରୋଧା ଆବଶ୍ୟକ । ଓଡ଼ିଆକୁ ଏକ ବିଶାଳ ଆହ୍ୱାନର ମୁକାବିଲା କରିବାପାଇଁ ୧୯୩୦ ମସିହା ମେ ମାସ ୧୩ ତାରିଖ ମଙ୍ଗଳବାରରେ ଯୁବରାଜ କୃପାସିନ୍ଧୁଙ୍କ ସଂପାଦନାରେ ସହସା ମୁଣ୍ଡ ଟେକିଲା ନବୀନ । ନିଜ ପିତା ନବୀନଚନ୍ଦ୍ର ଦେବଙ୍କ ନାମ ଅନୁକ୍ରମରେ ପତ୍ରିକାଟିର ନାମ ନବୀନ ରଖାଯାଇଥିଲା । ତାଙ୍କ ଚିନ୍ତାଧାରାନୁସାରେ ସାହିତ୍ୟ ପତ୍ର ଗୁଡ଼ିକ ସାପ୍ତାହିକ ସୂତ୍ରରେ ପ୍ରକାଶ ପାଇଲେ ସାହିତ୍ୟର ଅଗ୍ରଗତି ହେବ । ଉତ୍କଳୀୟ ପରଂପରାଗତ ଆଭିଜାତ୍ୟ ସହିତ ନରେନ୍ଦ୍ର ଦେବଙ୍କର ସଂଗୀତ ପ୍ରିୟ ସାହିତ୍ୟ ପ୍ରାଣ ତାଙ୍କ ଚରିତକୁ ଏକ ମହିମାମୟ ପରିବେଶ ମଧ୍ୟରେ ଗଠନ କରିଥିଲା । ଏହି ଆଭିଜାତ୍ୟର ଔଦାର୍ଯ୍ୟ ଦାବୀରୁ ନବୀନର ଦ୍ୱାର ସମଗ୍ର ଦେଶର ନବୀନ ଲେଖକମାନଙ୍କ ପ୍ରତି ସଦା ଉନ୍ମୁକ୍ତ ରହିଲା । ନବୀନକୁ ଯଥାର୍ଥରେ ସାହିତ୍ୟ ରାଜ୍ୟର ପ୍ରବେଶିକା ଦ୍ୱାର ବୋଲାଯାଇପାରେ । ନବୀନ ରଚୟିତାମାନଙ୍କର ନୂତନତମ ଭାଷାଭଙ୍ଗୀ ଛନ୍ଦମାଧୁରୀର ପ୍ରତୀକ ଥିଲା ନବୀନ । କିନ୍ତୁ ତାହାର ଭାବ ଓ ରସବୋଧ ଥିଲା ମଧ୍ୟଯୁଗୀୟ । ଏହିପରି ମଧ୍ୟଯୁଗୀୟ ଭାବ ଓ ରସବୋଧ ଆଧୁନିକ ବହୁ ଲେଖକଙ୍କର ରଚନାରେ ପ୍ରତିଫଳିତ ବୋଲି ମନେ ହୁଏ । ଅସଂଖ୍ୟ ଭୁଲ ଭିତରେ ଅସୀମ ଅସଂଯମ ଓ ଅସତ୍ୟ ମଧ୍ୟରେ ଯେଉଁ ନବୀନର ପାଞ୍ଚଜନ୍ୟ ରଣଭେରୀ ନିନାଦିତ ହୁଏ ଦୁର୍ଭେଦ୍ୟ ଗିରି ଦୁର୍ଗର ରହସ୍ୟ ଉଦ୍‍ଘାଟନ ଲାଗି, ଯେଉଁ ନବୀନର ସ୍ୱର ମୂର୍ଚ୍ଛନା ନିର୍ଜ୍ଜଳ ମରୁପ୍ରାନ୍ତରକୁ ରସାଣିତ ଓ ଶସ୍ୟାୟିତ କରେ ଜରାଗ୍ରସ୍ତ କଣ୍ଠରେ ମଧ୍ୟ ଛନ୍ଦର ବିଳାସ ରଚନା କରେ, ଯେଉଁ ନବୀନର ଉଦ୍ଦାମ ଦୁଃସାହାସ ଚିର ଶୃଙ୍ଖଳିତ ଜନସମାଜର ଏକମାତ୍ର ମୁକ୍ତି, ଏହା ହିଁ ଏହି ନବୀନର ବାଣୀ । ଏହି ବାଣୀକୁ ନବୀନର ଶ୍ରଦ୍ଧେୟ ସଂପାଦକ ନିଜ ଜୀବନର ସାହିତ୍ୟ ପ୍ରଚେଷ୍ଟା ମଧ୍ୟରେ ପ୍ରତିପାଳନ କରିଥିଲେ ।

 

ନବୀନର ପ୍ରଥମ ସଂଖ୍ୟାରେ ଏହାର ଆଗମନକୁ ପ୍ରଂଶସା କରି କବି ଚିନ୍ତାମଣି ମହାନ୍ତି ଲେଖିଥିଲେ–

ଆସିଛି ନବୀନ ନବୀନ-ଭାଷା-ଭାବ ସ୍ୟନ୍ଦନେ

ନବୀନ ପ୍ରେରଣା ଦେବ ସେ ଆଣି ଉତ୍କଳଜନେ

ରାଜାଙ୍କର ହେବ ସଚିବ ପୁଣି ରାଜାଙ୍କ ଭାଇ

ସଜନେ ତୋଷିବ ନବୀନ ଛନ୍ଦେ ଶଙ୍ଖ ବଜାଇ

ଶିଖାଇବେ ଦେଶେ ନବୀନ ଲକ୍ଷ୍ୟ ନବୀନାଦର୍ଶ

ନବୀନ ଆଲୋକ ଦେଖାଇ ଦେବ ନବୀନ ହର୍ଷ

ନବ ଜାଗୃତିର ଅନଳ ମନ୍ତ୍ର ଢାଳିବ କାନେ

ଦୀର୍ଘଜୀବୀ ହେଉ ନବୀନ ବିଶ୍ୱନିଧି କଲ୍ୟାଣେ ।

(ନବୀନ, ମେ ୧୩, ୧୯୩୦)

ସେହିପରି ଏହାର ଅନ୍ୟ ଏକ ପୃଷ୍ଠାରେ ନାରୀକବି ଅନ୍ନପୂର୍ଣ୍ଣା ଲେଖିଥିଲେ–

ଗଂଜାମ ଅନ୍ଧାର ଘନେ ଉଇଁଲୁ ନବୀନ

ଢଳାଇ ଅମୃତଧାରା ଦେଲୁ କି ଜୀବନ ?

ପୂର୍ଣ୍ଣକର ପୂର୍ଣ୍ଣଆଶା ନବୀନ ଜୀବନେ

ଉତ୍ସାହର ଢେଉ ଖେଳୁ ଶାନ୍ତିର ଭୁବନେ

ଗୃହେ ଗୃହେ ହୃଦେ ହୃଦେ ବିସ୍ତାର ମହିମା

ଘୁଞ୍ଚିଯାଉ ଜୀର୍ଣ୍ଣ ଆଶା ଖେଳାଅ ଗାରିମା

ନବୀନ ମନରେ ଜାଗୁ ନବୀନ ସୁକର୍ମ

ନବ କୀର୍ତ୍ତି ନବ ନୀତି ରାଜୁ ନବ ଧର୍ମ

ଏକତା ଡୋରରେ ଗୁନ୍ଥି ପରାଣେ ପରାଣ

ମନେ ମନେ ମିଶି ଯାଉ ରହୁ ଅଭିମାନ

ବିଜୟ ପତାକା ଉଡ଼ୁ ତୋ ମହିମା ବଳେ

ପ୍ରକୃତି ସୁନ୍ଦରୀ ହସୁ କାମନା ବିହ୍ୱଳେ ।

ଜାଗି ଉଠୁ ପୂର୍ବପ୍ରାଣ ତୋର ମୁଖ ଦେଖି

ରସାଅ ନବୀନ ନବ ଭାବ ବକ୍ଷେ ଲେଖି

ଦୀନହୀନ ଉତ୍କଳର ସାଧତୁ ମଙ୍ଗଳ

କାର୍ଯ୍ୟକ୍ରମେ ଦେଖାଅ ତୁ ସୁନ୍ଦର କୌଶଳ

ନବରାଗେ ନବତାଳେ ନବ ଗାନ ବାହ

ନବୀନ ହୃଦୟେ ଦିଅ ନବୀନ ଉତ୍ସାହ ।

ସବୁବେଳେ ତୋର ଜ୍ୟୋତି ଉଠୁ ଧରି ମୂର୍ତ୍ତି

ସର୍ବମନେ ନାଚି ଖେଳି ଘୁଞ୍ଚାଅ ବିକୃତି ।

ସର୍ବକଣ୍ଠେ ବାଜୁ ଆଜି ବିଜୟର ଗାନ

ଗାନ ସଂଗେ ରକ୍ଷା ହେଉ ଉତ୍କଳର ମାନ ।

(ନବୀନ, ଜୁନ୍ ୨୪, ୧୯୩୦)

 

ସେହିପରି ବ୍ରଜସୁନ୍ଦର ଦାସ ନବୀନର ଆଗମନକୁ ପ୍ରଶଂସା କରି ପତ୍ର ଲେଖିଥିଲେ–

 

ଆପଣ ମୁକୁରର ପ୍ରାଚୀନ ଲେଖକ । ଏବେ ନବୀନର ସଂପାଦକ । ନବୀନର ଭାବ ଓ ଭାଷାରେ ଯଥେଷ୍ଟ ନୂତନତ୍ୱ ଅଛି । ନୀରସ ରାଜନୀତି ଓ ଜଟିଳ ସାମାଜିକ ସମସ୍ୟାକୁ ସରସ କବିତାମୟୀ ଭାଷାରେ ପ୍ରକାଶ କରିବାରେ ଯେ କୃତିତ୍ୱ ଦେଖାଉଅଛନ୍ତି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା ତାହା ଆପଣଙ୍କର ସର୍ବତ୍ର ଲେଖନୀକୁ ଉତ୍କଳର ପାଠକ ପାଠିକାମାନଙ୍କ ନିକଟରେ ମଧୁମୟ କରୁ । ନବୀନରେ ନବୀନ ଯୁବରାଜ ଉତ୍କଳ ସାହିତ୍ୟ ପ୍ରାଣରେ ନବୀନ ଆଶାର ସଞ୍ଚାର କରିପାରିଛନ୍ତି । (ନବୀନ, ଅଗଷ୍ଟ ୫, ୧୯୩୦)

 

ନବୀନର ବାର୍ତ୍ତା ସହସା ବ୍ୟାପିଗଲା ସାରା ଓଡ଼ିଶା, କଲିକତା, ମାନ୍ଦ୍ରାଜ, ରେଙ୍ଗୁନ୍ ଓ ଦିଲ୍ଲୀ । ଓଡ଼ିଆ ପ୍ରାଣରେ ଆସିଲା ନବଚେତନା । ଏହାର ପ୍ରଥମ ବର୍ଷ ଚତୁର୍ଥ ସଂଖ୍ୟା (ଜୁନ ୩, ୧୯୩୦)ରେ ଏକ ପତ୍ରରେ ସଂସ୍କାର ପ୍ରୟାସୀ ଲେଖିକା ସରଳା ଦେବୀ ନବୀନ ସଂପର୍କରେ ଏକ ଚମତ୍କାର ବିବରଣୀ ଦେଇଥିଲେ–

 

ଶ୍ରୀଛାମୁଙ୍କର ପଠାଇଥିବା ପ୍ରଥମଠାରୁ ତୃତୀୟ ସଂଖ୍ୟା ପର୍ଯ୍ୟନ୍ତ ପତ୍ରିକା ଗୁଡ଼ିକ ହସ୍ତଗତ ହୋଇଛି । ବର୍ତ୍ତମାନ ଦେଶର ଆର୍ଥିକ ପରିସ୍ଥିତିରେ ଶ୍ରୀଛାମୁଙ୍କର ୟେ ଉଦ୍ୟମ ତାହା ଅତୀବ ପ୍ରଂଶସନୀୟ ବୋଲି ମନେ ହୋଇଛି । ପତ୍ରିକାଟିର ବିଶେଷତ୍ୱ ଏହି ଯେ ଏଥିରେ ସମ୍ବାଦ ପ୍ରଚାର ସଂଗେ ସଂଗେ ସାହିତ୍ୟ ଓ ସାହିତ୍ୟିକ ଭାବର ପ୍ରଚାର ମଧ୍ୟ ହେଉଅଛି । ଦେଶର ସାଧାରଣ ଲୋକେ ଯେପରି ଅବସ୍ଥାରେ ଥାଆନ୍ତି ତହିଁରେ ପୁସ୍ତକ କ୍ରୟ କରି କିମ୍ବା ମୂଲ୍ୟବାନ ସାହିତ୍ୟ ପତ୍ରିକାମାନ କ୍ରୟ କରି ପାଠ କରିବା ସମ୍ଭବପର ନୁହେଁ । ସେଥିପାଇଁ ବର୍ତ୍ତମାନ ପତ୍ରିକାଟି ସାଧାରଣଙ୍କ ନିମିତ୍ତ ଉପଯୋଗୀ ହୋଇ ପାରିଛି ବୋଲି ମୋର ବିଶ୍ୱାସ । ପତ୍ରିକାର ମୂଳ ଉଦ୍ଦେଶ୍ୟ ରାଜା ଓ ପ୍ରଜାଙ୍କ ଭିତରେ ପ୍ରକୃତ ମିଳନ ଓ ପ୍ରେମଭାବର ପ୍ରତିଷ୍ଠା । ରାଜା ଓ ପ୍ରଜାଙ୍କ ଭିତରେ ପ୍ରକୃତ ମିଳନରେ ହିଁ ଜଗତର ପ୍ରକୃତ ଶାନ୍ତି । ଭରସା କରେ ନବୀନର ନବ ଜୀବନରେ ଭଗବାନଙ୍କ ଅପାର କରୁଣା ବର୍ଷଣ ହେବ । ରାଜବଂଶରେ ଜନ୍ମନେଇ ଶ୍ରୀ ଛାମୁଙ୍କର ଏପରି ଆଗ୍ରହ ଓ ଦେଶସେବାର ଏ ଉତ୍ସାହ ରାଜବଂଶୀୟ କୁମାରମାନଙ୍କର ଅନୁକରଣ ଯୋଗ୍ୟ । ଶ୍ରୀ ଛାମୁଙ୍କର ସାହିତ୍ୟ ପ୍ରତି ଏ “ନବୀନ” ଉଦ୍ୟମରେ ପ୍ରଥମେ ଯେ ପ୍ରକାଶ ପାଇଲା ତାହା ନୁହେଁ, ଇତି ପୂର୍ବରୁ “ମହୁରୀ ପତନ”ରେ ଓ ଉତ୍କଳର ଅନ୍ୟାନ୍ୟ ସାହିତ୍ୟ ପତ୍ରରେ ଶ୍ରୀଛାମୁଙ୍କର କବିତାରେ ତା’ର ବିଶିଷ୍ଟ ପରିଚୟ ପାଇଛି । ଶ୍ରୀଛାମୁଙ୍କ ସଂଗୀତ ପାରଦର୍ଶିତା ମଧ୍ୟ ମତେ ଅବିଦିତ ନାହିଁ । ବିଳାସ-ବିଭବ-ମଜ୍ଜିତ ରାଜକୁମାରଙ୍କ ପକ୍ଷରେ ଏ ସାଧନାମୟ ଜୀବନର ମୂଲ୍ୟ ଯଥେଷ୍ଟ ଅଧିକ । ଏହା କେହି ଚିନ୍ତାଶୀଳ ହୃଦୟବାନ ସୁଧୀ ଅନୁମାନ କରିନେବା ଦୁରୂହ ହେବ ନାହିଁ ।

 

ଉତ୍କଳରେ ସାହିତ୍ୟ, ସଂଗୀତ, ଶିକ୍ଷାର ସୁପରିସର କ୍ଷେତ୍ରର ଯଥେଷ୍ଟ ଅଭାବ ଅଛି । ଶ୍ରୀଛାମୁ ଯେତେବେଳେ ଏହି ପରିସର ଅଭାବ ଦୂରୀକରଣରେ ଦୃଢ଼ ସଂକଳ୍ପିତ ଗଞ୍ଜାମୋତ୍କଳର ପରମସୌଭାଗ୍ୟ ବୋଲିବାକୁ ହେବ । ପତ୍ରିକାରେ ଶ୍ରୀଛାମୁଙ୍କର ବ୍ୟାୟାମ ସଂଘ ସମ୍ବନ୍ଧରେ କେତେକ ବ୍ୟକ୍ତି ପ୍ରଶଂସାପତ୍ର ଲେଖିଥିବାର ପାଠ କଲି । ମାତ୍ର ମୁଁ ତାହା ପୂର୍ବରୁ ସ୍ୱଚକ୍ଷୁରେ ଶ୍ରାଛାମୁଙ୍କର ବ୍ୟାୟାମ ସଂଘର ଖେଳ, କସରତ ଆଦି ଦେଖି ବିଶେଷ ପ୍ରୀତିଲାଭ କରିଥିଲି । ଶ୍ରୀଛାମୁ ଏ ଦିଗରେ ବିଶେଷ ପ୍ରଶଂସନୀୟ କାର୍ଯ୍ୟ କରୁଛନ୍ତି । ଶ୍ରୀଛାମୁଙ୍କର ଏ ମହତ ପ୍ରଚେଷ୍ଟା ଓ ସତ୍ ଆଦର୍ଶରେ ଉତ୍କଳର ନରପତିମାନେ ଉଦ୍‍ବୋଧନା କରିବେ ବୋଲି ମୁଁ କାମନା କରେ । ରାଜା ବା ରାଜକୁମାରଙ୍କ ପକ୍ଷରେ ଋଷି ହେବା କିମ୍ବା କବି ହେବା ବଡ଼ ଦୁର୍ଲ୍ଲଭ । ଶ୍ରୀଛାମୁ ଉତ୍କଳର ଅମର କବି ଉପେନ୍ଦ୍ର ଭଂଜଙ୍କ ତୁଲ୍ୟ ଏକାଧାରେ ବିଳାସ ତ୍ୟାଗୀ ଋଷି ଏବଂ କବିତ୍ଵର ଆଦର୍ଶ ଧରି ଜୀବନ ସଂଗ୍ରାମ ପଥରେ ଜୟଲାଭ କରି ନବୀନକୁ ଯଥାର୍ଥ କରନ୍ତୁ ।

 

ନବୀନ ଆତ୍ମ ପ୍ରକାଶ କରିବାର କିଛିଦିନ ପରେ ପ୍ରଭାତ ନାମକ ଖଣ୍ଡେ ଦୈନିକ ପତ୍ରିକା ତାଙ୍କର ସଂପାଦନାରେ ପ୍ରକାଶ ପାଇଥିଲା । ପ୍ରଭାତ ଜନପ୍ରିୟ ହେବାବେଳକୁ ଆର୍ଥିକ ସଂକଟରେ ସମ୍ମୁଖୀନ ହୋଇ ତା’ର ପ୍ରକାଶ ବନ୍ଦ ହୋଇଯାଇଥିଲା । ସେହିପରି ୧୯୩୧ ମସିହା ଆଶ୍ୱିନ ପୂର୍ଣ୍ଣିମାରେ ଶିଶିର ନାମକ ଏକ ମାସିକ ପତ୍ରିକା କୃପାସିନ୍ଧୁଙ୍କ ସଂପାଦନାରେ ଆତ୍ମ ପ୍ରକାଶ କରିଥିଲା । ଏହାର ପ୍ରକାଶନ ପାରଳାଖେମୁଣ୍ଡିରୁ ସଂଗଠକ ଓ ପ୍ରତ୍ନତତ୍ତ୍ୱାନୁରାଗୀ ପଣ୍ଡିତ ସତ୍ୟନାରାୟଣ ରାଜଗୁରୁ ଅକ୍ଟୋବର ୧ ୧୯୩୧ରେ ଏକ ପତ୍ର ନବୀନରେ ପ୍ରକାଶ କରାଇ ଏହାର ମହତ୍ତ୍ୱ ଦର୍ଶାଇଥିଲେ ।

 

ଏହି ପତ୍ରରେ ରାଜଗୁରୁ ମହାଶୟ ଲେଖିଥିଲେ :

ଶିଶିରର ପ୍ରଥମ ବିନ୍ଦୁଟି ଆଜି ଆସ୍ୱାଦନ କରି ଅପାର ଆନନ୍ଦ ଲାଭ କରିଛି । ଓଡ଼ିଶାରେ ବର୍ତ୍ତମାନ ଚାରିଆଡ଼ୁ ଜାଗରଣର ଦିବାଲୋକ ମାଡ଼ି ଆସିଲାବେଳେ ଶିଶିର ପରି ଉଚ୍ଚ ଧରଣର ସୁନ୍ଦର ସାହିତ୍ୟ ପତ୍ରିକାଟି ଭଂଜଭୂମି ଗଂଜାମରୁ ପ୍ରକାଶ କରିଥବାରୁ ମୁଁ ଅନ୍ତରର ଧନ୍ୟବାଦସିକ୍ତ ଆଶୀର୍ବାଦ ଜ୍ଞାପନ କରେ । ମୁଁ ମୋର କ୍ଷୁଦ୍ର ଶକ୍ତିରେ ପ୍ରବନ୍ଧ ବା କବିତା ଲେଖି ଶିଶିରକୁ ଉପହାର ଦେବି ବୋଲି ମନେ କରିଛି । ଶିଶିର ଦୀର୍ଘ ଜୀବନ ଲାଭ କରି ଉତ୍କଳ ସାହିତ୍ୟ କ୍ଷେତ୍ରକୁ ପଲ୍ଲବିତ କରୁ । (ନବୀନ, ଅକ୍ଟୋବର ୨୦, ୧୯୩୧)

 

ଶିଶିରର ପ୍ରଥମ ସଂଖ୍ୟାରେ ଭାଷାରେ କୋମଳ ମାଧୁରୀ, ଭାବରେ ତରଳ ଉଚ୍ଛ୍ୱାସ ଓ ଛାପାରେ ପରିପାଟୀ ପୂର୍ଣ୍ଣ ବିଶେଷତ୍ୱ ଅଛି । ଶରତର ଫୁଲଗନ୍ଧ ପରି ଏହାର ଦେହଯାକ ପ୍ରାଣର ଗୋଟିଏ ଅଫୁରନ୍ତ ସୌରଭ ଖେଳି ବୁଲୁଛି । ଶିଶିର ଓଡ଼ିଶାର ଗୋଟିଏ ଅଭିନବ ସୌନ୍ଦର୍ଯ୍ୟ । ଏହାର ସୌଷ୍ଠବମୟ ଅଙ୍ଗକାନ୍ତି ଶିଶିର ବିନ୍ଦୁ ପରି ଶୀତଳ ଓ କୋମଳ । ଏହାର ଛତ୍ରେ ଛତ୍ରେ ପ୍ରାଣର ଫୁଜିଭୂତ ମଧୁର ପରଶ । କର୍ମ ଜଂଜାଳମୟ ଓଡ଼ିଆ ପ୍ରାଣରେ ସ୍ୱପ୍ନର ରଙ୍ଗିନ୍ ଆଭା ଖେଳାଇ ଦେଇଥିଲା ।

 

“ନବୀନ ସାହିତ୍ୟ ପରିଷଦ” କୃପାସିନ୍ଧୁଙ୍କ ପରିକଳ୍ପିତ ସାହିତ୍ୟିକ ଅନୁଷ୍ଠାନ । ଜାତୀୟ ସାହିତ୍ୟ ତଥା ସଂଗୀତର ବିକାଶ ଓ ଅଭିବୃଦ୍ଧି ନିମନ୍ତେ ସେ ଏହି ପବିତ୍ର ସାରସ୍ୱତ ଅନୁଷ୍ଠାନ ଗଢ଼ିଥିଲେ । ବର୍ଷକୁ ଏହାର ଚାରିପାଞ୍ଚୋଟି ଅଧିବେଶନ ହେଉଥିଲା ଏବଂ ସେହି ସଭାରେ ପ୍ରାକୃତିକ ଉତ୍କଳରୁ ବହୁ ସାହିତ୍ୟିକ ଓ ସଂଗୀତ କଳାବିତ୍‍ମାନେ ଉପସ୍ଥିତ ହୋଇ ସାହିତ୍ୟ ତଥା ସଂଗୀତ ବିଷୟରେ ନାନା ଆଲୋଚନା କରୁଥିଲେ । ଏଥିରେ ସମବେତ ଜନତା ସାହିତ୍ୟ ଓ ସଂଗୀତ କଳାର ସୁନ୍ଦର ରସାନୁଭବ କରିବାର ସୁଯୋଗ ପାଉଥିଲେ ।

 

“ନବୀନ”, “ପ୍ରଭାତ” ଓ “ନବୀନ ସାହିତ୍ୟ ପରିଷଦ” ଜରିଆରେ ଜାତୀୟ ସାହିତ୍ୟ ଓ ସଂଗୀତର ଜୀବନ ପ୍ରସ୍ଫୁଟିତ କରିବା ଦିଗରେ ସେ ଆମରଣ ମନପ୍ରାଣ ଢାଳିଥିଲେ। ନରେନ୍ଦ୍ର ଦେବ ଜଣେ ବିଶିଷ୍ଟ ଆନୁଷ୍ଠାନିକ ଥିଲେ । ନିଜ ହାତରେ କେତୋଟି ଅନୁଷ୍ଠାନ ଗଢ଼ିଥିଲେ l ତା ସଙ୍ଗେ ସଙ୍ଗେ ବାହାରର ଅନ୍ୟାନ୍ୟ ଅନୁଷ୍ଠାନମାନଙ୍କରେ ଯୋଗଦେଇ ସେ ସେଗୁଡ଼ିକ ଉତ୍ସାହିତ କରିଥିଲେ-

 

।। ୩ ।।

 

କୃପାସିନ୍ଧୁ ସଂପାଦିତ “ନବୀନ” ଓ “ଶିଶିର”ରେ ଓଡ଼ିଶା ଓ କଲିକତାର ଓଡ଼ିଆମାନଙ୍କର ନାନା ଦୃଷ୍ଟିକୋଣର ଲେଖା ପ୍ରକାଶ ପାଇଥିଲା । ବିଂଶ ଶତକର ପ୍ରତିଷ୍ଠିତ ଓଡ଼ିଆ ଲେଖକ ଲେଖିକା, କବି ନାଟ୍ୟକାର, ଚିତ୍ରକାର, ରାଜା ମହାରାଜା, ରାଜନୀତିଜ୍ଞ ତଥା ସମାଜ ସଂସ୍କାରକମାନଙ୍କର ମତ ଓ ଲେଖାରେ ନବୀନର ପୃଷ୍ଠାମାନ ରଂଜିତ ହୋଇଥିଲା । ନାରୀ କବି ଓ ଲେଖିକା ସୁଲୋଚନା ଦେବୀ, ଅନ୍ନପୂର୍ଣ୍ଣା ଦେବୀ, କୁନ୍ତଳା କୁମାରୀ ସାବତ ଓ ସରଳାଦେବୀଙ୍କର ଭାଗଗର୍ଭକ ଲେଖାମାନ ନବୀନ ପୃଷ୍ଠାରେ ନବଦୀପ୍ତିରେ ଉଦ୍‍ଭାସିତ ହୋଇଥିଲେ । ମହାନ୍ ସମାଜ ସଂସ୍କାରକ ଶ୍ରୀବତ୍ସ ପଣ୍ଡା ଓ ଜୟମଙ୍ଗଳ ରଥଙ୍କର ସଂସ୍କାରଧର୍ମୀ ଆଲୋଚନା ନବୀନକୁ ଅତ୍ୟନ୍ତ ମୂଲ୍ୟବାନ କରିଥିଲା । ଏଥିରେ ସ୍ଥାନ ପାଇଥିବା କୃପାସିନ୍ଧୁ ସଂପାଦନା କାଳର କିଶୋର କବି ଓ ଗାଳ୍ପିକ ପରେ ସାହିତ୍ୟ କ୍ଷେତ୍ରରେ ସୁନାମ ଅର୍ଜ୍ଜନ କରିଥିଲେ । କିଶୋର କବି ସଚ୍ଚିଦାନନ୍ଦ ରାଉତରାୟ, ଗାଳ୍ପିକ କିଶୋରୀ ଚରଣ ଦାସ, ପ୍ରାବନ୍ଧିକ ଓ କବି ଚିତ୍ତ ରଂଜନ ଦାସ, ସାତକୋଡ଼ି ହୋତା, ରମାକାନ୍ତ ରଥ, କୁଞ୍ଜବିହାରୀ ଦାସ, ସୀତା ଦେବୀ ଖାଡ଼ଙ୍ଗା, ପ୍ରାଣକୃଷ୍ଣ ସାମଲ, ଅନନ୍ତ ପ୍ରସାଦ ପଣ୍ଡା, କପିଳେଶ୍ୱର ଦାସ, ହୃଷିକେଶ ରାୟ, ସତ୍ୟନାରାୟଣ ରାଜଗୁରୁ ପ୍ରଭୃତି ନବୀନ ଓ ପ୍ରବୀଣ ଲେଖକ ଲେଖିକାମାନଙ୍କର ନାନା ଚର୍ଚ୍ଚାରେ ନବୀନ ମୁଖରିତ ହୋଇଥିଲା ।

 

ଏହାର ବିମୁଗ୍ଧ ପାଠକ ହିସାବରେ ୧୯୪୮ରେ ହରେକୃଷ୍ଣ ମହାତାବ ଇଂରାଜୀରେ ଏକ ପତ୍ର ଲେଖି ନବୀନରେ ପ୍ରକାଶ କରାଇଥିଲେ–

 

I have been a regular reader of Nabeen which has all along impressed me as an example of fair Journalism. Though moderate in tone it has been continuously advanceing the cause of Orissa with perseverance and zeal and has carved out a place for itself not only in Orissa, but in all Oriya speaking tracts. Its literary section has done very useful service in giving a forum to budding literature of Orissa. (ନବୀନ, ଫେବୃଆରୀ ୨୪, ୧୯୪୮ ) ।

 

ନବୀନରେ ପୁରାତନ ସାହିତ୍ୟର ଚର୍ଚ୍ଚା ହେଉଥିଲା । ଏହା ସହିତ ବିପ୍ଳବମୁଖୀ ସାହିତ୍ୟକୁ ମଧ୍ୟ ଆଦର କରାଯାଉଥିଲା । ୧୯୩୩ ମସିହାରେ ନବୀନ ସଂଖ୍ୟାମାନଙ୍କରେ କିଶୋର କବି ସଚ୍ଚିଦାନନ୍ଦ ରାଉତରାୟଙ୍କର ପ୍ରଥମ ପ୍ରଗତିଶୀଳ କବିତା “ପୁରୀ ମନ୍ଦିର”, “କବି”, “ରକ୍ତ କବିତା”, “ଭଗବାନ ଅଛ କାହିଁ ?” “କଳାପାହାଡ଼” ଓ “ଧ୍ୱଂସ ପଥେ” ପ୍ରକାଶ ପାଇଥିଲା । ୧୯୩୮ ମସିହା ଅଗଷ୍ଟ ମାସରେ ନବୀନର ଏକ ସଂଖ୍ୟାରେ ସଚ୍ଚି ରାଉତରାୟ ସଂପାଦକଙ୍କୁ ବିପ୍ଳବମୁଖୀ ସାହିତ୍ୟ ସଂପର୍କରେ ଏକ ପତ୍ର ଦେଇଥିଲେ । ସେଥିରେ ପୁରାତନ ସାହିତ୍ୟକୁ ନିନ୍ଦାକରି ସେ ଲେଖିଥିଲେ-ଆମର ପୁରାତନ ସାହିତ୍ୟ ଦାସ ଜାତିର ସାହିତ୍ୟ । ତାହା ପୌରାଣିକ ଯୁଗର ଦାସତ୍ୱକୁ ସମର୍ଥନ କରିଛି । ମଧ୍ୟଯୁଗର ସାମନ୍ତ ଓ ଆଭିଜାତ ପ୍ରଥାର ସ୍ତୁତିଗାନ କରିଛି । ଏହା ଆମକୁ ନାରୀତ୍ୱ, ଆତ୍ମଲାଂଛନା, ଆତ୍ମସମର୍ପଣ, ଆତ୍ମନିବୃତ୍ତି, କ୍ଳୀବତ୍ୱ ଓ ସନ୍ନ୍ୟାସ ଏବଂ ଶେଷରେ ବିନୟ ଓ ଭୀରୁତା ପ୍ରଭୃତି ଦାସଜାତି ସୁଲଭ ସମସ୍ତ “ସାତ୍ତ୍ୱିକ” ଗୁଣ ଶିକ୍ଷା ଦେଇଛି । ଏହା ଧର୍ମପ୍ରାଣତାକୁ ଦ୍ୱାହିଦେଇ ଆମକୁ ଏକ ବିକୃତ ଓ ଅନୁଭୂତି ଶକ୍ତି ନିକଟରେ ମୁଣ୍ଡ ନୁଆଇଁବାକୁ ଶିଖାଇଛି । ଏହି ସାହିତ୍ୟର ବିଷାକ୍ତ ପ୍ରଭାବରୁ ଏ ଦେଶର ତରୁଣମାନଙ୍କୁ ମୁକ୍ତ କରିବାକୁ ହେବ । ଏହି ସବୁ ସାହିତ୍ୟକୁ ଧ୍ୱଂସ କରି ବର୍ତ୍ତମାନ ତା ପରିବର୍ତ୍ତେ ଏକ ଯୁଗୋପଯୋଗୀ ସାହିତ୍ୟ ଗଢ଼ିବାକୁ ହେଲେ ସର୍ବପ୍ରଥମେ ଓଡ଼ିଶାର ପ୍ରଗତିଶୀଳ ସାହିତ୍ୟିକମାନଙ୍କୁ ଏକ କେନ୍ଦ୍ରୀୟ ଅନୁଷ୍ଠାନ ମଧ୍ୟରେ ସଂଘବଦ୍ଧ କରିବାକୁ ହେବ । ଆମର ସୁଦୃଢ ସଂଗଠନ ଉପରେ ହିଁ ଏହି ବିପ୍ଳବମୁଖୀ ନବ ସାହିତ୍ୟରେ ଭିତ୍ତି ସ୍ଥାପନ ହେବ । (ନବୀନ, ୧୬.୮.୧୯୩୮)

 

୧୯୩୦ ରୁ ୧୯୪୦ ମଧ୍ୟରେ ସଚ୍ଚିଦାନନ୍ଦ ରାଉତରାୟଙ୍କୁ ସୁଯୋଗଦେଇ କୃପାସିନ୍ଧୁ ତାଙ୍କ ନବୀନରେ ବିପ୍ଳବମୁଖୀ ସାହିତ୍ୟର ବାର୍ତ୍ତା ପ୍ରସାର କରାଇଥିଲେ । ସଚ୍ଚି ରାଉତରାୟଙ୍କ ରଚନା ଗୁଡ଼ିକ ଯଥା “କଙ୍କାଳର ଶୋଭାଯାତ୍ରା (ବଲସେଭିଜିମ୍)”, “ପୂଜାରିଣୀ,” “ହନୁମାନର ଗୋତ୍ର”, “କାକ ଓ କୁକ୍କୁଟ”, “ବେଶ୍ୟାବୃତ୍ତି କାହିଁକି ଅଛି ଓ ରହିବା ଉଚିତ (ପୁଂଜିବାଦ ଆଉ ଧର୍ମବାଦପାଇଁ ନୁହେଁ କି ?)”, ନବୀନ ପୃଷ୍ଠାରେ ପ୍ରକାଶ କରାଇ କୃପାସିନ୍ଧୁ ନବଜାଗୃତିର ବାର୍ତ୍ତା ପ୍ରକାଶ କରିଥିଲେ । ସଚ୍ଚିଦାନନ୍ଦଙ୍କ ପରି ଓଡ଼ିଶାର ଅସଂଖ୍ୟ କବି ଓ ଗାଳ୍ପିକଙ୍କର ପ୍ରଥମ ଲେଖା ନବୀନରେ ପ୍ରକାଶ କରାଇ ସେମାନଙ୍କୁ ଯେପରି ଉତ୍ସାହ ଯୋଗାଇଥିଲେ ତାହା ଅବିସ୍ମରଣୀୟ । ଏପରି ଉଦାର ଓ କୋମଳମନା ସଂପାଦକ ଆଜି ମଧ୍ୟ ବିରଳ ।

 

ଓଡ଼ିଆ ସାହିତ୍ୟର ଆଲୋଚନାପାଇଁ କୃପାସିନ୍ଧୁ ନବୀନ ସାହିତ୍ୟ ପରିଷଦ ଗଠନ କରିଥିଲେ । ଏହାର ବିଭିନ୍ନ ଅଧିବେଶନ ମାନଙ୍କରେ ସଭାପତିମାନେ ଯେଉଁ ଅଭିଭାଷଣ ଦେଉଥିଲେ ତାହା ଓଡ଼ିଆ ସାହିତ୍ୟ ଇତିହାସ ଚର୍ଚ୍ଚାରେ ବିଶେଷ ଭୂମିକା ଗ୍ରହଣ କରିଥିଲା । ୧୯୪୧ ମସିହା ମାର୍ଚ୍ଚ ମାସରେ ନବୀନ ସାହିତ୍ୟ ପରିଷଦର ଗୋଟିଏ ଅଧିବେଶନରେ ଜରିପଡ଼ାର ଉଦୀୟମାନ ଜମିଦାର ରଘୁନାଥ ରାୟ ସଭାପତିତ୍ୱ କରିଥିଲେ । ସେ ବୟସରେ କନିଷ୍ଠ ଥିଲେ । କିନ୍ତୁ ନବୀନ ସାହିତ୍ୟ ପରିଷଦରେ ତାଙ୍କୁ ସଭାପତି ପଦରେ ବରଣ କରାଯାଇଥିଲା । ଏଥିରୁ କୃପାସିନ୍ଧୁଙ୍କର ନବୀନ ସାହିତ୍ୟିକମାନଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନର ସୂଚନା ମିଳିଥାଏ ।

 

୧୯୪୪ ମସିହାରେ ଉତ୍କଳ ସାହିତ୍ୟ ସମାଜର ସାହିତ୍ୟ ସପ୍ତାହପାଇଁ କାବ୍ୟ ଓ କବିତା ବିଭାଗର ଉଦ୍‍ଘାଟକ ରୂପେ କୃପାସିନ୍ଧୁ ନରେଦ୍ର ଦେବ ଏକ ଚମତ୍କାର ଅଭିଭାଷଣ ଉପସ୍ଥାପନ କରିଥିଲେ । ସେଥିରେ ସେ କହିଥିଲେ-“ପ୍ରାକୃତିକ ଓଡ଼ିଶାର ଗୋଟିଏ ପ୍ରଗତିଶୀଳ ସାରସ୍ୱତ ପୁଣ୍ୟପୀଠ ହିସାବରେ ସାହିତ୍ୟ ସମାଜ କଟକ ମହାନଗରୀକୁ କେନ୍ଦ୍ରକରି ଓଡ଼ିଶାର ପ୍ରତ୍ୟେକ ଅଞ୍ଚଳକୁ ଯେଉଁ ସାହିତ୍ୟ ସୌରଭ ବିକିରଣ କରୁଛି ତାହା ଆମ୍ଭମାନଙ୍କ ସାହିତ୍ୟିକ ଜୀବନର ଗୋଟାଏ ଚିରନ୍ତନ ତଥା ମହାଉଦ୍‍ବୋଧନ । ବହୁବର୍ଷ ଧରି ଏହି ବଳିଷ୍ଠ ବାଣୀପୀଠ ଯେଉଁ ଏକନିଷ୍ଠ ସାଧନା ଦେଖାଇ ଆସିଛି ସେଥିଦ୍ୱାରା ଆମ୍ଭମାନଙ୍କର ଜାତୀୟ କଳା ଓ ଦୃଷ୍ଟିର ବ୍ୟାପକ ପ୍ରକାଶ ହୋଇଛି । ଏହି ଦୀର୍ଘକାଳ ମଧ୍ୟରେ ଏହି ସମାଜ କେତେ ଯେ ଲେଖକ, ଚିନ୍ତକ ସାହିତ୍ୟିକ ସୃଷ୍ଟି କରିଛି ତା’ର ହିସାବ ଦେବା ସମ୍ଭବପର ନୁହେଁ । ଲବ୍‍ଧ ପ୍ରତିଷ୍ଠ ସାହିତ୍ୟିକମାନଙ୍କୁ ସମ୍ମାନ ଦେଇଛି ଏବଂ ନବୀନ ଲେଖକମାନଙ୍କୁ ଯଥୋଚିତ ଉତ୍ସାହ ଦେଖାଇ ଆସିଛି । ଏଣୁ ଏହି ସମାଜର କାର୍ଯ୍ୟ ପରିସର ଖୁବ୍ ବ୍ୟାପ୍ତ ଓ ବିରାଟ ।

 

କାବ୍ୟ ଓ କବିତା ଦୁଇଟି ବିଭିନ୍ନ ପଦ ହେଲେ ହେଁ ସାହିତ୍ୟର ଏହି ଦୁଇଟି ଅଙ୍ଗ ମଧ୍ୟରେ ସେପରି କୌଣସି ପାର୍ଥକ୍ୟ ପରଲକ୍ଷିତ ହୁଏନାହିଁ । ଉଭୟର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ମଧ୍ୟରେ ସେତେଦୂର ଅସାମଞ୍ଜସ୍ୟ ଦୃଷ୍ଟ ହୁଏ ନାହିଁ । ମାନବର ଅନ୍ତର୍ନିହିତ ଭାବଧାରାକୁ ଛନ୍ଦୋବଦ୍ଧ ରୀତିରେ ରୂପଦାନ କରି ପ୍ରକାଶ କରିବା କଳାକୁ କବିତା କୁହାଯାଏ । ଶବ୍ଦ ଯୋଜନା କବିତାର ପ୍ରଧାନ ବାହକ । କେତେ ଗୁଡ଼ିଏ ବିକ୍ଷିପ୍ତ ଶବ୍ଦ ଯୋଜନାର ଏକତ୍ର ସମାବେଶକୁ କବିତା କୁହାଯାଇପାରେ ନାହିଁ । ଚିନ୍ତାଧାରାକୁ ଶୃଙ୍ଖଳାଗତ ରୀତିରେ ପ୍ରକାଶ କରିବାଦ୍ୱାରା କବିତାର ସୃଷ୍ଟି ହୁଏ । ମହାକବି ବାଇରନ କବିତାର ଶବ୍ଦ ଯୋଜନା ସଂକ୍ରାନ୍ତରେ କହିଛନ୍ତି–

 

“But words are things, and a small

drop of ink

Falling like dew, upon a thought

Produces

That which makes thousands,

Perhaps millions, think.”

 

ଜୀବନର ତରଳ, ଚଞ୍ଚଳ କ୍ଷଣିକ ଉତ୍ତେଜନା କବିତା ଶ୍ରୋତରେ ଶାଶ୍ୱତ ହୋଇଉଠେ । ଯେଉଁ ତୁଚ୍ଛ ନଗଣ୍ୟ ହେୟ ଦୃଶ୍ୟ ମନୁଷ୍ୟର ଦୃଷ୍ଟି ପର୍ଯ୍ୟନ୍ତ ଆକର୍ଷଣ କରେ ନାହିଁ ତା’ର ଗୋଟାଏ ମହା ଆହ୍ୱାନ କବି ଶୁଣେ ଏବଂ ସେ ଅନ୍ୟମାନଙ୍କୁ ତା’ର ଗୋଟାଏ ଗଭୀର ଅଭିବ୍ୟକ୍ତି ଶୁଣାଏ-ସ୍ଥୂଳରେ କହିବାକୁ ଗଲେ ମାନବ ଉପରେ କବିତାର ପ୍ରଭାବ ଗୋଟାଏ ମୃଦୁ ମୁର୍ଚ୍ଛନା, ଗୋଟାଏ ଅବ୍ୟକ୍ତ ସ୍ପନ୍ଦନ ଓ ଗୋଟାଏ ଅତୀନ୍ଦ୍ରିୟ ପ୍ରକାଶ ଆଣିଦିଏ । ଅନେକଙ୍କର ଧାରଣା କବିତା ରଚନା ଗୋଟିଏ ସହଜ ସାଧ୍ୟ ବ୍ୟାପାର । ଯେକୌଣସି ପଦର ଚରଣମାନ ଧାରଣା କବିତା ରଚନା ଗୋଟିଏ ସହଜ ସାଧ୍ୟ ବ୍ୟାପାର । ଯେକୌଣସି ପଦର ଚରଣମାନ ଅନ୍ତ୍ୟବର୍ଣ୍ଣ ସହିତ ମେଳ ରଖି କୌଣସିମତେ ଶବ୍ଦ ଯୋଜାନା କରି କବିତା ତୟାର କରିବାପାଇଁ ଯେଉଁମାନେ ପ୍ରୟାସୀ ସେମାନଙ୍କ ମତରେ କବିତା ସହଜ ହୋଇପାରେ । ମାତ୍ର ଯେଉଁ କବିତାରେ କବି ଅନୁଭୂତିର ଅଭିବ୍ୟକ୍ତି ନାହିଁ–ଛନ୍ଦର ମୃଦୁ ଲାଳିତ୍ୟ ନାହିଁ–କଳାର ସୌନ୍ଦର୍ଯ୍ୟ ନାହିଁ କିବା ଲଳିତ ଶବ୍ଦ ଯୋଜନାର ବିନ୍ୟାସ ଚାତୁରୀ ନାହିଁ ତାକୁ କବିତା ବୋଲାଯାଇପାରେ ନାହିଁ । ସେକ୍‍ସପିଅର୍‍ କବିମାନଙ୍କ ସମ୍ବନ୍ଧେ ଯାହା କହିଛନ୍ତି ସେଥିରୁ କବିର ପ୍ରକୃତ କାର୍ଯ୍ୟ କ’ଣ ସମ୍ୟକ ରୂପେ ବୁଝାଯାଏ–

 

“And as imagination

Bodies forth

The forms of things unknown,

the poet’s pen

Turns them to shapes and

gives to airy nothings

A local habitation and a name.”

 

ସ୍ୱପ୍ନର ଏକ ଅଦ୍ଭୁତ ମାନସ ରାଜ୍ୟରେ ରହି କବି ତା’ର କବିତା କଳାର ସମସ୍ତ ପ୍ରକାର ଇଦ୍ରଜାଲ ଭିତରେ ଯେଉଁ କୁହୁକ ସୃଷ୍ଟି କରେ ତାହା ପ୍ରକୃତ କାବ୍ୟ କବିତା-ତାହା ଚିର ନୂତନ ଓ ତା’ର ପ୍ରଭାବ ଖୁବ୍ ବ୍ୟାପ୍ତ । କବିତା କାହାକୁ ବୋଲାଯାଏ ଏହା ଗୋଟାଏ ଯୁକ୍ତିମୂଳକ ସମସ୍ୟା । କିନ୍ତୁ କବିତା କହିଲେ ଭାବପ୍ରବଣତା ଓ କଳ୍ପନାର ବିଳାସ ଯେ ବୁଝିବାକୁ ହେବ ଏକଥା କେହି ଅସ୍ୱୀକାର କରିବେ ନାହିଁ । ଏହି ଭାବପ୍ରବଣତା ଓ କଳ୍ପନାର ବିଳାସ କଳାର ଉପଜୀବ୍ୟ ହେଲେ କବିତାର ଉତ୍କର୍ଷତା ସେହିଠାରେ ଦେଖାଯାଏ ।

 

କବିତାର ମୂଳଦୁଆ ଯେତେବେଳେ ଅନୁଭୂତ ବୋଲି ଧରାଯାଏ ତାହାହେଲେ ମାନବର ଯେ କୌଣସି ଅନୁଭୂତିକୁ କବିତା ବୋଲି କୁହାଯାଇ ପାରିବା ନାହିଁ । ଅନୁଭୂତିର ବର୍ହିପ୍ରକାଶପାଇଁ ଯେଉଁ ପ୍ରକାଶ ଭଙ୍ଗୀ ଓ ଭାଷା ଦରକାର ତା’ର ଉତ୍କର୍ଷତା ଉପରେ କବିତା ବିଶେଷ ନିର୍ଭର କରେ । ଭାବ ଓ କଳ୍ପନା ଚାତୁରୀ ଘେନି କବିତା ହୁଏ ନାହିଁ । କବିତା ଗୋଟିଏ ଶିଳ୍ପ ବିଶେଷ । ସେହି ଶିଳ୍ପର ବାହ୍ୟସୌନ୍ଦର୍ଯ୍ୟ ଛନ୍ଦରେ ପ୍ରକାଶିତ । ଛନ୍ଦ ଯେଉଁଠାରେ ଭାବ ଓ କଳ୍ପନାରେ ମିଳିତ ହୁଏ ସେହିଠାରେ ହିଁ କବିତାର ସୃଷ୍ଟି । ଭାବ ବିଭୋର ହୋଇ ମାନବ ଯେତେବେଳେ ଗୋଟାଏ ଚିନ୍ତାସ୍ତରରେ ଉପନୀତ ହୁଏ ସେତେବେଳେ ତା’ର କବିତା ଫୁଟି ଉଠେ । କିନ୍ତୁ ପ୍ରକାଶ ଶକ୍ତି ନଥିଲେ ଚିନ୍ତାଧାରା ହ୍ରାସ ହୋଇ ତା’ର ମୂଳ କବିତା ଅନ୍ତର ମଧ୍ୟରେ ପର୍ଯ୍ୟବସିତ ହୁଏ । ଏଣୁ ପ୍ରକାଶ ଶକ୍ତି କବିର ଗୋଟାଏ ବିଶିଷ୍ଟ ଗୁଣ । ପ୍ରକାଶ ଶକ୍ତି ନଥିଲେ ଚିନ୍ତାଧାରା ଲେଖନୀ ମୁନରେ ଫୁଟାଇବା ସମ୍ଭବପର ନୁହେଁ । ଏହିଠାରେ ହିଁ କବି ଓ ସାଧାରଣ ମାନବ ମଧ୍ୟରେ ପାର୍ଥକ୍ୟ । ପ୍ରକାଶ ପାଇଲେ ଅନ୍ୟମାନେ କବିର କବିତା ମହତ୍ତ୍ୱ ବୁଝିପାରନ୍ତି ଏବଂ ତା’ର ରସ ଆସ୍ୱାଦନ କରନ୍ତି । ପ୍ରକାଶ ଲାଗି ଏପରି ଉପାୟ ସମ୍ଭବି ନାହିଁ । ଯହିଁରେ ଦର୍ପଣ ଉପରେ ପ୍ରତିବିମ୍ବ ପରି ଶିଳ୍ପୀମନର ଗୋପନ ପ୍ରକ୍ରିୟା ପ୍ରକାଶିତ ହୋଇପାରିବ । ମାନବର ନଶ୍ୱର ଜୀବନକୁ ଚିରନ୍ତନ କରିବାକୁ ହେଲେ କବିତା ହିଁ ଉପଯୁକ୍ତ ମାଧ୍ୟମ । ଆଜି ସେକ୍‍ସପିଅର୍‍ ନାହାନ୍ତି କିନ୍ତୁ ଅଛି ତାଙ୍କର ସେହି କାବ୍ୟ କବିତା । କାଳିଦାସ ନାହାନ୍ତି ଅଛି କେବଳ ତାଙ୍କର ସେହି ସୁଧାମୟୀ ଲେଖନୀ ପ୍ରସୂତ ଅମର କାବ୍ୟ ବିଭବ । କି ମହା ଅନୁଭୂତିରେ ଅନୁପ୍ରାଣିତ ହୋଇ କବି ସେକ୍‍ସପିଅର୍‍ ବା କାଳିଦାସ ଏହି ଅମର କବିତାବଳୀ ଲେଖିଥିଲେ-କେଉଁ ସ୍ୱପ୍ନର ସ୍ପନ୍ଦନରେ ଭାସି ଏପରି ଅପୂର୍ବ ମନୋଭାବ ପ୍ରକାଶ କରିଥିଲେ ତାହା ଆଜି ଆମ୍ଭେମାନେ କେତେ ଯୁଗପରେ ସୁଦ୍ଧା ସମ୍ୟକ ଭାବେ ଅନୁଭବ କରିପାରୁଛୁ । ସାଧାରଣ ବ୍ୟକ୍ତିଗତ ଜୀବନରେ କବିତା ଶକ୍ତି ଉଦୟ ହେଲେ ବାହାରୁ ଅନ୍ୟମାନେ ଜାଣିବା ସମ୍ଭବପର ନୁହେଁ । କବି ମନ କିପରି ପ୍ରକ୍ରିୟାରେ ଅଛି, କେହି କହିପାରିବ ନାହିଁ । ତେଣୁ କବିଙ୍କ ଲେଖାରେ ସାଧାରଣ ମଣିଷକୁ ନଖୋଜି କବି ଶକ୍ତିକୁ ଖୋଜିବା ଉଚିତ । ଯାହା ତାଙ୍କର ପ୍ରକାଶ, ତାରି ଭିତରୁ ଯେଉଁଠି ତାଙ୍କର ପ୍ରେରଣାର ବିକାଶ ସେଇ ତାଙ୍କର କବିତା । ତାଙ୍କର କବିତାର ଆତ୍ମାକୁ ଖୋଜିବାକୁ ପଡ଼ିବ ତାଙ୍କ ବ୍ୟକ୍ତିଗତ ଜୀବନରେ ନୁହେଁ ତାଙ୍କ କାବ୍ୟ ଜୀବନରେ । କବିର କଳ୍ପନା ରାଜ୍ୟ ବଡ଼ ବିସ୍ତୃତ ଓ ବିଚିତ୍ର । ମାନବ ପ୍ରକୃତିର ବିଭିନ୍ନ ବିକାଶ ଯେପରି ସୀମା ନାହିଁ କବିର କଳ୍ପନା ମଧ୍ୟ ସେପରି କଳନା କରାଯାଇପାରେ ନାହିଁ ।

 

ଲକ୍ଷ୍ୟ ଓ ଉଦ୍ଦେଶ୍ୟ, ରୂପ ଓ ପରିକଳ୍ପନା ଛନ୍ଦ ଓ କଳା ଦୃଷ୍ଟିରୁ କାବ୍ୟ ଓ କବିତା ମଧ୍ୟରେ ସେପରି କୌଣସି ପାର୍ଥକ୍ୟ ନଥିଲେ ସୁଦ୍ଧା ଉଭୟ ସବୁବେଳେ ସମାନ ନଥାଏ । ଗୋଟିଏ ଔପନ୍ୟାସିକ ଚିତ୍ରକାବ୍ୟ ରସରେ ଯେପରି ଫୁଟାଯାଇପାରିବ କବିତାରେ ସେପରି ପ୍ରକାଶ ହୋଇପାରିବ ନାହିଁ । ଉପନ୍ୟାସରେ ଯେପରି ନାୟକ ନାୟିକାର ବିସ୍ତୃତ ପରିଚୟ ଓ ପରିଣତି ଜୀବନ୍ତ ଭାବେ ସନ୍ନିବେଶିତ କରଯାଇଥାଏ କାବ୍ୟରେ ତାହା ସମ୍ଭବ ହୋଇପାରେ । କିନ୍ତୁ କବିତାରେ ସେପରି କରା ହୋଇପାରେ ନା । କବିତା ଗୋଟିଏ ଖଣ୍ଡକାବ୍ୟ । ପକ୍ଷାନ୍ତରେ କାବ୍ୟ ଗୋଟାଏ ଔପାନ୍ୟାସିକ ଚିତ୍ରର କବିତାମୟ ପ୍ରକାଶ । ଏତିକି କେବଳ ଛାଡ଼ିଦେଲେ କାବ୍ୟ ଓ କବିତା ଉଭୟରେ କରୁଣ ବିଭତ୍ସ ଶୃଙ୍ଗାର ପ୍ରଭୃତି ସମସ୍ତ ପ୍ରକାର ରସ ଦେଖିବାକୁ ମିଳେ । କାବ୍ୟ ଓ କବିତା ଏହି ଦୁଇଟି ବିଷୟର ସ୍ୱରୂପ ତଥା ପରିସର ଏତେ ବିରାଟ ଯେ ତାକୁ ଏହି ସଂକ୍ଷିପ୍ତ ଭାଷଣ ମଧ୍ୟରେ ସୀମାବଦ୍ଧ କରିହେବ ନାହିଁ । ବିସ୍ତାର ଭାବେ କାବ୍ୟ କବିତା କବିତା ସମ୍ବନ୍ଧେ ବିପୁଳ ଅନୁଭୂତି ଥିବା ଆଜିର ଲବ୍ଧ ପ୍ରତିଷ୍ଠା ସଭାନେତ୍ରୀ ଆପଣମାନଙ୍କୁ ଶୁଣାଇ ପାରିବେ । ମୁଁ କେବଳ କାବ୍ୟ କବିତାର ଦ୍ୱାର ଉଦ୍‍ଘାଟନ କଲି । କାବ୍ୟ କଳ୍ପଲତା ଆପଣମାନଙ୍କୁ କବିତା ମନ୍ଦିରସ୍ଥିତ ସୁସଜ୍ଜିତ ବାଣୀ ରତ୍ନାବଳୀର ସନ୍ଧାନ ଦେବେ । ଉତ୍କଳ ସାହିତ୍ୟ ସମାଜର କାବ୍ୟ କବିତା ଆଲୋଚନାରେ ଏହି ପାଣ୍ଡିତ୍ୟପୂର୍ଣ୍ଣ ବିବରଣୀ କୃପାସିନ୍ଧୁଙ୍କ କାବ୍ୟ ସନ୍ଧାନର ଦିଗ ଗୁଡ଼ିକ ଉପରେ ଦକ୍ଷତାରେ ସୂଚନା ଦିଏ । ଜଣେ କବିର ଅନ୍ତର ନେଇ ସେ ଏହି ବିବରଣୀ ଉପସ୍ଥାପନ କରିଥିଲେ ।

 

୧୯୪୩ ମସିହା ବେଳକୁ ଉତ୍କଳ ସାହିତ୍ୟ ସମାଜର ସଭ୍ୟମାନଙ୍କ ମଧ୍ୟରେ ମତପାର୍ଥକ୍ୟକୁ ଲକ୍ଷ୍ୟକରି କୃପାସିନ୍ଧୁ ଏ ସଂପର୍କରେ ଏକ ମନ୍ତବ୍ୟ ପ୍ରକାଶ କରିଥିଲେ । (ନବୀନ, ୧.୬.୧୯୪୩) ସେଥିରେ ସେ ଲେଖିଥିଲେ–ଉତ୍କଳ ସାହିତ୍ୟ ସମାଜ ଓଡ଼ିଶାର ଗୋଟାଏ ବିଶିଷ୍ଟ ସାରସ୍ୱତ ଅନୁଷ୍ଠାନ ଏକଥା କେହି ଅସ୍ୱୀକାର କରିବେ ନାହିଁ । ଓଡ଼ିଶାର ବିଶିଷ୍ଟ ସାହିତ୍ୟିକମାନେ ଏହି ଅନୁଷ୍ଠାନଟିକୁ ବହୁବର୍ଷ ଧରି ସଜୀବ ଧରି ସଜୀବ କରି ରଖିଛନ୍ତି । ଉତ୍କଳ ସମ୍ମିଳନୀ ଯେପରି ଓଡ଼ିଆ ଦେଶ ମିଶ୍ରଣ ଆନ୍ଦୋଳନ ତଥା ସ୍ୱତନ୍ତ୍ର ପ୍ରଦେଶର କେନ୍ଦ୍ର ସଂଗଠନ ଉତ୍କଳ ସାହିତ୍ୟର ବ୍ୟାପକ ପ୍ରଚାର ଓ ଆଲୋଚନା ଦୃଷ୍ଟିରୁ ଉତ୍କଳ ସାହିତ୍ୟ ସମାଜ ସୁଦ୍ଧା ଗୋଟିଏ ପ୍ରଧାନ ସଂଗଠନ-। ଉତ୍କଳ ସମ୍ମିଳନୀର ଉଦ୍ଦେଶ୍ୟ ସ୍ୱତନ୍ତ୍ର ପ୍ରଦେଶ ଗଠନ ପରେ ଆଂଶିକ ସାଧିତ ହୋଇଛି-। କିନ୍ତୁ ଉତ୍କଳ ସାହିତ୍ୟ ସମାଜର ଲକ୍ଷ୍ୟ ଓ ଉଦ୍ଦେଶ୍ୟ କ’ଣ ଏବଂ ତା’ର ଗତି କେଉଁ ଦିଗରେ ତାହା ନିରୂପଣ କରିବା ସହଜ ନୁହେଁ । ଉତ୍କଳ ସାହିତ୍ୟ ସମାଜର ସଭ୍ୟ ଓ କର୍ମକର୍ତ୍ତାମାନଙ୍କ ମଧ୍ୟରେ ଗଣ୍ଡଗୋଳ ବିଭ୍ରାଟ ସୃଷ୍ଟି ହୋଇଥିବା ସମ୍ବାଦପାଇଁ ଆମ୍ଭେମାନେ ବିଶେଷ ଦୁଃଖିତ । ଜାତୀୟ ଅନୁଷ୍ଠାନ ବିଶେଷତଃ ସାହିତ୍ୟିକ ଅନୁଷ୍ଠାନ ମଧ୍ୟରେ ସଂକୀର୍ଣ୍ଣତା ଓ ସାଂପ୍ରଦାୟିକ ଭେଦଭାବ ପ୍ରବେଶ କରିବା ଉଚିତ ନୁହେଁ । ଜାତିର ସମୂହ କଲ୍ୟାଣ ଦୃଷ୍ଟିରୁ ସବୁ ଜାତି ବା ସଂପ୍ରଦାୟ ଏଠାରେ ଏକାକାର ହେବା ବାଂଛନୀୟ । ବିଗତ ୨୮ ତାରିଖ ସନ୍ଧ୍ୟାରେ କଟକ ସାରସ୍ୱତ ପ୍ରେସଠାରେ ସହକାର ସଂପାଦକଙ୍କ ନେତୃତ୍ୱରେ ଯେଉଁ ଓଡ଼ିଆ ସାହିତ୍ୟ ପରିଷଦ ସଂଘଟିତ ହୋଇଛି ତା’ର ଉଦ୍ଦେଶ୍ୟ ଓ ଲକ୍ଷ୍ୟ କ’ଣ ତାହା ଓଡ଼ିଶାର ସାହିତ୍ୟିକ ଜନସାଧାରଣ ଜାଣିବା ଉଚିତ । କଟକ ସହରର ପୂର୍ବକାଳରୁ ଉତ୍କଳ ସାହିତ୍ୟ ସମାଜ ଜୀବିତ ଥାଉଁ ଥାଉଁ ଆଉ ଗୋଟିଏ ସାରସ୍ୱତ ଅନୁଷ୍ଠାନ କାହିଁକି ଯେ ସଂସ୍ଥାପିତ ହେଲା ତାହାର ରହସ୍ୟ ଭେଦ କରିବା ସହଜ ନୁହେଁ । ପୁଣି ଉତ୍କଳ ସାହିତ୍ୟ ସମାଜ ସହିତ ଏହି ଅନୁଷ୍ଠାନର ସମ୍ବନ୍ଧ କିପରି ତାହା ଆମ୍ଭେମାନେ ଜାଣିନାହୁଁ । ଯଦିଓ ଏହି ନୂଆ ସାହିତ୍ୟିକ ସଂଗଠନର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଉତ୍କଳ ସାହିତ୍ୟ ସମାଜଠାରୁ ପୃଥକ ତାହା ହେଲେ ଏହି ସଂଗଠନଟିକୁ ଆମ୍ଭେମାନେ ହୃଦୟର ସହିତ ସମର୍ଥନ କରୁଛୁ । ତାହା ନହୋଇ ଯଦି ଏହି ଅନୁଷ୍ଠାନଟି ଉତ୍କଳ ସାହିତ୍ୟ ସମାଜର ପ୍ରତିଯୋଗୀ (rival) ସଂଗଠନ ହୋଇଥାଏ ପ୍ରକୃତ ରହସ୍ୟ ନଜାଣିବା ପର୍ଯ୍ୟନ୍ତ ଆମ୍ଭେମାନେ କୌଣସି ମତବ୍ୟକ୍ତ କରିପାରିବୁ ନାହିଁ-। ଯେତେଦୂର ଜଣାଯାଏ ଓଡ଼ିଆ ସାହିତ୍ୟ ପରିଷଦର ଉଦ୍ୟୋକ୍ତାମାନେ ଏହି ଅନୁଷ୍ଠାନକୁ ନିଖିଳ ଉତ୍କଳୀୟ ଅନୁଷ୍ଠାନ କରିବାକୁ ଯାଉଛନ୍ତି । ଉତ୍କଳ ସାହିତ୍ୟ ସମାଜ ବହୁଦିନ ଧରି କେବଳ କଟକର ସାହିତ୍ୟିକମାନଙ୍କ ମଧ୍ୟରେ ସୀମାବଦ୍ଧ ରହି କାର୍ଯ୍ୟ କରୁଥିଲା । ସାହିତ୍ୟ ସମାଜର ଏ ସଂକୀର୍ଣ୍ଣତାକୁ ଆମ୍ଭେମାନେ ବହୁବାର ଆକ୍ଷେପ କରିଥିଲୁ । କିନ୍ତୁ ବର୍ତ୍ତମାନ ତାରି ପରିସର ଓ କାର୍ଯ୍ୟପ୍ରଣାଳୀ ଖୁବ୍ ବ୍ୟାପକ ଭାବରେ ଚାଲିଛି । ଏଣୁ ସାହିତ୍ୟ ସମାଜର ବିଭିନ୍ନ ସଭ୍ୟମାନଙ୍କ ମଧ୍ୟରେ ମତଭେଦ ଓ ପ୍ରତିଯୋଗୀ ଭାବ ସୃଷ୍ଟି ହେବା ସ୍ପୃହଣୀୟ ନୁହେଁ । ଉତ୍କଳ ସାହିତ୍ୟ ସମାଜ ଚିରଦିନ ସଜୀବ ରହିବା ଉଚିତ । ତା’ର ପରିସର ବ୍ୟାପ୍ତ ହୋଇ ସମଗ୍ର ଓଡ଼ିଆର ଅନ୍ୟାନ୍ୟ ଅନ୍ୟାନ୍ୟ ସାହିତ୍ୟିକ ଅନୁଷ୍ଠାନମାନଙ୍କ ମଧ୍ୟରେ ଯୋଗସୂତ୍ର ସସ୍ଥାପିତ ହେବା ବାଂଛନୀୟ-

 

ଓଡ଼ିଶାର ବିଭିନ୍ନ ସାହିତ୍ୟିକ ଅନୁଷ୍ଠାନକୁ କୃପାସିନ୍ଧୁ ଉତ୍ସାହିତ କରିଥିଲେ । ସେମାନଙ୍କ ସମ୍ପର୍କରେ ବିବରଣୀମାନ ନବୀନରେ ପ୍ରକାଶ କରାଇ ଏକ ନୂତନ ସାଂସ୍କୃତିକ ଜାଗରଣ ସେତେବେଳେ ଆରମ୍ଭ କରିଥିଲେ । ବିଂଶ ଶତକର ଚତୁର୍ଥ ଦଶନ୍ଧିରେ ସ୍ୱନାମଧନ୍ୟ କବି ମାୟାଧର ମାନସିଂ ଓଡ଼ିଆ ଲେଖକ ମଣ୍ଡଳୀ ଗଠନ ନିମନ୍ତେ ପରାମର୍ଶ ଦେଇଥିଲେ । ତାହାଦ୍ୱାରା ସମ୍ମିଳିତ ଉଦ୍ୟମରେ ଓଡ଼ିଆ ସାହିତ୍ୟର ଉନ୍ନତି ଘଟିବ ବୋଲି ବିଶ୍ୱାସ କରାଯାଉଥିଲା । ଏହି ସମ୍ପର୍କରେ ନାନା ପ୍ରକାର ବିତର୍କକୁ ସେ ତାଙ୍କ ପତ୍ରିକାରେ ସ୍ଥାନ ଦେଇଥିଲେ । ସେହିପରି କଲିକତାରେ ପ୍ରତିଷ୍ଠିତ ଓଡ଼ିଆ ଅନୁଷ୍ଠାନ ଦୀପକ ସଂଘର କାର୍ଯ୍ୟକ୍ରମକୁ ସେ ନବୀନ ପତ୍ରିକାରେ ପ୍ରକାଶ କରାଇ କଲିକତାରେ ଥିବା ଓଡ଼ିଆ ତରୁଣମାନଙ୍କର ସାହିତ୍ୟିକ କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ । ପ୍ରଗତିଶୀଳ ଆନ୍ତର୍ଜାତିକ ଭାବଧାରା ସହିତ ନବ ଉତ୍କଳର ତରୁଣ ମନକୁ ପରିଚିତ କରାଇବାପାଇଁ କଲିକତାରେ ଦୀପକ ସଂଘର ସୃଷ୍ଟି । ବିଶ୍ୱର ଗତିଶୀଳ ଆଧୁନିକତମ ଚିନ୍ତାଧାରାଠାରୁ ତରୁଣ ଉତ୍କଳ ବେଶୀ ଦୂରରେ ନରହୁ ଏହାହିଁ ଏହାର ଏକମାତ୍ର କାମନା । ୧୯୩୫ ମସିହାରେ ଏହାର ଜନ୍ମ । ଏହାର ସଂପାଦକ ଥିଲେ ଗୌରୀ କାନୁନ୍‍ଗୋ । ଏଥିରେ ସଚ୍ଚିଦାନନ୍ଦ ରାଉତରାୟ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ନବୀନ ସାପ୍ତାହିକ ପତ୍ରରେ ଗୌରୀ କାନୁନ୍‍ଗୋଙ୍କର କଳା ସଂପର୍କିତ ଅନେକ ଆଲୋଚନା ପ୍ରକାଶ କରାଇ କୃପାସିନ୍ଧୁ ଦୀପକ ସଂଘକୁ ଜନପ୍ରିୟ କରାଇଥିଲେ ।

 

।। ୪ ।।

 

ସଂଗୀତ ପ୍ରତି ନରେନ୍ଦ୍ର ଦେବଙ୍କର ଆକର୍ଷଣ ଅନନ୍ୟ ସାଧାରଣ ଥିଲା । ତାଙ୍କର ଅନେକ ରେକର୍ଡ଼ ସଂଗୀତ ଥିଲା । ଏଠାରେ ଗୋଟିଏ ରେକର୍ଡ଼ ସଂଗୀତର ଉଦ୍ଧାର କରାଯାଇ ତାଙ୍କର ସଂଗୀତ ପ୍ରାଣର ପରିଚୟ ଦିଆଯାଇଛି–

 

ଅତିଥି ଆସିଛି ଆଜି

କୁଟୀର ଦ୍ୱାରେ

Unknown

(ମୋର) ପ୍ରାଣର କଥା ସକଳ ବ୍ୟଥା

ଢାଳିଦେବି ସେଇ ଚରଣ ତଳେ

ଭାଙ୍ଗିବ ମୋ ନିଶା ସପନ

ଆସିବ ଗୋ ଉଷା ମୋହନ

ବସନ୍ତର ଫୁଲେ ରଚି ସିଂହାସନ

ବସାଇବି ପ୍ରଭୋ

ନଳିନୀ ଦଳେ

ସୁନ୍ଦର ଗୋ ହେବ ଭୁବନ

ସୁରବାଳା ଗାଇବ ଗାନ

(ମୋର) ହୃଦ ବୃନ୍ଦାବନେ ବାଜିବ ବଂଶୀ

ନାଚିବ ସେ ରଙ୍ଗ ଚରଣ ତଳେ

(ନବୀନ, ଜୁଲାଇ୨୯, ୧୯୩୦)

 

ସଂଗୀତ ଉପରେ ମତଦେଇ ୧୯୩୫ ମସିହାରେ ସେ କହିଥିଲେ–ମାନବ ଚିରଦିନ ସୌନ୍ଦର୍ଯ୍ୟର ଉପାସକ । ସୌନ୍ଦର୍ଯ୍ୟ ଜନିତ ସୁଖ ଯେପରି ପବିତ୍ର ସେହିପରି ଆନନ୍ଦ ଦାୟକ । ଏହି ସୌନ୍ଦର୍ଯ୍ୟକୁ ରୂପଦେବାପାଇଁ ବିଭିନ୍ନ ପ୍ରକାର କଳାର ସୃଷ୍ଟି ଯଥା–କାବ୍ୟ, କବିତା, ନୃତ୍ୟ, ଚିତ୍ର, ଭାସ୍କର୍ଯ୍ୟ ଓ ସ୍ଥାପତ୍ୟ । ପ୍ରଧାନତଃ ଏହି ଛଅ ପ୍ରକାର କଳାଦ୍ୱାରା ମାନବ ସୌନ୍ଦର୍ଯ୍ୟକୁ ରୂପଦେଇ ତଜ୍ଜନିତ ସୁଖ ଉପଲବ୍‍ଧି କରେ । କିନ୍ତୁ, ସମସ୍ତଙ୍କର ସୌନ୍ଦର୍ଯ୍ୟ ଗ୍ରାହିକା ଶକ୍ତି ସମାନ ନଥାଏ । ଏହାର ଉନ୍ନତି ବିଶେଷତଃ ଶିକ୍ଷା ଓ କୃଷ୍ଟି ଉପରେ ନିର୍ଭର କରେ । ସେଥପାଇଁ ଯେଉଁ ଦେଶ ବା ଜାତି ଯେତେ ଶିକ୍ଷିତ ତାହାର କାବ୍ୟ, ସଂଗୀତ, ନୃତ୍ୟ ଇତ୍ୟାଦି ସୂକ୍ଷ୍ମକଳା ତେତେ ଉନ୍ମତ । ଆମ୍ଭମାନଙ୍କ ଓଡ଼ିଶାର ସୂକ୍ଷ୍ମକଳା ଯେ ଦିନେ ଶୀର୍ଷସ୍ଥାନ ଅଧିକାର କରିଥିଲା ଏହା କେହି ଅସ୍ୱୀକାର କରିବେ ନାହିଁ । ବର୍ତ୍ତମାନ ସୁଦ୍ଧା ତାହାର ଜ୍ଜ୍ୱଳନ୍ତ ଉଦାହରଣ ସ୍ଥାନେ ସ୍ଥାନେ ବିଦ୍ୟମାନ । ମଧ୍ୟଯୁଗରେ ଓଡ଼ିଆମାନଙ୍କର ଶିକ୍ଷା ସଭ୍ୟତାର ଅବନତି ସଙ୍ଗେ ସଙ୍ଗେ ସୂକ୍ଷ୍ମକଳାର ଅବନତି ଘଟିଥିଲା । କିନ୍ତୁ ବର୍ତ୍ତମାନ ପୁଣି ତା’ର ଅଭ୍ୟୁତ୍‍ଥାନର ସମୟ ଆସିଲାଣି । ଓଡ଼ିଶାର ସୂକ୍ଷ୍ମକଳା ଯେ ଦିନେ ପୁଣି ଭାରତର ଶୀର୍ଷସ୍ଥାନ ଅଧିକାର କରିବା ଏପରି ଆଶା କରିବା ଅମୂଳକ ନୁହେଁ ।

 

ସୌନ୍ଦର୍ଯ୍ୟ ଜ୍ଞାନ ବିଶେଷତଃ ପ୍ରତିଭାମୂଳକ । ଏହି ପ୍ରତିଭାର ବିକାଶପାଇଁ ପାରିପାର୍ଶ୍ୱିକ ଉତ୍ସାହ ଓ ସହାନୁଭୂତି ବେଶି ଆବଶ୍ୟକ । ପ୍ରତ୍ୟେକ ସମୟରେ ପ୍ରତ୍ୟେକ ଜାତିରେ ପ୍ରତିଭାବାନ ବ୍ୟକ୍ତି ଜନ୍ମ ଗ୍ରହଣ କରନ୍ତି । କିନ୍ତୁ ସେହି ପ୍ରତିଭାକୁ ପରିସ୍ପୁଟିତ କରି ସାମୂହିକ କଲ୍ୟାଣରେ ବିନିଯୋଗ କରିବାର ଭାର ଦେଶବାସୀଙ୍କ ଉପରେ । ନଚେତ୍‍ ବନର ମାଳତୀ ପରି ତାହାର ସୌରଭ ବୃନ୍ତରେ ହିଁ ବିଲୀନ ହୋଇଯାଏ । ଏପରି ଉଦାହରଣ ଆମ ଓଡ଼ିଶାରେ ବେଶୀ । ଅନେକ ପ୍ରତିଭାବାନ ବ୍ୟକ୍ତି ଓଡ଼ିଶାରେ କେଉଁ ପଲ୍ଲୀ କୋଣରେ ଫୁଟି ଉପଯୁକ୍ତ ସାହାଯ୍ୟ ସହାନୁଭୂତି ଅଭାବରୁ ଶୁଖି ଝଡ଼ିଯାଆନ୍ତି ତାହା କେହି ଜାଣନ୍ତି ନାହିଁ । ପ୍ରତିଭାର ଏପରି ଅପବ୍ୟବହାର ଦେଶ ଓ ଜାତି ପକ୍ଷରେ ଅହିତକର । ଏକଥା ଯେଉଁ ଜାତି ବା ଦେଶ ଯେତେଦୂର ହୃଦୟଙ୍ଗମ କରିପାରିଛି, ତାହା ସେତେ ଜୀବନ୍ତ ହୋଇ ଉଠିଛି । ସେଥିପାଇଁ ଆଜିକାଲିର ସଭ୍ୟଜଗତରେ ଆମ୍ଭେମାନେ ନାନା ପ୍ରକାର ଅନୁଷ୍ଠାନ ଦେଖିବାକୁ ପାଉଁ । ଏହିସବୁ ଅନୁଷ୍ଠାନ ଗୁଡ଼ିକ ଜାତୀୟ ପ୍ରତିଭାର ବିକାଶ କେନ୍ଦ୍ରରୂପେ ବ୍ୟବହୃତ ହୋଇଥାଏ । ତେଣୁ ସେ ସବୁକୁ ସୁସ୍ଥ ଓ ସଜୀବ ରଖିବା ଦେଶବାସୀଙ୍କର ପ୍ରଧାନ କର୍ତ୍ତବ୍ୟ ।

 

ଓଡ଼ିଶାରେ ସେପରି ଅନୁଷ୍ଠାନର ଅଭାବ ବଡ଼ବେଶୀ । କଟକର ଉତ୍କଳ ସାହିତ୍ୟ ସମାଜକୁ ଛାଡ଼ିଦେଲେ ଆଉ ସେପରି କୌଣସି ଅନୁଷ୍ଠାନ ଓଡ଼ିଶାର କୌଣସିଠାରେ ଅଛି ବୋଲି ଏପର୍ଯ୍ୟନ୍ତ ଆମ୍ଭେମାନେ ଜାଣିନାହୁଁ । ସେହି ଅନୁଷ୍ଠାନ ପକ୍ଷରୁ ୧୯୩୫ ମସିହା ଡିସେମ୍ବର ମାସରେ ନିଖିଳ ଉତ୍କଳ ସଂଗୀତ ସମ୍ମିଳନୀ ବାର୍ଷିକ ଅଧିବେଶନ ବସୁଛି । ସଂଗୀତ ସମ୍ମିଳନୀ ସମଗ୍ର ଓଡ଼ିଶାର ଗୋଟିଏ ଜାତୀୟ ଅନୁଷ୍ଠାନ ଓ ସ୍ୱର ସୌନ୍ଦର୍ଯ୍ୟର ଅଭିବୃଦ୍ଧିପାଇଁ ଏହା ଏକ ସାମୁହିକ ପ୍ରଚେଷ୍ଟା ଏକଥା ଯେପରି କେହି ଭୁଲି ନଯାଆନ୍ତି” । (ନବୀନ, ଡିସେମ୍ବର ୧୭, ୧୯୩୫)

 

୧୯୩୯ ମସିହା ଡିସେମ୍ବର ମାସରେ ନିଖିଳ ଗଂଜାମ ସଂଗୀତ ସମ୍ମିଳନୀ କୃପାସିନ୍ଧୁଙ୍କ ସଭାପତିତ୍ୱରେ ରମ୍ଭାଠାରେ ହୋଇଥିଲା । ଏହା ଥିଲା କୃପାସିନ୍ଧୁଙ୍କ ଜୀବନର ଏକ ଅବିସ୍ମରଣୀୟ ଦିନ । ସଂଗୀତ ସଂପର୍କରେ ତାଙ୍କର ସ୍ୱଳ୍ପ ଧାରଣାକୁ ଅତି ସରଳ ଭାବରେ ସେ ବୁଝାଇଦେଇ କହିଥିଲେ–“ମୁଁ ସଂଗୀତଜ୍ଞ ବା ସଂଗୀତ ସାଧକ ନୁହେଁ । ସଂଗୀତ ବିଷୟରେ ମୋର ଅଭିଜ୍ଞତା ଅତିକମ । ତେଣୁ ସଂଗୀତ ସଂପର୍କରେ ବିଶେଷ କିଛି କହି ଆପଣମାନଙ୍କୁ ପରିତୃପ୍ତ କରିପାରିବି ବୋଲି ମୋର ଧାରଣା ବା ଭରସା ମଧ୍ୟ ନାହିଁ । କେବଳ ସଂଗୀତ ସମ୍ବନ୍ଧୀୟ କେତୋଟି ମୌଳିକ କଥା ଯାହା କି ମୋର କ୍ଷୁଦ୍ର ବୁଦ୍ଧି ଓ ଅପ୍ରଚୁର ଅନୁଭୂତିଦ୍ୱାରା ଆହରଣ କରିଛି, ତାହା ହିଁ ଆପଣମାନଙ୍କ ଆଗରେ ବ୍ୟକ୍ତ କରିବି ।

 

ସ୍ୱର, ତାଳ, ଲୟ ଇତ୍ୟାଦି କେତେ ଗୁଡ଼ିଏ ସଂଗୀତର ମୂଳବସ୍ତୁ ଅଛି । ସେଥିମଧ୍ୟରୁ ସ୍ୱରହିଁ ସର୍ବଶ୍ରେଷ୍ଠ । ସ୍ୱର ତ କେବଳ ସଂଗୀତର ମୂଳବସ୍ତୁ ନୁହେଁ, ମନୁଷ୍ୟ ଏପରିକି ସାରା ଜୀବଜଗତରେ ମନୋଭାବର ଆଦାନ ପ୍ରଦାନପାଇଁ ସ୍ୱର ହିଁ ସର୍ବଶ୍ରେଷ୍ଠ ଆଧାର । ଆମ୍ଭେମାନେ ଜାଣୁ ପଶୁ ପକ୍ଷୀ ଇତ୍ୟାଦି ଜୀବଗଣ ଯେଉଁମାନଙ୍କର ଭାଷା ନାହିଁ–ସେମାନେ କେବଳ ସ୍ୱରଦ୍ୱାରା ହିଁ ମନୋଭାବ ପ୍ରକାଶ କରନ୍ତି । ଅତଏବ ସ୍ୱର ହେଉଛି ମନୋଭାବ ପ୍ରକାଶର ପ୍ରକୃଷ୍ଟ ପନ୍ଥା-। ସ୍ୱରର ବିଭିନ୍ନ ପ୍ରକାଶ ଭଙ୍ଗିରୁ ଆମ୍ଭେମାନେ ବିଭିନ୍ନ ମନୋବୃତ୍ତିର ପରିଚୟ ପାଉଁ । ଭୟ, ଭକ୍ତି, ସ୍ନେହ, ମମତା, କ୍ରୋଧ, ମୋହ, ହର୍ଷ ବିଷାଦ ଇତ୍ୟାଦି ଯାବତୀୟ ମନୋବିକାଶ ସ୍ୱରଦ୍ୱାରା ହିଁ ସହଜ ଓ ସୁସ୍ପଷ୍ଟ ଭାବରେ ପ୍ରକାଶ ପାଏ । ଅତଏବ ସ୍ୱରକୁ ମନର ବାହନ ବୋଲି କହିଲେ ଚଳେ । ମୁଁ ଆଗରୁ କହି ରଖିଛି ସ୍ୱର ହିଁ ସଂଗୀତର ସର୍ବଶ୍ରେଷ୍ଠ ମୌଳିକ ଉପାଦାନ । ସ୍ୱରର ସଂଯତ, ନିୟନ୍ତ୍ରିତ ଓ ତରଙ୍ଗାୟିତ ଅବସ୍ଥାକୁ ହିଁ ଆମ୍ଭେମାନେ ସଂଗୀତ ଆଖ୍ୟା ଦେଉ । ପ୍ରତ୍ୟେକ ସ୍ୱରରେ ସଂଗୀତ ଅଛି । କାଉର କାଆ, କୋଇଲିର କୁହୁ, କୁକୁର ଭୋ, ବିଲୁଆର ହୁକା ହୋ ଇତ୍ୟାଦି ପ୍ରତ୍ୟେକ ଜୀବର ପ୍ରତ୍ୟେକ ସ୍ୱର ସଂଗୀତର ଅଂଗ ବିଶେଷ । ଯେକୌଣସି ଭାବରେ ବିହ୍ୱଳ ହୋଇ ଯେଉଁ ସ୍ୱର ପ୍ରକାଶ ପାଏ ତାହା ହିଁ ସଂଗୀତ । ଏହିଠାରେ କହି ରଖିବା ଉଚିତ ମନେ କରୁଛି ଯେ ଶବ୍ଦକୁ ସ୍ୱର ବୋଲି ଯେପରି କେହି ଭୁଲ ନବୁଝନ୍ତି । ଶବ୍ଦ ଓ ସ୍ୱର ମଧ୍ୟରେ ଯଥେଷ୍ଟ ପ୍ରଭେଦ ଅଛି । ସେ ସମ୍ପର୍କରେ ବିଶେଷ କିଛି କହିବାକୁ ମୁଁ ଏଠାରେ ଅବାନ୍ତର ମନେକରୁଛି । ତେବେ ଏତିକି କହିଲେ ଯଥେଷ୍ଟ ହେବ ଯେ ମେଘ ଘଡ଼ଘଡ଼ି ସମୁଦ୍ର ଗର୍ଜନ, ପବନର ସୁ ସୁ ଇତ୍ୟାଦି ଶବ୍ଦ, ଜୀବର କଣ୍ଠଜାତ ଶବ୍ଦକୁ ସାଧାରଣତଃ ସ୍ୱର ବୋଲାଯାଏ । ଅତଏବ ଶବ୍ଦର ଭାବ ମିଶ୍ରିତ ରୂପାନ୍ତର ଅବସ୍ଥାକୁ ସ୍ୱର ବୋଲି କହିଲେ ବିଶେଷ କିଛି ଭୁଲ ହେବ ନାହିଁ ।

 

ସଂକ୍ଷିପ୍ତରେ କହିବାକୁ ଗଲେ ଭାବ ମିଶ୍ରିତ ଶବ୍ଦ ଭଙ୍ଗିକୁ ସଂଗୀତ ଆଖ୍ୟା ଦିଆଯାଇପାରେ । ତେବେ ଏଠାରେ ପ୍ରଶ୍ନ ଉଠିପାରେ ସଂଗୀତଦ୍ୱାରା ମନର କେଉଁ କେଉଁ ଭାବ ପ୍ରକାଶ ପାଏ ? ଆମର ଗୋଟାଏ ପ୍ରବାଦ ଅଛି ‘ମନ ଫୁଲଣା ଗୀତଗାଏ’ । ଏଥିରୁ ସ୍ପଷ୍ଟ ବୁଝାଯାଉଛି ସଂଗୀତଦ୍ୱାରା ସାଧାରଣତଃ ମନର ଅବସ୍ଥା ପରିସୂଚିତ ହୁଏ । ମନ ଉଲ୍ଲସିତ ହେଲେ ସଂଗୀତର ଉତ୍ସ ଉଠେ । ଏହା ସ୍ୱାଭାବିକ କଥା । ବସନ୍ତ ଆସିଲେ ପକ୍ଷୀ କୋଳାହଳ ବେଶୀ ଶୁଣାଯାଏ । ଫୁଲ ଫୁଟିଲେ ଭ୍ରମର ଗୁଣୁଗୁଣୁ କରେ । ମେଘ ଦେଖିଲେ ମୟୂର କେକାରବ କରି ନୃତ୍ୟକରେ । ସନ୍ତାନକୁ ଖେଳାଇଲାବେଳେ ମାଆ ଗୀତଗାଏ ଇତ୍ୟାଦି ଶତଶତ ଘଟଣାରୁ ଆମ୍ଭେମାନେ ବୁଝିବାକୁ ପାଉଁ ଯେ ହର୍ଷ ଆବେଗ ହେଲେ ସ୍ୱର ସଂଗୀତରେ ପରିଣତ ହୁଏ । ସେହିପରି ଶୋକାବିଷ୍ଟ ଅବସ୍ଥାରେ ମଧ୍ୟ ସ୍ୱରର ତରଙ୍ଗାୟିତ ବିକାଶ ହୁଏ ।

 

ଆମ୍ଭେମାନେ ସମସ୍ତେ ଶୁଣିଥାଉଁ ଶୋକର ମାତ୍ରା ବେଶୀ ହେଲେ ମନୁଷ୍ୟ ସ୍ୱର ଧରି ବାହୁନି ଉଠେ । ସାଧାରଣତଃ ଆମ୍ଭଦେଶର ସ୍ତ୍ରୀମାନେ ଶୋକାକୁଳିତ ଅବସ୍ଥାରେ ବେଶୀ ବାହୁନନ୍ତି-। ଏହା ମଧ୍ୟ ସଂଗୀତ । ଏହିପରି ଭୟ ଭକ୍ତି ଓ କ୍ରୋଧ ଇତ୍ୟାଦି ପ୍ରତ୍ୟେକ ଭାବ ସାହାଯ୍ୟରେ ସଂଗୀତ ଆକାର ଧାରଣ କରେ । ଅତଏବ ଭାବ ପ୍ରାଲବ୍ୟରୁ ହିଁ ସଂଗୀତର ସୃଷ୍ଟି । ସଂଗୀତଦ୍ୱାରା ମନର ଯେକୌଣସି ଭାବ ପ୍ରକାଶ କରାଯାଇପାରେ । ଭାବର ଆବେଗତା ସଂଗୀତକୁ ରୂପଦିଏ । ଆଦିମ ଯୁଗର ସଂଗୀତ କେବଳ ଆବେଗତା ପୂର୍ଣ୍ଣ ଥିଲା । ସେତେବେଳେ ସଂଗୀତର ରାଗରାଗିଣୀ ବା ତାଳଲୟ ନଥିଲା । ମନର ଆବେଗରେ ଯେ ଯେଉଁ ସ୍ୱର ତୋଳୁଥିଲା ତାହା ହିଁ ସଂଗୀତ ହେଉଥିଲା । ତେଣୁ ସେ ସଂଗୀତରେ ଏତେ ମାଦକତା ଥିଲା ଯେ ବଣର ପଶୁପକ୍ଷୀ ମଧ୍ୟ ମନୁଷ୍ୟର ଭାଷାମୟ ସଂଗୀତରେ ଅନୁପ୍ରାଣିତ ହେଉଥିଲେ ।

 

ଅନ୍ୟାନ୍ୟ ବସ୍ତୁପରି ଜଗତର କ୍ରମ ବୃଦ୍ଧି ସଙ୍ଗେ ସଙ୍ଗେ ସଂଗୀତର ମଧ୍ୟ ଅଭିବୃଦ୍ଧି ଘଟିଲା । ପୂର୍ବର ସେହି ଆବେଗତାରେ ସ୍ୱରର ପ୍ରକାଶ ଭଙ୍ଗିକୁ ମନୁଷ୍ୟ କେତେ ଗୁଡ଼ିଏ ନିୟମ ପ୍ରାଣାଳୀରେ ଆବଦ୍ଧ କରି ସାରିଲାଣି । ଫଳରେ ବହୁତ ରାଗରାଗିଣୀର ସୃଷ୍ଟି ହୋଇ ପାରିଲାଣି । ସଙ୍ଗେ ସଙ୍ଗେ ତାଳ ଲୟ ଇତ୍ୟାଦି ଅନେକ ଗୁଡ଼ିଏ ଆନୁସଂଗିକ ଶୃଙ୍ଖଳା ମଧ୍ୟ ସଂଗୀତର ଅଙ୍ଗ ରୂପେ ଗୃହୀତ ହେଲାଣି । ସ୍ୱରର ସହାୟକ ରୂପେ ଅନେକ ବାଦ୍ୟଯନ୍ତ୍ର ମଧ୍ୟ କ୍ରମେ କ୍ରମେ ଆବିଷ୍କାର ଓ ପ୍ରସାର ଲାଭ କଲାଣି । ଅତଏବ ବର୍ତ୍ତମାନ ଯୁଗର ସଂଗୀତ ସାଳଂକାର, ସଖୀଗଣ ପରିବେଷ୍ଟିତା-ଆଭରଣ ନିପୁଣା ସୁନ୍ଦରୀ ରୂପେ ପ୍ରତିଭାତ ହେଲାଣି । ପୂର୍ବପରି ସଂଗୀତର ଆଉ ସେ ନଗ୍ନ ରୂପ ନାହିଁ । ସଂଗୀତର ଏହି ବାହ୍ୟ ବେଶଭୂଷା ଯୋଗୁଁ ସଂଗୀତର ମୂଳବସ୍ତୁର ଭାବପ୍ରବଣତା କ୍ରମେ କ୍ରମେ ହ୍ରାସ ଲଭୁଛି ।

 

ଏ ଗଂଜାମ ସର୍ବଦା ସଂଗୀତପ୍ରିୟ । ଗଂଜାମର ସୁନ୍ଦର ପ୍ରକୃତି, ଏହି ସୁନୀଳ ହ୍ରଦ ତରଙ୍ଗାୟିତ ସାଗର, ଗିରି ଶ୍ରେଣୀର ଶ୍ୟାମଳ ଶୋଭା ଓଡ଼ିଆ ପ୍ରାଣରେ ସଂଗୀତର ଝଙ୍କାର ସର୍ବଦା ତୋଳିଅଛି । ତେଣୁ ଆଜି ସଂଗୀତଜ୍ଞ ଓ ସଂଗୀତ ପ୍ରିୟ ଗ୍ରାହକ ଏଠାରେ ସମବେତ ହୋଇଛନ୍ତି । ଆପଣମାନଙ୍କ ସୁମଧୁର ସଂଗୀତର ଶ୍ରୋତା ହୋଇ ମୁଁ କେବଳ ନିଜକୁ ଧନ୍ୟ ମନେ କରିବି । (ନବୀନ, ୯ ଜାନୁଆରୀ ୧୯୪୦)

 

ଗଂଜାମ ସଂଗୀତ ସମ୍ମିଳନୀରେ କୃପାସିନ୍ଧୁଙ୍କର ଏହି ସଂଗୀତ ସଂପର୍କିତ ଉଚ୍ଚାରଣ ତାଙ୍କର ପ୍ରସାରିତ ଜ୍ଞାନର ପରିମାପକ । ସେହିପରି ଅନ୍ୟ ଏକ ଅବକାଶ ଆସିଥିଲା ୧୯୪୮ ମସିହାରେ । ୧୯୪୮ ମସିହା ମାର୍ଚ୍ଚ ୨୯ ତାରିଖରେ ଉତ୍କଳ ସଂଗୀତ ସମ୍ମିଳନୀର ୧୪ଶ ଅଧିବେଶନ ଶ୍ରୀରାମଚନ୍ଦ୍ର ଭବନରେ ଆରମ୍ଭ ହୋଇଥିଲା । ଏହି ଅଧିବେଶନର ଦ୍ୱିତୀୟ ଦିନର ସଭାପତି ହୋଇଥିଲେ କୃପାସିନ୍ଧୁ ନରେନ୍ଦ୍ର ଦେବ । ତାଙ୍କ ଅଭିଭାଷଣଟି ନିମ୍ନରେ ପ୍ରଦତ୍ତ ହେଲା :

 

ଓଡ଼ିଆ ସଂଗୀତର ପତନ ବେଳେ ଆପଣାମାନେ କି ଯତ୍ନ କି ଯେ ପରିଶ୍ରମ ସହକାରେ ସଂଗୀତ କଳାକୁ ବଞ୍ଚାଇ ରଖିଛନ୍ତି ଓଡ଼ିଶାର ତାହା କମ୍‍ ସୌଭାଗ୍ୟ ନୁହେଁ । ଆପଣମାନଙ୍କ ଉତ୍କଳ ସଂଗୀତ ସମାଜ ସମଗ୍ର ପ୍ରଦେଶ ତଥା ଓଡ଼ିଆ ଭାଷା ଅଞ୍ଚଳର ଏକମାତ୍ର କେନ୍ଦ୍ର ଅନୁଷ୍ଠାନ ରୂପେ ସରକାରଙ୍କ ସୁଦୃଷ୍ଟି ଆକର୍ଷଣ କରିପାରିଛି । ଆପଣମାନଙ୍କ ଅକ୍ଳାନ୍ତ ଅଧ୍ୟବସାୟ ଏବଂ ରାଜ ପୃଷ୍ଠପୋଷକତାରେ ଏ ଅନୁଷ୍ଠାନ ବଳିଷ୍ଠ ଏବଂ ପ୍ରଗତିଶୀଳ ହୋଇ ଉଠିଛି । ମୁଁ ଦେଖିପାରୁଛି ଏ ଅନୁଷ୍ଠାନ ଭିତରେ ଗୋଟାଏ ଉଜ୍ଜଳମୟ ଭବିଷ୍ୟତ ଏବଂ ଉତ୍ତରୋତ୍ତର ଶ୍ରୀବୃଦ୍ଧି । ଏହାର ଅଗ୍ରଗତି ଦେଖି ମୁଁ ଉଦ୍‍ବୋଧିତ ଏବଂ ଉତ୍‍ଫୁଲ୍ଲିତ ହେଉଛି । ଏହାର ପ୍ରେରଣା ମୋତେ ଉନ୍ମାଦିତ କରୁଛି । ଏହାର ଶୈଶବ ଜୀବନକୁ ମୋର ବଂଧୁ ଲକ୍ଷ୍ମୀକାନ୍ତଙ୍କର ଯେ ଅମୂଲ୍ୟ ଅବଦାନ ତାହା ଏହାର ଇତିହାସକୁ ଚିର ଅମୃତମୟ କରି ରଖିଥିବ ଏଥିରେ ସନ୍ଦେହ ନାହିଁ ।

 

କର୍ମମୟ ଜୀବନ ଭିତରେ ସଂଗୀତ ଯେ ଏକମାତ୍ର ମୃତ୍ୟୁ ସଂଜୀବନୀ ଏହା କହି ଅସ୍ୱୀକାର କରିବେ ନାହିଁ । ସଂଗୀତ ସୁଦ୍ଧ ସ୍ନିଗ୍‍ଧ-ସରସ-ସ୍ୱର-ସରିତ ଯେ ଜୀବନର ଅନନ୍ତ ସତ୍ୟ ସନ୍ଧାନ ଦିଗକୁ ଭସାଇ ନିଏ ଏହା ସଂଗୀତ ଭିତରେ ଆମେ ନିତ୍ୟ ଅନୁଭବ କରୁ । ଜୀବନର ଲକ୍ଷ ଜଂଜାଳ ଜ୍ୱାଳା ଭିତରେ ସଂଗୀତର ଭାବ ବିଭଙ୍ଗ ଯେ ପିୟୁଷଭରା ପୂତ ବାୟୁ ମଣ୍ଡଳ ସୃଷ୍ଟି କରେ, ଆଉ କୌଣସି ବ୍ୟକ୍ତି ଏପରି କରିବାରେ ସକ୍ଷମ ହୋଇପାରେ ନା । ମନଗାନ ଭିତରେ ଯେପରି ନିମଜ୍ଜନ ଲାଭ କରେ ଆଉ କୌଣସି କଥାରେ ଏପରି ହୁଏ ନା । ସଂଗୀତର ମୃଦୁତା ଏବଂ ରୁଦ୍ରତା, ଉନ୍ମାଦନା ଏବଂ କାରୁଣ୍ୟ, ବ୍ୟାପ୍ତି ଓ କ୍ଳୁପ୍ତି ତା’ର ତରଙ୍ଗେ ତରଙ୍ଗେ ମନୁଷ୍ୟକୁ ଏ ଜୀବନ ଜଳଧି ଭିତରେ ନଚାଇ ନଚାଇ ନିଏ । ମନୁଷ୍ୟ କେତେବେଳେ ଉଦ୍‍ଭ୍ରାନ୍ତ ହୁଏ କେତେବେଳେ ବିଭ୍ରାନ୍ତ ହୋଇ ନିଃସ୍ୱ ହୋଇ ଉଠେ–କ୍ଳୁପ୍ତ ହୋଇ ମନୁଷ୍ୟ ଦୁର୍ବଳତା ଅନୁଭବ କଲାବେଳେ ସଂଗୀତ ତାକୁ ସମର ପ୍ରାଙ୍ଗଣରେ ଯୁଦ୍ଧୋନ୍ମତ୍ତ କରିପକାଏ ଯେପରି କି ଶ୍ରୀକୃଷ୍ଣଙ୍କ ପାଞ୍ଚଜନ୍ୟ ସ୍ୱର ବିଭାବ ଅର୍ଜ୍ଜୁନଙ୍କୁ କୁରୁକ୍ଷେତ୍ରରେ ଗାଣ୍ଡିବ ଧାରଣ କରାଇ ପାରିଥିଲା । ଅନେକେ ସଂଗୀତକୁ ଆମୋଦ ପ୍ରମୋଦର ଗୋଟାଏ ଅଙ୍ଗ ବୋଲି ମନେକରି ଅବହେଳା ଦେଖାଇଛନ୍ତି । ସେମାନଙ୍କ ଭିତରେ ସରସତାର ସ୍ୱପ୍ନଭରା ଆନନ୍ଦ କେବେ ଖେଳେ ନାହିଁ-ଖାଲି ନିର୍ମମତା, ନିଷ୍ଠୁରତା ଏବଂ ନିସ୍ପ୍ରଭତା ହିଁ ତାଙ୍କ ପ୍ରାଣ ଭିତରେ ସର୍ବଦା ରାଜତ୍ୱ କରେ–ଦୟା, କ୍ଷମା, ସ୍ନେହଶୀଳତା, ହୃଦୟବତ୍ତା ବଡ଼ କ୍ଷୀଣ ଭାବରେ ଏମାନଙ୍କ ଭିତରେ ଦେଖାଯାଏ । ଏପରିକି ମନୁଷ୍ୟ ତା’ର ମହିମାମୟ ବିଭୁତି ଏମାନଙ୍କଠାରୁ ଛାଡ଼ିଯିବାପାଇଁ ସବୁବେଳେ ଉନ୍ମୁଖ ଥାଏ । ସଂଗୀତ ସବୁବେଳେ ସରସ ଓ ରସଦାୟକ । ମାନବ ଅନ୍ତର ଭିତରେ ସବୁ ପ୍ରକାର ରସ ସୃଷ୍ଟି କରିବା ସକାଶ ବହୁ ରାଗରାଗିଣୀ ଏବଂ ଉପରାଗିଣୀର ଉଦ୍‍ଭାବ ହୋଇଛି । ଦିବା ଯାମିନୀର କେଉଁ ଭାଗରେ କେଉଁ ରାଗ ଗାଇଲେ ମନକୁ ଉଦ୍‍ବୁଦ୍ଧ କରିପାରିବ, ସେଥିପ୍ରତି ସମସ୍ତ ଦୃଷ୍ଟି ଦିଆଯାଇ ସ୍ୱର ସୃଜନ ହୋଇଛି । ମନୋବିଜ୍ଞାନକୁ ନେଇ ହିଁ ସଂଗୀତ ବିଜ୍ଞାନର ସୃଷ୍ଟି । ମାନବର ଚିନ୍ତାଧାରା ସହିତ ସଂଗୀତର ଗୋଟାଏ ଅବିଚ୍ଛେଦ୍ୟ ସଂବନ୍ଧ ରହିଛି ।

 

ସଂଗୀତର ପ୍ରଭାବ ମନର ଗତିବିଧିକୁ ନାନା ଉତ୍‍ଥାନ ପତନଦେଇ ସ୍ୱପ୍ନମୟ ସ୍ୱର୍ଣ୍ଣ ସିଂହାସନରେ ଆରୁଢ଼ କରାଏ । କେତେବେଳେ ଅନ୍ଧକାରମୟ ଅନ୍ଧକୂପ ମଧ୍ୟକୁ ନିକ୍ଷେପ କରିଦିଏ-। ସଂଗୀତ ପଶୁପକ୍ଷୀ ଏପରିକି ନିର୍ଜୀବ ଭିତରେ ମଧ୍ୟ ସ୍ପନ୍ଦନ ଆଣିଦିଏ । ତାନସେନଙ୍କ ସଂଗୀତରେ ନିର୍ବାଣ ଦୀପର ଜ୍ୱଳନ ପ୍ରକ୍ରିୟା ଏବଂ ନିର୍ଜୀବ ଶୁଷ୍କତରୁରେ ପତ୍ର ପଲ୍ଲବ ପ୍ରସଙ୍ଗ ବିଦିତ ହୋଇ ରହିଛି । ସର୍ପ ଭଳିଆ ବିଷଧରକୁ ମଧ୍ୟ ସଂଗୀତ ମୁଗ୍ଧ କରି ରଖେ । ସଂଗୀତ ଚିତ୍ତକୁ ଯେପରି ବିନୋଦନ କରେ ସେହିପରି ବିଚ୍ଛେଦନ ମଧ୍ୟ କରିଥାଏ । ବ୍ୟାୟାମ ଶରୀରକୁ ଯେପରି ସବଳ ଓ ହୃଷ୍ଟ କରି ରଖେ ସଂଗୀତ ସେପରି ମଥାକୁ ପ୍ରଫୁଲ୍ଲ ଓ ପୁଷ୍ଟ କରିଥାଏ । ଏହା ଜୀବନର ଯେପରି ଦୀର୍ଘତା ଆନୟନ କରେ ସେହିପରି ଏ ସଂସାର କ୍ଷେତ୍ରରେ କାର୍ଯ୍ୟକ୍ଷମ କରିଥାଏ । ସଂଗୀତ ପ୍ରାଣ ଭିତରେ ଯେଉଁ ପ୍ରଫୁଲ୍ଲତା ଆଣିଦିଏ । ତାହା ମାନବ କର୍ମକ୍ଷେତ୍ରର ପରିସରକୁ ବଢ଼ାଇବା ସଙ୍ଗେ ସଙ୍ଗେ ସମୃଦ୍ଧ କରେ । ସଂଗୀତ ରୋଗାକ୍ରାନ୍ତ ଭିତରେ ଅମୃତର ପ୍ରସ୍ରବଣ ପରି ପ୍ରବେଶ କରି ତାକୁ ରୋଗମୁକ୍ତ କରେ । ତେଣୁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ସଂଗୀତର ଆବଶ୍ୟକତା ବହୁ ଉଚ୍ଚରେ ରହିଛି । ଜୀବନର ସମସ୍ତ ପାରିବାରିକ ପ୍ରକ୍ରିୟା ଏବଂ ରକ୍ତସିକ୍ତ ରଣ ପ୍ରାଙ୍ଗଣରେ ମଧ୍ୟ ସମସ୍ତ ପ୍ରକାର ପ୍ରରଣା, ଉନ୍ମାଦନା ଏବଂ ଉତ୍ସାହ ପ୍ରଦାନ କରିଥାଏ । ରାଗରାଗିଣୀ ସଙ୍ଗେ ଭାଷା ଓ ଭାବର ମଧୁ ମିଶ୍ରଣ ସଂଗୀତକୁ ପୂର୍ଣ୍ଣ ଜୀବନ ପ୍ରଦାନ କରିଥାଏ । ଏ ସଂଗୀତ ବିଭବର ସୁପ୍ରତିଷ୍ଠାପାଇଁ ରାଜ ସାହାଯ୍ୟର ଯେ ଏକାନ୍ତ ଆବଶ୍ୟକତା ରହିଛି ଏହା କେହି ଅସ୍ୱୀକାର କରିବେ ନାହିଁ । କବିସୂର୍ଯ୍ୟଙ୍କ ସଂଗୀତ ଯେ ଆଜି ଏତେ ପ୍ରାଣମୟ ହୋଇ ଉଠିଛି, ତାହା ମୂଳରେ ରାଜପୃଷ୍ଠ ପୋଷକତା ବିପୁଳ ଭାବେ ବିଦ୍ୟମାନ ଏହା କିଏ ନଜାଣେ । ବଡ଼ ଆନନ୍ଦର କଥା ସରକାରଙ୍କର ସଂଗୀତ ପ୍ରତି ଯେ ପୂର୍ବ ଉଦାସୀନତା ନାହିଁ ବର୍ତ୍ତମାନ ସ୍ୱାଧିନ ଭାରତରେ ସରକାରଙ୍କର ଦୃଷ୍ଟିକୋଣ ପରିବର୍ତ୍ତିତ ହୋଇଛି ଏବଂ ସୁଖର କଥା ସରକାର ପୋଷକତା ସଂଗୀତ ଅନୁଷ୍ଠାନମାନଙ୍କ ପ୍ରତି ବ୍ୟାପିଛି । ଆମ ସରକାର ମଧ୍ୟ ଏ ଦିଗରେ ଆବଶ୍ୟକୀୟ ଅର୍ଥ ସାହାଯ୍ୟ କରି ପ୍ରଦେଶର ସ୍ଥାନେ ସ୍ଥାନେ ସଂଗୀତ ଅନୁଷ୍ଠାନମାନ ପ୍ରତିଷ୍ଠା କରିବା ଦିଗରେ ମନ ବଳାଇବା ସୂଚନା ମିଳୁଛି । ରାଜପୋଷକତା ନପାଇ କୌଣସି ଅନୁଷ୍ଠାନ ସାଧାରଣଙ୍କ ନିରୋଳା ଚେଷ୍ଟାରେ ତିଷ୍ଠି ରହିବା କ୍ୱଚିତ ସମ୍ଭବପର ହୋଇଛି । ଆମ୍ଭମାନଙ୍କ ଆଗରେ ଯେଉଁସବୁ ପ୍ରାଚୀନ ସଂଗୀତ ସାହିତ୍ୟର ସଂପଦ ରହିଛି ସେଗୁଡ଼ିକ କେବଳ ରାଜପୃଷ୍ଠପୋଷକତାରେ ହିଁ ଏଡ଼େ ଉଚ୍ଚ ଆଭିଜାତ୍ୟର ଅଧିକାରୀ ହୋଇପାରିଛି । ଭାରତରେ ବ୍ରିଟିଶ ଶାସନ ପ୍ରବେଶ କଲାଦିନୁ ଦେଶୀୟ କଳାପ୍ରତି ଆଉ ସରକାରଙ୍କ କୌଣସି ଦୃଷ୍ଟି ପଡ଼ିଲା ନାହିଁ ଏବଂ ପାଶ୍ଚାତ୍ୟ ସାର୍ବଭୌମ ସରକାରଙ୍କ ଏହି ଉଦାସୀନତା କ୍ରମେ ଆମର ରାଜା ମହାରାଜା ଜମିଦାର ପ୍ରଭୃତିଙ୍କ ଭିତରେ ସଂକ୍ରମିତ ହେଲା, ଯାହା ଫଳରେ ଦେଶୀୟ କଳାର ମୂଳରେ ଭୀଷଣ କୁଠାରାଘାତ ହେଲା । ଆନନ୍ଦର କଥା ଆଜି ଜାତୀୟ ସରକାର ସଂଗୀତ କଳାର ପୁନଃ ପ୍ରତିଷ୍ଠା ଦିଗରେ ବ୍ରତୀ ହୋଇଛନ୍ତି ।

 

ସଂଗୀତରୁ ହିଁ ଯୁଗର ଗତିବିଧି ସହଜେ ନିରୁପଣ କରାଯାଇଥାଏ । କବିସୂର୍ଯ୍ୟଙ୍କର କବିତା ପଢ଼ିଲେ ସେତିକିବେଳେ ଅବସ୍ଥାର ସ୍ୱଚ୍ଛଳତା ହୃଦୟଙ୍ଗମ ହୁଏ । ସେତିକି ବେଳର ଆର୍ଥିକ ଏବଂ ମନର ପରିସ୍ଥିତି ଖୁବ୍ ଉଚ୍ଚରେ ଥିଲା–ଭାଗବତ ଭାବ ପ୍ରାଣରେ ବିରାଜିତ ଥିଲା । ସେତିକି ବେଳର କାବ୍ୟ କବିତାରେ ପ୍ରେମ ପ୍ରବଣତାର ଏକନିଷ୍ଠତା ଜାଜ୍ଜ୍ୱଲ୍ୟମାନ ହେଉଥିଲା । ସେଥିରେ କାବ୍ୟ ନାୟକ ନାୟିକା ଉଭୟେ ଉଭୟକୁ ଆତ୍ମୋତ୍ସର୍ଗ କରି ଭଲ ପାଉଥିଲେ। ଉଭୟ ପ୍ରାଣ ଯେପରି ଏକ ହୋଇଥିଲା । ବର୍ତ୍ତମାନ ସେ କାବ୍ୟର ପରିକଳ୍ପନା ଆମ୍ଭମାନଙ୍କୁ ବ୍ୟଭିଚାରପରି ମନେ ହେଉଛି । ତେଣୁ ଆମ୍ଭେମାନେ କବିସୂର୍ଯ୍ୟ, ଭଂଜ ବା ଗୋପାଳକୃଷ୍ଣଙ୍କ କବିତା ଶୁଣିଲାବେଳେ ଅନେକ ସମୟରେ ଏହି କଥାହିଁ ଭାବୁଥାଉଁ । ଅବଶ୍ୟ ଯୁଗର ଅବସ୍ଥା ନେଇ କବିତା ବା ସଂଗୀତର ଶୈଳୀ ବା ଭାଷା ଭାବ ପରିବର୍ତ୍ତିତ ହେବା ସ୍ୱାଭାବିକ । କିନ୍ତୁ ଯାହା ସତ୍ୟ ଯାହା ଶାଶ୍ୱତ ତାହା ତ ଅପରିବର୍ତ୍ତନୀୟ ରହିବ ହିଁ ରହିବ । ସଂଗୀତ ଭିତରେ ଆମେ ଭଗବାନଙ୍କର ସନ୍ଧାନ ପାଇଥାଉଁ । ସଂଗୀତ ଯେପରି ମହାସତ୍ତାକୁ ସ୍ପର୍ଶକରେ ଆଉ କୌଣସି କଥା ସେପରି କରିପାରେ ନା । ବେଦ, ବାଇବେଲ, କୋରାନ୍‍, ଗୀତା ସବୁ ଏହି ସଂଗୀତର ଭିତ୍ତି ଉପରେ ହିଁ ସୁପ୍ରତିଷ୍ଠିତ । ଜୟଦେବଙ୍କର ଗୀତ ଗାଇବାପାଇଁ ମୋହ ମୁଦ୍‍ଗରର ଶ୍ଳୋକ ଆବୃତ୍ତି କରିବାପାଇଁ କୌଣସି ସାମାଜିକ ପରିସ୍ଥିତି ଅବରୋଧ କରିପାରେ ନା । ଅବଶ୍ୟ ଶାଶ୍ୱତ ସଂଗୀତର ପ୍ରତିଷ୍ଠାକୁ ସୁଦୃଢ଼ କରି ସମୟୋପଯୋଗୀ ସାମୟିକ ସଂଗୀତର ଯେ ଆବଶ୍ୟକତା ରହିଛି ଏହା ଅସ୍ୱୀକାର୍ଯ୍ୟ ନୁହେଁ । ସଂଗୀତ ଦେଶର ଘରେ ଘରେ ସୁପ୍ରତିଷ୍ଠିତ ହୋଇ ଜନସମାଜର ଅଶେଷ କଲ୍ୟାଣ ସାଧନ କରୁ । (ନବୀନ, ୬ ଏପ୍ରିଲ ୧୯୪୮)

 

ନିଖିଳ ଉତ୍କଳ ସଂଗୀତ ସମ୍ମିଳନୀର ଶେଷ ଦିବସରେ ୧୩ ମେ ୧୯୪୮ରେ ସଂଗୀତଜ୍ଞମାନଙ୍କର “ଗଂଜାମ ଜିଲ୍ଲା ସଂଗୀତ ସଂସଦ” ନାମରେ ଏକ ସଂଘ ଗଢ଼ା ହୋଇଥିଲା ଏବଂ ଏହାର ସଭାପତି ହେଲେ କୃପାସିନ୍ଧୁ ନରେନ୍ଦ୍ର ଦେବ ଏବଂ ସଂପାଦିକା ହେଲେ ସୀତାଦେବୀ ଖାଡ଼ଙ୍ଗା । ନିଖିଳ ଉତ୍କଳ ସଂଗୀତ ସମ୍ମିଳନୀ ୧୧ ମେ ରୁ ଆରମ୍ଭ ହୋଇଥିଲା ଏବଂ ଏହାର ଅଭ୍ୟର୍ଥନା ସମିତିର ଉପସଭାପତି ଥିଲେ କୃପାସିନ୍ଧୁ ନରେନ୍ଦ୍ର ଦେବ । କୃପାସିନ୍ଧୁଙ୍କର କଳାପ୍ରାଣର ଅନ୍ୟ ଏକ ନିଦର୍ଶନ ୧୯୪୮ରେ ଦେଖାଯାଇଥିଲା । ୧୯୪୮ ଫେବୃଆରୀ ୨୨ରେ କଟକ ନାରୀ ସଂଘ ସଦନରେ କବିଚନ୍ଦ୍ର କାଳିଚରଣ ପଟ୍ଟନାୟକଙ୍କ ସଭାପତିତ୍ୱରେ ଗୋଟିଏ ସାଧାରଣ ସଭା ହୋଇଥିଲା । ଏଥିରେ ଓଡ଼ିଶାର ବିଶିଷ୍ଟ କଳାକାର, ଶିଳ୍ପୀ ଓ ସାହିତ୍ୟିକମାନେ ଯୋଗ ଦେଇଥିଲେ । ବୃହତ୍ତର ଉତ୍କଳର କଳାଶକ୍ତି-ସାହିତ୍ୟ ଓ କୃଷ୍ଟିର ଉନ୍ନତି ସାଧନପାଇଁ ଏବଂ ଶିଳ୍ପୀମାନଙ୍କର ସାମାଜିକ ଅର୍ଥନୈତିକ ସଂଗଠନ ନିମିତ୍ତ କେତେକ ଭଦ୍ରବ୍ୟକ୍ତିଙ୍କୁ ନେଇ ଗୋଟିଏ ଉତ୍କଳ ଶିଳ୍ପୀ ସଂଘ ନାମରେ ଅନୁଷ୍ଠାନ ଗଠନ କରାଗଲା । ଏହାର ପରିଚାଳନା ସଭ୍ୟବୃନ୍ଦ ମଧ୍ୟରେ କୃପାସିନ୍ଧୁ ଅନ୍ୟତମ ଥିଲେ । (ନବୀନ, ୨୪ ଫେବୃଆରୀ ୧୯୪୮)

 

ଓଡ଼ିଶାରେ ଚଳଚ୍ଚିତ୍ରର ଅଗ୍ରଗତିପାଇଁ ଉଦ୍ୟମ ହେବା ଆବଶ୍ୟକ ବୋଲି କୃପାସିନ୍ଧୁ ମନେ କରିଥିଲେ । ସେଥିପାଇଁ ସେ ନବୀନ ପତ୍ରିକାରେ ବାରମ୍ବାର ଏ ଅଭାବର ସୂଚନାଦେଇ ଜନସାଧାରଣ ତଥା ଶିଳ୍ପପତିମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ୧୯୪୦ ମସିହା ଫେବୃଆରୀ ୨୮ ଏବଂ ୨୯ ତାରିଖରେ ରମ୍ଭାଠାରେ ହୋଇଥିବା ନିଖିଳ ଗଂଜାମ ସଂଗୀତ ସମ୍ମିଳନୀରେ ଏହି ସଂକ୍ରାନ୍ତରେ ଏକ ନିର୍ଦ୍ଧାରଣ ଗୃହୀତ ହୋଇଥିଲା । ଏହି ନିର୍ଦ୍ଧାରଣ ଅନୁସାରେ ଓଡ଼ିଶାରେ ସବାକ୍ ଚଳଚ୍ଚିତ୍ରର ବିକାଶପାଇଁ ଯୋଜନା ସ୍ଥିର କରିବାକୁ ଗୋଟିଏ ସ୍ଥାୟୀ କମିଟି ଗଠନ କରାଯିବାପାଇଁ ପ୍ରସ୍ତାବ ହୋଇଥିଲା । ଏଥିରେ ସଦସ୍ୟ ଥିଲେ ସୁରଙ୍ଗୀର ରାଜା ପୂର୍ଣ୍ଣଚନ୍ଦ୍ର ହରିଚନ୍ଦନ ଜଗଦ୍ଦେବ, ରାମଚନ୍ଦ୍ର ମର୍ଦ୍ଦରାଜ, ରାଜା ସାହେବ ମଂଜୁଷା, ଶେରଗଡ଼, ରାଜକୁମାର ଚିକିଟୀ, କୁମାର ବିଦ୍ୟାଧର ସିଂହଦେବ, ଦିବାକର ପଟ୍ଟନାୟକ, ସତ୍ୟନାରାୟଣ ରାଜଗୁରୁ, ସତ୍ୟନାରାୟଣ ପଣ୍ଡା, ଦୟାନିଧି ପଟ୍ଟନାୟକ, ଈଶ୍ୱର ସାହୁ, ରମେଶ ଚନ୍ଦ୍ର ମିଶ୍ର, ସୂର୍ଯ୍ୟ ନାରାୟଣ ଆଚାର୍ଯ୍ୟ, ହରିହର ପାଣିଗ୍ରାହୀ, ଶ୍ରୀନିବାସ କବିରତ୍ନ, କାଶୀନାଥ ଆଚାର୍ଯ୍ୟ, ବାସୁଦେବ ଷଡ଼ଙ୍ଗୀ, କୃଷ୍ଣ ପାତ୍ର, କୃଷ୍ଣ ଚରଣ ପଣ୍ଡା, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ଗୌରଚନ୍ଦ୍ର ରାଉତରାୟ ଏବଂ କୃପାସିନ୍ଧୁ ପଟ୍ଟଦେବ ।

 

ଏହାପରେ ସବାକ୍ ଚଳଚ୍ଚିତ୍ରର ଆବଶ୍ୟକତା ସଂପର୍କରେ ଆଲୋଚନା କରି କୃପାସିନ୍ଧୁ ନବୀନରେ ଲେଖିଥିଲେ । ତାହାରି ମୁଖ୍ୟ ପ୍ରସଙ୍ଗକୁ ଏଠାରେ ଉଦ୍ଧାର କରାଯାଇଛି :

 

ପୁରୀ ଜିଲ୍ଲା ଅନ୍ତର୍ଗତ ବଳଙ୍ଗାର ବିଖ୍ୟାତ ରାମକୃଷ୍ଣ ଥିଏଟର ଭାଙ୍ଗିଯିବା ପରେ କଟକର ପ୍ରସିଦ୍ଧ ନାଟ୍ୟକବି ଅଶ୍ୱିନୀ କୁମାର ଘୋଷଙ୍କ ନେତୃତ୍ୱରେ “ଆର୍ଟ ଥିଏଟର” ନାମକ ଯେଉଁ ସ୍ଥାୟୀ ନାଟକ ଦଳ ଗଠିତ ହୋଇଥିଲା ତା’ର ଅସ୍ତିତ୍ୱ ବହୁଦିନ ହେଲା ଲୋପ ପାଇଛି । ବ୍ୟବସାୟୀ ଭାବେ ଏହି କମ୍ପାନୀ ଓଡ଼ିଶାରେ ଏକମାତ୍ର ନାଟ୍ୟ ଅନୁଷ୍ଠାନ ଭାବରେ ପ୍ରତିଷ୍ଠା ପାଉଥିଲା । ଏହି କମ୍ପାନୀ ଭାଙ୍ଗିଯାଇ ପ୍ରାୟ ୧୦ ବର୍ଷ ବିତିଗଲାଣି ଅଥଚ କୌଣସି ଜଣାଶୁଣା ନାଟ୍ୟଦଳ ବର୍ତ୍ତମାନ ଓଡ଼ିଶାରେ ନାହିଁ । ପ୍ରାଦେଶିକ ସୂତ୍ରରେ ହେଉ କିମ୍ବା ଜାତୀୟତା ସୂତ୍ରରେ ହେଉ ଓଡ଼ିଶାରେ ଗୋଟିଏ ସ୍ଥାୟୀ ରଙ୍ଗମଞ୍ଚ ଏକାନ୍ତ ଆବଶ୍ୟକ ଏକଥା କେହି ଅସ୍ୱୀକାର କରିବେ ନାହିଁ । ଆଜିକାଲି ଭାରତର ପ୍ରାୟ ସବୁ ଭାଷାରେ ଅନେକ ସବାକ୍ ଚଳଚ୍ଚିତ୍ରମାନ ବାହାରି ଗଲାଣି କିନ୍ତୁ ଓଡ଼ିଆ ଭାଷାରେ ଏପର୍ଯ୍ୟନ୍ତ କୌଣସି ଭଲ ସବାକ୍ ଚଳଚ୍ଚିତ୍ର ବାହରି ନଥିବା ଆକ୍ଷେପର ବିଷୟ ।

 

କିଛିଦିନ ପୂର୍ବେ କଲିକତାର କାଳି ଫିଲମ୍ କମ୍ପାନୀ ଓଡ଼ିଆରେ ଗୋଟାଏ କଥକ ଫିଲମ ବାହାର କରି ଯେପରି ହଟହଟାରେ ପଡ଼ିଛନ୍ତି ନିକଟ ଭବିଷ୍ୟତରେ ଅନ୍ୟ କୌଣସି କମ୍ପାନୀ ଯେ ଓଡ଼ିଆରେ ଫିଲମ୍ ବାହାର କରିବାପାଇଁ ସାହସୀ ହେବେ ଏହା ଆମ୍ଭେମାନେ କଦାପି ବିଶ୍ୱାସ କରିପାରୁନାହୁଁ । ଏହି ଭୁଲପାଇଁ କମ୍ପାନୀ କେବଳ ଦାୟୀ, କାରଣ ଫିଲମ୍ ବାହାର କରିବା ଭାର କମ୍ପାନୀ ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କୁଦେଇ ଗୋଟିଏ ଉତ୍କଟ ଭୁଲ କରିପକାଇଛନ୍ତି । ଗୋସ୍ୱାମୀ ବାବୁଙ୍କ ନାଟ୍ୟାନୁଭୂତି ନେଇ କୌଣସି ସମାଲୋଚନା କରିବା ଆମ୍ଭମାନଙ୍କର ଉଦ୍ଦେଶ୍ୟ ନୁହେଁ । ମାତ୍ର ଏତିକି କହୁଛୁଁ, ଯେ ଗୋସ୍ୱାମୀ ବାବୁ ଜଣେ ରାସଲୀଳା ଦଳର ଉଦ୍ୟୋକ୍ତା । ତାଙ୍କର ସମସ୍ତ ସଂଗୀତ କଳା ରାସଲୀଳା ମଧ୍ୟରେ ସୀମାବଦ୍ଧ । ରାସଦଳର ପ୍ରତିଷ୍ଠାପାଇଁ ଓଡ଼ିଶାରେ ତାଙ୍କର ସୁନାମ ଅଛି । ଏପରି ସ୍ଥଳେ ଜଣେ ରାସଦଳ ଉଦ୍ୟୋକ୍ତାଙ୍କୁ ଏପରି ଗୋଟାଏ ଗୁରୁତର ଭାରଦେଇ କମ୍ପାନୀ ଯେ କିପରି ଭୁଲ କରିଛନ୍ତି ତାହା ସହଜରେ ଅନୁମେୟ । ଓଡ଼ିଶାରେ ଅନେକ ପ୍ରସିଦ୍ଧ ଅଭିନେତା ଅଛନ୍ତି ଯେଉଁମାନଙ୍କ ଖ୍ୟାତି ବଂଗ ରଙ୍ଗ ପୀଠରେ ସୁଦ୍ଧା ଅପରିଚିତ ନୁହେଁ । ଏପରି ଜଣେ ଅଭିନେତାଙ୍କୁ କମ୍ପାନୀ ଭାର ଅର୍ପଣ କରିଥିଲେ ଆଜି ଓଡ଼ିଶାରେ “ସୀତା ବିବାହ” ଭଳି ଗୋଟାଏ କଦର୍ଯ୍ୟ ଚିତ୍ର ବାହାରି ନଥାନ୍ତା ଏବଂ କମ୍ପାନୀ ମଧ୍ୟ କ୍ଷତିଗ୍ରସ୍ତ ହୋଇ ନଥାନ୍ତା । ଅନ୍ୟପକ୍ଷରେ କମ୍ପାନୀ ବିଶେଷ ଲାଭବାନ୍‍ ହୋଇ ଅନ୍ୟ ଚିତ୍ର ବାହାର କରିବାପାଇଁ ସାହସୀ ହୋଇଥାନ୍ତେ । (ନବୀନ, ୩ ଡିସେମ୍ବର ୧୯୪୦)

 

୧୯୪୧ ମସିହାରେ ଓଡ଼ିଶାରେ ଚଳଚ୍ଚିତ୍ର ପ୍ରତିଷ୍ଠା ଲାଗି କୃପାସିନ୍ଧୁ ଅର୍ଥର ଅନାଟନ ପ୍ରଧାନ ପ୍ରତିବନ୍ଧକ ବୋଲି ବିଶ୍ୱାସ କରିନଥିଲେ । ତାଙ୍କ ମତରେ ରାଜା, ମହାରାଜା, ସନ୍ଥମାନେ ଇଚ୍ଛାକଲେ ଏ ଦିଗରେ ବିଶେଷ ସଫଳ ହୋଇ ପାରିବେ । ଓଡ଼ିଆ ଚଳଚ୍ଚିତ୍ରର ଅଗ୍ରଗତି ନହେବାର ଲକ୍ଷ୍ୟକରି କୃପାସିନ୍ଧୁ ୧୯୫୧ ମସିହାରେ ଏହାର ଅଧୋଗତି ଉପରେ ମନ୍ତବ୍ୟଦେଇ ଲେଖିଥିଲେ–ଓଡ଼ିଶାର ପଡ଼ୋଶୀ ପ୍ରଦେଶମାନଙ୍କରେ ଚଳଚ୍ଚିତ୍ର ବ୍ୟବସାୟ ଖୁବ୍ ବ୍ୟାପକ ପ୍ରସାର ପାଇଥିବା ବେଳେ ଓଡ଼ିଶାରେ ଗୋଟିଏ ହେଲେ ଉତ୍କୃଷ୍ଟ ଧରଣର ଚିତ୍ର ପ୍ରସ୍ତୁତ ହୋଇ ନଥିବା ବଡ଼ ଆଶ୍ଚର୍ଯ୍ୟ ଓ କ୍ଷୋଭର ବିଷୟ । ଇତି ମଧ୍ୟରେ କଟକ ରୂପଭାରତୀ ଶ୍ରୀଜଗନ୍ନାଥ ଚିତ୍ରଟି ପ୍ରସ୍ତୁତ କରି ଯେଉଁ ଉଜ୍ଜ୍ୱଳ ଭବିଷ୍ୟତର ପରିଚୟ ଦେଇଥିଲେ ତଦ୍ୱାରା ଆମ୍ଭେମାନେ ବିଶେଷ ଆଶାନ୍ୱିତ ଥିଲୁ । ବର୍ତ୍ତମାନ ରୂପଭାରତୀ ଚିତ୍ର ପ୍ରତିଷ୍ଠାନର ବିଭିନ୍ନ ଅଂଶୀଦାର ମଧ୍ୟରେ ମନୋମାଳିନ୍ୟ ଘଟି ଅବସ୍ଥା ଏପରି ଗୋଟାଏ ଶୋଚନୀୟ ସ୍ତରକୁ ଆସିଛି ଯେ ଏହି ଯୌଥ ପ୍ରତିଷ୍ଠାନ ଅସ୍ତିତ୍ୱ ନେଇ ଆମର ଘୋର ସନ୍ଦେହ ଘଟିଛି । ପ୍ରାୟ ଦୁଇ ବର୍ଷପରେ ଉତ୍କଳ କଥାଚିତ୍ର କମ୍ପାନୀ ନାମରେ ଆଉ ଗୋଟିଏ ଚିତ୍ର ପ୍ରତିଷ୍ଠାନ “ସପ୍ତଶର୍ଯ୍ୟା” ନାମରେ ଗୋଟାଏ ଚିତ୍ର ପ୍ରସ୍ତୁତ କରିଛନ୍ତି । ଅର୍ଥ ଅଭାବରେ ହେଉ ବା ଅନ୍ୟ କୌଣସି କାରଣରୁ ହେଉ ଏ ଚିତ୍ରଟି ବାହାରେ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ । ଏହି ଚିତ୍ର ନିର୍ମାଣ ସଂକ୍ରାନ୍ତରେ ସୁଦ୍ଧା କେତେକ ଗଣ୍ଡଗୋଳ ଉପୁଜି କୋର୍ଟ କଚେରୀ ନିଷ୍ପତ୍ତି ପର୍ଯ୍ୟନ୍ତ ଯାଇଥିଲା । ଫଳରେ ଚିତ୍ର ନିର୍ମାତା କର୍ତ୍ତୃପକ୍ଷ ଚିତ୍ର ପ୍ରତିକ୍ଷାରେ ରହିଥିବା ଜନସାଧାରଣଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ସେହି ଅନୁକ୍ରମରେ ସେମାନେ କାର୍ଯ୍ୟ କରିପାରୁ ନାହାନ୍ତି । ବଡ଼ ଲଜ୍ଜାର ବିଷୟ ଯେ ଚିତ୍ର ନିର୍ମାତାମାନେ ବ୍ୟବସାୟ ଓ ସ୍ୱାର୍ଥଗତ କାରଣ ନେଇ ଜାତୀୟ ସମୂହ କଲ୍ୟାଣ ପ୍ରତି ଆଦୌ ଦୃଷ୍ଟି ଦେଉନାହାନ୍ତି । ଓଡ଼ିଶାର ଚଳଚ୍ଚିତ୍ର ଦିଗରେ ଏ ନିଶ୍ଚେଷ୍ଟତା ଦେଖି ଓଡ଼ିଆ ଇତର ଲୋକେ ଯେ ଆକ୍ଷେପ କରୁଛନ୍ତି ତାହା କହିବା ବାହୁଲ୍ୟ । କେହି କେହି ସୁଦ୍ଧା କହି ବୁଲିଲେଣି ଯେ ଓଡ଼ିଶାରେ ପୁଞ୍ଜିର ଅଭାବ ପଛକୁ ଶିଳ୍ପୀର ମଧ୍ୟ ଘୋର ଅଭାବ ରହିଛି । ଏସବୁ ଆକ୍ଷେପମୂଳକ ଉପହାସ ଆମ୍ଭମାନଙ୍କୁ ନୀରବରେ ସହ୍ୟ କରିବାକୁ ପଡ଼ୁଛି ।

 

ଓଡ଼ିଶାରେ ଯୌଥ ସୂତ୍ରରେ ଚଳଚ୍ଚିତ୍ର ପ୍ରତିଷ୍ଠା କରିବା ସମ୍ଭବପର ନୁହେଁ ଏକଥା ଏକାଧିକ ସୂତ୍ରରୁ ଦେଖା ଯାଇଛି । ଯୌଥ କାରବାର ଚଳାଇବାପାଇଁ ଆମ ଓଡ଼ିଆମାନଙ୍କର ଶକ୍ତିର ଅଭାବ ବା ଅନ୍ୟ କୌଣସି କାରଣ ରହିଛି ଜଣା ଯାଉନାହିଁ । ଏପରି ଦୁଇଟା ଯୌଥ ପ୍ରତିଷ୍ଠାନ ଭାଙ୍ଗିଯିବାପରେ ଲୋକ ସାଧାରଣଙ୍କର ଆସ୍ଥା ଓ ବିଶ୍ୱାସ କ୍ରମେ କ୍ରମେ କମି ଯାଉଛି । ଏଣିକି ଯେ କୌଣସି ଯୌଥ କାରବାର ନେଇ ସାଧାରଣଙ୍କ ପୁଞ୍ଜିପାଇଁ ଆବେଦନ କଲେ ସାଧାରଣଙ୍କ ତରଫରୁ ଏଣିକି ସହଯୋଗ ଓ ସହାନୁଭୂତି ମିଳିପାରିବ ଏଥିରେ ଆମର ଘୋର ସନ୍ଦେହ ରହିଛି । ଅର୍ଥ ଖଟାଇବା ବେଳେ ଲୋକେ ନିରାପଦତାକୁ ପ୍ରଥମେ ଦୃଷ୍ଟି ଦିଅନ୍ତି । ଏହି କମ୍ପାନୀ ଗୁଡ଼ିକରେ ଅର୍ଥ ମହଜୁଦ୍ ରଖିବା ନିରାପଦ ନୁହେଁ ଲୋକେ ଏହା ହୃଦୟଙ୍ଗମ କଲେଣି । ସୁତରାଂ ଯୌଥ ସୂତ୍ରରେ ଚଳଚ୍ଚିତ୍ର ପ୍ରତିଷ୍ଠାନ ଓଡ଼ିଶାରେ ସମ୍ଭବପର ହୋଇପାରିବ ନାହିଁ । ଓଡ଼ିଶାରେ ପୁଞ୍ଜିପତି ଓ ଧନୀ ବ୍ୟବସାୟୀମାନଙ୍କର ଅଭାବ ନାହିଁ । ଏମାନେ ଇଚ୍ଛାକଲେ ଚଳଚ୍ଚିତ୍ର ଆପଣା ଆପଣା ପୁଞ୍ଜି ବଳରେ ପ୍ରସ୍ତୁତ କରିପାରିବେ । ବିଜୟାନନ୍ଦ ପଟ୍ଟନାୟକ ପ୍ରମୁଖ ଉତ୍ସାହୀ ବ୍ୟବସାୟୀମାନେ ଏ ଦିଗରେ ଟିକିଏ ଦୃଷ୍ଟି ଦେଲେ ଓଡ଼ିଆର ଏହି ଅଭାବ ଅଚିରେ ଦୂର ହୋଇଯିବ ଏବଂ ଓଡ଼ିଆର ଜାତୀୟ ଜୀବନରେ ଯେଉଁ ଆଞ୍ଚ ଆସିଛି ତାହା ହୁଏତ ଅପସାରିତ ହୋଇଯିବ । ଅଳ୍ପ ସମୟ ମଧ୍ୟରେ ଓଡ଼ିଆ ଚଳଚ୍ଚିତ୍ର କେତୋଟି ବାହାର ହୋଇ ପାରିବ । (ନବୀନ, ୫ ଜୁନ୍ ୧୯୫୧)

 

ଏହିପରି ଚଳଚ୍ଚିତ୍ର ସମ୍ପର୍କିତ ଆଲୋଚନା ମାଧ୍ୟମରେ କୃପାସିନ୍ଧୁ ଓଡ଼ିଆରେ ଏହି ବୃହତ୍ ଅଭାବ ଦୂର କରିବାପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ତାଙ୍କର ମତାମତ ସେତେବେଳେ ବିଭିନ୍ନ ମହଲରେ ଆଲୋଚିତ ହୋଇଥିଲା ଏବଂ ୧୯୫୧ ମସିହା ପରେ ଓଡ଼ିଆ ଚଳଚ୍ଚିତ୍ରର ଅଗ୍ରଗତି ଆରମ୍ଭ ହୋଇଥିଲା ।

 

ଓଡ଼ିଶାର ଗୋଟାଏ ସ୍ୱତନ୍ତ୍ର ଚିତ୍ରଶାଳା (ମ୍ୟୁଜିୟମ) ନିର୍ମାଣପାଇଁ କୃପାସିନ୍ଧୁ ୧୯୪୧ ମସିହାରୁ ତାଙ୍କ ନବୀନ ପତ୍ରିକାରେ ଦାବୀ କରିଥିଲେ । ଓଡ଼ିଶା ବିହାର ସହିତ ସଂଯୁକ୍ତ ଥିବାବେଳେ ବିହାର ଓଡ଼ିଶା ପ୍ରଦେଶର ଚିତ୍ରଶାଳା ବିହାରରେ ଥିଲା । ସ୍ୱତନ୍ତ୍ର ପ୍ରଦେଶ ହେବା ପରେ ବିହାର ସରକାର କେତେକ ପ୍ରତ୍ନତତ୍ତ୍ୱ ଜିନିଷ ଓଡ଼ିଶା ସରକାରଙ୍କୁ ଦେବାପାଇଁ ବାଧ୍ୟ ହୋଇଛନ୍ତି । ସେହସବୁ ପ୍ରତ୍ନତତ୍ତ୍ୱ ଉପକରଣ ଗୁଡ଼ିକ ରେଭେନ୍‍ସା କଲେଜ ସଂଲଗ୍ନ ମୁସଲମାନ ଛାତ୍ରାବାସରେ ରଖାଯାଇଥିଲା । ଯେତେବେଳେ ବିହାର ଓଡ଼ିଶାର ଚିତ୍ରଶାଳା ପ୍ରତିଷ୍ଠା ହେଲା ସେତେବେଳେ ଅନେକ ବହୁମୂଲ୍ୟ ଉପକରଣମାନ ଓଡ଼ିଶାରୁ ସଂଗୃହୀତ ହୋଇ ପାଟନା ଚିତ୍ରଶାଳାରେ ରଖାଯାଇଥିଲା । ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେବା ପରେ ସେପରି ମୂଲ୍ୟବାନ ପ୍ରତ୍ନତତ୍ତ୍ୱ ଉପକରଣମାନ ଓଡ଼ିଶାକୁ ଫେରସ୍ତ ହୋଇ ଆସିଲା ନାହିଁ । କର୍ତ୍ତବ୍ୟାନୁରୋଧରେ କେତେକ ମୂଲ୍ୟବାନ ପ୍ରାଚୀନ ଉପକରଣ କେବଳ ଓଡ଼ିଶା ସରକାରଙ୍କୁ ଫେରସ୍ତ ଦିଆଯାଇଥିଲା । ଏହି ପୃଷ୍ଠପର୍ବରେ କୃପାସିନ୍ଧୁ ଲେଖିଥିଲେ–ଓଡ଼ିଶା ପ୍ରାଚୀନ ପତ୍ନତତ୍ତ୍ୱ ଗବେଷଣାପାଇଁ ଗୋଟାଏ ଉପଯୁକ୍ତ କ୍ଷେତ୍ର । ଓଡ଼ିଶାର ଇତିହାସ କିଏ କିପରି ଲେଖି ଯାଇଛନ୍ତି ତା’ର ଇୟତ୍ତା ନାହିଁ । ଓଡ଼ିଶାର ପ୍ରାଚୀନ ଦେବଦେବୀ ମନ୍ଦିର, ଶିଳାଲିପି ପ୍ରଭୃତି ଏତଦ୍‍ଦେଶୀୟ ତଥା ପାଶ୍ଚାତ୍ୟ ପ୍ରତ୍ନତତ୍ତ୍ୱ ଅନୁସନ୍ଧିତ୍ସୁମାନଙ୍କର ଦୃଷ୍ଟି ଆକର୍ଷଣ କରିପାରିଛି ଏବଂ ସେମାନଙ୍କର ଐତିହାସିକ ଗବେଷଣାପାଇଁ ବହୁ ଉପାଦାନ ଯୋଗାଇ ପାରିଛି । ଦୀର୍ଘକାଳ ବିହାର ସହିତ ସଂଯୁକ୍ତ ହୋଇ ଓଡ଼ିଶା ଅନେକ ବହୁମୂଲ୍ୟ ଉପକରଣ ହରାଇଛି ଯାହାକି ଓଡ଼ିଶାର କଳ୍ପିତ ମ୍ୟୁଜିୟମ ସଂବୃଦ୍ଧି କରିଥାନ୍ତା । ବିହାର ସରକାରଙ୍କଠାରୁ ଯେଉଁ ସବୁ ଉପକରଣ ଓଡ଼ିଶା ଫେରିପାଇଛି ସେଗୁଡ଼ିକ ଚିତ୍ରଶାଳାରେ ରଖାଯିବାପାଇଁ ଉପଯୁକ୍ତ ନୁହେଁ । ଓଡ଼ିଶାରେ ଏତେ ଉପକରଣ ଥିଲେ ସୁଦ୍ଧା ସେଗୁଡ଼ିକ ଅନ୍ୟାନ୍ୟ ପ୍ରାଦେଶିକ ସରକାରଙ୍କ ହସ୍ତଗତ ହୋଇଛି । ବିହାର ସରକାରଙ୍କର ଅର୍ଥମନ୍ତ୍ରୀ କହିଲାଭଳି ବର୍ତ୍ତମାନ ସମଗ୍ର ଓଡ଼ିଶା ଗୋଟାଏ ଦୁଃଖ ଦାରିଦ୍ର୍ୟର ଚିତ୍ରଶାଳାରେ ପରିଣତ ହୋଇଛି । ଓଡ଼ିଶାରେ ଏକ୍ଷଣି ଗୋଟାଏ ପ୍ରାଦେଶିକ ଚିତ୍ରଶାଳାର ପ୍ରତିଷ୍ଠା ଏକାନ୍ତ ପ୍ରୟୋଜନ । ଏଥିପ୍ରତି ଓଡ଼ିଶା ସରକାରଙ୍କର ଦୃଷ୍ଟି ପଡ଼ିଲେ ଅଚିରେ ଓଡ଼ିଶାର ଗୋଟାଏ ସ୍ୱତନ୍ତ୍ର ଚିତ୍ରଶାଳା ପ୍ରତିଷ୍ଠା ହୋଇପାରିବ ଏଥିରେ କୌଣସି ସନ୍ଦେହ ନାହିଁ । (ନବୀନ, ୨୨ ଏପ୍ରିଲ ୧୯୪୧)

 

ଓଡ଼ିଶାରେ ପାଠାଗାରର ଆବଶ୍ୟକତା ଏବଂ ଏହାର ପ୍ରତିଷ୍ଠା ଦିଗରେ କୃପାସିନ୍ଧୁଙ୍କର ଅବଦାନ ଅବିସ୍ମରଣୀୟ । ୧୯୪୪ ରୁ ୧୯୫୦ ପର୍ଯ୍ୟନ୍ତ ସେ ପାଠଗାର ଆନ୍ଦୋଳନ ସହିତ ଜଡ଼ିତ ଥିଲେ । ଏହା ତାଙ୍କ ସଂସ୍କୃତି ପ୍ରୀତିର ଏକ ମହା ନିଦର୍ଶନ । ପାଠାଗାରର ଆବଶ୍ୟକତା ସମ୍ପର୍କରେ କୃପାସିନ୍ଧୁ ୧୯୪୪ରେ ନବୀନରେ ଏକ ସୁଚିନ୍ତିତ ଆଲୋଚନା ପ୍ରକାଶ କରିଥିଲେ । ସେଥିରେ ସେ କହିଥିଲେ ଯେ କୌଣସି ଦେଶ ବା ଜାତିର ପ୍ରଗତି ମୂଳରେ ସେହି ଦେଶର ଶିକ୍ଷା ଓ ସଂସ୍କୃତି ବିଶେଷ ନିର୍ଭର କରେ । ଶିକ୍ଷା ଓ ସଂସ୍କୃତିର ପ୍ରସାରପାଇଁ ପାଠାଗାର ପ୍ରତିଷ୍ଠା ଯେ ଏକାନ୍ତ ଆବଶ୍ୟକ ତାହା କେହି ଅସ୍ୱୀକାର କରିବେ ନାହିଁ । ଯେଉଁ ଦେଶରେ ଅଶିକ୍ଷିତମାନଙ୍କ ସଂଖ୍ୟା ବେଶୀ ସେହି ଦେଶରେ ପାଠାଗାର ପ୍ରତିଷ୍ଠା ଆନ୍ଦୋଳନ ଗୋଟାଏ ଅସାର ପ୍ରଳାପତୁଲ୍ୟ ଲୋକେ ବୁଝନ୍ତି । ପାଶ୍ଚାତ୍ୟ ଦେଶମାନଙ୍କ ତୁଳନାରେ ଭାରତ ଏ ଦିଗରେ ଯଥେଷ୍ଟ ନିଶ୍ଚେଷ୍ଟ । ଏହାର ଏକମାତ୍ର କାରଣ ସ୍ୱରୂପ ବୁଝିବାକୁ ହେବ ଯେ ଏ ଦେଶର ଲୋକେ ଶିକ୍ଷାର ବ୍ୟାପକ ପ୍ରସାର ଦିଗରେ ପାଠାଗାରାମାନଙ୍କ ପ୍ରତିଷ୍ଠା କିପରି ଆବଶ୍ୟକ ତାହା ବୁଝନ୍ତି ନାହିଁ । ଲୋକ ସାଧାରଣ ମଧ୍ୟରେ ଶିକ୍ଷାର ପ୍ରସାର କରାଇବାପାଇଁ ପାଶ୍ଚାତ୍ୟ ଦେଶମାନଙ୍କରେ ଚଳନଶୀଳ ପାଠାଗାରାମାନଙ୍କ (Circulation Libraries) ବ୍ୟବସ୍ଥା ଅଛି । ପ୍ରତ୍ୟେକ ଲୋକ ଯେପରି ସୁବିଧାରେ ପୁସ୍ତକ ବ୍ୟବହାର କରିପାରିବେ ସେଥିପାଇଁ ସରକାରୀ କଟକଣା ସୁଦ୍ଧା ପ୍ରୟୋଗ ହୋଇଥାଏ । ବର୍ତ୍ତମାନ ଯୁଗରେ ଲୋକେ ଯେତେବେଳେ ନାନା ଦିଗରେ ଉନ୍ନତ ଶିକ୍ଷା ପାଇବାପାଇଁ ଆଗ୍ରହାନ୍ୱିତ ସେତେବେଳେ ପାଠାଗାର ପ୍ରତିଷ୍ଠାର ଆବଶ୍ୟକତା ବିଶେଷ ଭାବେ ଅନୁଭୂତ ହୁଏ । ଓଡ଼ିଶାରେ ପାଠାଗାର ଆନ୍ଦୋଳନ ଭାରତର ଅନ୍ୟାନ୍ୟ ପ୍ରଦେଶଠାରୁ ଅପେକ୍ଷାକୃତ ଅଧିକା ହେବା ଉଚିତ । ଯେହେତୁ ଓଡ଼ିଶା ଗୋଟିଏ ପ୍ରଦେଶ ହେବା ପରେ ଉତ୍କଳୀୟ ଜାତୀୟ ଜୀବନର ପୁନଃ ପ୍ରତିଷ୍ଠା ସମସ୍ତେ ଅନୁଭବ କରିପାରୁଛନ୍ତି । ଓଡ଼ିଶା ଭାରତର ଅନ୍ୟାନ୍ୟ ଉନ୍ନତ ପ୍ରଦେଶ ସହିତ ସମକକ୍ଷ ହେବାପାଇଁ ବ୍ୟାପକ ଶିକ୍ଷାର ପ୍ରସାର ଏ କ୍ଷଣି ଆବଶ୍ୟକ । ପାଠାଗାର ଆନ୍ଦୋଳନ ଦିଗରେ ଦେଶୀୟ ରାଜ୍ୟ ବରୋଦା ଶୀର୍ଷ ସ୍ଥାନ ଅଧିକାର କରିଛି । ସେଠାରେ ଲୋକ ଶିକ୍ଷା ବ୍ୟାପକ ଭାବେ ହେବାପାଇଁ ପାଠାଗାରମାନ ଲୋକମାନଙ୍କ ବ୍ୟବହାରରେ ଯେପରି ସୁବିଧାରେ ଲାଗିପାରିବ ସେ ଦିଗରେ ସୁନ୍ଦର ବ୍ୟବସ୍ଥାମାନ ଅଛି । ଏବେ କେତେ ଦିନ ହେଲା ଓଡ଼ିଶାର ପାଠାଗାର ଆନ୍ଦୋଳନ ନେଇ ଟିକିଏ ଚାଞ୍ଚଲ୍ୟ ଦେଖାଯାଉଛି । ଏହା ଓଡ଼ିଶା ପକ୍ଷେ କମ ସୌଭାଗ୍ୟର କଥା ନୁହେଁ । ଯେତେ ଦିନ ପର୍ଯ୍ୟନ୍ତ ଓଡ଼ିଶାର ଲୋକେ ଏହି ପାଠାଗାର ଆନ୍ଦୋଳନର ମର୍ଯ୍ୟାଦା ବୁଝିନାହାନ୍ତି ସେତେ ଦିନ ପର୍ଯ୍ୟନ୍ତ ଓଡ଼ିଶାର କୌଣସି ଉନ୍ନତି ଶିକ୍ଷା ବା ଜାତୀୟ ସଂସ୍କୃତିର ଉଚ୍ଚ ଆଭିଜାତ୍ୟ କଳ୍ପନା କରିବା ଏକ ପ୍ରକାର ଅସମ୍ଭବ । (ନବୀନ, ୧୫ ଫେବୃଆରୀ, ୧୯୪୪)

 

୧୯୪୪ ମାର୍ଚ୍ଚ ୭ ତାରିଖରେ କଟକ ଟାଉନହଲଠରେ ନିଖିଳ ଉତ୍କଳ ପାଠାଗାର ସମ୍ମିଳନୀର ଅଭ୍ୟର୍ଥନା ସମିତିର ସଭାପତି ଥିଲେ କୃପାସିନ୍ଧୁ ନରେନ୍ଦ୍ର ଦେବ । ଏହି ଭାଷଣରେ ସେ ଦୀର୍ଘ ଉଦବୋଧନ ଦେଇଥିଲେ l ସେଥିରେ ସେ କହିଥିଲେ–‘‘ନିଖିଳ ଉତ୍କଳ ପାଠାଗାର ସମ୍ମିଳନୀର କଳ୍ପନା ୨/୩ ବର୍ଷ ଆଗରୁ ହୋଇଥିଲେ ମଧ୍ୟ ଓଡ଼ିଶାର ସବୁ କାର୍ଯ୍ୟରେ ଯେପରି ମନ୍ଥରତା ଏଥିରେ ମଧ୍ୟ ସେହିପରି ମନ୍ଥରତା ଯୋଗୁଁ ଆଜି ପର୍ଯ୍ୟନ୍ତ ଏହି କାର୍ଯ୍ୟରେ ପରିଣତ ହୋଇପାରିନଥିଲା । ଆମ ଦେଶରେ କର୍ମୀର ଅଭାବ କଥା କେହି ଅସ୍ଵୀକାର କରିପାରିବେ ନାହିଁ । କର୍ମକୁ ଆଦରି ନେଇ ତାହା ନିଜର କରିନେଇ ବଡ଼ କ୍ୱଚିତ୍ ଲୋକଙ୍କ ଭିତରେ ଦେଖାଯାଏ ।

 

ଭାରତୀୟ ପାଠାଗାର ସମିତି ତରଫରୁ ଭାରତୀୟ ପାଠାଗାର ସମ୍ମିଳନୀ ଆଜକୁ ୧୦ ବର୍ଷ ହେଲା ହୋଇ ଆସୁଆଛି । ଏଥିରେ ଆମ୍ଭମାନଙ୍କର ଭାଗ ନେବା ଉଚିତ । କ୍ୱଚିତ୍ ଆମ ପ୍ରଦେଶର ଲୋକେ ଭାରତୀୟ ସଂଗଠନରେ ଭାଗ ନେଇଥାନ୍ତି । ସେଥିପାଇଁ ଆମ୍ଭମାନଙ୍କର ଦୃଷ୍ଟି ବହୁ ପ୍ରସାରି ହୁଏ ନାହିଁ । ଆମ୍ଭେମାନେ ଭାରତୀୟ ଭାବରେ ଅନୁପ୍ରାଣିତ ହୋଇ ପାରୁନାହୁଁ । ଏଣିକି ଆମ୍ଭେମାନେ ନିଖିଳ ଭାରତୀୟ ପାଠାଗାର ଆନ୍ଦୋଳନରେ ଭାଗ ନେବା । ଓଡ଼ିଶା ପ୍ରଦେଶରେ ପାଠାଗାର ଆନ୍ଦୋଳନ କେବଳ ଗଂଜାମ ଜିଲ୍ଲାରେ ହୋଇଛି । ଏହାର କାରଣ ଗଂଜାମ ଜିଲ୍ଲା ପୂର୍ବେ ମାନ୍ଦ୍ରାଜ ପ୍ରଦେଶରେ ଅର୍ନ୍ତଭୁକ୍ତ ଥିଲା ଏବଂ ସେ ପ୍ରଦେଶର ଆଦର୍ଶ ଦ୍ଵାରା ସେ ଅନୁପ୍ରାଣିତ ହୋଇଥିଲା । ଆମ୍ଭେମାନେ ଜଗତର ଅନ୍ୟାନ୍ୟ ଉଚ୍ଚ ଜାତି ସହିତରେ ସମସ୍ତ ମଙ୍ଗଳମୟ କର୍ମକ୍ଷେତ୍ରର ତାଳ ପକାଇ ଅଗ୍ରସର ହେବା ।

 

ଓଡ଼ିଶାର ତାଳପତ୍ର ପୋଥି ଚାରିଆଡ଼େ ପଡ଼ି ରହିଅଛି । ସେ ସବୁ ପରୀକ୍ଷା କରିବାପାଇଁ ଯେତେଦୂର ସମ୍ଭବ ଏକାଠି ସଂଗ୍ରହ କରି ରଖିବାପାଇଁ ଏବଂ ସେଥି ମଧ୍ୟରୁ ଯାହା ଯାହା ଉପଯୁକ୍ତ ସେ ସବୁ ପ୍ରକାଶ କରିବାପାଇଁ ଓଡ଼ିଶା ସରକାର ଦୁଇ ତିନି ଜଣ ବିଶେଷଜ୍ଞ ରଖନ୍ତୁ-। ଓଡ଼ିଶାରେ ଗୋଟିଏ ଅନୁସନ୍ଧାନ ବିଭାଗ ସରକାରଙ୍କଦ୍ୱାରା କରାଯାଉ । ଆସାମ ସରକାର ଆମର ଆଗରୁ ଏହି ବିଭାଗ ଖୋଲିଛନ୍ତି । ଆସାମର ଇତିହାସ ମାନ ପ୍ରକାଶ କରୁଅଛନ୍ତି-। ବଡ଼ ଦୁଃଖର ବିଷୟ ଯେ ଓଡ଼ିଶାରେ ଶିକ୍ଷକମାନଙ୍କର ମଧ୍ୟ ଘରେ ନିଜର ଗୋଟିଏ ଗୋଟିଏ ପାଠାଗାର ନାହିଁ । ଅଥଚ ସେମାନେ ଶିକ୍ଷକତା କରନ୍ତି । ଭଣ୍ଡାରୀର ଅଦାଢ଼ୁଆ ଖୁରରେ ଯେପରି ଖୌର କାର୍ଯ୍ୟ ଚଳିପାରେ ସେହିପରି ଆମ ଓଡ଼ିଶାରେ ଶିକ୍ଷକମାନେ ଶିକ୍ଷାକାର୍ଯ୍ୟ ଚଳାଉଅଛନ୍ତି । ଅନ୍ତତଃ ପ୍ରତ୍ୟେକ ଶିକ୍ଷକଙ୍କର ଗୋଟିଏ ସ୍ୱତନ୍ତ୍ର ପୁସ୍ତକର ଆଲମାରୀ ରହିବା ଆବଶ୍ୟକ । ପ୍ରତ୍ୟେକ ଶିକ୍ଷକ ନିଜ ନିଜର ଅନୁଭୂତିକୁ ଭାଷାଦେଇ ପୁସ୍ତକାକାରରେ ବାନ୍ଧି ରଖିବା ଉଚିତ । କାଳକ୍ରମେ ତାହା ପ୍ରକାଶିତ ହୋଇପାରେ । ପ୍ରକାଶପାଇଁ ବ୍ୟସ୍ତ ନୋହି ଆପଣା ଆପଣା ଜ୍ଞାନର ବିକାଶପାଇଁ ପ୍ରତ୍ୟେକଙ୍କର ବ୍ୟସ୍ତ ହେବା ଉଚିତ ।

 

ଆମର ଭାରତବର୍ଷରେ ବରୋଦା ରାଜ୍ୟରେ ପାଠାଗାର ଆନ୍ଦୋଳନ ବିଶେଷ ଭାବରେ ଚାଲି ଆସୁଅଛି । ଓଡ଼ିଶା ସରକାର ଓଡ଼ିଶାରେ ପାଠାଗାର ଆନ୍ଦୋଳନ ଶ୍ରଦ୍ଧାଦେଇ ଚଲାନ୍ତୁ । ୧୯୩୮ ମସିହାରେ କଂଗ୍ରେସର ମନ୍ତ୍ରୀତ୍ୱ ବେଳେ ଲକ୍ଷ୍ମୀନାରାୟଣ ସାହୁ ଓ ରାମଚନ୍ଦ୍ର ମହାପାତ୍ରଙ୍କୁ ବରୋଦାରେ କିପରି ପାଠାଗାର ଆନ୍ଦୋଳନ ଚଳୁଛି ତା’ର ସମୀକ୍ଷା କରିବା ନିମନ୍ତେ ବରୋଦା ପଠାଇଥିଲେ । ସେମାନେ ଉକ୍ତ କାର୍ଯ୍ୟ ସମାପନ କରି ଓଡ଼ିଶା ସରକାରଙ୍କୁ ଗୋଟିଏ ବିବରଣୀ ଦେଇଥିଲେ ଏବଂ ଓଡ଼ିଶାରେ କିପରି ପାଠାଗାର ଆନ୍ଦୋଳନ ଚଳାଇବାକୁ ହେବ ସେ ବିଷୟରେ କେତୋଟି ଯୋଜନା ଦେଇଥିଲେ । ତାହାକୁ ପୁନର୍ବାର ବାହାର କରି କାର୍ଯ୍ୟରେ ଲଗାଇଲେ ଭଲ ହୁଅନ୍ତା । ଗୋଟିଏ କେନ୍ଦ୍ର ପାଠାଗାର ସର୍ବାଗ୍ରେ ରହିବା ଦରକାର ।

 

ବିହାରରେ ପାଠାଗାର ସମିତି ହୋଇ ପାରିଛି ଏବଂ ସେଠାରେ ୮/୯ ବର୍ଷ ହେଲା ପାଠାଗାର ସମ୍ମିଳନୀ ହୋଇ ଆସୁଅଛି । ୧୯୩୭ ସାଲର ନିଖିଳ ଭାରତ ପାଠାଗାର ସମ୍ମିଳନୀର ବିବରଣୀରୁ ଜଣାଯାଏ ଯେ ରୀତିମତ ଭାବରେ ନିଖିଳ ଭାରତ ପାଠାଗାର ସମ୍ମିଳନ ମଧ୍ୟ ହେଉନାହିଁ । ତେବେ ଯାହାହେଉ ଏ ଦିଗରେ ଭାରତରେ ଯେ ଗୋଟିଏ ଆନ୍ଦୋଳନ ସୃଷ୍ଟି ହୋଇଛି ସେଥିରେ ଉତ୍କଳର ମଧ୍ୟ ଭାଗନେବା ଉଚିତ । ଆମର ଜାତିର ପୁସ୍ତକମାନ ଆମ ଜାତିର ମନୋଭାବ ଓ ଆକାଂକ୍ଷାର ପରିଚୟ ଦେବ ।

 

ମୁସଲମାନ ରାଜତ୍ୱରେ ଯୁଦ୍ଧବୀର ହୁମାୟୁନଙ୍କର ପାଠାଗାର ଥିଲା ଏବଂ ଦାର୍ଶନୀକ ଯୁବରାଜ ଦାରାଙ୍କର ମଧ୍ୟ ପାଠାଗାର ଥିଲା । ସେଦିନ ଜଣେ ଓଡ଼ିଆ ଯୁବକ କାଶୀ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ପୁସ୍ତକ ରଖିବାପାଇଁ ଆଗ୍ରହାନ୍ୱିତ ହୋଇ ମୋତେ ଚିଠି ଲେଖିଥିଲେ ଏବଂ ତଦନୁଯାୟୀ ମୁଁ କାଶୀ ବିଶ୍ୱବିଦ୍ୟାଳୟକୁ କେତେ ଗୁଡିଏ ଓଡ଼ିଆ ପୁସ୍ତକ ପଠାଇ ଦେଇଥିଲି । କଲିକତା ଇମ୍ପେରିୟାଲ ପାଠାଗାରରେ ମଧ୍ୟ ଓଡ଼ିଆ ପୁସ୍ତକ ଅଭାବ । ସେଠାକୁ ଆମ ଓଡ଼ିଆ ପୁସ୍ତକ ପଠାଇବା ଉଚିତ । ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ପଢ଼ାପଢ଼ିଦ୍ୱାରା ଜ୍ଞାନଲାଭ କରାଯାଏ ଏବଂ ପାଠାଗାରରେ ବସି ପଢ଼ାପଢ଼ି କଲେ ସେ ଜ୍ଞାନ ପରିମାର୍ଜିତ ଓ ପରିବର୍ଦ୍ଧିତ ହୋଇଥାଏ । ଜଗତରେ ଜ୍ଞାନବର୍ଦ୍ଧନ ବିନା ଚଳିବା ପଶୁ ଭଳି ରହିବା ସଂଗେ ସମାନ । ଓଡ଼ିଶାରେ ସହର ଏବଂ ମଫସଲ ମାନଙ୍କରେ ଯେଉଁ ଯେଉଁଠାରେ ଛୋଟ ବଡ଼ ପାଠାଗାର ଅଛି ସେ ସବୁକୁ ଏକତ୍ର ବାନ୍ଧିବା ଯୋଗସୂତ୍ର ହେଉଛି ଆମର ବର୍ତ୍ତମାନର ଏହି ନିଖିଳ ଉତ୍କଳ ପାଠାଗାର ଆନ୍ଦୋଳନର ପ୍ରଚେଷ୍ଟା ।

 

ପରସ୍ପରର ସାହଚର୍ଯ୍ୟରେ ପୁସ୍ତକ ଆଦାନ ପ୍ରଦାନ ହୋଇ ପାରିଲେ ମଧ୍ୟ ବଡ଼ ଭଲ ହେବ । ବାସ୍ତବିକ ଏତଦ୍ୱାରା ଆମ୍ଭମାନଙ୍କର ଉତ୍କଳରେ ବିଶ୍ଵବିଦ୍ୟାଳୟ ସ୍ଥାପିତ ହୋଇପାରିବ । ଆମ୍ଭମାନଙ୍କ ଭାଗବତ ଟୁଙ୍ଗିମାନଙ୍କର ପୁନରୁଦ୍ଧାର କରି ସେଠାରେ ଗୋଟିଏ ଗୋଟିଏ ପାଠାଗାରପାଇଁ ସାହାଯ୍ୟ ମାଗିବାକୁ ହେବ । ଓଡ଼ିଶା ସରକାର ପାଠାଗାର ଆନ୍ଦୋଳନପାଇଁ ଏ ବର୍ଷ ଅନ୍ତତଃ ଏକ ଲକ୍ଷ ଟଙ୍କା ବ୍ୟବସ୍ଥା କରନ୍ତୁ । ଏହି ଶୁଭ କାର୍ଯ୍ୟରେ ଆଉ ଅବହେଳା ଉଚିତ୍‍ ନୁହେଁ । ସଂଗେ ସଂଗେ ପାଠାଗାର ଚାଳନ ଶିକ୍ଷା ଟ୍ରେନିଂ ସବୁଆଡ଼େ ଅନୁଷ୍ଠିତ ହେଉ । ଏହାଦ୍ୱାରା ଲେଖକମାନେ ଉତ୍ସାହିତ ହେବେ ଏବଂ ନାନା ପ୍ରକାର ନୂତନ ନୂତନ ପୁସ୍ତକ ମଧ୍ୟ ଶୀଘ୍ର ଶୀଘ୍ର ବାହାରି ପାରିବ । ଏହିପରି ବୁଦ୍ଧିର ପ୍ରଖରତା ଶୀଘ୍ର ଶୀଘ୍ର ବଢ଼ି ପାରିବ । ପାଠାଗାରକୁ ଯେତେ ସୁନ୍ଦର ଭାବେ ରଖାଯାଇପାରେ ଏବଂ ପଢ଼ିବାର ଜାଗାକୁ ଯେତେଦୂର ସ୍ୱଚ୍ଛନ୍ଦ୍ୟ ଜନକ କରାଯାଇପାରେ ତତ୍‍ପ୍ରତି ଦୃଷ୍ଟି ଦେବାକୁ ହେବ । ମଝିରେ ମଝିରେ ପାଠାଗାର ପ୍ରଦର୍ଶନୀ ଓ ପାଠାଗାର ପୁସ୍ତକର ଖେଳ ମଧ୍ୟ ବସାଯାଇପାରେ । ଗଣତନ୍ତ୍ର ସାଫଲ୍ୟମଣ୍ଡିତ କରିବାକୁ ହେଲେ ଏବଂ ଜୟଯୁକ୍ତ କରିବାକୁ ହେଲେ ପାଠାଗାର ଆନ୍ଦୋଳନ ତଥା ଘନ ଘନ ସଭା ସମିତି ଏକାନ୍ତ ପ୍ରୟୋଜନ । ପାଠାଗାର ଆନ୍ଦୋଳନରେ ଗୋଟିଏ କଥା ମନେ ରଖିବାକୁ ହେବ ଯେ ଆମ ଦେଶରେ ଓଡ଼ିଆ ବହି, ପୋଥି, ପ୍ରାଚୀନ ଗ୍ରନ୍ଥ ଇତ୍ୟାଦି ଯେତେ ଯତ୍ନରେ ରହିପାରେ ସେତେ ଭଲ ଏବଂ ସେ ଦିଗରେ ବରାବର ଦୃଷ୍ଟି ଦେବାକୁ ହେବ । ଆମ୍ଭମାନଙ୍କର ଓଡ଼ିଆ ବହି ନାହିଁ ବୋଇଲେ ଆମ୍ଭମାନଙ୍କର ଓଡ଼ିଆର ମସ୍ତିସ୍କ ନାହିଁ କହିବାକୁ ହେବ ।

 

ଭାରତବାସୀ ଚିରଜ୍ଞାନ ପିପାସୁ । କିନ୍ତୁ ଆଜି ସେ ନିଜର ଜ୍ଞାନକୁ ବୁଝିନପାରି ପାଶ୍ଚାତ୍ୟ ଦେଶର ସମ୍ମୋହରେ କେବଳ ବିଦେଶୀ ଗ୍ରନ୍ଥ ସଂଗ୍ରହରେ ଲାଗିଅଛି । ସେସବୁ ଆତ୍ମସ୍ଥ କରି ନିଜର ମାତୃଭାଷାରେ ପୁନର୍ବ୍ୟକ୍ତ କରିବା ଆମ୍ଭମାନଙ୍କର ସର୍ବପ୍ରଧାନ ଧେୟ ହେବା ଉଚିତ । ପାଠାଗାର ମାନଙ୍କରେ ସର୍ବଦା ସଭା ସମିତି କରିବା ଉଚିତ ।

 

ଆମ୍ଭମାନଙ୍କର ପାଠାଗାରମାନଙ୍କୁ ଗୋଟିଏ ମାର୍ଗରେ ଚଳାଇବାପାଇଁ ପାଠାଗାର ପରିଚାଳନା ଶିକ୍ଷା ପ୍ରବର୍ତ୍ତନ କରିବାକୁ ହେବ । ଏ ଦେଶରେ ଅସଂଖ୍ୟ କର୍ମୀ ଏଥିପାଇଁ ଲୋଡ଼ା । ଯୁବକ ଛାତ୍ରମାନେ ଏଥିପାଇଁ ଅନୁପ୍ରାଣିତ ଓ ଦୃଢ଼ ପ୍ରତିଜ୍ଞ ହୋଇ କର୍ମରେ ଲାଗି ପଡ଼ିଲେ ସରକାରଙ୍କ ସହଯୋଗ ମିଶି ପାଠାଗାର ସଂଗଠନ ଆନ୍ଦୋଳନର ଗୁରୁତା ପ୍ରବଳ ହୋଇ ଉଠିବ । (ନବୀନ, ମାର୍ଚ୍ଚ ୭, ୧୯୪୪)

 

ଏହି ସମ୍ମିଳନୀରେ କେତେକ ସଭ୍ୟଙ୍କୁ ନେଇ ନିଖିଳ ଉତ୍କଳ ପାଠାଗାର ସଂଘ ଗଠନପାଇଁ ପ୍ରସ୍ତାବ ଦିଆଯାଇଥିଲା । ଏହି ସଂଘରେ କୃପାସିନ୍ଧୁ ନରେନ୍ଦ୍ର ଦେବ ମଧ୍ୟ ସଦସ୍ୟ ହୋଇଥିଲେ-। ଏହି ସଂଘ ଗଠନରେ ଆବାହକ ହିସାବରେ ଲକ୍ଷ୍ମୀ ନାରାୟଣ ସାହୁ, କୃପାସିନ୍ଧୁ ନରେନ୍ଦ୍ର ଦେବ ଓ ଶ୍ରୀନିବାସ କବିରତ୍ନ ନିଯୁକ୍ତ ହୋଇଥିଲେ । ପାଠାଗାର ଆନ୍ଦୋଳନକୁ ଉତ୍ସାହିତ କରିବା ସଂଗେ ସଂଗେ ସଂସ୍କୃତ ଶିକ୍ଷା ପ୍ରସାରପାଇଁ ସେ ମଧ୍ୟ ଉଦ୍ୟମ କରିଥିଲେ । ୧୯୪୩ ମସିହାରେ ଓଡ଼ିଆ ସଂସ୍କୃତ ପରିଷଦର ସଭ୍ୟରୂପେ କୃପାସିନ୍ଧୁ ୩ ବର୍ଷପାଇଁ ମନୋନୀତ ହୋଇଥିଲେ । ୧୯୪୮ ସେ ସଂ ଗଂଜାମ କ୍ଳବ ବରହମପୁରଠାରେ ଓଡ଼ିଆ ସଂସ୍କୃତ ଟୋଲ ସମ୍ମିଳନୀରେ ସଭାପତିତ୍ୱ କରିଥିଲେ-

 

ନବୀନ ସାହିତ୍ୟ ପରିଷଦ ଏବଂ ବ୍ରହ୍ମପୁରର ଆନ୍ଧ୍ରଭାଷା ବିବର୍ଦ୍ଧନୀ ସମାଜ ପକ୍ଷରୁ ଅନନ୍ତ ପ୍ରସାଦ ପଣ୍ଡା ଓ ଡ଼ି ବିଶ୍ୱେଶ୍ୱର ରାଓ ପ୍ରଭୃତିଙ୍କ ଉଦ୍ୟମରେ ରାମଲିଙ୍ଗମ୍‍ଙ୍କର ସଭାପତିତ୍ୱରେ ବ୍ରହ୍ମପୁର ଟାଉନହଲରେ ଏକ ସଂସ୍କୃତିମୂଳକ ସଭା ୧୪ ମାର୍ଚ୍ଚ ୧୯୪୪ରେ ହୋଇଥିଲା । ସେମାନେ ନିଖିଳ ଭାରତ କଳା ଓ ସାହିତ୍ୟ ଅନୁଷ୍ଠାନ ଗଠନପାଇଁ ଏହି ସଭା କରିଥିଲେ । ଏହି ଉଦ୍ଦେଶ୍ୟରେ ଗଠିତ କମିଟିରେ କୃପାସିନ୍ଧୁ ଜଣେ ସଦସ୍ୟ ଥିଲେ । (ନବୀନ, ୧୪ ମାର୍ଚ୍ଚ, ୧୯୪୪) ନରେନ୍ଦ୍ର ଦେବ ନବୀନରେ ଏକ ସଂପାଦକୀୟ ଆଲୋଚନାରେ ଏହି ନିଖିଳ ଭାରତ କଳା ଓ ସାହିତ୍ୟ ବିଦ୍ୟାପୀଠ ଉପରେ ମତଦେଇ ଏକ ଚମତ୍କାର ବିବରଣୀ ପ୍ରକାଶ କରିଥିଲେ । ସେଥିରେ ସେ କହିଥିଲେ “ଭାରତବର୍ଷରେ ଅନେକ ଜାତି ଓ ବର୍ଣ୍ଣର ଲୋକ ଅଛନ୍ତି ଯେଉଁମାନେ ନିଜ ନିଜର ଜାତୀୟ ସାହିତ୍ୟ ସଂପଦ ଆମ୍ଭମାନଙ୍କ ସାଂପ୍ରଦାୟିକ ଭେଦଭାବ ତଥା ପ୍ରାଦେଶିକତାର ସଂକୀର୍ଣ୍ଣ ପରିସର ମଧ୍ୟରେ ପର୍ଯ୍ୟବେସିତ ହୋଇ ବ୍ୟାପ୍ତ ହୋଇ ପାରୁନାହିଁ । ଏଣୁ ସମଗ୍ର ଭାରତପାଇଁ ଗୋଟିଏ ସାଧାରଣ ବ୍ୟବହାର୍ଯ୍ୟ ଭାଷାର ଅଭାବ ପ୍ରତ୍ୟେକ ଚିନ୍ତାଶୀଳ ବ୍ୟକ୍ତି ଅନୁଭବ କରନ୍ତି । ଭାରତର ପ୍ରତ୍ୟେକ ପ୍ରଦେଶର କଳା, କୃଷ୍ଟି ଓ ସାହିତ୍ୟ ଓ ଅନ୍ୟ ପ୍ରଦେଶମାନଙ୍କଠାରୁ ସ୍ୱତନ୍ତ୍ର । ପ୍ରାଦେଶିକ ସାହିତ୍ୟ ଓ କଳା ପ୍ରଦେଶର ଭୌଗୋଳିକ ପରିସର ଭେଦ କରି ଅନ୍ତର୍ପ୍ରାଦେଶିକ ହେବା ଉଚିତ । ପ୍ରଦେଶ ପ୍ରଦେଶ ମଧ୍ୟରେ ପରସ୍ପର କଳା ଓ ସାହିତ୍ୟ ସମ୍ବଦ୍ଧ ପ୍ରତିଷ୍ଠା ହେବାପାଇଁ ବର୍ତ୍ତମାନ ଏ ଯେଉଁ ଆନ୍ଦୋଳନ ମାନ ହେଉଛି ତାହା ଭାରତର ସମୂହ କଳା ଓ ସାହିତ୍ୟ ଉନ୍ନତିର ଏକମାତ୍ର ପନ୍ଥା କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ଭାରତର ପ୍ରତ୍ୟେକ ପ୍ରଦେଶର କଳା ଓ ସାହିତ୍ୟ ସଂପଦର ଐକ୍ୟ ସୂତ୍ରରୁ ସମଗ୍ର ଭାରତପାଇଁ ଗୋଟାଏ କେନ୍ଦ୍ର କଳା ବିଦ୍ୟାପୀଠର ଅଭାବ ବହୁଦିନଧରି ଅନୁଭୂତ ହୁଏ । ଏ ଦିଗରେ ବେଳେବେଳେ କେତେକ ଉତ୍ସାହୀ ମାନଙ୍କର ପ୍ରେରଣା ଓ ପରିକଳ୍ପନା ପତ୍ରପତ୍ରିକାରେ ପ୍ରକାଶ ପାଇଥାଏ । ଅଥଚ ଗୋଟାଏ ପୂର୍ଣ୍ଣାଙ୍ଗ ବିଦ୍ୟାପୀଠର ପ୍ରତିଷ୍ଠାପାଇଁ କୌଣସି ରୀତିମତ ଆନ୍ଦୋଳନ ହେଉନଥିବା ଦୁଃଖର କଥା । ପ୍ରଦେଶ ପ୍ରଦେଶ ମଧ୍ୟରେ ପରସ୍ପର ସହଯୋଗୀତାର ଅଭାବ ସମ୍ଭବତଃ ଏହିପରି କଷ୍ଟକର ଅନ୍ତରାୟ ହୋଇପଡ଼ିଛି । ରାଜନୈତିକ ଧନ୍ଦାର ବହୁ ଦୂରରେ ରହି ନିର୍ଦ୍ଦୋଷ ସାହିତ୍ୟ ସେବା କରିବା କୌଣସି ଅପରାଧ ବୋଲି ଧରାଯାଇପାରିବ ନାହିଁ । ବରଂ ଆମ୍ଭମାନଙ୍କର ଗୋଟାଏ ବଳିଷ୍ଠ ଜାତୀୟ ଭାବର ଦୃଢ଼ ପ୍ରତିଷ୍ଠା ହୋଇ ପାରିବ । ବର୍ତ୍ତମାନ ଏ ଯେଉଁ ନିଖିଳ ଭାରତୀୟ ସାହିତ୍ୟ ଓ କଳା ବିଦ୍ୟାପୀଠ ପ୍ରତିଷ୍ଠାପାଇଁ ଯୋଜନା ହେଉଛି ଏଥିରେ ରାଜନୀତିର ସଂପର୍କ ନାହିଁ । ଭାରତର ବିଶିଷ୍ଟ ସାହିତ୍ୟିକ ଓ କଳାବିତ୍‍ମାନଙ୍କ ସାଧନାର ଏକତ୍ର ସମାବେଶ କରିବା ଏହି ଅନୁଷ୍ଠାନର ଚରମ ଲକ୍ଷ୍ୟ । ଏହାଦ୍ୱାରା ଭାରତରେ ଗୋଟିଏ କେନ୍ଦ୍ର ସାହିତ୍ୟ ଓ କଳା ଅନୁଷ୍ଠାନ ପ୍ରତିଷ୍ଠା ହେବ ଏବଂ ପ୍ରତ୍ୟେକ ପ୍ରଦେଶରେ ଏହାର ଗୋଟିଏ ଗୋଟିଏ ଶାଖା ଅନୁଷ୍ଠାନ ରହି କେନ୍ଦ୍ର ଅନୁଷ୍ଠାନ ସହିତ ରାଷ୍ଟ୍ର ସୂତ୍ରରେ ସମ୍ବନ୍ଧ ରଖିବା । (ନବୀନ, ୨୮ ମାର୍ଚ୍ଚ, ୧୯୪୪)

 

।। ୫।।

 

ଓଡ଼ିଆ ଆତ୍ମ ପରିଚିତ ଏକ ଅବିସ୍ମରଣୀୟ ପ୍ରବକ୍ତା ଥିଲେ କୃପାସିନ୍ଧୁ ନରେନ୍ଦ୍ର ଦେବ । ଓଡ଼ିଆ ଜାଗୃତିପାଇଁ ୧୯୩୦ରୁ ତାଙ୍କର ଉଦ୍ୟମ ଅବ୍ୟାହତ ଥିଲା, ସେ ଥିଲେ ଜଣେ ନୀରବ ବିପ୍ଳବୀ, ଅଥଚ ଉତ୍କଳୀୟ ଜାତୀୟ ମହାଭାବରେ ଜଣେ ଉଗ୍ରପନ୍ଥୀ । ସ୍ୱତନ୍ତ୍ର ପ୍ରଦେଶ ଗଠନ ଆନ୍ଦୋଳନରେ ତାଙ୍କର କମ୍ ଅଂଶ ନଥିଲା । ଜାତୀୟ ଜାଗରଣ ବିଷୟକ ଯେ କୌଣସି ବିଷୟ ପ୍ରକାଶପାଇଁ ସେ ନବୀନର ସ୍ତମ୍ଭମାନ ଉନ୍ମୁକ୍ତ ରଖିଥିଲେ । କାନ୍ତ କବି ଲକ୍ଷ୍ମୀକାନ୍ତ ମାହାପାତ୍ରଙ୍କ ଜାତୀୟ ସଂଗୀତାବଳୀରୁ ସେ ବିଶେଷ ଜାତୀୟ ପ୍ରେରଣା ପାଇଥିଲେ ଏବଂ ସଭାସମିତିରେ ସେହି କବିତାବଳୀ ଆବୃତ୍ତି କରିଥିଲେ । ପାରଳାଖେମୁଣ୍ଡିର ଗଜପତି ମହାରାଜ କୃଷ୍ଣଚନ୍ଦ୍ର ନାରାୟଣ ଦେବ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନପାଇଁ ନରେନ୍ଦ୍ର ଦେବଙ୍କଠାରୁ ପ୍ରେରଣା ପାଇଥିଲେ । ତେଣୁ ଲଣ୍ଡନରେ ପହଞ୍ଚି ଗୋଲଟେବୁଲ ବୈଠକରେ ଯୋଗ ଦେବା କାଳରେ ତାହାଙ୍କର ଆଲୋଚନା ପ୍ରସଙ୍ଗକୁ ଟେଲିଗ୍ରାମଦ୍ୱାରା ନରେନ୍ଦ୍ର ଦେବଙ୍କ ଜଣାଇଥିଲେ । ନିମ୍ନରେ ଏହି ଦୁଇଟି ଟେଲିଗ୍ରାମ ଉଦ୍ଧାର କରାଯାଇଛି–

 

1.       Telegram 16-1-1931

Round Table Conference, London

Jubraj Mahuri, Berhampur

 

Happy to inform my presentation Oriya problem received unanimous support whole conference today.

 

2.       India Round Table Conference

St. James’s Palace, S.W.I.

19-11-30

 

My dear Jubraj Mahuri

 

Just a lire to inform you that may mission regarding the Oriya problem so far is very promising of success, and I do hope that the whole of Ganjam will start agitating for the amalgamation of the whole district but not in party as now is the case, leaving the southern parts. The Government of India Desparch is quite in favour of the recommendations made by the Simon Commission and suggests the institution of a boundary commission. We shall all of course urge for the institution as soon as possible but it should be properly represented and from here I shall see that it is done properly. I am of course very anxious to see that we are not lost sight of because if that happens when the Oriya parts are amalgamated we are lost for ever.

 

ପାରଳା ମହାରାଜାଙ୍କ ଗୋଲଟେବୁଲ ବୈଠକରେ ଉପସ୍ଥାପିତ ଓଡ଼ିଆ ସମସ୍ୟାକୁ ନବୀରରେ ୧୯୩୧ର ବିଭିନ୍ନ ସଂଖ୍ୟାରେ ପ୍ରକାଶ କରାଇ ପାରଳାଧିଶ୍ୱରଙ୍କର ଓଡ଼ିଆ ଜାଗୃତି ଉଚ୍ଚାରଣର ଅଭ୍ରାନ୍ତ ଦୃଷ୍ଟାନ୍ତ ଓଡ଼ିଆମାନଙ୍କୁ ସୂଚାଇଥିଲେ । ତାଙ୍କର ବିଦେଶ ପ୍ରତ୍ୟାବର୍ତ୍ତନ ସମ୍ୱାଦ ଏକ ସଂପାଦକୀୟ ବିବରଣୀରେ ପ୍ରକାଶ କରାଇଥିଲେ । (ନବୀନ, ଅଗଷ୍ଟ ୧୫, ୧୯୩୩)

 

ସେଥିରେ ନରେନ୍ଦ୍ର ଦେବ ଲେଖିଥିଲେ : “ବିଜୟୀ, ରଣଜୟୀ, ପାରଳାର ଗଜପତି, ଓଡ଼ିଆ ଅନ୍ତରର ଅଭିନନ୍ଦନ ଗ୍ରହଣ କର । ଓଡ଼ିଶାର ଅଭିବାଦନ ଗ୍ରହଣ କର । ଆଜି ଶ୍ରୀଛାମୁଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ଆମ ପ୍ରାଣରେ ମହା ଆନନ୍ଦ ଆଣି ଦେଇଛି । ଓଡ଼ିଶାରେ ଯାହା ହୋଇଛି ଛାମୁଙ୍କ ପ୍ରଗାଢ଼ ଚେଷ୍ଟାରେ-ମହାତ୍ୟାଗରେ । ଆମେ ଜାଣୁ ଛାମୁଙ୍କ ଏକାଗ୍ରତା, କୃତିତ୍ୱର ମହତ୍ତ୍ୱ, ବାକ୍ୟ ଓ ହୃଦୟର ମୂଲ୍ୟ । ଛାମୁଙ୍କର ଆଦର୍ଶ, ନିଜ ଚରିତ୍ରର ଆଦର୍ଶ ସମସ୍ତଙ୍କୁ ମୁଗ୍ଧ କରିଥାଏ । ଛାମୁଙ୍କ ଦାମ୍ଭିକତାର ସାହାସ ଆମ୍ଭମାନଙ୍କ ବକ୍ଷକୁ ସ୍ଫୀତ କରିଥାଏ । ଛାମୁଙ୍କ ଦୃଢ଼ ସଂକଳ୍ପର ମୂଲ୍ୟ ଆତ୍ମମାନଙ୍କ ଭିତରେ ଆତ୍ମବିସ୍କୃତି ଆଣି ଦେଇଥାଏ । ଛାମୁ ଚିରଜୟୀ-ଚିର ଉନ୍ନତ-ଚିର ଉଦାର-ଚିର ସୁହୃଦ-ଚିର ଧର୍ମପ୍ରାଣ । ଆମ ଚିର ଆଦରର ରାଜା । ଆମ୍ଭେମାନେ ସ୍ୱଚକ୍ଷୁରେ ଦେଖିଛୁ ଦେଶପାଇଁ ପତିତ ଜାତିପାଇଁ, ଚକ୍ଷୁ ଲୋତକ ଟଳ ଟଳ ହେବାର । ଆସ ଓଡ଼ିଶାର ରାଜା, ଆସ ଓଡ଼ିଶାର ବଂଧୁ । ଏ ଜାତିର ଚିରପୋଷିତ ଆଶା-ଆକାଂକ୍ଷା ଆଜି ପରିପୂର୍ଣ୍ଣ ହେଉ–ପାରଳା, ଜୟପୁର, ମଂଜୁଷା ଆମର–ଆମେ ପାଇବା ? ଓଡ଼ିଆର କି ସୌଭାଗ୍ୟ !”

 

ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କର ମହାନ୍ ଆଦର୍ଶକୁ ଲୋକଲୋଚନକୁ ଆଣିବାପାଇଁ ନବୀନରେ ନରେନ୍ଦ୍ର ଦେବ ଜଣେ ଓଡ଼ିଆ ଛଦ୍ମ ନାମରେ ଏକ ଚମତ୍କାର କବିତା ପ୍ରକାଶ କରାଇଥିଲେ । ସେଥିରେ ସେ ଲେଖିଥିଲେ :

 

ଭାଗ୍ୟକୁ ଆମର ପାରଳାର ରାଜା କୃଷ୍ଣଚନ୍ଦ୍ର ଗଜପତି

ମାନ୍ଦ୍ରାଜ ସଭାକୁ ସଭ୍ୟ ହୋଇ ଜଣେ ଯିବାକୁ ବାହାରିଛନ୍ତି

ଶାନ୍ତ ସୁଶିକ୍ଷିତ ପ୍ରଜାହିତେ ରତ ଦୀନ ଦରିଦ୍ର ରକ୍ଷକ

ସ୍ୱଦେଶ ପ୍ରେମିକ ମହାରାଜା ସିନା ରଖିବେ ଓଡ଼ିଆ ଟେକ ।

 

ଧନମାନ ଯଶ ଅର୍ଜିବାପାଇଁ କି ନୁହଇ ତାଙ୍କର ଲକ୍ଷ୍ୟ

କେବଳ ଓଡ଼ିଆ ନାର୍ଯ୍ୟ ଦାବୀପାଇଁ ପାତି ରଖିଥିବେ ବକ୍ଷ

ଜାଣି ଶୁଣି ଭାଇ ଭାଟଙ୍କ କଥାରେ ବାଟ ନ ହେବଟି ବଣା

ମନେ ରଖିଥିବ ପାରଳା ରାଜାଙ୍କ ଆଯାଚିତ ଓ କରୁଣା

(ନବୀନ, ୨ ସେପ୍ଟେମ୍ବର, ୧୯୩୦)

 

ନବୀନ ସ୍ତମ୍ଭମାନଙ୍କରେ ଓଡ଼ିଆ ଆନ୍ଦୋଳନର ନାନା ପ୍ରସଙ୍ଗ ଆଲୋଚିତ ହୋଇଥିଲା । ଗଂଜାମରେ ଓଡ଼ିଆ ଜାଗରଣ, ବାଉଣ୍ଡରୀ ଗଠନପାଇଁ ଉଦ୍ୟମ ପ୍ରଭୃତି ଅନେକ ପ୍ରସଙ୍ଗଦ୍ୱାରା ନବୀନ କୃପାସିନ୍ଧୁ କାଳରେ ନବ ଉତ୍କଳର ମୁଖପତ୍ର ରୂପେ ପରିଚିତ ଥିଲା । ସ୍ୱତନ୍ତ୍ର ପ୍ରଦେଶ ଗଠନ ପୂର୍ବର ଓଡ଼ିଶାର ଅବସ୍ଥା ସଂପର୍କରେ କୃପାସିନ୍ଧୁ ବାରମ୍ବାର ତାଙ୍କ ସାପ୍ତାହିକ ପତ୍ରରେ ଲେଖିଥିଲେ । ୧୯୩୪ ମସିହାରେ ଓଡ଼ିଶାର ଦେଶ ମିଶ୍ରଣ ସମସ୍ୟା ଚାଲିଥିବା ସମୟରେ ସେ ମନ୍ତବ୍ୟ ଦେଇଥିଲେ :

 

ଓଡ଼ିଶା ଶାସନ କମିଟିର ରିପୋର୍ଟ ପ୍ରକାଶ ପାଇ ସାରିଲାଣି । ଓଡ଼ିଶା ଗୋଟିଏ ସ୍ୱତନ୍ତ୍ର ପ୍ରଦେଶ ହେବ କିନ୍ତୁ ହାଇକୋର୍ଟ କି ବିଶ୍ୱବିଦ୍ୟାଳୟ ରହିବ ନାହିଁ । ହାଇକୋର୍ଟ ବଦଳରେ ନିଉସାମ୍‍ଙ୍କ ପ୍ରସ୍ତାବିତ ଚିଫ୍ କୋର୍ଟ ରହିବ । ବର୍ତ୍ତମାନ ଯେଉଁ ଜିଲ୍ଲା ଯେଉଁ ବିଶ୍ୱାବିଦ୍ୟାଳୟ ଅଧୀନରେ ଅଛି ଓଡ଼ିଶାର ବିଶ୍ୱବିଦ୍ୟାଳୟ ସ୍ଥାପିତ ହେବା ପର୍ଯ୍ୟନ୍ତ ସେହି ଜିଲ୍ଲା ସେହି ବିଶ୍ୱବିଦ୍ୟାଳୟ ଅଧୀନରେ ରହିବ । ଏ ପର୍ଯ୍ୟନ୍ତ ନୂତନ ଓଡ଼ିଶା ପ୍ରଦେଶର ସୀମାନେଇ ଆନ୍ଧ୍ର ଓ ଓଡ଼ିଆମାନଙ୍କ ମଧ୍ୟରେ ତୁମୂଳ ଆନ୍ଦୋଳନ ଚାଲିଥିଲା । ପାରଳା ଓ ଜୟପୁର ଓଡ଼ିଶାରେ ମିଶିବ କି ନାହିଁ ବୋଲି ଲୋକଙ୍କ ମନରେ ଭାରି ସନ୍ଦେହ ଥିଲା । କିନ୍ତୁ ପାରଳା, ଜୟପୁର ଓଡ଼ିଶାରେ ମିଶିବ ବୋଲି ବର୍ତ୍ତମାନ ଜନରବ ଉଠିଛି । କଥାଟା କେତେଦୂର ସତ୍ୟ ପାରଳା ଓ ଜୟପୁରର କେଉଁ ଅଂଶ ଓଡ଼ିଶାରେ ମିଶିବ । ଏ ପର୍ଯ୍ୟନ୍ତ ତା’ର ସୀମା ନିର୍ଦ୍ଦିଷ୍ଟ ହୋଇନାହିଁ । ଗୋପାଳପୁର, ମହେନ୍ଦ୍ରଗିରି, ପୁରୀ ଏହି ତିନି ଜାଗାରେ ଲାଟ ସାହେବଙ୍କପାଇଁ ଗ୍ରୀଷ୍ମ ନିବାସ ପ୍ରସ୍ତୁତ ହେବ । ଓଡ଼ିଶା ଗରୀବ ପ୍ରଦେଶ, ଧନାଭାବରୁ ହାଇକୋର୍ଟ ବା ବିଶ୍ୱବିଦ୍ୟାଳୟ ରହୁନାହିଁ କିନ୍ତୁ ଲାଟ ସାହେବଙ୍କପାଇଁ ତିନି ଜାଗାରେ ଗ୍ରୀଷ୍ମ ନିବାସ ଯୋଗାଡ଼ ଚାଲିଛି । ବହୁକଷ୍ଟରେ ପ୍ରତି ବର୍ଷ ବ୍ୟାପୀ ଆନ୍ଦୋଳନ ଫଳରେ ସ୍ୱତନ୍ତ୍ର ପ୍ରଦେଶଟିଏ ହେଲା ଯେ ତାହାର ଅବସ୍ଥା ଯାହା ହେବ ତାହା ଆଗେ ଆଗେ ଜଣାଯାଉଛି । ଅନ୍ୟାନ୍ୟ ପ୍ରଦେଶପାଇଁ ସବୁ ଅଛି; କିନ୍ତୁ ଓଡ଼ିଶା କଥା ପଡ଼ିଲେ ସରକାରଙ୍କ ଭଣ୍ଡାର ଶୂନ୍ୟ ହୋଇଯାଇଛି । (ନବୀନ, ୯ ଜାନୁଆରୀ, ୧୯୩୪)

 

ଓଡ଼ିଆମାନଙ୍କ ମହତ୍ତ୍ୱ ପ୍ରତିଷ୍ଠା ଦିଗରେ କୃପାସିନ୍ଧୁ ପ୍ରବଳ ଉଦ୍ୟମ ଚଳାଇଥିଲେ । ବଂଗୀୟ ଦୃଷ୍ଟିକୋଣ ପ୍ରତି କଟାକ୍ଷ କରି ସେ କହିଥିଲେ–ଯେତେବେଳେ ଓଡ଼ିଶା ବଂଗଳା ପ୍ରଦେଶ ଅନ୍ତର୍ଭୁକ୍ତ ହୋଇଥିଲା ସେତେବେଳେ ଓଡ଼ିଆମାନଙ୍କର ଅକ୍ଷମତା ଓ ନିରୀହତାର ସୁଯୋଗ ପାଇ ବଂଗାଳୀମାନେ କହିଗଲେ ଯେ ଜଗନ୍ନାଥ ଓ କୋଣାର୍କ ମନ୍ଦିର ବଂଗାଳୀଙ୍କର କୀର୍ତ୍ତି–ସିଂହଳ ବିଜୟରେ ବଂଗାଳୀମାନେ ଏକମାତ୍ର ବୀର ପୁରୁଷ ଥିଲେ- କେଶରୀ ବଂଶୀୟ ରାଜାମାନେ ଗୁପ୍ତ ବଂଶୀୟ ବଂଗାଳୀ-ଗଂଗବଂଶୀୟ ରାଜାମାନେ ବଂଗୀୟ ମହିଷ୍ୟ କ୍ଷତ୍ରୀୟ-ଓଡ଼ିଆ ଭାଷା ବଂଗଳାର ଉପଭାଷା ଇତ୍ୟାଦି ଓଡ଼ିଶାର ଯାହାଙ୍କର ଭଲ ସବୁ ବଂଗାଳୀଙ୍କର । ତାପରେ ଓଡ଼ିଶା ବଂଗଳାରୁ ବିଚ୍ଛିନ୍ନ ହୋଇ ବିହାର ସହିତ ମିଶିଲା । ଓଡ଼ିଆ ମାନଙ୍କର କ୍ଷୀଣସ୍ୱର କ୍ରମେ ଉଚ୍ଚ ହେଲା । କ୍ରମେ ଓଡ଼ିଆମାନେ ବଂଗାଳୀଙ୍କଦ୍ୱାରା ଉପହୃତ ଜିନିଷ ସବୁ ଗୋଟି ଗୋଟି କରି ଆପଣାର ବୋଲି ପ୍ରମାଣିତ କରିନେଲେ । ଓଡ଼ିଆ ଗୋଟିଏ ସ୍ୱତନ୍ତ୍ର ଭାଷା ବୋଲି ପରିଚିତ ହେଲା । ଏତଦ୍ୱାରା ଅବଶ୍ୟ ବଂଗାଳୀଙ୍କର ଧୃଷ୍ଟତା ଅନେକ ପରିମାଣରେ ଊଣା ପଡ଼ିଗଲା । ତଥାପି ସେମାନେ ଜୟଦେବ ପ୍ରମୁଖ ଅନେକ ପୁରୁଣା କାଳର ଓଡ଼ିଆ କବିମାନଙ୍କୁ ନାନା ଯୁକ୍ତି ଦେଖାଇ ବଂଗାଳୀ ବୋଲି କହିବାକୁ ଛାଡ଼ିନାହାନ୍ତି । ଏବେ ଓଡ଼ିଶା ଗୋଟିଏ ସ୍ୱତନ୍ତ୍ର ପ୍ରଦେଶ ହେଲା ଓଡ଼ିଆମାନେ ନିଜର ଗୋଟାଏ ସ୍ୱତନ୍ତ୍ର ଘର କରିନେଲେ । ଏଣିକି ତ ଆଉ ଆଧିପତ୍ୟ ବଳରେ ଓଡ଼ିଆମାନଙ୍କୁ ବାହୁଛାୟାତଳେ ଚାପି ରଖି ଓଡ଼ିଶାର ଜିନିଷ ଆତ୍ମସାତ୍ କରିହେବ ନାହିଁ । ଖାଲି ତୁଣ୍ଡ ଜୋରରେ ଚାହୁଁ ଚାହୁଁ ଆଖିରେ ଧୂଳି ପକାଇବା ନ୍ୟାୟରେ ଯାହା କିଛି କ୍ଷଣକପାଇଁ ନିଜର କରିନେବେ । ଅଗଷ୍ଟ ୨୭ ୧୯୩୫ “ଷ୍ଟେଟସମ୍ୟାନ୍” ପତ୍ରିକାରେ ପ୍ରକାଶ ପାଇଛି–ଓଡ଼ିଶାର ବ୍ୟାସକବି ସ୍ୱର୍ଗତଃ ଫକୀରମୋହନ ପୁଣି ବଂଗାଳୀ । ଆଜକୁ ପ୍ରାୟ ୪୦ ବର୍ଷ ପୂର୍ବେ ଯେତେବେଳେ ଓଡ଼ିଆ ଗୋଟାଏ ସ୍ୱତନ୍ତ୍ର ଭାଷାକି ନୁହେଁ ଜାଣିବାପାଇଁ କମିଶନ ବସିଥିଲା ସେତେବେଳେ ଯେଉଁ ଫକୀରମୋହନ ତାଳପତ୍ର ପୋଥିବିଡ଼ା କାନ୍ଧରେ ପକାଇ କମିଶନରଙ୍କ ନିକଟକୁ ଯାଇ ଭଂଜ ଇତ୍ୟାଦି ପୁରୁଣାକାଳିଆ ଓଡ଼ିଆ କବିମାନଙ୍କର କବିତା ଶୁଣାଇ ଓଡ଼ିଆ ଭାଷାର ମୌଳିକତା ପ୍ରତିପାଦନ କରିଥିଲେ–ଯାହାଙ୍କର ଉପନ୍ୟାସ ଗୁଡ଼ିକ ବିଶୁଦ୍ଧ, ସରଳ ପ୍ରଚଳିତ ଓଡ଼ିଆ ପଦରେ ପରିପୂର୍ଣ୍ଣ ସେ ହେଲେ ଏବେ ବଂଗାଳୀ । କେବଳ ତାଙ୍କର ନାତି (ଝିଅର ପୁଅ) ବିପିନ ବିହାରୀ ଚୌଧୁରୀ ସ୍ୱୀୟ ଅସାଧାରଣ ପ୍ରତିଭାବଳରୁ କଳା ବିଦ୍ୟାରେ ପ୍ରତିପତ୍ତି ଅର୍ଜ୍ଜନ କରି ନିକଟରେ ଲଣ୍ଡନରୁ ଫେରିଲେ ବୋଲି । କି ସାହାସ ! ଏସବୁ ଚାହୁଁ ଚାହୁଁ ଆଖିରେ ଧୂଳି ପକାଇବା କଥା ନୁହେଁ ତ ଆଉ କ’ଣ ?” (ନବୀନ, ସେପ୍ଟେମ୍ବର ୩, ୧୯୩୫)

 

ଏହି ବିବରଣୀରୁ କୃପାସିନ୍ଧୁଙ୍କର ଓଡ଼ିଆ ଜାତି ପ୍ରତି କିପରି ଅପରିସୀମ ଶ୍ରଦ୍ଧା ଥିଲା ତାହାର ପ୍ରମାଣ ସଂଗ୍ରହ କରାଯାଇ ପାରେ ।

 

୧୯୩୬ ଏପ୍ରିଲ ପହିଲାରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଅବକାଶରେ କୃପାସିନ୍ଧୁ ନବୀନରେ ଓଡ଼ିଶା ରାଜ୍ୟ ଗଠନର ଏକ ଚମତ୍କାର ବିବରଣୀ ଉପସ୍ଥାପନ କରିଥିଲେ । ସେହି ବିବରଣୀରେ ଓଡ଼ିଆ ଜାଗୃତିର ଏକ ସଂକ୍ଷିପ୍ତ ଚିତ୍ର ପରିଦୃଷ୍ଟ ହେଲେ ମଧ୍ୟ କୃପାସିନ୍ଧୁଙ୍କର ପାଣ୍ଡିତ୍ୟ ସ୍ପଷ୍ଟ ଧରିହୁଏ । ଏଠାରେ ସେହି ଆଲୋଚନାଟି ଉଦ୍ଧାର କରାଯାଇଛି :

 

“ସେ ଆଜକୁ ପ୍ରାୟ ୪୦ ବର୍ଷ ତଳର କଥା । ସେତେବେଳେ ଓଡ଼ିଆମାନେ ସମସ୍ତଙ୍କ ଆଖିରେ ବୁଢ଼ୀ ସଉତୁଣୀ ପୁଅ । ଓଡ଼ିଆ ବୋଲି ଗୋଟାଏ ଜାତି ବା ଓଡ଼ିଆ ବୋଲି ଗୋଟାଏ ଭାଷାକୁ କେହି ସ୍ୱୀକାର କରୁନଥାନ୍ତି । କେହି ଓଡ଼ିଆ ମାନଙ୍କ “ଓଡ଼ିବାଡ଼ୁ” କହିଲେ ଅନ୍ୟ କେହି “ଉଡ଼େ” ବୋଲି କହୁଥାଏ । ଏଣେ ଦକ୍ଷିଣରେ ଆନ୍ଧ୍ର ଓ ତେଣେ ଉତ୍ତରରେ ବଂଗାଳୀମାନଙ୍କ ଛାଇତଳେ ରହି ଓଡ଼ିଆମାନେ ଉଧେଇ ପାରୁ ନଥାନ୍ତି । ତାଙ୍କର କ୍ଷୀଣ ସ୍ୱର ସରକାରଙ୍କ କାନରେ ପହଞ୍ଚେ ନାହିଁ । ଯେତେ ଆବେଦନ ନିବେଦନ କଲେ ଉପରିସ୍ଥ ଆନ୍ଧ୍ର ବା ବଂଗାଳୀ କର୍ମଚାରୀଙ୍କ ଧକ୍କା ଖାଇ ସବୁ ଅଳିଆ ଟୋକେଇରେ ଜମା ହୁଏ । ତେଣୁ ସେମାନେ ବାଧ୍ୟ ହୋଇ ବଂଗାଳୀ ବା ଆନ୍ଧ୍ରମାନଙ୍କ ଦୟା ଉପରେ ନିର୍ଭର କରି ପେଲି ଗୁଞ୍ଜି ହୋଇ ଚଳୁଥାନ୍ତି । ସେତେବେଳେ ଓଡ଼ିଆଙ୍କ ଶିକ୍ଷାର ସୁବିଧା ନଥାଏ । ଜାତିର ମହତ୍ତ୍ୱ ନଥାଏ କି ଭାଷାର ଆଦର ନଥାଏ । ଏପରିକି ଓଡ଼ିଆ ବୋଲି ପରିଚୟ ଦେବାକୁ ଲୋକେ ସଂକୋଚ ବୋଧ କରୁଥାନ୍ତି । ଏହିପରି ବିଜାତୀୟମାନଙ୍କ ଫିଙ୍ଗା ଫୋପଡ଼ା ବ୍ୟବହାର ଓ ହିନିମାନ ଦୃଷ୍ଟିରେ ପଡ଼ି ମଧ୍ୟ ଓଡ଼ିଆମାନେ ତାଙ୍କର ଜାତୀୟତା ଭୁଲିନଥିଲେ । ପାଉଁଶ ଘେରା ନିଆଁ ପରି ତାହା ଉନବିଂଶ ଶତାବ୍ଦୀର ଶେଷ ଭାଗରୁ କୁହୁଳି ଆସୁଛି-। ସେ ସମୟରେ ଟିକିଟିରେ ଭେଙ୍କଟେଶ୍ୱର ଦେବ, ଉଇଲିୟମ ମହାନ୍ତି ଓ ବଳରାମ ମହାରଣା ପ୍ରମୁଖ ଜାତ୍ୟାଭିମାନୀ ଓଡ଼ିଆମାନେ ଉତ୍କଳ ହିତବାଦୀ ସମାଜ ନାମରେ ଗୋଟିଏ ଅନୁଷ୍ଠାନ ଗଢ଼ି କ୍ଷୀଣ ଭାବରେ ଆନ୍ଦୋଳନ ଚଳାଇଥାନ୍ତି । ସେହି ଆନ୍ଦୋଳନ ଫଳରେ ୧୮୭୩ ଖ୍ରୀଷ୍ଟାବ୍ଦରେ ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷା ଗୃହୀତ ହେଲା ଓ ତାହାର କେତେକ ବର୍ଷ ପରେ ଗଂଜାମ ଜିଲ୍ଲାର କୋର୍ଟ କଚେରୀମାନଙ୍କରେ ଓଡ଼ିଆ ଭାଷା ପ୍ରଚଳିତ ହେଲା । ଦେଶ ମିଶ୍ରଣ ଆନ୍ଦୋଳନର ଉତ୍ସାହୀ କର୍ମୀ ନରସିଂହ ଦାସ ଓ ଶ୍ୟାମସୁନ୍ଦର ରାଜଗୁରୁ ସେତେବେଳକୁ ଛାତ୍ର । ଏମାନେ ଉକ୍ତ ‘‘ଉତ୍କଳ ହିତବାଦୀ ସମାଜ”ର ସଭ୍ୟମାନଙ୍କ ନିକଟକୁ ହିଁ ପ୍ରଥମେ ଜାତୀୟ ପ୍ରେରଣା ପାଉଥିଲେ ।

 

ଏହି ସମୟରେ ଓଡ଼ିଶା ବଙ୍ଗ ପ୍ରଦେଶର ଅଧୀନରେ ଥାଏ । ସେଠାରେ ମଧ୍ୟ ବଂଗାଳୀଙ୍କ ପ୍ରଭାବରୁ ଓଡ଼ିଆମାନଙ୍କୁ କେହି ପଚାରୁ ନଥାନ୍ତି । ପ୍ରଥମେ ଫକୀରମୋହନ ସେନାପତି ପ୍ରମୁଖ କେତେ ଜଣ ବ୍ୟକ୍ତି ବାଲେଶ୍ୱରରେ ଓଡ଼ିଆ ଭାଷାକୁ ଗୋଟିଏ ସ୍ୱତନ୍ତ୍ର ଭାଷାବୋଲି ସ୍ୱୀକାର କରିବାକୁ ସରକାରଙ୍କୁ ନିବେଦନ କରନ୍ତି । ଫଳରେ ସରକାର ପକ୍ଷରୁ ଉକ୍ତ ବିଷୟ ତଦନ୍ତ କରାହୁଏ ଓ ଓଡ଼ିଆକୁ ଗୋଟିଏ ସ୍ୱତନ୍ତ୍ର ଭାଷାବୋଲି ବୋଲି ପ୍ରମାଣ କରିବା ଭାର ଆବେଦନକାରୀମାନଙ୍କ ଉପରେ ପଡ଼େ । ସେତେବେଳକୁ ଓଡ଼ିଶାର ବିଶିଷ୍ଟ କବି ଉପେନ୍ଦ୍ର ଭଂଜ ପ୍ରଭୃତିଙ୍କ ଲେଖା ଛପା ହୋଇନଥାଏ । କ’ଣ ନଜିରଦେଇ ଓଡ଼ିଆ ଭାଷାର ସ୍ୱତନ୍ତ୍ରତା ପ୍ରମାଣ କରିବେ ଏହି ବିଷୟ ନେଇ ଫକୀର ମୋହନ ସେନାପତି ବଡ଼ ଅଡ଼ୁଆରେ ପଡ଼ନ୍ତି । ସେହି ସମୟକୁ ଘୁମୁସରର ପ୍ରତାପ ଭଂଜ ରାଜବନ୍ଦୀ ରୂପେ, ବାଲେଶ୍ୱରରେ ଫକୀରମୋହନ ସେନାପତିଙ୍କ ଘର ନିକଟରେ ଅବସ୍ଥାପନ କରୁଥାନ୍ତି । ଫକୀରମୋହନ ତାଙ୍କୁ ଏ କଥା ଜଣାଇବାରୁ ସେ ତାଙ୍କ ନିକଟରେ ଥିବା କେତେ ତାଳପତ୍ର ପୋଥି ଦେଖାଇଲେ । ସେଥିରେ ଉପେନ୍ଦ୍ର ଭଂଜଙ୍କ ଅନେକ କାବ୍ୟ ଲେଖାଥିଲା । ଫକୀରମୋହନ ସେସବୁ ଦେଖି ଏକବାରେ ଆତ୍ମହରା ହୋଇଗଲେ । ଜଦନ୍ତ ଦିନ ସେ ସବୁ ତାଳପତ୍ର ପୋଥି ନିଜେ ବୁଜୁଳା ବାନ୍ଧି କାନ୍ଧରେ ପକାଇ ଫକୀରମୋହନ ଗର୍ବରେ ଛାତିଫୁଲାଇ ତଦନ୍ତ ଅଫିସରଙ୍କ ନିକଟକୁ ଗଲେ ଏବଂ ତାଙ୍କୁ ସେ ସବୁ ଗ୍ରନ୍ଥର କେତେକାଂଶ ଶୁଣାଇ ଓଡ଼ିଆଭାଷାର ମୌଳିକତା ସ୍ପଷ୍ଟ ପ୍ରମାଣିତ କରିଦେଲେ । ସେହିଦିନଠାରୁ ବଂଗ ସରକାର ଓଡ଼ିଆଭାଷାକୁ ଗୋଟିଏ ସ୍ୱତନ୍ତ୍ର ଭାଷା ବୋଲି ଗ୍ରହଣ କଲେ ।

 

୧୯୦୦ ଖ୍ରୀଷ୍ଟାବ୍ଦରେ ନୀଳମଣି ବିଦ୍ୟାରତ୍ନ ଖଲିକୋଟ ଓ ଆଠଗଡ଼ର ତତ୍‍କାଳୀନ ରାଜା ହରିହର ମର୍ଦ୍ଦରାଜଙ୍କ ପୃଷ୍ଠପୋଷକତାରେ ରମ୍ଭାରୁ “ପ୍ରଜାବଂଧୁ” ନାମକ ଗୋଟିଏ ସାପ୍ତାହିକ ଓଡ଼ିଆ କାଗଜ ପ୍ରକାଶ କରନ୍ତି । ସେଥିରେ ସେ ଓଡ଼ିଆମାନଙ୍କ ପକ୍ଷନେଇ ନାନା ପ୍ରକାର ଓଜସ୍ୱିନୀ ଲେଖା ପ୍ରକାଶ କରନ୍ତି । ତାହାରି ଫଳରେ ଗଂଜାମ ଓଡ଼ିଆମାନଙ୍କ ମଧ୍ୟରେ ଗୋଟାଏ ସତେଜ ଜାଗରଣ ଦେଖାଦିଏ । ବଳଭଦ୍ର ମହାପାତ୍ର ଓ ରମ୍ଭାର ଜୟକୃଷ୍ଣ ଚ୍ୟାଉ ପଟ୍ଟନାୟକଙ୍କ ସହଯୋଗୀତାରେ ନୀଳମଣୀ ବିଦ୍ୟାରତ୍ନ ଗଂଜାମ ଓଡ଼ିଆମାନଙ୍କର ଗୋଟୋଏ ସମ୍ମିଳନୀ କରିବାର ଆୟୋଜନ କରନ୍ତି । ହରିହର ମର୍ଦ୍ଦରାଜ ଏହି ସମ୍ମିଳନୀପାଇଁ ଆର୍ଥିକ ସାହାଯ୍ୟ ଦିଅନ୍ତି ଓ ବରହମ୍‍ପୁର ସହର ପଞ୍ଚଦେବାଳୟ ହତା ମଧ୍ୟରେ ସମ୍ମିଳନୀର ଅଧିବେଶନ ଅନୁଷ୍ଠିତ ହୁଏ । ଏହି ସମ୍ମିଳନୀରେ କଟକର ମଧୁବାବୁ, ବିଶ୍ୱନାଥ କର, ଗୋପାଳ ଚନ୍ଦ୍ର ପ୍ରହରାଜ, ଶଶିଭୂଷଣ ରାୟ, ନନ୍ଦକିଶୋର ବଳ, ଗୌରୀଶଙ୍କର ରାୟ ପ୍ରଭୃତି ଯୋଗ ଦେଇଥିଲେ । ସମ୍ମିଳନୀର ସଫଳତା ଓ ଅଭ୍ୟର୍ଥନାର ସୁବନ୍ଦୋବସ୍ତପାଇଁ ନିମଖଣ୍ଡିର ମାଧୁରୀ ସାହୁଙ୍କର ସାହାଯ୍ୟ ଓ ନରସିଂହ ଦାସଙ୍କ ଉତ୍ସାହ ଉଲ୍ଲେଖ ଯୋଗ୍ୟ । ତତ୍‍କାଳୀନ ଓଡ଼ିଆ ଛାତ୍ରମାନଙ୍କ ମଧ୍ୟରୁ ଶିବରାମ ରଥ, ଅନନ୍ତରାମ ରଥ, ପାଣ୍ଡିଆଝେଲିର ଭାଗିରଥି ରଥ, ଲାଞ୍ଜିପଲ୍ଲିର ଲୋକନାଥ ବ୍ରହ୍ମା, ରସଲକୋଣ୍ଡା ନୂଆଗାଁର ଭାଗିରଥି ପଟ୍ଟନାୟକ ଓ ବ୍ରହ୍ମପୁର କୃଷ୍ଣଚନ୍ଦ୍ର ସାହାଣୀ ପ୍ରଭୃତି ଅତି ଉତ୍ସାହିତ ଭାବେ କାର୍ଯ୍ୟ କରିଥିଲେ ।

 

ଏ ସଭାରେ ମଧୁବାବୁ ଓଡ଼ିଆମାନଙ୍କର ଉତ୍ସାହ ଓ ଏକତା ଦେଖି କରି ସନ୍ତୁଷ୍ଟ ହୁଅନ୍ତି ଓ ସମଗ୍ର ବିଚ୍ଛିନ୍ନ ଅଞ୍ଚଳର ଓଡ଼ିଆମାନଙ୍କୁ ନେଇ ଉତ୍କଳ ସମ୍ମିଳନୀ ଗଠନ କରିବାର ପ୍ରେରଣା ତାଙ୍କ ମନରେ ଜାତ ହୁଏ । ସମ୍ମିଳନୀରେ ଉତ୍କଳ ସମାଜ ନାମରେ ଗୋଟିଏ ଅନୁଷ୍ଠାନ ଗଠିତ ହୁଏ ଓ ଏ. ପରଶୁରାମ ପାତ୍ର ତାହାର ସେକ୍ରେଟାରୀ ନିଯୁକ୍ତ ହୁଅନ୍ତି । ସିକାକୋଲ୍ ତାଲୁକା ଛଡ଼ା ଗଂଜାମର ଅନ୍ୟାନ୍ୟ ଅଞ୍ଚଳମାନ ବଂଗଳା ପ୍ରଦେଶରେ ମିଶାଇବାପାଇଁ ଏହି ସମ୍ମିଳନୀରେ ପ୍ରସ୍ତାବ ଗୃହୀତ ହୁଏ ଓ ସେହି ଅନୁସାରେ ବଡ଼ଲାଟଙ୍କ ନିକଟକୁ ଆବେଦନ ପତ୍ର ପଠାଯାଏ । ସେହି ଆବେଦନ ଫଳରେ ଚିକାକୋଲ ତାଲୁକା ଛଡ଼ା ଗଂଜାମର ଅନ୍ୟାନ୍ୟ ଓଡ଼ିଆ ଅଞ୍ଚଳ ବଂଗ ପ୍ରଦେଶରେ ମିଶାଇବାକୁ ସରକାର ଇଣ୍ଡିଆ ଗେଜେଟ୍‍ରେ ପ୍ରକାଶ କରନ୍ତି । ସଂଗେ ସଂଗେ ତେଲୁଗୁମାନଙ୍କ ପକ୍ଷରୁ ଏହି ପ୍ରସ୍ତାବ ବିରୁଦ୍ଧରେ ଗଂଜାମରେ ତୁମୂଳ ଆନ୍ଦୋଳନ ସୃଷ୍ଟି ହୁଏ । ତେଲୁଗୁମାନଙ୍କ ପ୍ରରୋଚନାରେ ପଡ଼ି ଗଂଜାମର ଅନେକ ରାଜା ଜମିଦାର ମଧ୍ୟ ଏହି ପ୍ରସ୍ତାବ ବିରୁଦ୍ଧରେ ମତ ପ୍ରକାଶ କରନ୍ତି । ତେଣୁ ସେ ପ୍ରସ୍ତାବ କାର୍ଯ୍ୟକାରୀ ନହୋଇ ସ୍ଥଗିତ ରହେ ।

 

କିଛି ଦିନ ପରେ ମଧୁବାବୁଙ୍କ ଯତ୍ନରେ କଟକରେ ଉତ୍କଳ ସମ୍ମିଳନୀ ଅନୁଷ୍ଠିତ ହୁଏ । ସମ୍ମିଳନୀର ସଭାପତି ଆସନ ମୟୁରଭଂଜର ମହାରାଜ ରାମଚନ୍ଦ୍ର ଭଂଜଦେବ ଅଳଂକୃତ କରନ୍ତି । ଏହିଠାରୁ ହିଁ ସମ୍ମିଳିତ ଓଡ଼ିଆ ଜାତୀୟ ଜାବନର ପ୍ରଥମ ବିକାଶ । ଗଂଜାମର ପ୍ରାୟ ଦୁଇଶତ ବିଶିଷ୍ଟ ପ୍ରତିନିଧି ଏ ସଭାରେ ଯୋଗ ଦେଇଥିଲେ । ପୁନର୍ବାର ଏ ସମ୍ମିଳନୀ ପକ୍ଷରୁ ଦେଶ ମିଶ୍ରଣପାଇଁ ସରକାରଙ୍କୁ ଆବେଦନ କରାଗଲା । ଉତ୍କଳ ସମ୍ମିଳନୀର ଦ୍ୱିତୀୟ ଅଧିବେଶନ ପୁଣି କଟକରେ ହେଲା । ଏଥର ଧରାକୋଟର ରାଜା ସଭାପତି ଆସନ ଅଳଂକୃତ କଲେ । ଏ ଅଧିବେଶନରେ ଗୋଟାଏ ବିଶିଷ୍ଟ ଘଟଣା ଘଟିଥିଲା । ସମ୍ମିଳନୀର ଦ୍ୱିତୀୟ ଦିବସରେ ବଡ଼ଲାଟଙ୍କଠାରୁ ତା’ର ଆସି ପହଞ୍ଚିଲା ଯେ, ଗଂଜାମ ଓଡ଼ିଆମାନଙ୍କର ଦେଶମିଶ୍ରଣପାଇଁ ଇଚ୍ଛା ନାହିଁ-ତେଣୁ ସରକାର ସେ ପ୍ରସ୍ତାବ ବିଚାର କରିବେ ନାହିଁ । ମଧୁବାବୁ ଏ ତା’ର ପାଠ କରି ଉପସ୍ଥିତ ଜନତାକୁ ଶୁଣାଇ ଦେଲେ । ଏ ସମ୍ବାଦ ଶୁଣି ସମସ୍ତଙ୍କ ମନରେ ଗୋଟାଏ ଚାଞ୍ଚଲ୍ୟ ସୃଷ୍ଟି ହେଲା । ତଥାପି ପୁନର୍ବାର ଦେଶ ମିଶ୍ରଣପାଇଁ ସରକାରଙ୍କୁ ନିବେଦନ କରଗଲା ଓ ପ୍ରତିବର୍ଷ ଏହି ସମ୍ମିଳନୀ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଲା । ଏଠାରେ କହି ରଖିବା ଉଚିତ ଯେ ଗଂଜାମ ଉତ୍କଳ ସମାଜର ସେକ୍ରେଟାରୀ ଏ. ପର୍ଶୁରାମ ପାତ୍ର ଗଂଜାମ ଓଡ଼ିଆମାନଙ୍କର ଦେଶ ମିଶ୍ରଣପାଇଁ ଇଚ୍ଛା ନାହିଁ ବୋଲି ସରକାରଙ୍କୁ ଜଣାଇଥିଲେ ।

 

୧୯୧୧ ସାଲରେ ମହା ମହିମ ଚକ୍ରବର୍ତ୍ତୀ ପଞ୍ଚମ ଜର୍ଜଙ୍କ ପଟ୍ଟାଭିଷେକ ଉତ୍ସବ ଦିଲ୍ଲୀରେ ଅନୁଷ୍ଠିତ ହେଲା । ସେହି ବର୍ଷ ବଂଗ ଅଂଗଚ୍ଛେଦ ରହିତ ଆଦେଶ ଜାରି ହେବାର ସୂଚନା ମିଳିବାରୁ ନରସିଂହ ଦାସ, ଆସିକାର ହରିହର ପଣ୍ଡା, ମଧୁସୂଦନ ଦାସ, ଗୋପାଳ ଚନ୍ଦ୍ର ପ୍ରହରାଜ ଓ ବିଶ୍ୱନାଥ କର ପ୍ରଭୃତି ଦେଶ ମିଶ୍ରଣ ଆନ୍ଦୋଳନ ଜୋରରେ ଚଳାଇଲେ । ଆବେଦନ ପତ୍ର ପ୍ରଭୃତି ବଡ଼ଲାଟ ଓ ଷ୍ଟେଟ୍ ସେକ୍ରେଟାରୀଙ୍କ ନିକଟକୁ ପଠାଗଲା । ଫଳରେ ସମ୍ବଲପୁର ମଧ୍ୟପ୍ରଦେଶରୁ ଆସି ଓଡ଼ିଶାରେ ମିଶିଲା ଓ ଓଡ଼ିଶା ବଂଗରୁ ବିଚ୍ଛିନ୍ନ ହୋଇ ବିହାର ସହିତ ମିଶି ବିହାର ଓଡ଼ିଶା ନାମରେ ଗୋଟିଏ ନୂତନ ପ୍ରଦେଶ ଗଠିତ ହେଲା । କିନ୍ତୁ ତେଲୁଗୁମାନଙ୍କ ପ୍ରତିବାଦ ଯୋଗୁଁ ଓଡ଼ିଶା ସଂଗେ ଗଂଜାମର ଓଡ଼ିଆ ଅଞ୍ଚଳ ମିଶାଇବାକୁ ସରକାର ଅନାବଶ୍ୟକ ଓ ଅବାଂଛନୀୟ ମନେକଲେ । ତଥାପି ଗଂଜାମ ଓଡ଼ିଆମାନେ ହତୋତ୍ସାହ ନହୋଇ ଦେଶ ମିଶ୍ରଣ ଆନ୍ଦୋଳନ ଦ୍ୱିଗୁଣ ଉତ୍ସାହରେ ଚଳାଇଲେ । କିଛି ଦିନ ପରେ ଫିଲିପ୍‍ଡ଼ଫ୍ କମିଶନ ବସିଲା । ଗଂଜାମ ଓ ଜୟପୁରର ଓଡ଼ିଆମାନେ ସମସ୍ତେ ଦେଶ ମିଶ୍ରଣ ସପକ୍ଷରେ ମତ ପ୍ରକାଶ କଲେ । ଏହିଠାରୁ ଗଂଜାମ ଓଡ଼ିଆମାନଙ୍କ ହୃଦୟରେ ନୂତନ ଆଶା ସଞ୍ଚାରିତ ହେଲା । ଦେଶ ମିଶ୍ରଣ ଆନ୍ଦୋଳନ ଖୁବ୍ ଜୋରରେ ଚାଲିଲା ।

 

ଇତି ମଧ୍ୟରେ ନିରଂଜନ ପଟ୍ଟନାୟକ ଓ ଚକ୍ରପାଣି ପ୍ରଧାନ “ଦି ଓଡ଼ିଆ ମୁଭମେଣ୍ଟ” ନାମରେ ଖଣ୍ଡେ ପୁସ୍ତକ ପ୍ରଣୟନ କଲେ । ୧୯୨୧ ସାଲ ପର୍ଯ୍ୟନ୍ତ ଏହି ଦାବୀ ଉତ୍କଳ ସମ୍ମିଳନୀ ଦୃଢ଼ କଣ୍ଠରେ ସରକାରଙ୍କ ନିକଟରେ ଆଗତ କରି ଆସୁଥିଲା । କିନ୍ତୁ ଚକ୍ରଧରପୁର ୧୬ଶ ଅଧିବେଶନଠାରୁ ସମ୍ମିଳନୀରେ ମତାନ୍ତର ସୃଷ୍ଟିହେଲା ଓ କ୍ରମେ ତାହାର ଅନ୍ୟାନ୍ୟ ଅଧିବେଶନ ଅନିୟମିତ ଭାବେ ଅନୁଷ୍ଠିତ ହେଲା । ତଥାପି ଗଂଜାମ ଓଡ଼ିଆମାନେ ବରାବର ଦେଶମିଶ୍ରଣପାଇଁ ଡାକ ଛାଡ଼ିଥାନ୍ତି । ସେହିମାନଙ୍କ ଅବିଶ୍ରାନ୍ତ ଆନ୍ଦୋଳନ ଫଳରେ କେତେ କମିଟି ଓ କମିଶନ୍‍ ବସିଲା ପରେ ୧୯୩୨ ସାଲ ଡିସେମ୍ବର ମାସ ୨୪ ତାରିଖରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେବ ବୋଲି ସେହି କାଗଜରେ ଘୋଷିତ ହେଲା । ସେତେବେଳକୁ ଖଲିକୋଟର ରାଜାସାହେବ ଲଣ୍ଡନରେ ଥିଲେ । ସ୍ୱତନ୍ତ୍ର ପ୍ରଦେଶ ଘୋଷଣା କରାଇବାପାଇଁ ମୁଖ୍ୟତଃ ପାରଳାଖେମୁଣ୍ଡିର ମହାରାଜା ସାହେବ ଓ ଖଲିକୋଟ ଓ ଆଠଗଡ଼ ରାଜସାହେବଙ୍କ ଉଦ୍ୟମ ଓ ଉତ୍ସାହ ଓଡ଼ିଆମାନେ କଦାପି ଭୁଲିପାରିବ ନାହିଁ ।

 

ଶ୍ୱେତପତ୍ର ପ୍ରସ୍ତାବିତ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶରୁ ଜୟପୁର ଓ ପାରଳାକୁ ବାଦ ଦିଆଯାଇଥିଲା । ସେଥିପାଇଁ ଓଡ଼ିଆମାନଙ୍କ ମନରେ ଘୋର ଅସନ୍ତୋଷ ଜାତ ହେଲା । କେତେ ଶ୍ୱେତପତ୍ର ପ୍ରସ୍ତାବିତ ପ୍ରଦେଶକୁ ଗ୍ରହଣ କରିବାକୁ ମତ ପ୍ରକାଶ କଲେ ଓ ଅନ୍ୟ କେତେକ ପାରଳା ଜୟପୁର ନ ମିଶିଲେ ସ୍ୱତନ୍ତ୍ର ପ୍ରଦେଶ ଦରକାର ନାହିଁ ବୋଲି କହିଲେ । ଏହିପରି ଓଡ଼ିଆମାନଙ୍କ ମଧ୍ୟରେ ଦୁଇ ଦଳ ସୃଷ୍ଟି ହୋଇ ନାନା ଗଣ୍ଡଗୋଳ ଚାଲିଲା । ଶେଷକୁ ପାରଳାଖେମୁଣ୍ଡିର ମହାରାଜା ସାହେବ ସାହସ ବାନ୍ଧି ଓଡ଼ିଶାର ଏକମାତ୍ର ପ୍ରତିନିଧି ରୂପେ ଶେଷଚେଷ୍ଟା କରିବାକୁ ଲଣ୍ଡନ ପ୍ରୟାଣ କଲେ । ତାଙ୍କ ସାହସ ଓ ଉଦ୍ୟମକୁ ଧନ୍ୟବାଦ । ପରିଶେଷରେ ଜୟପୁର ଓ ପାରଳାର କେତେ ଅଂଶ ଓଡ଼ିଶାରେ ମିଶିଲା । ଆଜିଠାରୁ ଆମ୍ଭମାନଙ୍କର ସେହି ଓଡ଼ିଶା ପ୍ରଦେଶ ଆରମ୍ଭ ହେଲା । ବର୍ତ୍ତମାନ ସୁଦ୍ଧା ସିଂହଭୂମି, ଫୁଲଝର, ଗଂଜାମର ମଂଜୁଷା, ପାରଳା, ଟେକାଲୀ, ବୁଡ଼ାର ସିଂହ, ଜଳନ୍ତର ଓ ମେଦିନପୁରର କେତେକ ଖାଣ୍ଟି ଓଡ଼ିଆ ଅଞ୍ଚଳ ନୂତନ ପ୍ରଦେଶରେ ନ ମିଶି ଅଲଗା ରହିଯାଇଛି । ଆଶା ଅଛି ଭବିଷ୍ୟତରେ ଏଗୁଡ଼ିକ ପୁଣି ଓଡ଼ିଶାରେ ମିଶିବ ।

 

ଆଜି ଏ ଶୁଭଦିନରେ ହରିହର ମର୍ଦ୍ଦରାଜ, ମଧୁବାବୁ, ଉତ୍କଳମଣି ଗୋପବଂଧୁ ଦାସ, ଫକୀରମୋହନ ସେନାପତି, ବିଶ୍ୱନାଥ କର, ନୀଳମଣି ବିଦ୍ୟାରତ୍ନ, ଶ୍ୟାମସୁନ୍ଦର ରାଜଗୁରୁ, ନରସିଂହ ଦାସ, ବଳରାମ ମହାରଣା ପ୍ରଭୃତି ଜାତ୍ୟାଭିମାନୀ ସ୍ୱଦେଶ ହିତସାଧକ ଓଡ଼ିଆ କର୍ମୀମାନଙ୍କ ଉଦ୍ଦେଶ୍ୟରେ ଆମ୍ଭେମାନେ ଭକ୍ତି ପୁଷ୍ପାଞ୍ଜଳି ଅର୍ପଣ କରୁଛୁ । ଆଉ ଯେଉଁ ନିଷ୍ଠାପର କର୍ମୀମାନେ ଅଦ୍ୟାପି ଜୀବିତ ରହି ସେମାନଙ୍କର ବହୁଦିନର ଚେଷ୍ଟାର ସଫଳତା ଜନିତ ଆନନ୍ଦ ଅନୁଭବ କରୁଛନ୍ତି ସେମାନଙ୍କୁ ଆମ୍ଭେମାନେ ସସମ୍ମାନ ସମ୍ଭର୍ଦ୍ଧନା ଜଣାଉଅଛୁ । ପରିଶେଷରେ ଓଡ଼ିଆମାନଙ୍କ ବିଟ୍ରିଶ ସରକାର ଓ ଭାରତ ସଚୀବ ଦାବୀ ଗ୍ରହଣ କରି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଘୋଷଣା କରାଇଥିବାରୁ ଓ ପାରଳାର ମହାରାଜ ସାହେବ ଅଜସ୍ର ଧନ ଓ ବହୁମୂଲ୍ୟ ସମୟ ବ୍ୟୟ କରି ଅବିଶ୍ରାନ୍ତ ପରିଶ୍ରମ କରି ଶ୍ୱେତପତ୍ର ପ୍ରସ୍ତାବିତ ଓଡ଼ିଶାର ସୀମା ବୃଦ୍ଧି କରି ଅଗ୍ରାହ୍ୟ ପ୍ରଦେଶକୁ ଆଜି ଆମ୍ଭମାନଙ୍କର ଗ୍ରହଣୋପଯୋଗୀ କରିଥିବାରୁ ତାଙ୍କ ନିକଟରେ ଆମ୍ଭେମାନେ ଆନ୍ତରିକ କୃତଜ୍ଞତା ଜଣାଉଅଛୁ ।

 

ଏହି ସଂପାଦକୀୟରୁ କୃପାସିନ୍ଧୁଙ୍କର ନବୀନ ଓଡ଼ିଆ ଜାଗୃତିପାଇଁ ଉଦ୍ୟମ ପ୍ରସଙ୍ଗ ସ୍ପଷ୍ଟ ହୁଏ । ଏହାର ଉଚ୍ଚାରଣ ଓ ତଥ୍ୟ ଅନନ୍ୟ ସାଧାରଣ । ସଂପାଦକଙ୍କର ଗଭୀର ଓଡ଼ିଆ ସ୍ୱାଭିମାନ ମଧ୍ୟ ଏଥିରୁ ସଂଗ୍ରହ କରାଯାଇପାରେ ।

 

କୃପାସିନ୍ଧୁ ଉତ୍କଳ ସମ୍ମିଳନୀର ଜଣେ ସମର୍ଥକ ଓ ଏହାର ସଦସ୍ୟ ମଧ୍ୟ ଥିଲେ । ୧୯୩୦ ମସିହାଠାରୁ ୧୯୫୦ ମସିହା ମଧ୍ୟରେ ଉତ୍କଳ ସମ୍ମିଳନୀ ସଂପର୍କରେ ବହୁ ଆଲୋଚନା ନବୀନରେ ପ୍ରକାଶ କରାଇ ଏହାର କାର୍ଯ୍ୟକ୍ରମର ବିଚାର କରାଇଥିଲେ । ୧୯୩୮ ମସିହାରେ ଉତ୍କଳ ସମ୍ମିଳନୀର ୩୩ଶ ଅଧିବେଶନ ଉପରେ ଆଲୋଚନା କରି ସେ ଏକ ସୁଚିନ୍ତିତ ମତ ଦେଇଥିଲେ :

 

ପ୍ରକୃତରେ ଆମ୍ଭେ ଯେତେବେଳେ ଉତ୍କଳ ସମ୍ମିଳନୀ ବିଷୟ ଭାବୁ ସେତେବେଳେ ଓଡ଼ିଆ ଜାତିର ଆଜକୁ ୪୦ ବର୍ଷ ଭିତରେ ଉତ୍‍ଥାନ ପତନର ଇତିହାସ ଆଖି ଆଗରେ ନାଚିଯାଏ-। ଏହି ଚାଳିଶ ବର୍ଷ ଭିତରେ ଓଡ଼ିଶାର ରାଜନୈତିକ, ସାମାଜିକ, ନୈତିକ ଜୀବନର ବିକାଶ ବିପ୍ଳବ କଥା ଜଳଜଳ ପରି ନୟନ ପଥରେ ପଡ଼ିଥାଏ । ଏହି ଆନ୍ଦୋଳନ ଭିତରେ ସ୍ୱର୍ଗତଃ ମଧୁବାବୁ, ପଣ୍ଡିତ ଉତ୍କଳମଣି, ପ୍ରଚାରକ ଅନନ୍ତ ମିଶ୍ର, ମୟୁରଭଂଜର ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ଓ ଧରାକୋଟର ରାଜାସାହେବ ମଦନମୋହନ ସିଂହଦେଓଙ୍କ ଜୀବନର କି ଘନିଷ୍ଠ ସମ୍ବନ୍ଧ ଅଛି ତାହା ଜାଣିପାରୁ । କିନ୍ତୁ ମନରେ ଏହି କଥା ଭାବିବା ପରେ ଉତ୍କଳ ଜନନୀର କରୁଣ ଚିତ୍ର ଆମ ଆଖି ଆଗରେ ନାଚିଯାଏ । ୧୯୩୬ ଏପ୍ରିଲ ପହିଲାରୁ ଓ ପ୍ରଦେଶକୁ ଗୋଡ଼ହାତମୁଣ୍ଡବିହୀନ କରି ଗଠିତ ହେବାର ମୂର୍ତ୍ତି ଆଖିରେ ଲୋତକ ଘେନି ଆସେ । ହୃଦୟ ବ୍ୟାକୁଳ ହୋଇପଡ଼େ । କେଉଁ ଦିନ ଏ ହତଭାଗ୍ୟ ଉତ୍କଳ ଜନନୀର ଦଶା ଦୂର ହେବ–ସିଂହଭୂମି, ତରଳା, ଟିକାଲୀ, ମଂଜୁଷା ଆସିବ ଭାବିହୁଏ ନାହିଁ । ସ୍ୱର୍ଗତଃ ପଣ୍ଡିତ ଗୋପବଂଧୁଙ୍କ ପରେ ଉତ୍କଳ ସମ୍ମିଳନୀ ମୃତପ୍ରାୟ ହୋଇ ରହିଛି । କିନ୍ତୁ ଆଜି ଏହି ସମ୍ମିଳନୀର ପୁନଃ ଜୀବନ ପ୍ରାପ୍ତପାଇଁ ଯେଉଁମାନେ ଲାଗିଛନ୍ତି ସେମାନଙ୍କୁ ଆମେ କହିରଖୁଁ ସେମାନେ ଯେପରି ଉତ୍କଳ ସମ୍ମିଳନୀର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଭୁଲି ପାରିବେ ନାହିଁ । କାରଣ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିହୀନ ହୋଇ କୌଣସି ଆନ୍ଦୋଳନ ବା ଅନୁଷ୍ଠାନ ପ୍ରତିଷ୍ଠା ଲାଭ କରିପାରିନାହିଁ ବା ପାରିବା ସଂପୂର୍ଣ୍ଣ ଅସମ୍ଭବ । ସେଥପାଇଁ ଆମେ କହିରଖୁଁ ଉଦ୍ୟୋକ୍ତାମାନେ ଆଜି ଏହି ଆନ୍ଦୋଳନକୁ ତୁମୂଳ ଭାବେ ଲଗାନ୍ତୁ । ବଂଗାଳୀ ବିହାରୀ ମାନ୍ଦ୍ରାଜୀମାନେ ଯେତେବେଳେ ସମସ୍ତେ ଜାଗିଉଠି ନିଜ ନିଜକୁ ସଂଗଠନ କରିବାରେ ଲାଗିଛନ୍ତି ସେତେବେଳେ ଆମେ ଶୋଇରହିଲେ ଆମ ଭାଗ ଆମେ ପାଇ ପାରିବା ନାହିଁ, କି ଆମ ଭାଗ ଆମକୁ କେହି ଦେବେ ନାହିଁ-–ଏଇ ପରିସ୍ଥିତିରେ ଜୀବନ ଓ ମରଣ ବେଳେ ଅଣ୍ଟାଭିଡ଼ି ଆମେ ବାହାରିବା ଉଚିତ ।” (ନବୀନ, ୨୬ ଏପ୍ରିଲ, ୧୯୩୮)

 

୧୯୪୧ ମସିହାରେ ଉତ୍କଳ ସମ୍ମିଳନୀ ଉପରେ ମନ୍ତବ୍ୟଦେଇ କୃପାସିନ୍ଧୁ ଲେଖିଥିଲେ–

“ଉତ୍କଳ ସମ୍ମିଳନୀ ବୋଲି ଓଡ଼ିଶାରେ ଯେଉଁ ଗୋଟାଏ ବିଶିଷ୍ଟ ଅନୁଷ୍ଠାନ ଥିଲା ତାହା ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେବା ପରେ ଏକ ପ୍ରକାର ମୃତ ହୋଇଛି । ଏହାକୁ ଜୀବିତ ରଖିବାପାଇଁ ଓଡ଼ିଶାରେ କୌଣସି ଉଦ୍ୟମ ହେଉନଥିବା ବଡ଼ କ୍ଷୋଭର ବିଷୟ । ୧୯୩୫ରେ ଶେଷଥରପାଇଁ ଉତ୍କଳ ସମ୍ମିଳନୀର ଜରୁରୀ ବୈଠକ କଟକଠାରେ ଭୁବନାନନ୍ଦ ଦାସଙ୍କ ସଭାପତିତ୍ୱରେ ହୋଇଥିଲା-। ଏହି ବୈଠକ ପରେ ଉତ୍କଳ ସମ୍ମିଳନୀର ଆଉ ଜରୁରୀ ବୈଠକ ହୋଇନାହିଁ କହିଲେ ଚଲେ ।

 

ହୁଏତ ସ୍ୱତନ୍ତ୍ର ପ୍ରଦେଶ ପାଇବା ପରେ ଆଉ ଉତ୍କଳ ସମ୍ମିଳନୀର ଆବଶ୍ୟକତା ନାହିଁ ଏହି ଭାବନାରେ ଓଡ଼ିଶାବାସୀ ଆଉ କୌଣସି ବୈଠକପାଇଁ ଉଦ୍ୟମ କରିନାହାନ୍ତି । କୃପାସିନ୍ଧୁ ଏପରି ଏକ ଭୁଲ ତଥ୍ୟ ଲେଖିଥିଲେ । ୧୯୩୮ରେ ଉତ୍କଳ ସମ୍ମିଳନୀର ଏକ ଅଧିବେଶନ ମଂଜୁଷାଠାରେ ହୋଇଥିଲା । ଏହାକୁ କୃପାସିନ୍ଧୁ ନିଖିଳ ଉତ୍କଳ ସମ୍ମିଳନୀ ବୋଲି ଗ୍ରହଣ କରିଥିଲେ-। (ନବୀନ, ୪ ମାର୍ଚ୍ଚ ୧୯୪୧) ଉତ୍କଳ ସମ୍ମିଳନୀ ବର୍ଷକୁ ବର୍ଷ ବସିବା ଉଚିତ ବୋଲି ସେ ଦୃଢ଼ ଭାବରେ କହୁଥିଲେ । ୧୯୪୪ରେ ମଧ୍ୟ ତାଙ୍କର ସ୍ୱର ଥିଲା ଉତ୍କଳ ସମ୍ମିଳନୀର ବାରବାଂର ଆବାହନ । ନିର୍ଜୀବ ଉତ୍କଳ ସମ୍ମିଳନୀକୁ ସଜୀବ କରିବାପାଇଁ ସେ ଏହି କାଳରେ ମଧ୍ୟ ଉଦ୍ୟମ କରିଥିଲେ । ତାଙ୍କର ଯୁକ୍ତିଥିଲା–ସମଗ୍ର ଓଡ଼ିଆଭାଷୀ ଅଞ୍ଚଳର ଏକତ୍ରୀକରଣପାଇଁ ଉତ୍କଳ ସମ୍ମିଳନୀର ଜନ୍ମ । ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେବା ଫଳରେ ଅନେକ ଓଡ଼ିଆ ଅଧ୍ୟୁଷିତ ଅଞ୍ଚଳ ଓଡ଼ିଶା ବାହାରେ ରହିଯାଇଥିଲେ ସୁଦ୍ଧା ସେ ସମସ୍ତ ଅଞ୍ଚଳ ଓଡ଼ିଶାରେ ସାମିଲ ହେବା ଦିଗରେ ଉତ୍କଳ ସମ୍ମିଳନୀର ଯଥେଷ୍ଟ କାର୍ଯ୍ୟ ରହିଛି । ବିଶେଷତଃ ବର୍ତ୍ତମାନ ଯେତେବେଳେ ନାନା ଦିଗରୁ ଓଡ଼ିଆ ମାନଙ୍କ ଜାତୀୟ ଦାବୀ ଉପରେ ହସ୍ତକ୍ଷେପ ତଥା ବାଧା ପଡ଼ୁଛି ଏତିକି ବେଳେ ଉତ୍କଳ ସମ୍ମିଳନୀ ଆହ୍ୱତ ହେବା ଏକାନ୍ତ ଆବଶ୍ୟକ । ଦିନଥିଲା ଯେତେବେଳେ ଉତ୍କଳ ସମ୍ମିଳନୀ ଓଡ଼ିଆମାନଙ୍କ ହୃଦୟରେ ପ୍ରବଳ ଜାତୀୟ ଭାବ ଜାଗ୍ରତ କରୁଥିଲା ଏବଂ ଉଦ୍‍ବୋଧନର ସ୍ପନ୍ଦନ ଆଣୁଥିଲା । ସେହିପରି ଅନୁଷ୍ଠାନଟି ଆଜି ଆମ୍ଭମାନଙ୍କର ନିଶ୍ଚେଷ୍ଟତା ବଶତଃ ହେଉ ବା ଅନ୍ୟ କୌଣସି କାରଣରୁ ହେଉ ଆଉ ଜାତୀୟଭାବ ପ୍ରସାର କରିପାରୁନାହିଁ । ଫଳରେ ସମଗ୍ର ଓଡ଼ିଆ ଜାତି ଗୋଟିଏ ସଭାରେ ଏକତ୍ରିତ ହେବାପାଇଁ ସୁଯୋଗ ମିଳୁନାହିଁ । ଆମର କେତେକ ଜାତୀୟ ନେତା ବର୍ତ୍ତମାନ ଅସାର ରାଜନୀତିର କ୍ଷମତା ମୋହରେ କୁଝଟିକା ମଧ୍ୟରେ ଦିବାସ୍ୱପ୍ନ ଦେଖୁଛନ୍ତି । (ନବୀନ, ୬ ଜୁନ,୧୯୪୪)

 

୧୯୪୪ ମସିହାରେ ମଧ୍ୟ ଉତ୍କଳ ସମ୍ମିଳନୀକୁ ସଜୀବ କରିବାପାଇଁ କୃପାସିନ୍ଧୁ ମନେ କରିଥିଲେ । ସେ କହିଥିଲେ–ଓଡ଼ିଶାର ସମୂହ ଜାତୀୟ ଦାବୀ ଦୃଷ୍ଟିରୁ ଏହି ଅନୁଷ୍ଠାନର କର୍ତ୍ତବ୍ୟ ସ୍ୱତନ୍ତ୍ର ପ୍ରଦେଶ ସୃଷ୍ଟିରେ ଶେଷ ହୋଇନାହିଁ । ବରଂ ଏହାର କର୍ତ୍ତବ୍ୟ ଯଥେଷ୍ଟ ରହିଛି । ସ୍ୱତନ୍ତ୍ର ପ୍ରଦେଶ ସୃଷ୍ଟି ହେବା ପରେ ଆମର ନେତୃବର୍ଗ ଏହି ସମ୍ମିଳନୀର କର୍ତ୍ତବ୍ୟ ପ୍ରତି ଏକ ପ୍ରକାର ଉଦାସୀନ ଭାବ ଦେଖାଇଥିବା ଜଣାଯାଏ । ପରିତ୍ୟକ୍ତ ଅଞ୍ଚଳରେ ଥରେ ଦୁଇ ଥର ସମ୍ମିଳନୀ ବୈଠକ ହୋଇ ଆଜକୁ ଅନେକ ବର୍ଷ ହେଲା କେହି ଉତ୍କଳ ସମ୍ମିଳନୀ ଆହ୍ୱାନ କରୁନଥିବା ବଡ଼ କ୍ଷୋଭର ବିଷୟ । (ନବୀନ, ୨୯ ଅଗଷ୍ଟ ୧୯୪୪) ୧୯୪୫ ମସିହାରେ ଜୟପୁରଠାରେ ହୋଇଥିବା ଉତ୍କଳ ସମ୍ମିଳନୀକୁ ସେ ସ୍ୱାଗତ କରିଥିଲେ । ଏହି ଅବକାଶରେ ସେ ଲେଖିଥିଲେ–ଦୀର୍ଘ ସାତବର୍ଷର ସୁପ୍ତିପରେ ଗତବର୍ଷ ବ୍ରହ୍ମପୁରଠାରେ ଉତ୍କଳ ସମ୍ମିଳନୀ ଯେଉଁ ନବଜାଗରଣ ଜାଗ୍ରତ କରିଦେଇଛି ସେ ସ୍ପନ୍ଦନ ଆଜି ମଧ୍ୟ ଏଜାତିର ପ୍ରତ୍ୟେକ ପ୍ରାଣତନ୍ତ୍ରୀକୁ ସ୍ପନ୍ଦିତ କରି ରଖିଛି । ବ୍ରହ୍ମପୁରର ଉତ୍କଳ ସମ୍ମିଳନୀ ପୁରୀରେ ତାହାର ବିଶେଷ ଅଧିବେଶନ ଓଡ଼ିଆ ଜାତିର ଜୀବନ ମରଣ ସମସ୍ୟା ସମାଧାନ କରିବାରେ ବ୍ରତୀ ହୋଇ ଅଭିନବ ପ୍ରେରଣା ଖେଳାଇଦେଇ ଏ ଜାତିକୁ ପୁଣି ଥରେ ଅତୀତର କାଞ୍ଚିକାବେରୀ ବୀରବୃନ୍ଦ ରୂପେ ଗଠିତ ହେବାର ଦୁର୍ବାର ନିର୍ଦ୍ଦେଶ ଦେଇଛି । ଆମ୍ଭର ଦୃଢ ଦମ୍ଭ ଜୟପୁର ସମ୍ମିଳନୀ ଏହି ଜାଗୃତିର ମହାମନ୍ତ୍ର ଆହୁରି ଉଦାତ୍ତ କଣ୍ଠରେ ଘୋଷଣା କରି ଓଡ଼ିଆ ଜାତି ଓଡ଼ିଶା ପ୍ରଦେଶକୁ ବଞ୍ଚିରହିବାର ଶେଷ ସଂଗ୍ରାମପାଇଁ ପ୍ରସ୍ତୁତ କରିବ । (ନବୀନ, ଡ଼ିସେମ୍ବର ୨୫, ୧୯୪୫)

 

୧୯୪୬ ଅକ୍ଟୋବର ୨୦ ରବିବାର ଦିନ ଉତ୍କଳ ସମ୍ମିଳନୀର ବିଶେଷ ଅଧିବେଶନ ବ୍ରହ୍ମପୁରଠାରେ ଅନୁଷ୍ଠିତ ହୋଇଥିଲା । ଏହାର ଅଭ୍ୟର୍ଥନା ସମିତିର ସଭାପତି ଥିଲେ କୃପାସିନ୍ଧୁ ନରେନ୍ଦ୍ର ଦେବ । (ନବୀନ, ଅକ୍ଟୋବର ୨୨, ୧୯୪୬) ସେହି ଅବକାଶରେ ସେ ଏକ ଭବୋବ୍ଦୀପକ ଭାଷଣ ଉପସ୍ଥାପନ କରିଥିଲେ । ଏହା ନିମ୍ନ ଉଦ୍ଧାର କରଯାଇଛି :

 

ଆଜି ଜାତିର ପ୍ରାଣରେ ବିଶେଷ ଆଘାତ ଆସିଛି ବ୍ୟବସ୍ଥାପକ ସଭାରେ ଡୁଡୁମା ଚୁକ୍ତିର ବିଚାର ଘେନି । ମାନ୍ୟବର ମହତାବ ଡୁଡୁମା ଚୁକ୍ତିକୁ ସମର୍ଥନ କରିବାକୁ ଯାଇ ଉତ୍କଳ ସମ୍ମିଳନୀକୁ ଉତ୍କଳ ବାହିନୀକୁ ଅଯଥା ଭାବରେ ଆକ୍ରମଣ କରିଅଛନ୍ତି । ଏହା ନ୍ୟାୟସଂଗତ ହୋଇ ନାହିଁ । ସମଗ୍ର ଜାତିର ବେଦନା ଏହି ଡୁଡୁମା ଚୁକ୍ତିରୁ ହୋଇଛି । ଏହା ମାନ୍ୟବର ମହତାବ ସ୍ୱୀକାର କରିବାକୁ ରାଜି ନୁହଁନ୍ତି l ଏହାହିଁ ବଡ଼ ଦୁଃଖର ବିଷୟ । ମୁଁ ଆଶାକରେ ଏହି ଡୁଡୁମା ଚୁକ୍ତିର ଉପଯୁକ୍ତ ପରିବର୍ତ୍ତନ ଯେପରି ହେବ ଆପଣମାନେ ତାହାର ଆଲୋଚନା ବିଚାର କରିବେ ।

 

କଲିକତାରେ ସାଂପ୍ରଦାୟିକ ଗଣ୍ଡଗୋଳ ଫଳରେ ଯେଉଁ ଭୀଷଣ ପରିସ୍ଥିତି ସୃଷ୍ଟି ହୋଇଛି ସେଥିରେ ଓଡ଼ିଆମାନଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଛି । ସେମାନେ ପରିବାର ଭରଣପୋଷଣ ଲାଗି ସୁଦୂର କଲିକତାରେ ଚାକିରୀ କରୁଥିଲେ । କୌଣସି ସାଂପ୍ରଦାୟିକତା ବା ଗଣ୍ଡଗୋଳର ସୀମା ସ୍ପର୍ଶ କରି ନଥିଲେ । ତଥାପି ପ୍ରାୟ ୭୦୦ ପର୍ଯ୍ୟନ୍ତ ଓଡ଼ିଆଙ୍କର ପ୍ରାଣ ଯାଇଛି ଓ ଅନ୍ତତଃ ୧୬୦୦ ଓଡ଼ିଆ ଆହତ ହୋଇଛନ୍ତି । ସୁଖର କଥା ଓଡ଼ିଶାରେ ହିନ୍ଦୁ ମୁସଲମାନମାନଙ୍କ ମଧ୍ୟରେ ଏହି ସାଂପ୍ରଦାୟିକ ତିକ୍ତତା ନାହିଁ । ଏଠାରେ ହିନ୍ଦୁ ମୁସଲମାନ ଭାଇ ଭାଇ ପରି ଆଜିଯାଏ ଚଳି ଆସୁଛନ୍ତି । ଉତ୍କଳ ସମ୍ମିଳନୀ ପକ୍ଷରୁ ମୋର ଅନୁରୋଧ କଲିକତାରେ ମରିଯାଇଥିବା ଲୋକମାନଙ୍କ ପରିବାରଙ୍କୁ ସାହାଯ୍ୟ ଦେବାପାଇଁ ଜନସାଧାରଣ ଯଥାଶକ୍ତି ସାହାଯ୍ୟ କରନ୍ତୁ ଓ ବଂଗ ସରକାର ଯଥାଶୀଘ୍ର ବିହିତ ପ୍ରତିକାର କରନ୍ତୁ ।

 

ଗଂଜାମ ଜିଲ୍ଲାକୁ ବିଶେଷ ଭାବରେ ବର୍ମା ଫେରନ୍ତା ଓଡ଼ିଆ ଭର୍ତ୍ତି ହୋଇ ଆସୁଛନ୍ତି । ସେମାନେ ବଡ଼ ଦୁଃଖରେ କାଳାତିପାତ କରୁଛନ୍ତି । ବର୍ମାରେ ପ୍ରାୟ ଏକଲକ୍ଷ ଓଡ଼ିଆ ଶ୍ରମିକ ଥିଲେ-। ସେମାନଙ୍କ ମଧ୍ୟରୁ ଅଧିକାଂଶ ଫେରି ଆସିଛନ୍ତି । ତଥାପି ବହୁ ଲୋକଙ୍କର ପତ୍ତା ଆଜିଯାଏ ମିଳିନାହିଁ । ଯେଉଁମାନେ ଫେରି ଆସିଛନ୍ତି ସେମାନେ ଉପଯୁକ୍ତ ଭାବରେ ଅର୍ଥ ସାହାଯ୍ୟ ପାଇନାହାନ୍ତି । ଏହି ଚାରିବର୍ଷ ମଧ୍ୟରେ ସେମାନେ ତିନି ଚାରିଥର କେନ୍ଦ୍ର ସରକାରଠାରୁ ମାତ୍ର ଅଳ୍ପ କିଛି ସାହାଯ୍ୟ ପାଇଛନ୍ତି । ଏହା କି କମ୍ ଅନ୍ୟାୟ । ସରକାର ଏମାନଙ୍କ କଥା ଭଲଭାବେ ବୁଝିବା ଉଚିତ । ଏହିମାନେ ଏକତ୍ର ହୋଇ କାର୍ଯ୍ୟକଲେ ସବୁ ପ୍ରକାର କାର୍ଯ୍ୟ କରିପାରିବେ । ବିଦ୍ୟୁତ କଳରେ କାର୍ଯ୍ୟ କରିବାର ଏବଂ ଅନ୍ୟାନ୍ୟ କଳକାରଖାନରେ କାର୍ଯ୍ୟ କରିବାର ଲୋକ ଏମାନଙ୍କ ମଧ୍ୟରେ ଅଛନ୍ତି । ଏମାନଙ୍କୁ ଡିଷ୍ଟ୍ରିକ୍ଟ ବୋର୍ଡ଼ କଣ୍ଟ୍ରାକ୍ଟର ଓ ଅନ୍ୟାନ୍ୟ କଣ୍ଟ୍ରାକ୍ଟରମାନେ ଅଳ୍ପ ମଜୁରୀ ଦେଉଛନ୍ତି । ସରକାରଙ୍କର ଏଦିଗରେ ବିଶେଷ ଦୃଷ୍ଟି ରହିବା ଉଚିତ । ଏହିମାନଙ୍କ ଭିତରୁ ସର୍ଦ୍ଦାର ବାଛି ଏମାନଙ୍କୁ କଣ୍ଟ୍ରାକ୍ଟର କରି କାମଦେଲେ ଏମାନଙ୍କର ବହୁ ଉପକାର ହୁଅନ୍ତା । ଏହି ଶ୍ରମିକମାନଙ୍କ ମଧ୍ୟରୁ ନିପୁଣ ଶ୍ରମିକମାନଙ୍କୁ ମିଳାଇ କଳକାରଖାନା, ତନ୍ତଜମି ଇତ୍ୟାଦିରେ କାମ ଯୋଗାଇ ଓଡ଼ିଶା ସରକାର ସାହାଯ୍ୟ କରନ୍ତୁ । ମାନ୍ଦ୍ରାଜ ସରକାର ତାଙ୍କର ବର୍ମା ଫେରନ୍ତା ଲୋକଙ୍କପାଇଁ ଏହିପରି କରିଅଛନ୍ତି । ଓଡ଼ିଶାରେ ଶ୍ରମିକ ସ୍ୱାର୍ଥ ଏଣିକି ଭଲ କରି ଜଗିବାକୁ ହେବ-। ଏହି ସବୁପାଇଁ ପ୍ରତି କଳକାରଖାନାରେ ସରକାର ତରଫରୁ ଗୋଟିଏ ଗୋଟିଏ ମଙ୍ଗଳ ଅଫିସର (Welfare Officer) ନିଯୁକ୍ତ କରିବାକୁ ହେବ । ଏହି ମଙ୍ଗଳ ବିଭାଗର ଖର୍ଚ୍ଚ ସେହି ସେହି ମିଲ୍ ବା Factory ବହନ କରିବେ ।

 

ନିକଟରେ ଶାସନ ବିଧାୟକ ସଭା ବସୁଛି । ସେଥିରେ ସୀମା ସମସ୍ୟାର ସମାଧାନ ହେବ । ଏହି ସଂପର୍କରେ ଭବିଷ୍ୟତ ଓଡ଼ିଶାର ସୀମା କିପରି ହେବ ତା’ର ମିମାଂସା ହେବ । ଏତିକିବେଳେ ଉତ୍କଳର ରାଜନ୍ୟବୃନ୍ଦ ସେମାନଙ୍କର ପ୍ରଜା ତଥା ବର୍ତ୍ତମାନ ଓଡ଼ିଶାର ଜନସାଧାରଣଙ୍କ ସହିତ ଏକତ୍ର ଆଲୋଚନା କରନ୍ତୁ । ଉତ୍କଳ ସମ୍ମିଳନୀ ସେଥିପାଇଁ ମଧ୍ୟସ୍ଥତା କରିବାପାଇଁ ଏକମାତ୍ର ଉପଯୁକ୍ତ ଅନୁଷ୍ଠାନ । ଏହା ଜାତିର ସବୁ ଶ୍ରେଣୀର ଲୋକମାନଙ୍କର ମିଳନ ପୀଠ । ଭାଷା, ସଂସ୍କୃତି ଓ ଇତିହାସ ଉପରେ ନିର୍ଭର କରି ପ୍ରଦେଶ ଗଠନ ନୀତି କଂଗ୍ରେସ ଗ୍ରହଣ କରିଛି l ଆମ୍ଭେମାନେ କେବଳ ଭାଷା ଉପରେ ଠେସ୍ ଦେଇ, ମେଦିନପୁର, ମାନଭୂମ, ବାଙ୍କୁଡ଼ା, ଫୁଲଝର ଓ ଦକ୍ଷିଣରେ ଟିକାଲୀ, ପାଲୁର, ପାର୍ବତୀପୁର ଓଡ଼ିଆ ଅଞ୍ଚଳମାନଙ୍କୁ ଭୁଲିଯିବା ଭୁଲହେବ-। ଦୀର୍ଘ ଦେଢ଼ ଶହ ବର୍ଷର ବିଟ୍ରିଶ ଶାସନ ଅମଳରେ ଖଣ୍ଡ ବିଖଣ୍ଡିତ ହୋଇ ଏମାନଙ୍କର ଭାଷା ହୁଏତ ଲୋପ ହେବାକୁ ଯାଉଛି । ଅନେକ ସ୍ଥାନରେ ତାହା ବହୁ ମାତ୍ରାରେ ହୋଇ ସାରିଲାଣି-। ରାଇପୁରରେ ପ୍ରଚଳିତ ଲରିଆ ଭାଷାକୁ ଆଜି ଓଡ଼ିଆ ଭାଷାରେ ଲହରିଆ ଛନ୍ଦ ବୋଲି ବୁଝିବାକୁ ଲୋକ ନାହାଁନ୍ତି କି ? ମାନଭୂମ ଅଞ୍ଚଳରେ ଓଡ଼ିଆମାନେ ଏହି ଦୀର୍ଘ ପ୍ରବାସ ମଧ୍ୟରେ ସୁନ୍ଦର ଭାବରେ ଯେ ବଂଗାଳୀ ଭାଷା ଶିକ୍ଷା କରି ପାରିଛନ୍ତି ଏହା ଏ ଜାତିର ଅନ୍ୟଭାଷା ପ୍ରତି ଆଦର ପ୍ରକାଶ କରୁନାହିଁ କି ? ଦେଢ଼ ଶହ ବର୍ଷ ମଧ୍ୟରେ ଏହା ସମ୍ଭବ ହୋଇଥିବା ବିଚିତ୍ର ନୁହେଁ । ବର୍ତ୍ତମାନ ସୁଦ୍ଧା ସେମାନଙ୍କର ପୂର୍ବ ସଂସ୍କୃତି ପରଂପରା ଚାଲିଚଳଣ ସବୁଥିରେ ଓଡ଼ିଆତ୍ୱ ରହିଛି । ଏହି ଦୃଷ୍ଟିରୁ ସେମାନଙ୍କୁ ଓଡ଼ିଶାରେ ମିଶି ୧୦ ବର୍ଷ ପରେ ଯଦି ଜନଗଣନା କରାଯାଏ ତେବେ ଜଗତ ଦେଖନ୍ତା ସେମାନେ ପାସୋରିଥିବା ଓଡ଼ିଆ ଭାଷାକୁ ଅତି ସହଜରେ ଅତି ଅଳ୍ପ ସମୟ ମଧ୍ୟରେ ପୁଣି ପରମ ଆଦରରେ ଶିକ୍ଷା କରିପାରନ୍ତେ । ସେଥିପାଇଁ ଆମ୍ଭମାନଙ୍କର ଦାବୀ ହେବା ଉଚିତ । ସଂସ୍କୃତି ଇତିହାସ ଦୃଷ୍ଟିରୁ ପ୍ରଥମେ ପରିତ୍ୟକ୍ତ ଅଞ୍ଚଳ ଗୁଡ଼ିକ ଓଡ଼ିଶାରେ ସାମିଲ ହେଉ ତାପରେ ଭାଷା ସୂତ୍ରରେ ଜନଗଣନା ହେଉ । କେବଳ ଭାଷାକୁ ଓର କରି ଉତ୍କଳର ପ୍ରତ୍ୟେକ ଓଡ଼ିଆ ଅଞ୍ଚଳର ଦାବୀ କେହି କ୍ଷୁର୍ଣ୍ଣ ନକରନ୍ତୁ । ଆମ୍ଭେମାନେ ଯଦି ଅପାରଗତା ପ୍ରକାଶ କରି ନ୍ୟାଯ୍ୟ ଦାବୀ ପୂରଣ କରି ନପାରିବା ଭବିଷ୍ୟତ ବଂଶଧର ଆମ୍ଭମାନଙ୍କୁ ଅଭିଶାପ ଦେବେ ।

 

ଉତ୍କଳର ରାଜା ମହାରାଜାଠାରୁ ଆରମ୍ଭ କରି ସାଧାରଣ କର୍ମୀ ଜାତିର ବେଦନାରେ ଅସ୍ଥିର ହୋଇ ଦେଶ ମିଶ୍ରଣପାଇଁ ଆପଣା ଆପଣାର ଅର୍ଘ୍ୟ ଉତ୍କଳ ଜନନୀର ପୀଠରେ ସମର୍ପଣ କରିଥିଲେ । ଖଲିକୋଟର ରାଜା ହରିହର ମର୍ଦ୍ଦରାଜ, ପାରଳାର ଚନ୍ଦ୍ର ମହାରାଜ, ସୁରଙ୍ଗୀର ଚନ୍ଦ୍ର ଚୂଡ଼ାମଣି, ମଂଜୁଷାର ଶ୍ରୀନିବାସ ରାଜମଣି, ଟିକିଟିର ଗୌରଚନ୍ଦ୍ର, ଧରାକୋଟର ମଦନମୋହନ, ବଡ଼ଖେମୁଣ୍ଡିର କୃପାମୟଠାରୁ ଆରମ୍ଭ କରି ମଧ୍ୟ ଶ୍ରେଣୀର ଚିନ୍ତାଶୀଳ ନରସିଂହ ଦାସ, ନୀଳମଣି ବିଦ୍ୟାରତ୍ନ, ହରିହର ପଣ୍ଡା, ଶ୍ରୀବତ୍ସ ପଣ୍ଡା, ପରମାନନ୍ଦ ସାହୁ, ଶ୍ୟାମସୁନ୍ଦର ରାଜଗୁରୁ, ନିରଂଜନ ପଟ୍ଟନାୟକ, ଚକ୍ରପାଣି ପ୍ରଧାନ, ଶଶିଭୂଷଣ ରଥ ପ୍ରମୁଖ ବହୁ ଗଂଜାମର ବ୍ୟକ୍ତିବିଶେଷ ଉତ୍କଳ ସମ୍ମିଳନୀପାଇଁ ତନୁମନପ୍ରାଣ ସମର୍ପଣ କରିଥିଲେ । ଏମାନଙ୍କ ଛଡ଼ା ଉତ୍କଳର କୁଳବୃଦ୍ଧ ମଧୁସୂଦନ, ବ୍ରଜ ସୁନ୍ଦର, ଗୋପାଳ ଚନ୍ଦ୍ର, କଳ୍ପତରୁ, କବିବର ଚିନ୍ତାମଣି, ପ୍ୟାରୀମୋହନ, ଗୌରୀଶଙ୍କର, ମହାରାଜ ରାମଚନ୍ଦ୍ର ଭଂଜ, ପଣ୍ଡିତ ଗୋପବଂଧୁ ପ୍ରମୁଖ କେତେ ଯେ ଉତ୍କଳ ସମ୍ମିଳନୀପାଇଁ ଚିନ୍ତା କରିଯାଇଛନ୍ତି ତା’ର ଇୟତ୍ତା ନାହିଁ । ଉତ୍କଳ ସମ୍ମିଳନୀ ଛଡ଼ା ଆମ୍ଭମାନଙ୍କର ଅନ୍ୟ କୌଣସି ଅନୁଷ୍ଠାନ ନାହିଁ ଯଦ୍ୱାରା ଜାତି ଧର୍ମ ଦଳ ନିର୍ବିଶେଷରେ ଏକ ପ୍ରାଦେଶିକ ଜାତୀୟ ଭାବରେ ଉଦ୍‍ବୁଦ୍ଧ ହୋଇପାରିବା । ଉତ୍କଳ ସମ୍ମିଳନୀ ମୂଳରୁ ରାଜନୀତି ମୂଳକ ନଥିଲା ବର୍ତ୍ତମାନ ମଧ୍ୟ ନୁହେଁ । ସନ୍ଧିକ୍ଷଣରେ ଦେଶକୁ ଉନ୍ନତ ମାର୍ଗ ଦେଖାଇବା ଭାର ବହୁବର୍ଷ ହେଲା ସମ୍ମିଳନୀ ଗ୍ରହଣ କରିଛି । ଏବେ ମଧ୍ୟ ସେହି ସନ୍ଧିକ୍ଷଣରେ ତା’ର କର୍ତ୍ତବ୍ୟ କରୁ ।

 

୧୯୪୭ ମସିହା ସେପ୍ଟେମ୍ବର ୧୪ ତାରିଖରେ ବ୍ରହ୍ମପୁରରେ ହୋଇଥିବା ବିଶେଷ ଅଧିବେଶନ ଉପରେ ମନ୍ତବ୍ୟଦେଇ ଉତ୍କଳ ସମ୍ମିଳନୀର ଗୁରୁତ୍ୱକୁ ସେ ପ୍ରକାଶ କରିଥିଲେ । ତାଙ୍କ ମତରେ ଉତ୍କଳ ସମ୍ମିଳନୀର ଲକ୍ଷ୍ୟ ଓ ଉଦ୍ଦେଶ୍ୟ କେବଳ କେତେକ ଜାତୀୟ ପରିକଳ୍ପନା ମଧ୍ୟରେ ସୀମାବଦ୍ଧ ରହିବା ଉଚିତ ନୁହେଁ । ସମ୍ମିଳନୀ ସେହି ସମୟରେ ଏକ ଉପଯୁକ୍ତ ଶକ୍ତି ହିସାବରେ ମୁଣ୍ଡ ଟେକି ରହିବାକୁ ସେ ଇଚ୍ଛା ପ୍ରକାଶ କରିଥିଲେ । ସମ୍ମିଳନୀ ପ୍ରଦତ୍ତ ନିର୍ଦ୍ଦିଷ୍ଟ ପନ୍ଥା ଓଡ଼ିଶା ସରକାର ଅନୁସରଣ କରି ବିକଳାଙ୍ଗ ଓଡ଼ିଶାକୁ ଗୋଟିଏ ବୃହତ୍ତର ଅନୁଷ୍ଠାନ ରୂପେ ଗଠନ କରିବାର ବିଶ୍ୱାସ ତାଙ୍କର ସେତେବେଳେ ଥିଲା । ମୃତ୍ୟୁ ପର୍ଯ୍ୟନ୍ତ ସେ ଉତ୍କଳ ସମ୍ମିଳନୀକୁ ଓଡ଼ିଆ ଜାତିର ପ୍ରକାଣ୍ଡ ଜାତୀୟ ଅନୁଷ୍ଠାନ ରୂପେ ଶକ୍ତିଶାଳୀ କରିବାକୁ ଉଦ୍‍ବୋଧନ ଦେଇଥିଲେ ।

 

।। ୬ ।।

 

ଓଡ଼ିଆ ଜାଗୃତିର ଅବିସ୍ମରଣୀୟ ସାରଥି ହିସାବରେ କୃପାସିନ୍ଧୁ ସିଂହଭୂମି ସମସ୍ୟାକୁ ବିଶେଷ ଗୁରୁତ୍ୱ ଦେଇଥିଲେ । ଏହି ସଂପର୍କରେ ୧୯୩୭ ମସିହାରେ ସେ ଏକ ଚମତ୍କାର ବିବରଣୀ ଦେଇଯାଇଥିଲେ । ସେଥିରେ ସେ କହିଥିଲେ- ସିଂହଭୂମି ଓଡ଼ିଆ ମୁଲକ ଏହା ନିରାଟ ସତ୍ୟ । ମତଦ୍ୱୈଧ କରିବାର କୌଣସି କାରଣ ନାହିଁ । ଓଡ଼ିଶାର ଭୌଗଳିକ, ଐତିହାସିକ, ପୌରାଣିକ, ଜନସଂଖ୍ୟକ ସକଳ ପ୍ରକାର କାରଣ ଅକ୍ଷୁନ୍ନ ରହିଅଛି । ମାତ୍ର କଲିକତା ନିଖିଳ ଭାରତ କଂଗ୍ରେସ କମିଟିରେ ନଗେନ୍ଦ୍ର ବାବୁ ସିଂହଭୂମି ବଂଗଳାର ଦାବୀ ବୋଲି ଏକ ପ୍ରସ୍ତାବ ଆଣିବା ମାତ୍ରେ ଆନ୍ଧ୍ରନେତା ପଟ୍ଟାଭି ସୀତାରାମାୟା ତାହାକୁ ସମର୍ଥନ କଲେ । ଫଳରେ ତାହା ପାସ୍ ହୋଇଗଲା । ପଟ୍ଟାଭି ସୀତାରାମାୟା ଭାଷାଗତ ଭାବରେ ପ୍ରଦେଶ ଗଠନରୀତି ଅନୁସରଣ କରିବା ବେଳେ ୧୯୨୧ କି ୧୯୩୧ ମସିହାରେ ଜନଗଣନା ରିପୋର୍ଟ ଦେଖିଥିଲା ପରି ଜଣାଯାଏ ନାହିଁ । ଦେଖିଥିଲେ ସେ ସିଂହଭୂମି ଭାଷାଗତ ଭାବେ ବଂଗଳାର ଦାବୀ ବୋଲି ସମର୍ଥନ କରିନଥାନ୍ତେ କି ନଗେନ୍ଦ୍ର ବାବୁ ପ୍ରସ୍ତାବ ଆଣିବାକୁ ସାହସ କରି ନଥାନ୍ତେ । ନଗେନ୍ଦ୍ର ବାବୁ R.D. Banerji ଙ୍କ ଉତ୍କଳ ଇତିହାସ ଯାହା ତାଙ୍କର ଜଣେ ବଂଗାଳୀ ଭାଇଦ୍ୱାରା ତାହା ଦେଖିଛନ୍ତି କି ? ଗେଟେ ସାହେବ ପ୍ରମୁଖଙ୍କ ମତ ଜାଣିଛନ୍ତି କି ? ୧୯୦୩ ସାଲର ଭାରତ ସରକାରଙ୍କ ସେକ୍ରେଟାରୀ ରିସଲୀ ସାହେବଙ୍କ ସରକାରୀ ରିପୋର୍ଟରେ ସିଂହଭୂମି ଓଡ଼ିଶାର ଦାବୀ ସ୍ୱୀକାର ପତ୍ର ଦେଖିଛନ୍ତି କି ? ଅବଶ୍ୟ ନୁହେଁ । ସିଂହଭୂମି ଉତ୍କଳ ପ୍ରଦେଶ ଅଧିନରେ ବହୁଦିନରୁ ରହି ଆସିଛି । ସେହିଠାରେ ଓଡ଼ିଆ ଆନ୍ଦୋଳନ ୧୯୦୩ଠାରୁ ଉତ୍କଳ ସମ୍ମିଳନୀ ହେଲା ଦିନଠାରୁ ଚାଲି ଆସିଛି-। ଟାଟା କଂପାନୀରୁ କାରଖାନା ଯୋଗୁଁ ଏହାକୁ ନେବାପାଇଁ ବଂଗାଳୀ ବିହାରୀଙ୍କର ଲୋଲୁପଦୃଷ୍ଟି ପଡ଼ିଛି । ସେମାନଙ୍କ ଅଦମ୍ୟ ଚେଷ୍ଟାରେ ସିଂହଭୂମିରେ ବଂଗଳାବିହାରୀ ଭାଷା ପ୍ରବେଶ କରିଛି ଅନାର୍ଯ୍ୟ ଜାତିମାନଙ୍କ ଭିତରେ । ଫଳରେ ନିରୀହ ଓଡ଼ିଆର ଅସ୍ତିତ୍ୱ ସେମାନଙ୍କ ଅମାନୁଷିକ ଅତ୍ୟାଚାରରେ ଲୋପ ପାଇବାକୁ ବସିଲାଣି । (ନବୀନ, ନଭେମ୍ବର ୧୬, ୧୯୩୭)

 

୧୯୩୮ ମସିହାରେ ସିଂହଭୂମି ସମସ୍ୟା ସଂପର୍କରେ କୃପାସିନ୍ଧୁ ଆଲୋଚନା କରିଥିଲେ-। ଏକ ସଂପାଦକୀୟ ମତରେ ସେ କହିଥିଲେ–“ଓଡ଼ିଶା ସହିତ ସମ୍ମିଳିତ ହେବାକୁ ସିଂହଭୂମି ଓଡ଼ିଆ ଭାଇମାନଙ୍କର ଯେ ପ୍ରବଳ ଆକାଂକ୍ଷା ଅଛି ଏହା ସେମାନେ କାର୍ଯ୍ୟକଳାପରେ ବିଶେଷ ଭାବେ ଦର୍ଶାଇ ଦେଇପାରିଛନ୍ତି । କିଛି କାଳ ସିଂହଭୂମି ଓଡ଼ିଶା ପ୍ରାଦେଶିକ କଂଗ୍ରେସ ଅଧିନରେ ରହିଥିଲା । ଇତି ମଧ୍ୟରେ ବିହାରର କଂଗ୍ରେସ ନେତା ଅରିରିକ୍ତ ଜାତୀୟ ପ୍ରୀତିର ବଶବର୍ତ୍ତୀ ହେଇ ଏହି ଓଡ଼ିଆ ଅଧ୍ୟୁଷିତ ଅଞ୍ଚଳଟି କୌଶଳ କ୍ରମେ ଓଡ଼ିଶାରୁ କଂଗ୍ରେସଠାରୁ କାଢ଼ି ନେଇଥିଲେ । ଓଡ଼ିଶାରେ ପୁଣି ସାମିଲ କରିବାକୁ ଯେପରି ଆନ୍ଦୋଳନ ଦରକାର ସେପରି କିଛି ଓଡ଼ିଶାରେ ହୋଇନଥିବା ବଡ଼ କ୍ଷୋଭର ବିଷୟ । ସରକାରଙ୍କଦ୍ୱାରା ଅବହେଳିତ ହୋଇ ଏ ଅଞ୍ଚଳର ଓଡ଼ିଆମାନେ ଦୁର୍ବଳ ହୋଇ ପଡିଛନ୍ତି l ଓଡ଼ିଆମାନଙ୍କ ଭାଷା ସରକାରୀ କଚେରୀ ଓ ଅଫିସ୍‍ମାନଙ୍କରେ ଗୃହୀତ ନ ହୋଇ ଅଳ୍ପ ସଂଖ୍ୟକ ବିହାରୀ ଓ ବଂଗାଳୀମାନଙ୍କପାଇଁ ହିନ୍ଦି ଓ ବଂଗଳା ଭାଷା ବ୍ୟବହାର କରାଯାଉଅଛି । ଓଡ଼ିଆମାନେ ସଭାସମିତିଦ୍ୱାରା ଏବଂ ପୃଥକ ଭାବରେ ମେମୋରିୟଲ୍‍ କରି ସୁଦ୍ଧା ସରକାରଙ୍କ ସୁଦୃଷ୍ଟି ଆକର୍ଷଣ କରିପାରିନାହାନ୍ତି । ଖାସ୍ ସିଂହଭୂମିରେ ଆନ୍ଦୋଳନ ହେଉଥିବା ବେଳେ ନିଜ ଜାତି ଭାଇମାନଙ୍କ ଏ ନ୍ୟାଯ୍ୟ ଦାବୀର ରକ୍ଷାପାଇଁ ଓଡ଼ିଶାରେ କୌଣସି ବିଶେଷ ଆନ୍ଦୋଳନ ହୋଇନାହିଁ । (ନବୀନ, ୩୦ ଅଗଷ୍ଟ ୧୯୩୮) ସିଂହଭୂମିରେ ହୋଇଥିବା ଓଡ଼ିଆ ଆନ୍ଦୋଳନକୁ ସେ ନବୀନ ପତ୍ରିକାରେ ନାନା ଦିଗରୁ ଆଲୋଚନା କରିଥିଲେ ଏବଂ ଏହା ଓଡ଼ିଶାର ଅଖଣ୍ଡ ଅଂଶ ବୋଲି ବାରଂବାର ନିଜ ଲେଖାରେ ପ୍ରକାଶ କରିଥିଲେ ।

 

ଓଡ଼ିଶା ସହିତ ଗଡ଼ଜାତଗୁଡ଼ିକର ସମ୍ମିଶ୍ରଣପାଇଁ କୃପାସିନ୍ଧୁ ଉଦ୍ୟମ ଅବ୍ୟାହତ ରଖିଥିଲେ । ବିଶାଳ ଉତ୍କଳ ରାଷ୍ଟ୍ରଗଠନ ତାଙ୍କର ଏକ ଅଭିଳାଷ ଥିଲା । ତେଣୁ ଓଡ଼ିଶାର ଗଡ଼ଜାତ ସମୂହ ଓଡ଼ିଶା ପ୍ରଦେଶ ସହିତ ମିଶି ଏକ ଶାସନାଧୀନରେ ରହିବା ତାଙ୍କପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା । ଏହାକୁ ସେ ଓଡ଼ିଶାର ଏକ ଯୁଗ ପ୍ରବର୍ତ୍ତକ ଅଧ୍ୟାୟ ରୂପେ ଗ୍ରହଣ କରିଥିଲେ । ୧୯୪୮ରେ ଏହି ମିଶ୍ରଣ ହେବା ପୂର୍ବରୁ ୧୯୪୭ ଡିସେମ୍ବର ୧୬ ତାରିଖ ନବୀନ ସଂପାଦକୀୟ ମତରେ ସେ ଏହି ସଂପର୍କରେ ଉଲ୍ଲେଖ କରିଥିଲେ । ସେଥିରେ ସେ କହିଥିଲେ–“ଏ ଦେଶ ତଥା ଓଡ଼ିଆ ଜାତି ଯେତେବେଳ ପର୍ଯ୍ୟନ୍ତ ଅସ୍ତିତ୍ୱରେ ଥିବ ସେତେ ଦିନ ପର୍ଯ୍ୟନ୍ତ ଏହି ଘଟଣାର ସ୍ମୃତିତର୍ପଣ ବର୍ଷ ବର୍ଷ ଧରି ବରାବର ହେଉଥିବ । କିଛି ଦିନ ପୂର୍ବେ ଯାହା ଗୋଟାଏ ସ୍ୱପ୍ନ ରାଜ୍ୟର ଅସାର କଳ୍ପନା ରୂପେ ବୋଧ ହେଉଥିଲା, ଆଜି ତାହା ଅତି ସହଜରେ ବାସ୍ତବରେ ପରିଣତ ହୋଇ ପାରିଛି । ଏତେ ଦିନେ ଓଡ଼ିଆ ଜାତିର ବିରାଟ ଉତ୍କଳ ରାଷ୍ଟ୍ର ଗଠନ ପରିକଳ୍ପନାର ମୂଳଦୁଆ ସ୍ଥାପିତ ହୋଇପାରିଛି । ଏଣିକି ଆମକୁ ଅତୀତ ଇତିହାସର ଗୌରବମୟ ଛବି ଆଖି ଆଗରେ ରଖି ଭବିଷ୍ୟତ ଗଠନ କରିବା ଲାଗି ସମୟ ଆସିଛି ।

 

ଐତିହାସିକ, ଭୌଗଳିକ, ଅର୍ଥନୈତିକ, ସଂସ୍କୃତିଗତ ପ୍ରଭୃତି ଯେ କୌଣସି ଦୃଷ୍ଟିରୁ ହେଉ ଗଡ଼ଜାତ ଗୁଡ଼ିକ ଓଡ଼ିଶା ପ୍ରଦେଶର ଗୋଟିଏ ଅବିଚ୍ଛେଦ୍ୟ ଅଂଗ । ଓଡ଼ିଶାର ସମୂହ ଉନ୍ନତିପାଇଁ ଗଡ଼ଜାତ ଗୁଡ଼ିକ ଓଡ଼ିଶାରୁ ଅଲଗା ହୋଇ ରହିବା ଉଚିତ ନୁହେଁ । ବିଶେଷତଃ ଛୋଟ ଛୋଟ ଷ୍ଟେଟଗୁଡ଼ିକର ଅବସ୍ଥା ଯାହା ଏବଂ ସେମାନଙ୍କର ରାଜସ୍ୱର ସ୍ଵଳ୍ପତା ଦୃଷ୍ଟିରୁ ସେଗୁଡ଼ିକ ସ୍ୱାଧିନ ଭାବରେ ତିଷ୍ଠିବା କଷ୍ଟକର । ଗଡ଼ଜାତ ଗୁଡ଼ିକ ଯଦିଓ ଅନୁନ୍ନତ ଅବସ୍ଥାରେ ପଡ଼ିରହିଛନ୍ତି ତା’ର ଏକମାତ୍ର କାରଣ ଅର୍ଥର ଅଭାବ । ରାଜସ୍ୱ ବାବତକୁ ଏହି ଗଡ଼ଜାତ ମାନଙ୍କରେ ଯାହା ଆଦାୟ ହୁଏ, ତାହା ଏତେ ସ୍ୱଳ୍ପଯେ ରାଜ୍ୟର ସାଧାରଣ ପରିଚାଳନାପାଇଁ ସୁଦ୍ଧା ଯଥେଷ୍ଟ ନୁହେଁ । ସେଥିପାଇଁ ରାଜାମାନଙ୍କୁ ଅକାରଣରେ ଦୋଷ ଦେବା ଅନୁଚିତ । ସୁତରାଂ ପ୍ରଜାସାଧାରଣ ତଥା ରାଜ୍ୟର ଭବିଷ୍ୟତ ମଙ୍ଗଳ ଦୃଷ୍ଟିରୁ ଗଡ଼ଜାତଗୁଡ଼ିକ ପ୍ରଦେଶ ସହିତ ମିଶି ଏକ ଶାସନାଧୀନ ନହେବା ଯାଏ କୌଣସି ଉନ୍ନତି କଳ୍ପନା କରିବା ସମ୍ଭବପର ନୁହେଁ । ଓଡ଼ିଶା ଗଡ଼ଜାତମାନଙ୍କର ଅସ୍ୱାଭାବିକ ଅସ୍ତିତ୍ୱ ସଂକ୍ରାନ୍ତରେ ମନ୍ତବ୍ୟ ପ୍ରକାଶ କରି ସାଇମନ୍ କମିଶନ ସୁଦ୍ଧା ଓଡ଼ିଶା ପ୍ରଦେଶ ଗଠନରେ ଏଗୁଡ଼ିକ ଓଡ଼ିଶାର ଅଂଗୀଭୂତ ହୋଇ ରହିବା ବାଂଛନୀୟ ବୋଲି କୁଆଡ଼େ ମତ ଦେଇଥିବା ପ୍ରକାଶ । କେବଳ ଦୂରଭିସନ୍ଧି ରଖି ବ୍ରିଟିଶ୍ ସରକାର ଏ ମିଶ୍ରଣ ପଥରେ ସମସ୍ତ ପ୍ରକାର ବାଧା ସୃଷ୍ଟି କରୁଥିଲେ । ସୁଖର କଥା ଏବେ ବ୍ରିଟିଶ୍ ସାର୍ବଭୌମତ୍ୱ ଅପସାରିତ ହେବା ପରେ ଚତୁର ଗଡ଼ଜାତ ଶାସକମାନେ ବୁଝିପାରିଲେ ଯେ ରାଜ୍ୟର ମଙ୍ଗଳ ଦୃଷ୍ଟିରୁ ସେମାନେ ଏଣିକି ପ୍ରଜାଶକ୍ତି ଉପରେ ନିର୍ଭର କରିବାକୁ ପଡ଼ିବ । ସାର୍ବଭୌମ ଅଧିକାର ମୋହ ସେମାନଙ୍କର ତୁଟି ଯାଇଛି । ଫଳରେ ସେମାନେ ବିନା ବିପ୍ଳବରେ ବିନା ରକ୍ତପାତରେ ସ୍ୱତଃପ୍ରବୃତ୍ତ ହୋଇ ଭାରତ ସରକାରଙ୍କ ଜରିଆରେ ଓଡ଼ିଶା ସରକାରଙ୍କ ଠାରେ ଆତ୍ମ ସମର୍ପଣ କରିବାପାଇଁ ବାଧ୍ୟ ହୋଇଛନ୍ତି-। ଗଡ଼ଜାତ ମିଶ୍ରଣ ଇତିହାସରେ ଓଡ଼ିଶାର ପ୍ରଧାନମନ୍ତ୍ରୀ ମାନ୍ୟବର ମହତାବଙ୍କ ଅଂଶ କମ୍ ନୁହେଁ । ମାନ୍ୟବର ମହତାବଙ୍କ ଚେଷ୍ଟାରୁ ହିଁ ଆଜି ଏ ଅସମ୍ଭବ ଘଟଣା ସମ୍ଭବ ହୋଇଛି । (ନବୀନ, ୧୬ ଡିସେମ୍ବର ୧୯୪୭)

 

ଏହି ପୃଷ୍ଠ ପଟ୍ଟରେ ଗଡ଼ଜାତ ସମୂହ ଓଡ଼ିଶା ପ୍ରଦେଶରେ ମିଶିବା ଫଳରେ ଯେଉଁ ପରିସ୍ଥିତି ଉପୁଜିଲା ତାହାର ଆଲୋଚନା କୃପାସିନ୍ଧୁ କରିଥିଲେ । (ନବୀନ, ୨୩ ଡିସେମ୍ବର ୧୯୪୭) “ଗଡ଼ଜାତ ଗୁଡ଼ିକ ମିଶିବା ଫଳରେ ଓଡ଼ିଶା ପ୍ରଦେଶର ଆୟତନ ଓ ରାଜସ୍ୱ ବହୁ ଗୁଣରେ ବୃଦ୍ଧିପାଇଛି ଏବଂ ଏ ମିଶ୍ରଣ ଯୋଗେ ଅନେକ ମୂଲ୍ୟବାନ ସଂପଦ ପ୍ରଦେଶ ମଧ୍ୟକୁ ଆସିଅଛି । ଓଡ଼ିଶାକୁ ବାହାର ଲୋକେ ଯେପରି ଅନୁନ୍ନତ ଓ ଗରୀବ ପ୍ରଦେଶ ଆଖ୍ୟାଦେଇ ପ୍ରଦେଶର ସମ୍ମାନ ଉପରେ ଆଞ୍ଚ ଦେଉଥିଲେ ଏଣିକି ସେପରି ବିଶେଷଣମାନ ପ୍ରୟୋଗ କରିବାପାଇଁ ଆଉ ସାହାସ କରିପାରିବେ ନାହିଁ । ସୁତରାଂ ଓଡ଼ିଶାର ଆୟତନ ଓ ରାଜସ୍ୱର ମାତ୍ରା ଯେ କେବଳ ବୃଦ୍ଧି ପାଇଛି ତାହା ନୁହେଁ, ତା ସଙ୍ଗେ ସଙ୍ଗେ ଗୋଟାଏ ଉଚ୍ଚକୋଟିର ମାତ୍ରା ଯେ କେବଳ ବୃଦ୍ଧି ପାଇଛି ତାହା ନୁହେଁ, ତା ସଙ୍ଗେ ସଙ୍ଗେ ଗୋଟାଏ ଉଚ୍ଚକୋଟିର ପ୍ରଦେଶ ହିସାବରେ ତା’ର ପଦମର୍ଯ୍ୟଦା ବୃଦ୍ଧି ପାଇଛି ।” କୃପାସିନ୍ଧୁ ଏହିପରି ମତଦେଇ ଓଡ଼ିଶା ସରକାରଙ୍କର ମିଶ୍ରଣ ପରବର୍ତ୍ତୀ କାଳର କର୍ତ୍ତବ୍ୟ ସମ୍ପର୍କରେ ଅନେକ ମନ୍ତବ୍ୟ ଦେଇଥିଲେ । “ଗଡ଼ଜାତ ଗୁଡ଼ିକ ବିଶେଷ ଭାବେ ଅନୁନ୍ନତ ଓ ପାହାଡ଼ିଆ ଅଞ୍ଚଳ । କେତେକ ଗଡ଼ଜାତରେ ଆଧୁନିକ ଯୁଗ ସଭ୍ୟତାର ଆଲୋକ ପ୍ରବେଶ କରିନାହିଁ ଏବଂ ଯୁଗୋପଯୋଗୀ ଶିକ୍ଷାର ସେତେଦୂର ପ୍ରସାର ପାଇନାହିଁ । ଅଥଚ ନାନାବିଧ ମୂଲ୍ୟବାନ ସମ୍ପଦ ଯୁଗ ଯୁଗ ଧରି ଭୂଗର୍ଭରେ ପଡ଼ି ରହିଛି । ସେହି ସଂପଦ ଗୁଡ଼ିକ ଭୂଗର୍ଭରୁ ଉଦ୍ଧାର କରି ଜନସାଧାରଣଙ୍କ ଉପକାରରେ ଲାଗିବା ଭଳି ବ୍ୟବସ୍ଥା ହେଲେ ପ୍ରାଦେଶିକ ସରକାରଙ୍କ ରାଜକୋଷ ବହୁଗୁଣରେ ଯେ ବଢ଼ନ୍ତା ଏଥିରେ ସନ୍ଦେହ ନାହିଁ । ପୁଣି ଏହି ସବୁ ଗଡ଼ଜାତ ପରଷ୍ପରଠାରୁ ବିଚ୍ଛିନ୍ନ ଭାବରେ ରହିଥିବାରୁ ଆଭ୍ୟନ୍ତରୀଣ ଯୋଗସୂତ୍ରର କୌଣସି ବ୍ୟବସ୍ଥା ନାହିଁ । ବିଭିନ୍ନ ଗଡ଼ଜାତରେ ଗମନାଗମନପାଇଁ କୌଣସି ସୁବିଧାଜନକ ସୁଗମ ସଡ଼କ କିମ୍ବା ରାସ୍ତାଦିର ଗୁରୁତର ଅଭାବ ରହିଛି । ଓଡ଼ିଶାର ମୋଗଲବନ୍ଦୀ ଲୋକେ ଗଡ଼ଜାତବାସୀଙ୍କଠାରୁ ଅପେକ୍ଷାକୃତ ଶିକ୍ଷିତ ଥିବାରୁ କାଳେ ସେମାନେ ସରଳ ଗଡ଼ଜାତ ଅଧିବାସୀଙ୍କ ଉପରେ ଆଧିପତ୍ୟ ବିସ୍ତାର କରିବେ ଏହି ଆଶଙ୍କା ସେଠାରେ ବରାବର ରହିଛି । ଏଣୁ ଗଡ଼ଜାତବାସୀଙ୍କ ମନରୁ ଏହି ଅମୂଳକ ଆଶଙ୍କା ଦୂର କରିବା ସରକାରଙ୍କ ପ୍ରଥମ କର୍ତ୍ତବ୍ୟ । ଉଭୟ ଅଞ୍ଚଳ ମଧ୍ୟରେ ପରଷ୍ପର ସଦ୍‍ଭାବ ଓ ସହଯୋଗ ଶୀଘ୍ର ପ୍ରତିଷ୍ଠା ହେବା ଏକାନ୍ତ ଆବଶ୍ୟକ । ଗଡ଼ଜାତ ଓ ମୋଗଲବନ୍ଦୀ ଉଭୟ ମଧ୍ୟରେ ଦୀର୍ଘ ଦିନ ଧରି ଯେଉଁ ଭେଦଭାବ ରହିଛି ତାହା ଦୂର ନ ହେବାଯାଏ କୌଣସି ଗଠନମୂଳକ ଯୋଜନା କାର୍ଯ୍ୟକାରୀ ହେବା ସମ୍ଭବପର ନୁହେଁ ।”

 

ଗଂଜାମ ଓ କୋରାପୁଟ ଜିଲ୍ଲାରେ ଆନ୍ଧ୍ର ପ୍ରଭାବ ଓ ଆଧିପତ୍ୟକୁ କୃପାସିନ୍ଧୁ ଦୃଢ଼ କଣ୍ଠରେ ପ୍ରତିବାଦ କରିଥିଲେ । ଏହି ପ୍ରତିବାଦ ସ୍ୱତନ୍ତ୍ର ପ୍ରଦେଶ ପୂର୍ବରେ ତ ଥିଲା । ଏହାପରେ କିନ୍ତୁ କୃପାସିନ୍ଧୁଙ୍କ ସ୍ୱର ଅଧିକ ଶକ୍ତ ହୋଇଥିଲା । ସେତେବେଳେ ସ୍କୁଲ କଲେଜ ଇତ୍ୟାଦିରେ ତେଲୁଗୁ ଭାଷା ଅବାଧରେ ପ୍ରଚଳନ ହେବାପାଇଁ ଆନ୍ଧ୍ରମାନେ ଦଳବଦ୍ଧ ହୋଇ ତୁମୂଳ ଆନ୍ଦୋଳନର ସୂତ୍ରପାତ କରିଥିଲେ । ୧୯୪୨ ବେଳକୁ ଗଞ୍ଜାମ କୋରାପୁଟର ଆନ୍ଧ୍ରମାନେ ଗୋଟିଏ ଆନ୍ଧ୍ର ମହାସଭା ଆରମ୍ଭ କରି କେତେକ ଦାବୀ ସେହି ସଭାରେ ପେସ୍ କରିଥିଲେ । କୃପାସିନ୍ଧୁ ସେହି ସମୟରେ ମନ୍ତବ୍ୟ ଦେଇଥିଲେ–“ଯେଉଁ ଆନ୍ଧ୍ରମାନେ ଓଡ଼ିଆ ଲୋକଙ୍କ ପଇସାରେ ଆଜି ଏତେ ସଂପଦଶାଳୀ ସେହିମାନେ ହିଁ କେବଳ ଏ ସମସ୍ତ ଆନ୍ଦୋଳନର ଉଦ୍ୟୋକ୍ତା ଏବଂ ସେମାନଙ୍କ ଉଦ୍ୟମ ଫଳରେ ବ୍ରହ୍ମପୁରରେ ମହାସଭା ବସିଥିଲା । ଆନ୍ଧ୍ରଦାବୀ ଯେପରି ପ୍ରବଳ ପ୍ରଚାର ହୁଏ ସେ ଉଦ୍ଦେଶ୍ୟରେ ବ୍ରହ୍ମପୁରର ଆନ୍ଧ୍ରମାନେ ବିଶାଳ ଆନ୍ଧ୍ରବାଣୀ ନାମରେ ଗୋଟିଏ ପତ୍ରିକା ବାହାର କରିଛନ୍ତି । ଓଡ଼ିଶା ପ୍ରଦେଶ ଓଡ଼ିଆ ମାନଙ୍କ ବିରୁଦ୍ଧରେ ଏହି ପତ୍ରିକାଟି ଏକବାର ଉଦ୍ଦିଷ୍ଟ ଏକଥା ପତ୍ରିକାର ପତ୍ରେ ପତ୍ରେ ସୂଚିତ ହେଉଛି । ଆମ୍ଭମାନଙ୍କ ମଧ୍ୟରେ ଅନେକ ତେଲୁଗୁ ଭାଷା ଅନଭିଜ୍ଞ ଥିବାରୁ ଏ ପତ୍ରିକାର ଲେଖାମାନଙ୍କ ପ୍ରତି କାହାର ଦୃଷ୍ଟି ପଡ଼େ ନାହିଁ । ଓଡ଼ିଆମାନେ ହୁଏତ ଭାବିପାରନ୍ତି ଯେ ବର୍ତ୍ତମାନ ପରିସ୍ଥିତିରେ ଆନ୍ଧ୍ରମାନଙ୍କ ଏହି ଆନ୍ଦୋଳନ ଅରଣ୍ୟରୋଦନ ଛଡ଼ା ଆଉ କିଛି ନ ହୋଇପାରେ । ସେପରି ଭାବିବା ଲୋକ ସହିତ ଆମ୍ଭେମାନେ ସଂପୂର୍ଣ୍ଣ ରୂପେ ଏକମତ ହୋଇ ନପାରୁ । ଯେହେତୁ ଆମ୍ଭେମାନେ ଜାଣୁ ଯେ ଯେଉଁ ଲେଖା ବିଶାଳ ଆନ୍ଧ୍ରବାଣୀ ପ୍ରକାଶ କରେ ସେଗୁଡ଼ିକ ନିତାନ୍ତ ଅଯୌକ୍ତିକ । ତଥାପି ଉତ୍କଳୀୟ ପତ୍ରପତ୍ରିକା ସମୟ ସମୟରେ କୌଣସି ପ୍ରତିବାଦମୂଳକ ଲେଖା ପ୍ରକାଶ କରନ୍ତି ନାହିଁ କିମ୍ବା ସେହି ଲେଖାମାନଙ୍କ ଯଥାଯୋଗ୍ୟ ଉତ୍ତର ଦେବାକୁ କେହି ଚେଷ୍ଟା କରନ୍ତି ନାହିଁ । ଫଳରେ ଏହି ଲେଖାମାନ ଅବାଧରେ ପ୍ରକାଶ ପାଇ ଜନମତ ସୃଷ୍ଟି କରିବା ବିଶେଷ ସମ୍ଭାବନା ରହିଛି । ବର୍ତ୍ତମାନ ଯୁଗର ଶାସନତନ୍ତ୍ର ଗଣତନ୍ତ୍ର ଉପରେ ନିର୍ଭର କରେ ଏକଥା କେହି ଅସ୍ୱୀକାର କରିବେ ନାହିଁ । ଗଣ ଆନ୍ଦୋଳନ ଅନେକ ସମୟରେ ଅସାଧ୍ୟ କଥାମାନ ସାଧ୍ୟପ୍ରବଣ କରିଥାଏ । ତେଣୁ ଆନ୍ଧ୍ରମାନେ ଓଡ଼ିଶା ପ୍ରଦେଶ ଭାଙ୍ଗିବାପାଇଁ ଏ ଯେଉଁ ଆନ୍ଦୋଳନ ସୃଷ୍ଟି କରିବାପାଇଁ ସାହସ କରିଛନ୍ତି ତାକୁ ପଣ୍ଡ କରିବାପାଇଁ ଓଡ଼ିଆମାନେ ଏଣିକି ଜାଗି ଉଠିବା କର୍ତ୍ତବ୍ୟ । ଓଡ଼ିଶା ପ୍ରଦେଶ ହେବା ପୂର୍ବେ ଓଡ଼ିଆମାନେ ଯେପରି ସଂଘବଦ୍ଧ ଭାବରେ ଆନ୍ଦୋଳନ ଚଳାଇ ପ୍ରଦେଶ ପାଇଛନ୍ତି ପ୍ରଦେଶ ହେବା ପରେ ସେମାନଙ୍କ ସମସ୍ତ ଉତ୍ସାହ ଶିଥିଳ ହୋଇଯାଇଛି । (ନବୀନ, ୧୯୪୨ ଅଗଷ୍ଟ ୧୮)

 

ଆନ୍ଧ୍ରମାନଙ୍କ ଓଡ଼ିଆ ବିରୁଦ୍ଧ ଆନ୍ଦୋଳନ ସମ୍ବନ୍ଧରେ ଆଲୋଚନା କରି ତା’ର ବିହିତ ବ୍ୟବସ୍ଥା କରିବା ଉଦ୍ଦେଶ୍ୟରେ କେତେଜଣ ଦେଶ ହିତୈଷୀ ବିଶିଷ୍ଟ ନେତା ବ୍ରହ୍ମପୁର ଉତ୍କଳ ଆଶ୍ରମକୁ ଏକ କେନ୍ଦ୍ର ରୂପେ ପୁନର୍ଗଠନ କରିବାପାଇଁ ୧୯୪୨ରେ ଗୋଟିଏ ସଭା ଆହ୍ୱାନ କରିଥିଲେ । ବଡ଼ଖେମୁଣ୍ଡିର ରାଜା ଏଥିରେ ଅଧ୍ୟକ୍ଷତା କରିଥିଲେ । କୃପାସିନ୍ଧୁ ଉତ୍କଳ ଆଶ୍ରମର ପୁନର୍ଗଠନକୁ ପ୍ରଶଂସା କରିବା ସଂଗେ ସଂଗେ ଏହି ଅନୁଷ୍ଠାନ କାର୍ଯ୍ୟକ୍ରମର ସଂପ୍ରସାରଣପାଇଁ ମନ ବଳାଇଥିଲେ ।

 

୧୯୪୩ ମସିହାରେ ଆନ୍ଧ୍ର ସଂପ୍ରଦାୟର ଗଂଜାମ ଓ କୋରାପୁଟରେ ଆଧିପତ୍ୟ ଉପରେ କୃପାସିନ୍ଧୁ ମନ୍ତବ୍ୟ ଦେଇଥିଲେ । ପ୍ରସ୍ତାବିତ ସ୍ୱତନ୍ତ୍ର ଆନ୍ଧ୍ର ପ୍ରଦେଶରେ ଗଂଜାମ ଓ କୋରାପୁଟ ଜିଲ୍ଲାମାନ ଯେପରି ଅନ୍ତର୍ଭୁକ୍ତ ହେବ ସେ ଦିଗରେ ରୀତିମତ ଆନ୍ଦୋଳନ ଆନ୍ଧ୍ରମାନେ ଚଳାଇଥିବାର ସୂଚନାଦେଇ ସେ ଓଡ଼ିଆ ନେତାମାନଙ୍କର ଏହି ପ୍ରସଙ୍ଗ ପ୍ରତି ଉଦାସୀନତା ଉପରେ ବେଶ ମନ୍ତବ୍ୟ ଦେଇଥିଲେ । ସେ ଲେଖିଥିଲେ–“ଗଞ୍ଜାମ ଓ କୋରାପୁଟର ଆନ୍ଧ୍ରମାନେ ନିଖିଳ ଆନ୍ଧ୍ର ମହାସଭାର ମାରଫତ୍‍ରେ ଯେଉଁସବୁ ଦାବୀ ଉପସ୍ଥାପିତ କରିଛନ୍ତି ସେଥିରୁ ସେମାନଙ୍କର ମନୋଭାବ ବେଶ ବୁଝାଯାଉଛି । ସେ ଉଦ୍ଦେଶ୍ୟରେ କେତେଦିନ ହେଲା ବ୍ରହ୍ମପୁର ସହରରେ ବିଶାଳ ଆନ୍ଧ୍ରବାଣୀ ନାମରେ ଗୋଟିଏ ପତ୍ରିକା ବାହାର ହେଉଛି । ଏଥିରେ ଓଡ଼ିଶା ଓ ଓଡ଼ିଆମାନଙ୍କ ବିରୁଦ୍ଧରେ ଯେଉଁସବୁ ଅଭିଯୋଗ ବେଳେବେଳେ ହେଉଛି ସେ ସମସ୍ତ ପାଠ କଲେ ଓଡ଼ିଆମାତ୍ରକେ ବିଚଳିତ ହେବା କଥା । ଏହି ପତ୍ରିକାଟି ଆନ୍ଧ୍ର ଆନ୍ଦୋଳନର ମୁଖପତ୍ରରୂପେ ପ୍ରକାଶିତ ହେଉଛି । ଏହି ପତ୍ରିକାର କର୍ତ୍ତୃପକ୍ଷ ଓଡ଼ିଶା ସରକାରଙ୍କୁ ଆବେଦନ କରିଛନ୍ତି ଯେ ସରକାର ଯେପରି ପତ୍ରିକାଟିକୁ ସରକାର ଇସ୍ତାହାର ପ୍ରକାଶପାଇଁ ମଂଜୁରି ଦିଅନ୍ତି । ଓଡ଼ିଆମାନଙ୍କ ଜାତୀୟ ଆକାଂକ୍ଷା ବିରୁଦ୍ଧରେ ଆନ୍ଦୋଳନ ଚଲାଇବାପାଇଁ ଯେତେବେଳେ ଏହି ପତ୍ରିକାଟି ସୃଷ୍ଟି ହୋଇଛି ସେତେବେଳେ ଓଡ଼ିଶା ସରକାରଙ୍କୁ ସରକାରୀ ପତ୍ରିକା ରୂପେ ଗ୍ରହଣ କରାଯାଉ ବୋଲି ଆନ୍ଦୋଳନ କରିବା କମ ଦିମାକର କଥା ନୁହେଁ । ଇତି ମଧ୍ୟରେ ନିଖିଳ ଆନ୍ଧ୍ର ମହାସଭାର ଗୋଟିଏ ବିଶେଷ ବୈଠକ ବ୍ରହ୍ମପୁର ସହରରେ ହୋଇଥିଲା । ସେଥିରେ ମାନ୍ଦ୍ରାଜ ବ୍ୟବସ୍ଥା ପରିଷଦର ଭୂତପୂର୍ବ ସଭାପତି ବି. ରାମଚନ୍ଦ୍ର ରେଡ଼ି ସଭାପତି ହୋଇଥିଲେ । ଏ ସଭାରେ ଯେଉଁ ସବୁ ପ୍ରସ୍ତାବ ଆଗତ ହୋଇ ପେସ୍ ହୋଇଥିଲା ସେ ସମସ୍ତ ପ୍ରତି ଆମ୍ଭେମାନେ ଓଡ଼ିଶା ଜନସାଧାରଣ ତଥା ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଛୁ । ଓଡ଼ିଶାରେ ଥିବା ଆନ୍ଧ୍ରମାନଙ୍କ ଆନ୍ଦୋଳନ ମୂଳରେ ବିଜୟନଗର ମହାରାଜ କୁମାର ସର୍ ବିଜୟା ବରାବର ଅଛନ୍ତି । ସର୍ ବିଜୟା ସାର ଷ୍ଚାଫୋର୍ଡ଼ କ୍ରିପସ୍ ଆଗରେ ସୁଦ୍ଧା ଆନ୍ଧ୍ର ସମସ୍ୟା ଉପସ୍ଥାପିତ କରିଥିଲେ । ବର୍ତ୍ତମାନ ଦୁଇଦିନ ପୂର୍ବେ ସର୍ ବିଜୟା ବ୍ରହ୍ମପୁର ଆସିଥିଲେ । ଆନ୍ଧ୍ରମାନେ ତାଙ୍କୁ ସମ୍ବର୍ଦ୍ଧନା କରି ସେମାନଙ୍କ ଅଭାବ ଅଭିଯୋଗ ଜଣାଇଥିଲେ । ନିକଟରେ ନେଜବାଭା ଠାରେ ଆନ୍ଧ୍ର ମହାସଭା ବସି ଓଡ଼ିଶାରେ ଥିବା ଆନ୍ଧ୍ରମାନଙ୍କର ସମସ୍ୟା ପୁଂଖାନୁପୁଂଖ ଭାବେ ଆଲୋଚିତ ହେବ । ଆମ୍ଭମାନଙ୍କର ବର୍ତ୍ତମାନ ନିଶ୍ଚେଷ୍ଟତା ହୁଏତ ଅନେକ ପତ୍ରିକ୍ରିୟା ସୃଷ୍ଟି କରିବାର ଆଶଙ୍କା ରହିଛି । ଯେହେତୁ ଆହୁରି ଅନେକ ଓଡ଼ିଆ ଅଧ୍ୟୁଷିତ ଅଞ୍ଚଳ ମାନ୍ଦ୍ରାଜ ପ୍ରଦେଶରେ ରହିଯାଇଛି, ସେଗୁଡ଼ିକ ଯେପରି ଓଡ଼ିଶା ପ୍ରଦେଶ ସହ ଭୁକ୍ତ ହୁଏ ସେ ଦିଗରେ ଗୁରୁତର ଆନ୍ଦୋଳନ ଦରକାର । ଆନ୍ଧ୍ରମାନେ ଏତିକିବେଳେ ଯେବେ ଏପରି ଆନ୍ଦୋଳନମାନ ଚଳାନ୍ତି ତାହା ହେଲେ ଆମ୍ଭମାନଙ୍କର ଭବିଷ୍ୟତ ସୀମା ପରିବର୍ତ୍ତନ ସ୍ୱପ୍ନରେ ପରିଣତ ହେବ ଏବଂ ବର୍ତ୍ତମାନ ମାନ୍ଦ୍ରାଜ ପ୍ରଦେଶରୁ ଆସିଥିବା ଅଞ୍ଚଳମାନଙ୍କ ଉପରେ ବିଶେଷ ଚାପ ପଡ଼ିବ ।” (ନବୀନ, ୧୯୪୩ ମାର୍ଚ୍ଚ ୩୦)

 

୧୯୪୭ ମସିହାରେ “ବିଶାଳ ଆନ୍ଧ୍ରବାଣୀ”ର ଏକ ପ୍ରସଙ୍ଗ ଉପରେ ସେ ତୀବ୍ର ସମାଲୋଚନା କରିଥିଲେ । “ଆନ୍ଧ୍ରବାଣୀ”ର ଜାନୁଆରୀ ୮ ତାରିଖ ୧୯୪୭ ସଂଖ୍ୟାରେ ଜଣେ ସମ୍ବାଦଦାତା “Look this Orissa” ଶୀର୍ଷକ ଗୋଟିଏ ଲେଖାରେ ଗଂଜାମ ଓ କୋରାପୁଟ ଜିଲ୍ଲାରେ ଆନ୍ଧ୍ରମାନଙ୍କ ଅଭାବ ଓ ଅଭିଯୋଗର ଅବତାରଣା କରିଥିଲେ । କୃପାସିନ୍ଧୁ ଏହାକୁ ସମାଲୋଚନା କରି କହିଥିଲେ–ନିତାନ୍ତ ମିଥ୍ୟା କିମ୍ବା ଅମୂଳକ ଘଟଣା ଗୁଡ଼ିକୁ ସତ୍ୟର ବାତାବରଣ ଦେବା ଉଦ୍ଦେଶ୍ୟରେ ଯେଉଁ ସବୁ ଉଦାହରଣ ଦିଆ ହୋଇଛି ସେଗୁଡ଼ିକୁ ପ୍ରକୃତ ଘଟଣା ନଜାଣିବା ଲୋକେ ହୁଏତ ସନ୍ଦେହ କରିପାରନ୍ତି । ଆନ୍ଧ୍ରମାନଙ୍କ ଅଭାବ ଅଭିଯୋଗ ସଂକ୍ରାନ୍ତରେ ଯେ କେବଳ କେତେକ ବିଷୟର ଅବତାରଣା ହୋଇଛି ତାହା ନୁହେଁ ଅଭିଯୋଗଗୁଡ଼ିକୁ ବଳିଷ୍ଠ କରିବାପାଇଁ କେତେକ ବିଶେଷ ଘଟଣାର ଉଲ୍ଲେଖ ହୋଇଛି । ଏପରି ଗୁଡ଼ାଏ ମିଥ୍ୟା ପ୍ରଚାରଦ୍ୱାରା ଆନ୍ଧ୍ର ସାମ୍ବାଦିକଙ୍କର କି ଭିତିରି ଉଦ୍ଦେଶ୍ୟ ରହିଛି ତାହା ଭେଦ କରିବା ସହଜ ନୁହେଁ । ତେବେ ଏତିକି ବୁଝିବାକୁ ହେବ ଯେ ଆନ୍ଧ୍ରମାନେ ଗଂଜାମ ଓ କୋରାପୁଟ ଜିଲ୍ଲାର ସବୁ କ୍ଷେତ୍ରରେ ଏକଚାଟିଆ ଅଧିକାର ଓ ସୁବିଧା ସୁଯୋଗ ନେବାପାଇଁ ପ୍ରସ୍ତୁତ ଓ ସେଥିରେ ଓଡ଼ିଆମାନଙ୍କୁ କୌଣସି ପ୍ରକାର ଭାଗ ଦେବାକୁ ରାଜି ନୁହନ୍ତି । ଯଦି ଆନ୍ଧ୍ରମାନଙ୍କର ଏହି ନିରବଚ୍ଛିନ୍ନ ସୁବିଧାରେ କୌଣସି ପ୍ରକାର ସରକାରୀ ହସ୍ତକ୍ଷେପ ହୁଏ ତାହା ସେମାନଙ୍କର ନିତାନ୍ତ ଅସହ୍ୟ ହୋଇପଡ଼ୁଛି । ଓଡ଼ିଆମାନଙ୍କ କାମ୍ୟ ପ୍ରାପ୍ୟରେ ବାଧା ଦେବାପାଇଁ ଆନ୍ଧ୍ରମାନଙ୍କ ପକ୍ଷରୁ ନାନା ପ୍ରକାର ପ୍ରତ୍ୟକ୍ଷ ଓ ପରୋକ୍ଷ କୌଶଳମାନ ପ୍ରୟୋଗ ହେଉଛି । ମୁଷ୍ଟିମେୟ ଆନ୍ଧ୍ର ବାସବସତି କରୁଥିବା କେତେକ ଓଡ଼ିଆ ଅଧ୍ୟୁଷିତ ଅଞ୍ଚଳ କଳ୍ପିତ ଆନ୍ଧ୍ର ପ୍ରଦେଶରେ ସାମିଲ କରିବାପାଇଁ ଆନ୍ଧ୍ରମାନଙ୍କ ପକ୍ଷରୁ ଯେଉଁ ସବୁ ଆନ୍ଦୋଳନମାନ ହେଉଅଛି ସେଥିରେ ସତ୍ୟ ଓ ନ୍ୟାୟର ସୀମା ପର୍ଯ୍ୟନ୍ତ ସ୍ପର୍ଶ କରାଯାଉନାହିଁ । ଓଡ଼ିଶା ପ୍ରଦେଶର ଗଠନ ପୂର୍ବେ ସ୍ୱତନ୍ତ୍ର ପ୍ରଦେଶପାଇଁ ଓଡ଼ିଆମାନେ ଯେଉଁ ଆନ୍ଦୋଳନ କରିଥିଲେ ସେଥିରେ କେବେହେଲେ ସତ୍ୟର ଅପଳାପ କରି ନାହାନ୍ତି କିମ୍ବା କୌଣସି କାଳେ ମିଥ୍ୟା ଘଟଣାକୁ ସତ୍ୟର ରୂପଦେବାକୁ ଚେଷ୍ଟା କରିନାହାନ୍ତି । କିନ୍ତୁ ଆମ୍ଭମାନଙ୍କର ଏ ଉଦାହରଣ ମୂଲ୍ୟ ବୁଝୁଛି କିଏ ? ଓଡ଼ିଆ ସ୍ୱାର୍ଥରେ ବାଧାଦେବାପାଇଁ ଆନ୍ଧ୍ରମାନେ ବେଳେବେଳେ କିପରି ନିତାନ୍ତ ଅସତ୍ୟ ପ୍ରନ୍ଥାର ଆଶ୍ରୟ ନିଅନ୍ତି ତାହା ନିମ୍ନଲିଖିତ କେତେକ ଉଦାହରଣରୁ ସ୍ପଷ୍ଟ ପ୍ରମାଣ ମିଳିପାରିବ ।

 

୧.

ଛତ୍ରପୁରର ଜଣେ ଆନ୍ଧ୍ର ଇତି ମଧ୍ୟରେ ଔଷଧିଜଳ ବ୍ୟବସାୟପାଇଁ ଆବେଦନ କରିଥିଲେ-। କିନ୍ତୁ ସେହି ଆନ୍ଧ୍ର ଭଦ୍ରବ୍ୟକ୍ତିଙ୍କୁ ତାହା ମଂଜୁର କରାଯାଇନାହିଁ ଅଥଚ ବ୍ରହ୍ମପୁରର ଜଣେ ଓଡ଼ିଆକୁ ସେପରି ଏକ ମଂଜୁରୀଦ୍ୱାରା ଅନୁଗୃହୀତ କରାଯାଇଛି । ଆନ୍ଧ୍ର ସାମ୍ବାଦିକ ଏତେ ତୁଚ୍ଛ ଘଟଣାକୁ ଏଡ଼େ ଗୁରୁତ୍ୱଦେଇ ତାଙ୍କର ଓଡ଼ିଆ ବିଦ୍ୱେଷ ଭାବ ପତ୍ରିକା ଜରିଆରେ ପ୍ରକାଶ କରିପାରିଛନ୍ତି ଏହା କମ ଦିମାକର କଥା ନୁହେଁ ।

ଆନ୍ଧ୍ର ସାମ୍ବାଦିକଙ୍କର ଦ୍ୱିତୀୟ ଅଭିଯୋଗ–ବହୁ କାଳରୁ ବଂଗ ଓ ଟିଟାଗଡ଼ କାଗଜ କଳର ପ୍ରତିନିଧି ଭାବେ ଦୁଇ ଜଣ ଆନ୍ଧ୍ର ଥିଲେ । ବର୍ତ୍ତମାନ ସେ ସ୍ଥାନ ଜଣେ ଓଡ଼ିଆ ପୂରଣ କରିପାରିଛି । ଏହି ଅଭିଯୋଗ ସୁଦ୍ଧା ପୂର୍ବ ଅଭିଯୋଗଠାରୁ ଅପେକ୍ଷାକୃତ ଅମୂଳକ । ଯେହେତୁ ଗଂଜାମ ଜିଲ୍ଲାର ଇତିହାସରେ କୌଣସି ସମୟରେ କୌଣସି ଆନ୍ଧ୍ର ଜାଗଜ କଳର ପ୍ରତିନିଧି ନଥିଲେ । ବର୍ତ୍ତମାନ ଯେଉଁ ଓଡ଼ିଆ ବ୍ୟବସାୟୀ କାଗଜ କଳର ପ୍ରତିନିଧି ଅଛନ୍ତି ସେ କେବଳ ବହୁ ଦିନରୁ ନିଯୁକ୍ତ ହୋଇଅଛନ୍ତି । ଏପରି ନିରାଟ ମିଥ୍ୟା ଘଟଣାଗୁଡ଼ାକୁ ପତ୍ରିକାରେ ସ୍ଥାନଦେଇ ସହଯୋଗିନୀ ତାଙ୍କ ସଂକୀର୍ଣ୍ଣ ସାଂପ୍ରଦାୟିକତାର ପରିଚୟ ଦେଉଛନ୍ତି ।

 

ଶେଷରେ କୃପାସିନ୍ଧୁ ଏକ କଠୋର ମନ୍ତବ୍ୟଦେଇ କହିଥିଲେ–“ଆମ ପ୍ରଦେଶରେ ରହି ଆମ ସଂପଦରେ ପ୍ରତିପାଳିତ ହୋଇ ଆମ ଅନ୍ନରେ ପରିବର୍ଦ୍ଧିତ ହୋଇ ଆନ୍ଧ୍ରମାନେ ଯେ ଆମ ଉପରେ ପ୍ରଭୃତ୍ୱ ଦେଖାଇବାକୁ ଚେଷ୍ଟା କରୁଛନ୍ତି ତାହା ଅନ୍ୟ ପ୍ରଦେଶରେ ସମ୍ଭବ ହୋଇପାରେ କି-? ଏପରି ଦୁର୍ବଳ ପ୍ରଦେଶ ଓ ଜାତିର ଅସ୍ତିତ୍ୱରେ କି ମୂଲ୍ୟ ଅଛି ? (ନବୀନ, ୨୧ ଜାନୁଆରୀ ୧୯୪୭)

 

ଓଡ଼ିଶା ପ୍ରଦେଶ ଗଠନର ପ୍ରାୟ ତିନିବର୍ଷ ପରେ ବିଚ୍ଛିନ୍ନ ଓଡ଼ିଆ ଅଞ୍ଚଳଗୁଡ଼ିକ ଓଡ଼ିଶାରେ ଅଙ୍ଗୀଭୂତ କରିବାପାଇଁ କୃପାସିନ୍ଧୁ ପ୍ରବଳ ଆନ୍ଦୋଳନ ଆବଶ୍ୟକ ବୋଲି ମତ ଦେଇଥିଲେ । ତାଙ୍କ ମତରେ ଓଡ଼ିଶାବାସୀ ଗୋଟିଏ ଖଣ୍ଡିଆ ଓ ଅର୍ଥ ଅନାଟନ ପ୍ରଦେଶ ପାଇ ଏକ ପ୍ରକାର ନିଶ୍ଚିନ୍ତ । ଓଡ଼ିଶାବାସୀଙ୍କର ନିରବତା ଜାତୀୟ ଜୀବନ ଗଠନର ପ୍ରଧାନ ଅନ୍ତରାୟ ବୋଲି ସେ ଚିନ୍ତା କରିଥିଲେ ।

 

ବଡ଼ଲାଟ ଲର୍ଡ଼ କର୍ଜନ ଓଡ଼ିଶା ଲୋକଙ୍କ ସମ୍ବଦ୍ଧରେ କହିବାକୁ ଯାଇ ଥରେ କହିଥିଲେ–Oriyas are non-agitating people । ବଡ଼ଲାଟଙ୍କର ଏହି ଉକ୍ତିର ଯଥାର୍ଥତା ଅକ୍ଷରେ ଅକ୍ଷରେ ସତ୍ୟ ବୋଲି କୃପାସିନ୍ଧୁ ଏକଦା ୧୯୩୯ରେ ସ୍ୱୀକାର କରିଥିଲେ । ଓଡ଼ିଶା ପ୍ରଦେଶ ହେବା ପରେ ଉତ୍କଳ ସମ୍ମିଳନୀର ଦୁଇଟି ବୈଠକ ବିଚ୍ଛିନ୍ନ ଅଞ୍ଚଳରେ ଦୁଇଟି ଜାଗାରେ ଡକା ଯାଇଥିଲା । ଗୋଟାଏ ସିଂହଭୂମି ଅନ୍ତର୍ଗତ ସଣୁଆରେ ପାରଳାଖେମୁଣ୍ଡି ମହାରାଜାଙ୍କର ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଅନ୍ୟଟି ମଂଜୁଷାରେ ପଣ୍ଡିତ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟଙ୍କର ସଭାପତିତ୍ୱରେ ହୋଇଥିଲା । ଉପରୋକ୍ତ ଦୁଇଟି ସମ୍ମିଳନୀ ବ୍ୟତୀତ ଓଡ଼ିଶାରେ ୧୯୩୬ ରୁ ୧୯୩୯ ମଧ୍ୟରେ କୌଣସି ଆନ୍ଦୋଳନ ହୋଇନଥିଲା । ଏହିପରି ମତଦେଇ କୃପାସିନ୍ଧୁ ଲେଖିଥିଲେ–“ଓଡ଼ିଶା ପ୍ରଦେଶ ହେଲେ ପ୍ରାଦେଶିକ ସରକାରଙ୍କ ସାହାଯ୍ୟ ଓ ସହାନୁଭୂତି ପାଇ ବିଚ୍ଛିନ୍ନ ଅଞ୍ଚଳ ଗୁଡ଼ାକର ସାମିଲପାଇଁ ଲଢ଼ିବାକୁ ହେବ । କାହିଁ ସେପରି ଆଶା କୌଣସି ଭାବେ ଫଳବତୀ ହୋଇପାରିନାହିଁ । ଓଡ଼ିଶା ସରକାର ଏ ଦିଗରେ କୌଣସି ଉଦ୍ୟମ କରୁଥିବା ପରି ବୋଧ ହୁଏ ନାହିଁ । ଖାସ୍ ଓଡ଼ିଶାରୁ କୌଣସି ସହାନୁଭୂତି ନପାଇ ବିଚ୍ଛିନ୍ନ ଅଞ୍ଚଳର ଲୋକେ ଏକ ପ୍ରକାର ନୀରବ ଓ ହତୋତ୍ସାହ ହେଲେଣି । ସେମାନଙ୍କୁ ଆଶ୍ୱାସନାଦେଇ ସେମାନଙ୍କ ମଧ୍ୟରେ ପ୍ରବଳ ଜାତୀୟ ଆକାଂକ୍ଷା ଯେପରି ଜାଗରିତ ହୁଏ ଏ ଦିଗରେ ଓଡ଼ିଶା ସରକାରଙ୍କ ବିଶେଷ କର୍ତ୍ତବ୍ୟ ରହିଛି ।” (ନବୀନ, ୨୧ ଫେବୃଆରୀ ୧୯୩୯)

 

Unknown

।। ୭ ।।

 

ଓଡ଼ିଶାରେ ଅର୍ଥନୈତିକ ଦୁର୍ଗତି ପ୍ରତି ଦୃଷ୍ଟିଦେଇ କୃପାସିନ୍ଧୁ ଏହାର ନିରାକରଣ ଓ ଅର୍ଥନୈତିକ ପ୍ରଗତିର ନାନା ଦିଗ ଉପରେ ୧୯୩୦ ରୁ ୧୯୫୦ ମଧ୍ୟରେ ଚିନ୍ତା କରିଥିଲେ । ୧୯୩୪ ସମିହାରେ ଓଡ଼ିଶାର ବନ୍ୟାଜଳ ପରି ଅସଂଖ୍ୟ ଅଭାବ କଥା ଚିନ୍ତା କରି କୃପାସିନ୍ଧୁ ଏକ ଦୀର୍ଘ ଆଲୋଚନା ନବୀନରେ ପ୍ରକାଶ କରିଥିଲେ । ସେଥିରେ ତାଙ୍କର ବକ୍ତବ୍ୟ ଥିଲା

 

ଏ ପ୍ରଦେଶ ପ୍ରତି କେଜାଣି କାହାର କି ଅଭିଶାପ ଅଛି, ଏହାର ଦୁଃଖ ଦୁର୍ଦ୍ଦଶା ଆଉ ଘୁଞ୍ଚିଲା ନାହିଁ । କେତେବେଳେ ବନ୍ୟା, କେତେବେଳେ ମେଲେରିଆ, କେତେବେଳେ ହଇଜା ଏହିପରି ନାନା ପ୍ରକାର ବିପଦରେ ପଡ଼ି ଓଡ଼ିଶା ସର୍ବସ୍ୱାନ୍ତ ହେବାକୁ ବସିଲାଣି l ଆଜିକାଲି ଓଡ଼ିଶାର ଅଧିକାଂଶ ଲୋକେ ପେଟପୂରା କରି ମୁଠାଏ ଖାଇବାକୁ ପାଉନାହାନ୍ତି । ଗତବନ୍ୟାଦ୍ୱାରା ଜମିବାଡ଼ି, ଘରଦ୍ୱାର, ଧନଜୀବନ ହରାଇ ହା ହା କରି ଉପରକୁ ଚାହିଁ ବସିଛନ୍ତି । ଦୁଇ ତିନି ବର୍ଷ ପୂର୍ବରୁ କୃଷିଜାତ ଦ୍ରବ୍ୟର ଦରଦାମ ଊଣା ପଡ଼ିଯିବାରୁ କୃଷକମାନେ ଘରର ସୁନା, ରୂପା, କଂସା ତାଟିଆ ବିକି ଖଜଣା ଦେଉଥିଲେ ଏବଂ ଋଣ କରି ନିଜ ନିଜର ମାନ ମହତ ରକ୍ଷା କରି ଆସୁଥିଲେ-। ଗତବର୍ଷ ବନ୍ୟା ଆସି ଏକାବେଳେ ୩ ଲକ୍ଷ ଏକର ଜମି ଓ ୬୪ ହଜାର ଘର ନଷ୍ଟ କରି ଚାଲିଗଲା-। ତା ପଛେ ପଛେ ହଇଜା ଓ ମେଲେରିଆ ଆସି ବନ୍ୟା ପୀଡ଼ିତ ବିପନ୍ନ ଲୋକମାନଙ୍କ ଉପରେ ପ୍ରଭାବ ବିସ୍ତାର କଲା । ଫଳରେ ଶତ ଶତ ଲୋକ ନିରାଶ୍ରୟ ନିଃସହାୟ ଭାବେ ମୃତ୍ୟୁ ମୁଖରେ ପଡ଼ିଲେ । ଅବଶ୍ୟ ଜନସାଧାରଣ ପକ୍ଷରୁ ଓ ସରକାର ତରଫରୁ ଏହି ବନ୍ୟା ବିପନ୍ନ ଲୋକମାନଙ୍କୁ ଯଥାସାଧ୍ୟ ସାହାଯ୍ୟ ଦିଆଯାଇଥିଲା । କିନ୍ତୁ ଏପରି ସାମୟିକ ସାହାଯ୍ୟ ଲୋକମାନଙ୍କ ଦୁର୍ଦ୍ଦଶା ଦୃଷ୍ଟିରେ ଯଥେଷ୍ଟ ନୁହେଁ । ବନ୍ୟା ବିପତ୍ତି ନିରାକରଣର ସ୍ଥାୟୀ ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ଓଡ଼ିଶାର ଏ ଦୁର୍ଗତି କମିବ ନାହିଁ । ଏଥିପାଇଁ ଥରକୁ ଥର ବନ୍ୟା ଅନୁସନ୍ଧାନ କମିଟି ବସୁଛି । କିନ୍ତୁ ଉପଯୁକ୍ତ ପ୍ରତିକାର ଏ ପର୍ଯ୍ୟନ୍ତ କରାଗଲା ନାହିଁ । ଖଜଣା ଅସଲୁର ଧୁମ୍ ଚାଲିଛି । ଜମିଦାରମାନେ ଧମକ ଚମକ ଦେଖାଇ ନାଲିଶ୍ ନିଲାମ କରି କର ଆଦାୟ କରିବାରେ ଲାଗିଛନ୍ତି । ଯେଉଁମାନେ ସର୍ବସ୍ୱ ହରାଇ ଖାଇବାକୁ ନପାଇ ଶାଗ ପତ୍ରଦ୍ୱାରା ଜୀବନ ଧାରଣ କରିଛନ୍ତି ସେମାନେ ବା ଖଜଣା ଦେବେ କିପରି ? ଆଉ କେତେ ରୟତଙ୍କ ଘରେ ତ ସୁନା ଚିନାଏ ନାହିଁ କି କଂସାବାସନ ଖଣ୍ଡେ ନାହିଁ । କେବଳ ଆଶା କଳ୍ପନାର ଆଶ୍ରୟ ନେଇ ଭଙ୍ଗା ଦଦରା କୁଡ଼ିଆରେ ପଡ଼ି ଯେ କୌଣସି ମତେ ଦିନ କାଟୁଛନ୍ତି । ସେମାନେ ବା ଖଜଣା ଦେବେ କିପରି ? ବାକି କେତେକ ମଧ୍ୟବିତ୍ ଶ୍ରେଣୀର ଲୋକେ ଆଜିକାଲି ବଡ଼ ହଇରାଣରେ ପଡ଼ିଛନ୍ତି । ହାତରେ ପଇସାଟିଏ ନାହିଁ । ଏଠୁ ସେଠୁ ଋଣ କରି ଖାଲି ମାନ ମହତ୍ତ୍ୱ ବଞ୍ଚାଇ ରଖିଛନ୍ତି । ସେମାନଙ୍କୁ କେତେକାଂଶରେ ଖଜଣା ଛାଡ଼ କରା ନଗଲେ ରକ୍ଷା ନାହିଁ । ସେଥିପାଇଁ ଚାରିଆଡ଼େ ଆନ୍ଦୋଳନ ଚାଲିଛି । ସ୍ଥାନେ ସ୍ଥାନେ ରୟତ ସମ୍ମିଳନୀ ବସି ଖଜଣା କମାଇ ଦେବାପାଇଁ ସରକାରଙ୍କୁ ଅନୁରୋଧ କରାଯାଉଛି। (ନବୀନ, ୧୯୩୪ ଜାନୁଆରୀ ୯)

 

ଓଡ଼ିଶାର ବନ୍ୟା ସମସ୍ୟା କୃପାସିନ୍ଧୁଙ୍କ ଆଲୋଚନାର ଏକ ବିଶିଷ୍ଟ ପ୍ରସଙ୍ଗ ଥିଲା । ବନ୍ୟା ଦୁର୍ଭିକ୍ଷର ଦାଉରେ ଯେ ଓଡ଼ିଆ ଚିରଦିନ ପୀଡ଼ିତ–ବନ୍ୟା ଏ ଜାତିର ଯେ ଅସ୍ଥି ମଚ୍ଚାଗତ–ଏ କଥା କୃପାସିନ୍ଧୁ ବେଶ୍ ବୁଝିଥିଲେ । ସେ ସେଥିପାଇଁ କହିଥିଲେ–“ଆଜି ଏ ଜାତିର ଯଦି କେହି ମେରୁଦଣ୍ଡ ଭାଙ୍ଗି ଦେଇଥାଏ, ଏ ଜାତିକୁ ଅନ୍ୟ ଜାତିମାନଙ୍କ ସମାନ ଆସନରୁ ପଛକୁ ଯଦି କେହି ଟାଣି ଆଣିଥାଏ ତା ହେଉଛି ବନ୍ୟା । ଏହି ବନ୍ୟା ଓଡ଼ିଶାରେ ଘର କରି ରହିଲାଣି । ପ୍ରତିବର୍ଷ ହଜାର ହଜାର ଏକର ଜମି ବାଲିଚର ହୋଇଯାଉଛି । ଶତ ଶତ ଗୋରୁ ଗାଈ ମନୁଷ୍ୟ ହଜାର ହଜାର ଟଙ୍କାର ଧନ ଦରବ କେଉଁ ଆଡ଼େ ଚାଲିଯାଉଛି । ଗରୀବ ଓଡ଼ିଆ ମୁଠେ ଦାନା ପେଟକୁ ଖଣ୍ଡେ କନା ଅଣ୍ଟାକୁ ପାଉନାହିଁ ।” ୧୯୩୮ ମସିହାରେ ଓଡ଼ିଶାର ବନ୍ୟାର ପ୍ରକୋପକୁ ଏହିପରି ଭାବେ ଚିତ୍ରଣ କରି ଏହାର ପ୍ରତିକାର ଦାବୀ କରିଥିଲେ । (ନବୀନ, ୨୨ ମାର୍ଚ୍ଚ ୧୯୩୮)

 

୧୯୪୩ ମସିହାରେ ଓଡ଼ିଶାରେ ଗୁରୁତ୍ୱପୂର୍ଣ୍ଣ ବନ୍ୟା ସମସ୍ୟା ସଂପର୍କରେ ସେ ଅନେକ ମନ୍ତବ୍ୟ ଦେଇଥିଲେ । ଓଡ଼ିଶାର ବନ୍ୟା ସମସ୍ୟାର ସମାଧାନ ନେଇ ପ୍ରବଳ ଆନ୍ଦୋଳନ ଏବଂ ତାହାର ଗୋଟାଏ ଗୁରୁତ୍ୱପୂର୍ଣ୍ଣ ଚିତ୍ର ବାହାରେ ପ୍ରକାଶ ପ୍ରତି ସେ ସେତେବେଳେ ଗୁରୁତ୍ୱ ଦେଇଥିଲେ-। ସେଥିପାଇଁ ସେ ପାରଳାରାଜାଙ୍କ ନେତୃତ୍ୱରେ ପରିଚାଳିତ ମନ୍ତ୍ରୀମଣ୍ଡଳ ଉପରେ ବିଶେଷ ଭରସା କରିଥିଲେ । ସେ ଗଜପତି ମହାରାଜଙ୍କୁ ଓଡ଼ିଶାର ବନ୍ୟା ସମସ୍ୟାକୁ ନିଖିଳ ଭାରତୀୟ ସମସ୍ୟାରେ ପରିଣତ କରି ଏଥିପ୍ରତି ବିଲାତ ଓ ଭାରତ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଅନୁରୋଧ କରିଥିଲେ ।

 

ଓଡ଼ିଶାରେ ୧୯୩୮ ମସିହା ବେଳକୁ ଶିଳ୍ପ ସଂଗଠନ ସମସ୍ୟା ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଥିଲା । କୃପାସିନ୍ଧୁ ଏହି ଶିଳ୍ପ ସଂଗଠନଦ୍ୱାରା ଓଡ଼ିଶାର ଅଗ୍ରଗତି ଘଟିବ ବୋଲି ସେତେବେଳେ ଆଶା କରିଥିଲେ ।

 

ସେ ଯଥାର୍ଥରେ ମତ ଦେଇଥିଲେ–ବ୍ରିଟିଶ ଓ ଗଡ଼ଜାତ ଓଡ଼ିଶାରେ ଅନେକ ଜାତୀୟ ସଂପଦ ପ୍ରଚ୍ଛନ୍ନ ଭାବରେ ରହିଛି । ବିଶେଷତଃ ଗଂଜାମ, କୋରାପୁଟ ଓ କେତେକ ଗଡ଼ଜାତମାନଙ୍କରେ ଶିଳ୍ପ ସାମଗ୍ରୀ ଓ ଖଣିଜ ଦ୍ରବ୍ୟମାନ ପୁରି ରହିଛି । ସେଗୁଡ଼ିକ କିପରି ଭାବରେ ବାହାର କରି ଜନସାଧାରଣଙ୍କ ଉପକାରରେ ଲଗାଇବାକୁ ହେବ ଏ ଦିଗରେ ଆଜି ସୁଦ୍ଧା କୌଣସି ସରକାରୀ କିମ୍ବା ବେସରକାରୀ ଉଦ୍ୟମ ହୋଇନାହିଁ । ଅନେକ ବାର ସରକାରଙ୍କ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା ସରକାର କୌଣସି ଭାବେ ବିଚଳିତ ହୋଇନାହାନ୍ତି । ଓଡ଼ିଶା ନିଅଣ୍ଟିଆ ପ୍ରଦେଶ ବୋଲି ଜଗତରେ ପରିଚିତ । ଶିଳ୍ପ ସଂଗଠନ ଓ ଶିଳ୍ପୋନ୍ନତି ସହିତ ପ୍ରାଦେଶିକ ଅର୍ଥ ଆଦାୟ ବିଶେଷ ଭାବରେ ସଂପୃକ୍ତ । ଓଡ଼ିଶାର ଏହି ଦାରିଦ୍ର୍ୟର ଆଶୁ ପ୍ରତିକାରପାଇଁ ସରକାର ଏ ଦିଗରେ କିଛି ବ୍ୟବସ୍ଥା କରନ୍ତୁ । ଓଡ଼ିଶା ଦେଶୀୟ ରାଜାମାନେ ମଧ୍ୟ ସୁଯୋଗର ଉପଯୁକ୍ତ ସଦ୍‍ବ୍ୟବହାର କରିବା ଉଚିତ । କେତେ ରାଜା ପ୍ରଜାମାନଙ୍କୁ ଦମନ କରିବା ଦିଗରେ ଯେପରି ଉତ୍ସାହ ଦେଖାଉଛନ୍ତି ସେହି ଉତ୍ସାହଟା ଏ ଦିଗରେ ପ୍ରୟୋଗ କଲେ ରାଜ୍ୟର ଅନେକ ଉପକାର ହୁଅନ୍ତା । ରାଜାମାନେ ଶିଳ୍ପ ସଂଗଠନ ଓ ଜାତୀୟ ସଂପଦମାନଙ୍କର ଉଦ୍ଧାର ଦିଗରେ ଯଦି ଦୃଷ୍ଟି ଦିଅନ୍ତି ତାହାହେଲେ ରାଜ୍ୟର ଅଶାନ୍ତି ରହିଲା କେଉଁଠାରେ ? (ନବୀନ, ୧୯୩୮, ନଭେମ୍ବର ୮)

 

ଚୌଦ୍ୱାରରେ ପ୍ରତିଷ୍ଠିତ ହୋଇଥିବା ଓଡ଼ିଶା ଟେକ୍ସଟାଇଲ ମିଲ୍ ପରି ବିରାଟ ସୂତା ଓ ଲୁଗା କାରଖାନାକୁ ଓଡ଼ିଶାର ଶିଳ୍ପ ଇତିହାସର ଏକ ବିରାଟ ଘଟଣା ରୂପେ ସେ ୧୯୪୬ରେ ଗ୍ରହଣ କରିଥିଲେ । ୧୯୪୬ରେ ଏପରି ଏକ କାରଖାନାପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା । ଏପରି ଏକ ପଦକ୍ଷେପକୁ ସ୍ୱାଗତ କରି ସେ ଏକ ସୁଚିନ୍ତିତ ମତ ପ୍ରକାଶ କରିଥିଲେ । ଏହା ନିମ୍ନରେ ଉଦ୍ଧାର କରାଯାଛି :

 

ଓଡ଼ିଶାର ଆବଶ୍ୟକ ଦୃଷ୍ଟିରୁ ଏ ଧରଣର ଗୋଟାଏ କଂପାନୀର ଅଭାବ ବହୁଦିନ ଧରି ଅନୁଭୂତ ହେଉଥିଲା । ଯୁଦ୍ଧୋତ୍ତର ଯୁଗରେ ଭାରତର ପ୍ରତ୍ୟେକ ପ୍ରଦେଶରେ କୃଷିବାଣିଜ୍ୟର ପ୍ରସାରପାଇଁ ଅନେକ ନୂଆ ନୂଆ ଶିଳ୍ପ ବ୍ୟବସାୟର ପ୍ରତିଷ୍ଠା ପାଇବାର ସୂଚନା ମିଳେ । ସେଥିପାଇଁ ପ୍ରତ୍ୟେକ ପ୍ରାଦେଶିକ ସରକାର କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା ଚଳାଇଛନ୍ତି ଏବଂ କେତେକ ପ୍ରଦେଶରେ ସୁଦ୍ଧା ସମସ୍ତ ପ୍ରକାର ପ୍ରାରମ୍ଭିକ ଆୟୋଜନ ହୋଇସାରିଛି । ଗରିବ ଓଡ଼ିଶାର ଅର୍ଥ ଅନାଟନ ଦୃଷ୍ଟିରୁ ବେଳେବେଳେ ଆମ୍ଭମାନଙ୍କର ସମସ୍ତ ପ୍ରକାର ପରିକଳ୍ପନା କଳ୍ପନାରେ ହିଁ ପର୍ଯ୍ୟବେସିତ ହୋଇଥାଏ । କିନ୍ତୁ ଗରୀବ ଅବସ୍ଥାରେ ଓଡ଼ିଶା ଚିରକାଳ ରହିଲେ ତା’ର ସମସ୍ତ ପ୍ରକାର ମୂଲ୍ୟବାନ ଖଣିଜ ସଂପଦ ଲୋକସାଧାରଣଙ୍କ ଉପକାରରେ ନଲାଗି ଭୂଗର୍ଭରେ ପୋତି ହୋଇ ରହିଥିବ । ଯେତେଦିନ ପର୍ଯ୍ୟନ୍ତ ଏସବୁ ଖଣିଜ ସଂପଦର ସଦ୍‍ବ୍ୟବହାର ହୋଇନାହିଁ ସେତେଦିନ ପର୍ଯ୍ୟନ୍ତ ଓଡ଼ିଶା ଗରୀବ ପ୍ରଦେଶ ବୋଲି ପରିଚିତ ହେଉଥିବ ଏବଂ ତା’ର ପରିଚାଳନାପାଇଁ କେନ୍ଦ୍ର ସରକାରଙ୍କ ବଦାନ୍ୟତା ଉପରେ ନିର୍ଭର କରୁଥିବ । ଭାରତ ସରକାର ଓଡ଼ିଶାରେ ଏହି ଲୁଗା ସୂତା କଂପାନୀର ପ୍ରତିଷ୍ଠାପାଇଁ ସମସ୍ତ ପ୍ରକାର ସୁବିଧା ଦେବାର ସ୍ଥିର କରିଛନ୍ତି ଏବଂ ସେଥିପାଇଁ ସର୍ବପ୍ରଥମେ କଳକବଜା ବିଦେଶରୁ ଅଣାଇବାର ବ୍ୟବସ୍ଥା ସୁଦ୍ଧା କରିନେବେ । ଏହି କଂପାନୀ ପ୍ରତିଷ୍ଠା ହେଲେ ଓଡ଼ିଶା ଲୋକ ସାଧାରଣଙ୍କୁ ଆଉ ବିଦେଶ ଆମଦାନୀ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ । (ନବୀନ, ୫ ଫେବୃଆରୀ, ୧୯୪୬)

 

୧୯୩୯ ମସିହାଠାରୁ ଜଳପ୍ରପାତରୁ ବିଦ୍ୟୁତ ଶକ୍ତି ଉତ୍ପାଦନ ଦିଗରେ ସରକାରୀ ଉଦ୍ୟମ ହେବା ଆବଶ୍ୟକ ବୋଲି ସେ ବାରଂବାର ମତ ଦେଇଥିଲେ । ସେତେବେଳେ ପ୍ରାକୃତିକ ସଂପଦକୁ ସଦ୍‍ବ୍ୟବହାର କଲେ ଓଡ଼ିଶାରେ ଧନର ଅଭାବ ହେବ ନାହିଁ ବୋଲି ସେ ସିଦ୍ଧାନ୍ତ ନେଇଥିଲେ । ଜୟପୁରର ଦୋଦୋମା ଓ ବୋଗ୍ରା ନାମକ ଦୁଇଟି ଜଳପ୍ରପାତକୁ ବ୍ୟବହାର କରି ବିଦ୍ୟୁତ ଶକ୍ତି ଉତ୍ପାଦନ କରାଯିବା ଉଚିତ ଏବଂ ତାହାଦ୍ୱାରା ଓଡ଼ିଶାର ଅନେକ ଉପକାର ହୋଇପାରିବ ବୋଲି ସେ ସୂଚନା ଦେଇଥିଲେ । ସେହିପରି ୧୯୪୨ ମସିହାରେ ଗଂଜାମରେ ଥିବା ରସଲକୋଣ୍ଡା ଓ ସୋରଡ଼ା ଜଳଭଣ୍ଡାରର ଉପଯୋଗପାଇଁ ସରକାରଙ୍କଠାରେ ଦାବୀ କରିଥିଲେ । ଓଡ଼ିଶାରେ କୃଷି ଓ ବାଣିଜ୍ୟର ଅଗ୍ରଗତିପାଇଁ ଜଳଭଣ୍ଡାରର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ଉପରେ ସେ ବାରଂବାର ଆଲୋଚନା କରିଥିଲେ । ଓଡ଼ିଶାକୁ ଗୋଟିଏ ନଦୀବହୁଳ ପ୍ରଦେଶ ହିସାବରେ ଗ୍ରହଣ କରି ଦୁଇ ଚାରିଟା ନଦୀର ସଂଗମସ୍ଥଳରେ ଗୋଟାଏ ବିରାଟ ଜଳଭଣ୍ଡାର ପ୍ରତିଷ୍ଠା ହେଲେ ବନ୍ୟାର ଭୟ ଦୂର ହେବା ସଂଗେ ସଂଗେ ପ୍ରଦେଶର କୃଷି ଓ ଶିଳ୍ପର ଉନ୍ନତି ସମ୍ଭବ ହୁଅନ୍ତା ବୋଲି ସେ ଦୃଢ଼ ବିଶ୍ୱାସ ରଖିଥିଲେ । ସେଥିପାଇଁ ସେ ସିନ୍ଧୁ ପ୍ରଦେଶର ଉଦାହରଣ ସରକାରଙ୍କଠାରେ ରଖିଥିଲେ । ସେ ସିନ୍ଧୁର ସୁକ୍ୱୁର ବାରେଜ ପରି ଓଡ଼ିଶାରେ ଏକ ବାରେଜ ପ୍ରତିଷ୍ଠା ପାଇବାପାଇଁ ସରକାରୀ ଓ ବେସରକାରୀ ନାନା ଦିଗରୁ ଆନ୍ଦୋଳନ ହେବା ଉଚିତ ବୋଲି ଚିନ୍ତା କରିଥିଲେ । (ନବୀନ, ଜୁନ ୬, ୧୯୪୨)

 

ଡୁଡୁମା ଜଳପ୍ରପାତ ଚର୍ଚ୍ଚା କୃପାସିନ୍ଧୁ ସାମ୍ବାଦିକ ଜୀବନର ଏକ ଅବିସ୍ମରଣୀୟ ଅଧ୍ୟାୟ । ଡୁଡୁମା ସହିତ ଓଡ଼ିଆ ଜାଗୃତିକୁ ସଂଯୋଜିତ କରି ସେ ଓଡ଼ିଶାର ମହା ଶିଳ୍ପ ଜାଗରଣର ସ୍ୱପ୍ନ ଦେଖିଥିଲେ । ତାଙ୍କ ମତରେ–ଡୁଡୁମା ଜଳପ୍ରପାତ ଓଡ଼ିଶା ପ୍ରଦେଶରେ ଗୋଟାଏ ବିରାଟ ଜାତୀୟ ସଂପଦ । ଓଡ଼ିଶାର ଭବିଷ୍ୟତ ଭାଗ୍ୟ ଏହି ଡୁଡୁମା ଉପରେ ବିଶେଷ ଭାବେ ନିର୍ଭର କରୁଛି । ଯୁଦ୍ଧ ପର ଯୁଗପାଇଁ ଯେଉଁ ସବୁ ନୂଆ ନୂଆ ଯୋଜନା ତଥା ପରିକଳ୍ପନା ମାନ କରାଯାଉଛି ସେଥିପାଇଁ ସହଜଲଭ୍ୟ ବୈଦ୍ୟୁତିକ ଶକ୍ତିର ଯେ ଆବଶ୍ୟକ ପଡ଼ିବ ଏଥିରେ କୌଣସି ସନ୍ଦେହ ନାହିଁ । ସେଥିପାଇଁ ପୂର୍ବରୁ ଭାରତର ଅନେକ ପ୍ରଦେଶ ପ୍ରସ୍ତୁତ ହେଲେଣି । ଜଳଜ ବୈଦ୍ୟୁତିକ ଶକ୍ତି କିପରି ଆହରଣ କରାଯାଇପାରିବ ସେ ସଂକ୍ରାନ୍ତରେ ବର୍ତ୍ତମାନ ପଂଜାବ, ବଂଗ, ମଧ୍ୟପ୍ରଦେଶ ପ୍ରଭୃତି ପ୍ରଦେଶରେ ଯୋଜନାମାନ ପ୍ରସ୍ତୁତ ହେଉଥିଲା ବେଳେ ଓଡ଼ିଶାରୁ ଏହି ପ୍ରାକୃତିକ ସଂପଦ ମାନ୍ଦ୍ରାଜ ସରକାର ହାତକୁ ଚିରକାଳପାଇଁ ଚାଲିଯାଉଥିବା ବଡ଼ କ୍ଷୋଭର ବିଷୟ । ଗୋଟାଏ ପ୍ରଦେଶ ହିସାବରେ ଓଡ଼ିଶା ଭାରତର ଅନ୍ୟାନ୍ୟ ପ୍ରଦେଶ ସହିତ ଯୁଦ୍ଧ ପର ଯୁଗପାଇଁ ପ୍ରସ୍ତୁତ ହେବା ଉଚିତ-। ଠିକ୍ ଏତିକି ବେଳେ ଏହି କଳ୍ପିତ ଡୁଡୁମା ହସ୍ତାନ୍ତର ଓଡ଼ିଶାର ଭବିଷ୍ୟତ ଭାଗ୍ୟ ଉପରେ ଗୋଟାଏ ବିରାଟ ବଜ୍ରପାତ । ଏଥିଦ୍ୱାରା ଓଡ଼ିଶାର ଜନସାଧାରଣଙ୍କ ମନରେ ଘୋର ଅଶାନ୍ତି ଜାତ ହେବା ସ୍ୱାଭାବିକ l ତେଣୁ ସେ ଏ ସଂକ୍ରାନ୍ତୀୟ ଚୁକ୍ତିର ପୁନର୍ବିଚାରପାଇଁ ଜନସାଧାରଣଙ୍କ ତରଫରୁ ଦାବୀ କରିଥିଲେ। (ନବୀନ, ଅଗଷ୍ଟ ୧, ୧୯୪୪)

 

୧୯୪୫ ମସିହାରେ ଡୁଡୁମା ସମସ୍ୟା ଜନସାଧାରଣଙ୍କପାଇଁ ଉଦବେଗପୂର୍ଣ୍ଣ ଥିଲା । ଏହାକୁ ଯେ କୌଣସି ମତେ ନିଜ ପ୍ରଦେଶର ହିତରେ ଲଗାଇବାପାଇଁ ମାନ୍ଦ୍ରାଜ ସରକାର ପକ୍ଷରୁ ସମସ୍ତ ବଳ କୌଶଳ ପ୍ରୟୋଗ କରାହୋଇଥିଲା ଓ ଓଡ଼ିଶାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ତେଣୁ କୃପାସିନ୍ଧୁ ଏକ ସଂପାଦକୀୟ ଅଭିମତଦରେ ଲେଖିଥିଲେ: ଡୁଡୁମା ଓ ବାଗ୍ରା ଜଳପ୍ରପାତ ପ୍ରତି ମାନ୍ଦ୍ରାଜ ସରକାରଙ୍କର ବହୁଦିନ ଧରି ଲୋଲୁପ ଦୃଷ୍ଟି ଥିଲା । ସେଥିପାଇଁ ଯେତେବେଳେ ଜୟପୁର ଅଞ୍ଚଳ ଓଡ଼ିଶାରେ ଅନ୍ତର୍ଭୁକ୍ତ କରିବା କଥା ଉତ୍‍ଥାପିତ ହେଲା ସେତେବେଳେ ମାନ୍ଦ୍ରାଜ ସରକାରଙ୍କ ପକ୍ଷରୁ ତା’ର ତୀବ୍ର ପ୍ରତିବାଦ ହୋଇଥିଲା । ଓଡ଼ିଶା ପ୍ରଦେଶରେ କୋରାପୁଟ ଜିଲ୍ଲା ଅନ୍ତର୍ଭୁକ୍ତ ହେବାପରେ ସୁଦ୍ଧା ମାନ୍ଦ୍ରାଜ ସରକାର କୋରାପୁଟ ଜିଲ୍ଲା ଉପରୁ ଦୃଷ୍ଟି ଫେରାଇ ନାହାନ୍ତି ଓ ଡୁଡୁମା ଜଳପ୍ରପାତରୁ ବିଦ୍ୟୁତିକ ଶକ୍ତି ବାହାର କରି ମାନ୍ଦ୍ରାଜ ପ୍ରଦେଶର ସ୍ୱାର୍ଥରେ ବ୍ୟବହାର କରିବା ଉଦ୍ୟମରୁ କ୍ଷାନ୍ତ ହୋଇନାହାନ୍ତି । କଂଗ୍ରେସ ମନ୍ତ୍ରୀମଣ୍ଡଳ ବେଳେ ପ୍ରଥମେ ମାନ୍ଦ୍ରାଜ ସରକାର ଡୁଡୁମା ଜଳପ୍ରପାତକୁ ଓଡ଼ିଶା ସହିତ ସମବାୟ ସୂତ୍ରରେ କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ସେ ସମସ୍ତ ଉଦ୍ୟମ ଉଦ୍ୟମରେ କେବଳ ପର୍ଯ୍ୟବସିତ ହୋଇଥିଲା । ଯେତେଦୂର ଅନୁମାନ ହୁଏ, ଉଭୟ ସରକାର ମଧ୍ୟରେ ସେପରି କୌଣସି ସନ୍ତୋଷଜନକ ସମାଧାନ ହୋଇପାରି ନଥିଲା । ତାପରେ ୯୦ ଧାରା ଶାସନ ଉଭୟ ପ୍ରଦେଶରେ ପ୍ରବର୍ତ୍ତିବା ଫଳରେ ଏ ଦିଗରେ ସମସ୍ତ ଉଦ୍ୟମମାନ କିଛି କାଳପାଇଁ ସ୍ଥଗିତ ରହିଲା । କିନ୍ତୁ ମାନ୍ଦ୍ରାଜ ସରକାର ଯେ ନାନା ଦିଗରୁ ଏ ସଂକ୍ରାନ୍ତରେ ଉଦ୍ୟମ କରୁଥିଲେ ତାହା ପରବର୍ତ୍ତୀ ଘଟଣାମାନଙ୍କରୁ ବେଶ ଅନୁମାନ ହୁଏ । ତାପରେ ମାନ୍ଦ୍ରାଜ ସରକାର ଜୟପୁର ମହାରାଜଙ୍କ ସହିତ ଗୋଟାଏ ଚୁକ୍ତି କରିଥିଲେ । ଜୟପୁର ମହାରାଜ ଓ ମାନ୍ଦ୍ରାଜ ସରକାର କରିଥିବା ଚୁକ୍ତିରେ ଓଡ଼ିଶା ସରକାରଙ୍କ କୌଣସି ହାତ ନଥିଲା । ମାନ୍ଦ୍ରାଜ ସରକାରଙ୍କର ଏହି ଚୁକ୍ତିରେ ଆପତ୍ତି କରି ଓଡ଼ିଶାରେ ଯେଉଁ ଆନ୍ଦୋଳନ ହୋଇଥିଲା ତାହା ଓଡ଼ିଶା ଇତିହାସରେ ଅଶ୍ରୁତପୂର୍ବ । ଫଳରେ ଏହି ଚୁକ୍ତି ରଦ୍ଦ କରାଇ ଓଡ଼ିଶା ସରକାର ଦେଶବାସୀଙ୍କ ଧନ୍ୟବାଦର ପାତ୍ର ହେଲେ ।

 

ତାପରେ ଶୁଣାଗଲା ଯେ ମାନ୍ଦ୍ରାଜ ଓ ଓଡ଼ିଶା ଉଭୟ ସରକାର ଏଇ ଯୋଜନାକୁ କାର୍ଯ୍ୟକାରୀ କରିବେ ଏବଂ ଓଡ଼ିଶା କିଛି ଅଂଶ ସେଥିରୁ ପାଇବ । ଏ ସଂକ୍ରାନ୍ତରେ ମାନ୍ଦ୍ରାଜ ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ଯେଉଁ ମିଳିତ ବିବୃତ୍ତି ପ୍ରକାଶ ପାଇଥିଲା ସେଥିରେ ପୁଣି ନୂଆ ଚାଞ୍ଚଲ୍ୟ ଖେଳିଗଲା । ଏହି ଯୋଜନାକୁ ପୁରାପୁରି ଓଡ଼ିଶାରେ କାର୍ଯ୍ୟକାରୀ କରାଇବାପାଇଁ ଓଡ଼ିଶା ଜନସାଧାରଣଙ୍କ ପକ୍ଷରେ ଦାବୀ ହେଲା । ଓଡ଼ିଶାବାସୀଙ୍କ ଏହି ଦାବୀକୁ ପଣ୍ଡ କରିବାପାଇଁ ମାନ୍ଦ୍ରାଜ ପୁଣି ଗୋଟାଏ ନୂଆ କୌଶଳ ବାହାର କରିଛି । ଡୁଡୁମା ମାନ୍ଦ୍ରାଜ ପ୍ରଦେଶର ଅନ୍ତର୍ଭୁକ୍ତ ବୋଲି ଯେଉଁ ପ୍ରଚାର ଚାଲିଛି ତା’ର ଭିତ୍ତି କେଉଁଠାରେ ତାହା ଜାଣିବା ସହଜ ନୁହେଁ । ଏହି ଦୁରଭିସନ୍ଧିମୂଳକ ପ୍ରଚାର ଦୃଷ୍ଟିରୁ ଓଡ଼ିଶା ସରକାରଙ୍କ ପକ୍ଷରୁ କୌଣସି ବିବୃତ୍ତି ପ୍ରକାଶ ପାଇନଥିବା ହେତୁ ଏହା ଘୋର ଆତଙ୍କ ସୃଷ୍ଟି କରିଛି । ଓଡ଼ିଶା ସରକାରଙ୍କ ନୀରବତା ଏବଂ ଏ ସଂକ୍ରାନ୍ତରେ ବିଭିନ୍ନ ସରକାରଙ୍କ ପ୍ରତିନିଧିମାନଙ୍କ ମନ୍ତ୍ରଣାରୁ ଅନୁମାନ ହୁଏ ଯେ ଏହି ପ୍ରଚାର ଏକବାର ଭିତ୍ତିଶୂନ୍ୟ l କୌଣସି ସ୍ଵାର୍ଥପର ଲୋକେ ଓଡିଶା ଆନ୍ଦୋଳନକୁ ଦବାଇବାପାଇଁ ଗୋପନ କୌଶଳ ସୃଷ୍ଟି କରିଛନ୍ତି । ଯାହାହେଉ ଏ ସଂପର୍କରେ ଓଡ଼ିଶାର ଜନସାଧାରଣଙ୍କ ମନରେ ଏହି ପ୍ରଚାର ଫଳରେ ଯେଉଁ ଆଶଙ୍କା ଓ ସନ୍ଦେହ ଜାତ ହୋଇଛି ତାକୁ ଦୂର କରିବାପାଇଁ ଓଡ଼ିଶା ସରକାର ଶୀଘ୍ର ଗୋଟାଏ ବିବୃତ୍ତି ଦେବା ଉଚିତ । (ନବୀନ, ଜାନୁଆରୀ ୯, ୧୯୪୫)

 

୧୯୪୫ ମସିହା ଡିସେମ୍ବର ବେଳକୁ ଡୁଡୁମା ଜଳପ୍ରପାତ ମାନ୍ଦ୍ରାଜ କିମ୍ବା ଓଡ଼ିଶା କେଉଁ ପ୍ରଦେଶର ସୀମାରେ ଅବସ୍ଥିତ ତାହା ତଦନ୍ତ କରିବାପାଇଁ ଭାରତର କେନ୍ଦ୍ର ସରକାର ସାର ବି. ଏନ. ରାଓଙ୍କ ନେତୃତ୍ୱରେ ଯେଉଁ ସୀମା ନିର୍ଦ୍ଦେଶ ଅନୁସନ୍ଧାନ ଚଳାଇଥିଲେ ତା’ର ନିଷ୍ପତ୍ତି ପ୍ରକାଶ ପାଇଥିଲା । ରାଓ ମାଛକୁଣ୍ଡ ନଦୀର ମଧ୍ୟଭାଗ ଓଡ଼ିଶା ଓ ମାନ୍ଦ୍ରାଜ ପ୍ରଦେଶର ସୀମାବୋଲି ସୁପାରିଶ କରିଥିଲେ । ଏଥିରୁ ଜଣାଗଲା ଯେ ଡୁଡୁମାକୁ ମାନ୍ଦ୍ରାଜ ଓ ଓଡ଼ିଶା ପ୍ରଦେଶ ଅଧା ଅଧା ଭାଗ ବାଣ୍ଟି କାର୍ଯ୍ୟକାରୀ କରିବେ । ଏପରି ନିଷ୍ପତ୍ତିରେ ସାରା ଓଡ଼ିଶାରେ ଅସନ୍ତୋଷ ବ୍ୟାପିଗଲା ।

 

ଏହି ସମୟରେ ନବୀନ ସଂପାଦକ କୃପାସିନ୍ଧୁ କେନ୍ଦ୍ର ସରକାରଙ୍କ ସୁପାରିଶକୁ ସମର୍ଥନ ନକରି ଭିନ୍ନ ମତ ଦେଇଥିଲେ । ସେ କହିଥିଲେ–ଯେହେତୁ ଓଡ଼ିଶାର ଦାବୀ ଏତେ ଦୃଢ଼ ଭିତ୍ତି ଉପରେ ପ୍ରତିଷ୍ଠିତ ଥିବା ବେଳେ ସାର୍ ରାଓ କିପରି ଏପରି ନିଷ୍ପତ୍ତି କଲେ କାରଣ କୁହାଯାଉନାହିଁ । ରାଓଙ୍କ ନିଷ୍ପତ୍ତି ଯଦି କାଏମ ରହେ ତାହାହେଲେ ଓଡ଼ିଶାର ବିଶେଷ କ୍ଷତି ହେବାର ସମ୍ଭାବନା ରହିଛି । ଓଡ଼ିଶା ସରକାରଙ୍କ ଦାବୀରୁ ସ୍ପଷ୍ଟ ଜଣାଯାଉଅଛି ଯେ ଓଡ଼ିଶା ଦକ୍ଷିଣ ସୀମା ମାଛକୁଣ୍ଡ ନଦୀର ଆହୁରି ଦକ୍ଷିଣକୁ ବହୁଦୂର ବ୍ୟାପିଛି । ଏପରି ସ୍ଥଳେ ଓଡ଼ିଶା ପ୍ରଦେଶର ଦକ୍ଷିଣ ସୀମା ଯଦି ମାଛକୁଣ୍ଡ ନଦୀର ମଧ୍ୟ ଭାଗରେ ଧାର୍ଯ୍ୟ ହୁଏ ତାହା ହେଲେ ଓଡ଼ିଶା ଅନେକ ଅଞ୍ଚଳ ହରାଇବାକୁ ପଡ଼ିବ ଏବଂ ଜୟପୁର ଜମିଦାରୀର ଆୟତନ କମିଯିବ । ଏହାଛଡ଼ା ଡୁଡୁମା ବୈଦ୍ୟୁତିକ ଶକ୍ତି ଉତ୍ପାଦନପାଇଁ ଯେଉଁସବୁ ବ୍ୟବସ୍ଥା ହେବ ତାକୁ କାର୍ଯ୍ୟକାରୀ କରିବାପାଇଁ ଆନ୍ଧ୍ରମାନେ ବହୁସଂଖ୍ୟାରେ ଆସି ଜୟପୁର ଅଞ୍ଚଳରେ ବାସବସତି କରି ରହିଯିବେ ଯେପରି କି ଆଗାମୀ ଜନଗଣନା ବେଳକୁ ସେମାନଙ୍କର ସଂଖ୍ୟା ବହୁ ଗୁଣରେ ବଢ଼ିଯିବ । ଫଳରେ ଆନ୍ଧ୍ରମାନେ ଜୟପୁର ଅଞ୍ଚଳ ଆନ୍ଧ୍ର ଅଧ୍ୟୁଷିତ ଅଞ୍ଚଳ ବୋଲି ଦାବୀ କରିବାପାଇଁ ପଥ ସୁଗମ ହୋଇଯିବ । ଏସବୁ ଆଶଙ୍କା ଦୃଷ୍ଟିରୁ ଆମ୍ଭମାନଙ୍କର ଏକମାତ୍ର କର୍ତ୍ତବ୍ୟ ସାର ରାଓଙ୍କ ନିଷ୍ପତ୍ତିର ତୀବ୍ର ପ୍ରତିବାଦ କରି ତାକୁ ଅଗ୍ରାହ୍ୟ କରିବାକୁ ହେବ । (ନବୀନ, ଡ଼ିସେମ୍ବର ୪, ୧୯୪୫)

 

୧୯୪୬ ମସିହାରେ ହୀରାକୁଦ ଜଳଭଣ୍ଡାର ସମସ୍ୟା ମଧ୍ୟ କୃପାସିନ୍ଧୁଙ୍କ ଚିନ୍ତାଜଗତକୁ ଆଚ୍ଛନ୍ନ କରିଥିଲା । ସେ ଏ ସଂପର୍କରେ ଏକ ଚମତ୍କାର ବିବରଣୀ ଦେଇଥିଲେ । ସେଥିରୁ ତାଙ୍କର ଓଡ଼ିଆ ଜାଗୃତି ଓ ଅଗ୍ରଗତିପାଇଁ ଉଦ୍ୟମର ସୂଚନା ମିଳିଥାଏ । ସେହି ଆଲୋଚନାରେ ସେ ଲେଖିଥିଲେ–ମହାନଦୀର ଜଳକୁ ତିନୋଟି ବିରାଟ ଜଳଭଣ୍ଡାର ମଧ୍ୟରେ ଆୟତ୍ତ କରି ସଞ୍ଚିତ ଜଳରାଶିକୁ ନାନାବିଧ ଲୋକହିତକର କାର୍ଯ୍ୟରେ ବ୍ୟବହୃତ ହେବା ଭଳି କେନ୍ଦ୍ର ସରକାର ପକ୍ଷରୁ ଯେଉଁ ପରିକଳ୍ପନା କରାଯାଇଛି ତାହା ଓଡ଼ିଶା ଇତିହାସର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଘଟଣା । ଏହି ଯୋଜନା ବଳରେ ଗରିବ ଓଡ଼ିଶାର ଆର୍ଥିକ ସଂପଦ ଯେ ବଢ଼ିବ କେବଳ ତାହା ନୁହେଁ, ଏଥିଦ୍ୱାରା ଯୁଗ ଯୁଗ ଧରି ଯେଉଁ ମହାନଦୀ ଓଡ଼ିଶାରେ ପ୍ରତିବର୍ଷ ବନ୍ୟା ବିତ୍‍ପାତ ଘଟାଇ ଓଡ଼ିଆବାସୀଙ୍କୁ ବିପନ୍ନ କରୁଥିଲା ସେଥିରୁ ନିଷ୍କୃତି ପାଇ ଓଡ଼ିଶାରେ ଅନେକ ନୂଆ ନୂଆ ଶିଳ୍ପ ବାଣିଜ୍ୟ ପ୍ରତିଷ୍ଠା ପାଇପାରିବ ବୋଲି ଆଶା କରାଯାଉଅଛି । ଆମ୍ଭେମାନେ କେନ୍ଦ୍ର ସରକାରଙ୍କ ଏ ଉଦ୍ୟମକୁ ବିଶେଷ କୃତଜ୍ଞତା ସହିତ ସମର୍ଥନ ଏବଂ ଏହି ଯୋଜନାର ପ୍ରାରମ୍ଭିକ କାର୍ଯ୍ୟ ସ୍ୱରୂପ ଯେତେବେଳେ ସମ୍ବଲପୁର ହୀରାକୁଦଠାରେ ଗୋଟିଏ ବିରାଟ ଜଳଭଣ୍ଡାରର ଶୁଭ ଦିଆଗଲା ସେତେବେଳେ ଆମ୍ଭେମାନେ କଦାପି ବିଶ୍ୱାସ କରିନଥିଲୁ ଯେ ଦଳେ ବାହାରି ଏପରି ଗୋଟାଏ ଯୋଜନାକୁ ପ୍ରତିବାଦ କରିବାକୁ ସାହସ କରିବେ । ଭାରତର ଅନ୍ୟାନ୍ୟ ପ୍ରଦେଶମାନ ଯୁଦ୍ଧପର ପୁନର୍ଗଠନ ଯୋଜନାମାନ ଖୁବ୍ ତରବରରେ କାର୍ଯ୍ୟକାରୀ କରାଇବାକୁ ଉଦ୍ୟମମାନ କରୁଥିବା ବେଳେ ଓଡ଼ିଶାରେ ଯେ ପ୍ରତିବାଦ ଚାଲିଛି ତା’ର ରହସ୍ୟ ଭେଦ କରିବା ସହଜ ନୁହେଁ l ଏ ସମଗ୍ର ପ୍ରତିବାଦରୁ ବୁଝିବାକୁ ହେବ ଯେ ସମ୍ବଲପୁରବାସୀ ଯୁଦ୍ଧପର ପୁନର୍ଗଠନ କାର୍ଯ୍ୟରେ ସହଯୋଗ କରିବାରେ ପକ୍ଷପାତୀ ନୁହଁନ୍ତି । ସମ୍ବଲପୁରଠାରୁ ଏପରି ପ୍ରତିବାଦ ହେଉଥିବା ଦେଖିଲେ ମନରେ କ୍ଷୋଭ ଜାତ ହୁଏ ଏବଂ ଏହି ଅଭିଶପ୍ତ ଜାତିର ଗତି କେଉଁ ଆଡ଼େ ତାହା ଭାବିଲାବେଳକୁ ହୃଦୟରେ ନୈରାଶ୍ୟ ଜାତ ହୁଏ । ଏପରି ଗୋଟାଏ ବିରାଟ ଯୋଜନାକୁ କାର୍ଯ୍ୟକାରୀ କଲାବେଳେ ଯେଉଁମାନଙ୍କ ହିତ ସକାଶେ ଏହା କରାଯାଉଛି ସେମାନଙ୍କୁ କିଛି ସ୍ୱାର୍ଥତ୍ୟାଗ କରିବାକୁ ପଡ଼ିବ ଏବଂ ଭବିଷ୍ୟତ ହିତ ଦୃଷ୍ଟିରୁ କିଛି କ୍ଷତି ସୁଦ୍ଧା ସହିବାକୁ ପଡ଼ିବ । ଜଗତରେ ଯେ କୌଣସି ମହତ କାର୍ଯ୍ୟ ପ୍ରତିଷ୍ଠା ବେଳେ ପ୍ରଥମେ ବାଧାବିଘ୍ନ ସହିବାକୁ ପଡ଼ିଥାଏ–ଏହା ଗୋଟାଏ ସ୍ୱାଭାବିକ ବିଧାନ-। ସମ୍ବଲପୁର ବାସୀମାନେ କ’ଣ ଏପରି ଗୋଟାଏ ବାଧାବିଘ୍ନ ସହିବାପାଇଁ ପ୍ରସ୍ତୁତ ନାହାନ୍ତି-। ଅବଶ୍ୟ ଆମ୍ଭେମାନେ ଯେତେଦୂର ଜାଣୁ ହୀରାକୁଦ ନିକଟବର୍ତ୍ତୀ ଅଧିବାସୀମାନଙ୍କୁ ବିସ୍ତର କ୍ଷତି ସହିବାକୁ ପଡ଼ୁଛି । ତଥାପି ସେମାନେ କ୍ଷତିଗ୍ରସ୍ତ ହୋଇ ଏହି ଯୋଜନାର ପ୍ରତିଷ୍ଠା ହେଉ ଏହା ଆମ୍ଭମାନଙ୍କ ଉଦ୍ଦେଶ୍ୟ ନୁହେଁ । ସେମାନଙ୍କର କ୍ଷତି ଅନୁପାତରେ ସରକାର ସେମାନଙ୍କୁ ଆଶାନୁରୂପେ ସାହାଯ୍ୟ ଦେବା କର୍ତ୍ତବ୍ୟ । ଆଶାକରୁ ଓଡ଼ିଶାର ସମୂହ ହିତ ଦୃଷ୍ଟିରୁ ସମ୍ବଲପୁର ଅଧିବାସୀ ଏଣିକି ସମସ୍ତ ପ୍ରତିବାଦରୁ କ୍ଷାନ୍ତ ହୋଇ ଓଡ଼ିଶାର ଏହି ବିରାଟ ଲୋକ ହିତକର ଯୋଜନାରେ ସହଯୋଗ କରିବେ । (ନବୀନ, ଜୁନ ୪, ୧୯୪୬)

 

ମହାନଦୀ ଯୋଜନା ମହାତ୍ମାଗାନ୍ଧି ପ୍ରମୁଖ ଭାରତର ନେତୃମଣ୍ଡଳୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ବୋଲି କୃପାସିନ୍ଧୁ ସେତେବେଳେ ଆନନ୍ଦିତ ହୋଇଥିଲେ । ସେ ଏକଥା ମଧ୍ୟ କହିଥିଲେ–ଯେଉଁମାନେ ଏହି ଯୋଜନାକୁ ପ୍ରତ୍ୟାଖ୍ୟାନ କରିବା ଉଦ୍ଦେଶ୍ୟରେ ତୁମୂଳ ଆନ୍ଦୋଳନ ଚଳାଇଛନ୍ତି, ସେମାନେ ଜାଣି ରଖିବା ଉଚିତ ଯେ ଏ ସୁଯୋଗ ଯଦିବା ଓଡ଼ିଶା ବର୍ତ୍ତମାନ ହରାଉଛି ତାହେଲେ ଓଡ଼ିଶାର ଭବିଷ୍ୟତ ଖୁବ ଅନ୍ଧକାରରେ ନିମଗ୍ନ ହେବ ଏବଂ ଓଡ଼ିଶାକୁ ଭାରତୀୟ ମାନଚିତ୍ରରୁ ଏକାବେଳକେ ମୂଳପୋଛ କରିଦେବାକୁ ହେବ । ଏହି ଯୋଜନାଦ୍ୱାରା ସ୍ଥାନୀୟ ଲୋକଙ୍କର ଯେଉଁସବୁ କ୍ଷତିର ଅନୁମାନ କରାଯାଉଛି ତାଙ୍କୁ ଉପଯୁକ୍ତ ପରିମାଣରେ କ୍ଷତିପୂରଣ ଦାନର ଯେତେବେଳେ ସରକାର ପକ୍ଷରୁ ପ୍ରତିଶ୍ରୁତି ମିଳୁଛି ତେବେ ଆପତ୍ତି କରିବାର ଅର୍ଥ ଉଦ୍ଦେଶ୍ୟ କିଛି ଜଣାଯାଉନାହିଁ । କେତେକ ଲୋକଙ୍କର ସ୍ୱାର୍ଥ ଏଥିରେ ଜଡ଼ିତ ଥିବାର ଅନୁମାନ କରାଯାଉଛି । ଓଡ଼ିଶାର ସମୂହ କଲ୍ୟାଣ ଦୃଷ୍ଟିରୁ ମୁଷ୍ଟିମେୟ କେତେକ ଲୋକଙ୍କର ଏଥିରେ କିଛି କ୍ଷତି ହେଲେ ତାହା ଯେ ପୂରଣ କରିବାପାଇଁ ସରକାର ଦାୟୀ ରହିବେ ତାହା କହିବା ବାହୁଲ୍ୟ । ମୁସଲମାନ ଲିଗକୁ ସନ୍ତୁଷ୍ଟ କରିବାପାଇଁ ସିନ୍ଧୁ ପ୍ରଦେଶ ଗଠିତ ହୋଇଥିଲା । ଠିକ୍‍ ସେତିକି ବେଳେ ଓଡ଼ିଶା ପ୍ରଦେଶ ଗଠନ ସମସ୍ୟା ଉତ୍‍ଥାପିତ ହେବାରୁ ତାକୁ ପ୍ରତ୍ୟାଖ୍ୟାନ କରିବାପାଇଁ ସରକାର ସାହସ କରିନପାରିବା ଫଳରେ ଓଡ଼ିଶା ପ୍ରଦେଶ ଯେପରି ଗଠନ କଲେ ସେହିପରି ବଂଗ ପ୍ରଦେଶର ଦାମୋଦର ନଦୀ ଉପତ୍ୟାକା ଯୋଜନା କଳ୍ପନା କଲାବେଳକୁ ମହାନଦୀ ଯୋଜନା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି । ମହାନଦୀ ଯୋଜନା କାର୍ଯ୍ୟକାରୀ ହେଲେ ଓଡ଼ିଶାରେ ଅନେକ ବାଣିଜ୍ୟ ବ୍ୟବସାୟ ଅନୁଷ୍ଠାନର ପ୍ରତିଷ୍ଠା ପାଇବ । ସହଜ ଓ ଶସ୍ତା ଲବ୍ଧ ବୈଦ୍ୟୁତିକ ଶକ୍ତି ବ୍ୟତିରେକ ବାଣିଜ୍ୟ ବ୍ୟବସାୟ ଅନୁଷ୍ଠାନ ପ୍ରତିଷ୍ଠା ଏକବାର ଅସମ୍ଭବ । ବାଣିଜ୍ୟ ବ୍ୟବସାୟ ପ୍ରତିଷ୍ଠା ନହେଲେ ଓଡ଼ିଶାର ଆର୍ଥିକ ଶକ୍ତି କଦାପି ଉନ୍ନତ ହୋଇପାରିବ ନାହିଁ । ଓଡ଼ିଶାକୁ ଆଉ କେନ୍ଦ୍ର ସରକାରଙ୍କ ବାର୍ଷିକ ଦାନ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ । ଏଣୁ ଏ ସମସ୍ତ ଭବିଷ୍ୟତ ମଙ୍ଗଳ ଦୃଷ୍ଟିରୁ ଆମ୍ଭମାନଙ୍କର ଅନୁରୋଧ ଯେ ଯେଉଁମାନେ ମହାନଦୀ ଯୋଜନା ବିଷୟରେ ଆନ୍ଦୋଳନ ଚଳାଉଛନ୍ତି ସେମାନେ ଏହି ଯୋଜନାକୁ ଆନନ୍ଦର ସହିତ ଗ୍ରହଣ କରନ୍ତୁ, ଏବଂ ଉପଯୁକ୍ତ କ୍ଷତି ପୂରଣର ବ୍ୟବସ୍ଥାପାଇଁ ଦାବୀ କରନ୍ତୁ । (ନବୀନ, ୧୦ ସେପ୍ଟେମ୍ବର, ୧୯୪୬)

 

୧୯୪୦ ମସିହାରେ କୃପାସିନ୍ଧୁ ବେକାର ସମସ୍ୟା ପ୍ରତି ଦୃଷ୍ଟି ଦେଇଥିଲେ । ଏହାର ତୁରନ୍ତ ସମାଧାନପାଇଁ ସେ ବାଟ ଖୋଜିଥିଲେ । ପ୍ରଚଳିତ ପ୍ରାଥମିକ ଶିକ୍ଷାଠାରୁ ଆରମ୍ଭ କରି ବି. ଏ., ଏମ୍.ଏ ଉଚ୍ଚ ଡିଗ୍ରୀ ପାଇବା ପର୍ଯ୍ୟନ୍ତ ପାଠ ପଢ଼ା ଭିତରେ ମନୁଷ୍ୟ ସ୍ୱାବଲମ୍ବନଶୀଳ ହେବାପାଇଁ କୌଣସି ପ୍ରକାର ଶିକ୍ଷା ପାଇବାର ସୁବିଧା ଓଡ଼ିଶାରେ ନାହିଁ ବୋଲି ସେ ମତ ପ୍ରକାଶ କରିଥିଲେ । ଦେଶରେ ଏପରି ଅନୁଷ୍ଠାନ ନାହିଁ ଯାହାକି ସମସ୍ତଙ୍କପାଇଁ ଅନ୍ନସଂସ୍ଥା ଯୋଗାଇଦେବ–ଏପରି ଧାରଣା ତାଙ୍କର ଥିଲା । ଏ ଦିଗରେ ସମାଧାନ ନହେଲେ ଚାରିଆଡ଼େ ହା ଅନ୍ନ ଡ଼ାକ ପ୍ରତିଧ୍ୱନିତ ହେବ ବୋଲି ସେ କହିଥିଲେ । ଏହାର ନିରାକରଣପାଇଁ ସେ କେତେକ କଥା କହିଥିଲେ–

 

୧.

ଦେଶର ଚିନ୍ତାଶୀଳ ମନିଷୀଗଣ ଏହାର ତୁରନ୍ତ ସୁବିଚାର କରିବା ଏକାନ୍ତ ଦରକାର ।

୨.

ଧନୀ ଜମିଦାର, ସରକାରୀ ଓ ଜିଲ୍ଲାବୋର୍ଡ଼ ଅବସ୍ଥା ଅନୁପାତରେ ଛୋଟଛୋଟ ଶିଳ୍ପ ଅନୁଷ୍ଠାନ ଆରମ୍ଭ କରି ଲୋକଙ୍କୁ କାମ ଯୋଗାଇ ପାରିଲେ ଏ ସମସ୍ୟାର ଅନେକଟା ସମାଧାନ ହେବା ସଂଗେ ସଂଗେ ପ୍ରତିଷ୍ଠାତାମାନେ ଯଥେଷ୍ଠ ଲାଭବାନ୍ ହୁଅନ୍ତେ ।

୩.

ଏ ଦେଶର ପ୍ରସ୍ତୁତ ସମସ୍ତ ଜିନିଷ ସର୍ବପ୍ରଥମେ ସରକାର ଓ ଜିଲ୍ଲାବୋର୍ଡ଼ମାନେ କିଣି ନିଅନ୍ତେ ଓ ଶସ୍ତାରେ ସର୍ବସାଧାରଣଙ୍କୁ ବିକ୍ରୟ କରିପାରନ୍ତେ । ସରକାର ବା ଦେଶର ନେତୃ ସ୍ଥାନୀୟ ଲୋକେ ଇଚ୍ଛାକଲେ ସମବାୟ ନୀତିରେ ମଧ୍ୟ କାରଖାନା ଗୁଡ଼ିକ ସୁବିଧାରେ ଖୋଲାଯାଇପାରେ ।

୪.

ମଫସଲ ଓ ସହରମାନଙ୍କର ଯାନିଯାତ୍ରା ବିବାହ ମହୋତ୍ସବ ପ୍ରଭୃତି ଜାକଜମକରେ ଟଙ୍କା ଅପବ୍ୟୟ ନକରି ସଞ୍ଚିତ ବା ସଂଗୃହୀତ ଧନ ଏପରି ସଦ୍‍ବ୍ୟବହାରରେ ଲଗାଇବା ନିମନ୍ତେ ସରକାର ନିର୍ଦ୍ଦେଶ ଦିଅନ୍ତୁ ।

୫.

କେନ୍ଦ୍ର ସ୍ଥାନ ମାନଙ୍କରେ ଛୋଟ ଛୋଟ ଧାନଗୋଲା ଓ ଶିଳ୍ପ ଅନୁଷ୍ଠାନ ପ୍ରତିଷ୍ଠା ହୋଇ ବେକାରୀମାନଙ୍କୁ କାମ ଯୋଗାଇ ପାରିଲେ ସହଜରେ ଲୋକେ ବଞ୍ଚନ୍ତେ ଓ ଦେଶବାସୀ ଅନାଚାର, ଅତ୍ୟାଚାର ଓ ନିର୍ଯ୍ୟାତନାରୁ ରକ୍ଷା ପାଆନ୍ତେ । (ନବୀନ, ୧୬ ଜୁଲାଇ ୧୯୪୦)

 

ବୈଷୟିକ ଶିକ୍ଷା ଦେଶରେ ପ୍ରସାର ହେଲେ ଯୁବ ସଂପ୍ରଦାୟ ବିଭିନ୍ନ କର୍ମରେ ନିୟୋଜିତ ହୋଇପାରିବେ ବୋଲି ସେ ଚିନ୍ତା କରିଥିଲେ । ଦେଶର ଅବସ୍ଥା ଓ ପରିସ୍ଥିତି ଅନୁପାତରେ ପ୍ରଚଳିତ ଶିକ୍ଷା ପ୍ରଣାଳୀ ସଂପୂର୍ଣ୍ଣ ରୂପେ ଅନୁପଯୁକ୍ତ ବୋଲି ସେ ବିବେଚନା କରିଥିଲେ । ସେ ସ୍ୱାବଲମ୍ବନଶୀଳ ଶିକ୍ଷାକୁ ସମର୍ଥନ କରିଥିଲେ । ସେଥିପାଇଁ ଆବଶ୍ୟକ ବୈଷୟିକ ଶିକ୍ଷା । ସେ ଜାକିର ହୁସେନ୍ କମିଟିଙ୍କ ୱାର୍ଦ୍ଧା ଶିକ୍ଷା ପଦ୍ଧତିକୁ ପ୍ରଶଂସା କରି ବୈଷୟିକ ଶିକ୍ଷା ଦିଗରେ ଏହା ଏକ ବିଧିବଦ୍ଧ ଉଦ୍ୟମ ବୋଲି କହିଥିଲେ । କିନ୍ତୁ ଓଡ଼ିଶାରେ ବୈଷୟିକ ଶିକ୍ଷାର ପ୍ରସାରପାଇଁ କୌଣସି ସରକାରୀ କିମ୍ବା ବେସରକାରୀ ଉଦ୍ୟମ ୧୯୪୦ ପର୍ଯ୍ୟନ୍ତ ହୋଇନଥିବାରେ ସେ କ୍ଷୋଭ ପ୍ରକାଶ କରିଥିଲେ । ବୈଷୟିକ ଶିକ୍ଷାର୍ଥୀ ଯୁବକମାନଙ୍କପାଇଁ ସରକାରୀ ବୃତ୍ତି ବଜେଟରେ ବ୍ୟବସ୍ଥା ହେବାକୁ ସେ ନିବେଦନ କରିଥିଲେ । ସେହିପରି ଶିକ୍ଷାପାଇଁ ଆସୁଥିବା ଯୁବକମାନଙ୍କପାଇଁ କର୍ମକ୍ଷେତ୍ର ଖୋଲି ସେମାନଙ୍କୁ ସେଥିରେ କିପରି ଭାବେ ନିଯୁକ୍ତ କରାଯିବ ସେ ଦିଗରେ ସରକାର ଉଦାସୀନ ହେବା ଅନୁଚିତ ବୋଲି ମତ ଦେଇଥିଲେ । (ନବୀନ, ଅଗଷ୍ଟ ୬, ୧୯୪୦)

 

।। ୮ ।।

 

କୃପାସିନ୍ଧୁ ନାରୀ ଜାଗୃତିର ପ୍ରଧାନ ସମର୍ଥକ ଥିଲେ । ୧୯୩୮ ମସିହା ବେଳକୁ ଓଡ଼ିଶାରେ ନାରୀ ଆନ୍ଦୋଳନ ପ୍ରସଙ୍ଗକୁ ହସରେ ଉଡ଼ାଇ ଦିଆଯାଇଥିଲା । କିନ୍ତୁ ନବୀନର ବହୁ ପୃଷ୍ଠାରେ ନାରୀ ଜାଗୃତିର ନାନା ପ୍ରସଙ୍ଗ ଉପରେ ଆଲୋଚନା ମାନ ପ୍ରକାଶ କରିବାକୁ ସରଳା ଦେବୀ ପ୍ରଭୃତିଙ୍କୁ ସୁଯୋଗ ଦେଇଥିଲେ । ନାରୀ ଜାଗୃତିର ପ୍ରାସଙ୍ଗିକତାକୁ ଦର୍ଶାଇ ସେ କହିଥିଲେ- ଯେତେବେଳେ ଆଜି ଜଗତରେ ଶାସକ ସହିତ ଶାସିତର, ଭକ୍ଷକ ସହିତ ଭକ୍ଷ୍ୟକର ପାଳକ ସହିତ ପାଳିତର, ସାହୁ ସହିତ ଖାତକର, ଧନୀ ସହିତ ନିର୍ଦ୍ଧନର, ରାଜା ସହିତ ପ୍ରଜାର, ପ୍ରଭୁ ସହିତ ଭୃତ୍ୟର ସଂଘର୍ଷ ଚାଲିଛି ପ୍ରତ୍ୟେକ ଆପଣା ଆପଣାର ଦାବୀ ହାସଲ କରିବାପାଇଁ ବିପୁଳ ଅଭିଯାନ ଚଳାଇଛନ୍ତି ସେତେବେଳେ ନାରୀ ତା’ର ଜନ୍ମଗତ ନାର୍ଯ୍ୟ ଅଧିକାର ପାଇବାପାଇଁ ଆନ୍ଦୋଳନ ଚଳାଇବେ ନାହିଁ କାହିଁକି ? ସେ ଆଜି ବୁଝିପାରିଛି ତା’ର କର୍ତ୍ତବ୍ୟ–ନିଜଠାରୁ ପର ଯାଏ–ସେଥିପାଇଁ ଆଜି ସେ ସମାଜର ଶତବାଧାବିଘ୍ନ ଶୃଙ୍ଖଳକୁ ଏଡ଼ିଦେଇ ବାହାରିପଡ଼ିଛି–ନିଜକୁ ସଂଗଠନପାଇଁ ବା ଚିରମୁକର ଅଧିକାର ହାସଲପାଇଁ ।

 

ନାରୀ ଜାଗୃତିର ଆଲୋଚନା କରି ସେ ଲେଖିଥିଲେ–“ସମାଜର ନାରୀ ଓ ପୁରୁଷ ଦୁଇ ଆଖି–ଦୁଇ ହାତ, ଦୁଇ ଗୋଡ଼–ଦୁଇ ମୁଣ୍ଡ । ଗୋଟିଏ ଅଙ୍ଗ, ଆଖି, ହାତ ଓ ଗୋଡ଼ର ବିହୀନରେ ବା ରୋଗରେ ଆକ୍ରାନ୍ତ ହୋଇଥିଲେ ଅନ୍ୟଟିର ଦଶା ଯେପରି ହୁଏ–ସେହିପରି ସମାଜର ବା ଦେଶର, ଦୁଇଟି ବସ୍ତୁର ମିଶନରେ ବିଶ୍ୱ ସୁନ୍ଦର ଦିଶୁଥାଏ । ବିଶ୍ୱର ସୌନ୍ଦର୍ଯ୍ୟ ଫୁଟି ଉଠିଥାଏ । ନାରୀର ଅଭାବରେ ପୁରୁଷ ଯେ ପୂର୍ଣ୍ଣ ବିକାଶ ହୋଇପାରେ ଏହା ଅସମ୍ଭବ । ଆଜି ଆମେ ଜଗତର ଇତିହାସକୁ ଦେଖିଲା ବେଳକୁ ନାରୀକୁ ଜଗତରେ ଆଦ୍ୟାଶକ୍ତି ରୂପେ ଦେଖୁଁ । ଯେଉଁ ସବୁ ଦେଶ ଆଜି ଉନ୍ନତିର ଉଚ୍ଚ ସୋପାନକୁ ଯାଇଛନ୍ତି ସେମାନଙ୍କ ଉନ୍ନତି ମୂଳରେ ନାରୀର ସାହାଯ୍ୟ ରହିଅଛି । ନାରୀ ବିଶ୍ୱଜନନୀ ସେ ନରର ଭୋଗ୍ୟ ଉପାଦାନ ନୁହେଁ କି ଘରକୋଣେ ଶଢ଼ିବାର ବସ୍ତୁ ନୁହେଁ । ଯେପରି ପାଶବିକ ନୃଶଂସ ଆମାନୁଷିକ ଲୀଳା ଚାଲିଛି ଶତ ଭ୍ରୁଣହତ୍ୟା ଗୋପନ ପ୍ରଣୟ ଲୀଳାଖେଳା ଘଟି ଯାଉଛି ତାହା ଦେଖିଲେ-ଶୁଣିଲେ ଅନେକ ସମୟରେ ମନରେ ବିଦ୍ରୋହ ଶିଖା ଜଳି ଉଠିଥାଏ । ମନ ହୃଦୟ ଶତ ସମାଜ ଶୃଙ୍ଖଳାକୁ ଦେଶାଚାରକୁ ଏଡ଼ିଦେଇ ବାହାରି ପଡ଼ିଥାଏ । ସମାଜର ଭଣ୍ଡ ତପସ୍ୱୀମାନଙ୍କ ଶତ ଲାଂଛନା ଗଞ୍ଜଣାତ୍ୟ ମନୁଷ୍ୟ ମନରେ ସ୍ଥାନ ଦେଇନଥାଏ । କିନ୍ତୁ ଏପରି ସମୟରେ କିପରି ନାରୀ ଆନ୍ଦୋଳନକୁ ଦେଶରେ ଆଗେଇବାକୁ ହେବ ତାହା ଭାବି-ସଂସ୍କାରକ ସଂଘ ବା ନାରୀ ଆନ୍ଦୋଳନ ସମାଜ ଅଗ୍ରସର ହେବା ଉଚିତ । ଅନ୍ଧ ଭାବରେ ଅଗ୍ରସର ହୋଇ କେହି କେବେ ଆପଣାର ଚିର ଅଭିଳାଷିତ ବସ୍ତୁ ପାଇନାହିଁ । ଆଜି ଆମେ ପୃଥିବୀର ଅନ୍ୟାନ୍ୟ ଜାତି ନାରୀମାନଙ୍କ ସହିତରେ ଆମଦେଶର ନାରୀମାନଙ୍କୁ ଭଲ କରି ତୁଳନା କଲେ ଆମ ଦେଶ କାହିଁକି ଉନ୍ନତିର ଉଚ୍ଚ ସୋପାନକୁ ଯାଇପାରିନାହିଁ ସହଜରେ ଜାଣିପାରିବା । ସେତେଦୂରକୁ ନଯାଇ ଆମ ଦେଶର ଅନ୍ୟ ପ୍ରଦେଶମାନଙ୍କ ତୁଳନାରେ ଆମ ଓଡ଼ିଶା ପ୍ରଦେଶର ନାରୀମାନଙ୍କ କଥା ବିଚାରିଲେ କେଉଁ ଦିନ ଏ ହତଭାଗ୍ୟ ପ୍ରଦେଶର ନାରୀଙ୍କର ଦଶାଯିବ ତାହା ଭାବି ହୋଇ ପାରୁନାହିଁ ।

 

ଓଡ଼ିଶାରେ ନାରୀ ଆନ୍ଦୋଳନ କରିବାପାଇଁ ଯେଉଁ ଦୁଇ ତିନୋଟି ନାରୀ ମଙ୍ଗଳ ଆଶ୍ରମ ବା ନାରୀମଙ୍ଗଳ ସମିତି ଅଛି–ଏହା ନାମକୁ ମାତ୍ର । ଏହି ମାନଙ୍କଦ୍ୱାରା ଓଡ଼ିଶାର ନାରୀ ଆନ୍ଦୋଳନ ନାହିଁ ମାମୁଁଠାରୁ କଣା ମାମୁଁ ଭଲ ପରି ମୁଣ୍ଡ ଟେକୁଛି । ଏହିପରି ଗତି କରି କୌଣସି ଆନ୍ଦୋଳନ ଆଗେଇ ପାରିବ ନାହିଁ ବୋଲି ଆମର ବିଶ୍ୱାସ । କେବଳ କେତେକ ବିବରା କନ୍ୟାକୁ ବିବାହ ଦେଲେ ଯେ ନାରୀ ମଙ୍ଗଳ ସମିତିର ବା ନାରୀ ମଙ୍ଗଳ ଆଶ୍ରମର କାର୍ଯ୍ୟକାର୍ତ୍ତାଙ୍କ କର୍ତ୍ତବ୍ୟ ଶେଷ ହୋଇଗଲା ଏହା ଭାବିବା ବା ଏପରି ଆଶା ପୋଷଣ କରିବା ଉଚିତ ନୁହେଁ । ଆମ୍ଭେ ଭଲକରି ଜାଣୁ ଭାରତର ୧୧ଟି ପ୍ରଦେଶର ନାରୀମାନଙ୍କ ତୁଳନାରେ ଓଡ଼ିଶା ନାରୀମାନେ ବହୁ ତଳରେ–ଅନ୍ଧକାର କାରାଗୃହରେ–ଶୃଙ୍ଖଳିତ ଭାବେ ପଡ଼ିଛନ୍ତି । ଆମାନୁଷିକ ଭାବେ ଏଠାରେ ନାରୀ ପ୍ରତି ବ୍ୟବହାର ଚାଲିଛି । ଏ ପ୍ରଦେଶରେ ନାରୀ ନାରୀ ନୁହେଁ, ସେ ନରର ଏକମାତ୍ର କ୍ରିଡ଼ାର ଭୋଗ୍ୟ ଉପାଦାନ ହୋଇଛି । ଏହା ନାରୀମଙ୍ଗଳ ସମିତିର କର୍ତ୍ତାମାନେ ତଥା ଦେଶର ଯୁବକମାନେ ଭାବିବା ଉଚିତ । ନାରୀ ଅବଳା ନୁହେଁ, ତା’ର ବଳ ଅଛି । ସେ ବଳ ଯେ ଜାତି ପାଇଛି ସେ ଜାତି ନିଶ୍ଚୟ ଦିନେ ହେଲେ ବିଶ୍ୱରେ ଗର୍ବରେ ମୁଣ୍ଡ ଟେକି ପାରିଛି । ଅନ୍ୟମାନଙ୍କର ଆଦର୍ଶ ସ୍ଥାନୀୟ ହୋଇ ପାରିଛି । ଏହି ସବୁ ବିଷୟ ଆଲୋଚନା କଲେ ଆମେ କଅଣ ନାରୀ ସମାଜର ଅବନ୍ନତିର କାରଣମାନଙ୍କ ମଧ୍ୟରୁ ପ୍ରଥମ ହେବା ନାହିଁକି ? ଆମେ ମାତୃହନ୍ତା ନୁହେଁ କି ? (ନବୀନ, ୫ ଏପ୍ରିଲ ୧୯୩୮)

 

ଯୁବଶକ୍ତିର ଜାଗରଣ ନହେଲେ ଦେଶର ଉନ୍ନତି ଅସମ୍ଭବ–ଏହା ଥିଲା ନବୀନ ସଂପାଦକଙ୍କର ସ୍ପଷ୍ଟ ଉଚ୍ଚାରଣ । ସେଥିପାଇଁ ସେ କିଶୋର/ତରୁଣ ଲେଖକ ଲେଖିକାମାନଙ୍କପାଇଁ ନବୀନର ପୃଷ୍ଠା ଖୋଲା ରଖିଥିଲେ । ଓଡ଼ିଶାରେ ତରୁଣ ଯୁବକ ଅନୁଷ୍ଠାନ ଗୁଡ଼ିକ କିପରି କ୍ରିୟାଶୀଳ ହେବେ ସେଥିପାଇଁ ସେ ଦେଶ ଉଦ୍ୟମ କରିଥିଲେ । କଲିକତାରେ ଓଡ଼ିଆମାନଙ୍କର ତରୁଣ ସଂଗଠନ ଦୀପକ ସଂଘର କାର୍ଯ୍ୟାମାଳାକୁ ଓଡ଼ିଶାରେ ପ୍ରଚାର କରାଇବାପାଇଁ ସେ ବହୁ ସଂଖ୍ୟାରେ ଏହାର କାର୍ଯ୍ୟ ବିବରଣୀ ପ୍ରକାଶ କରାଇଥିଲେ । ଆଧୁନିକ ଯୁବକର ଲକ୍ଷଣ ସଂପର୍କରେ ସେ ଏକଦା ୧୯୩୪ ରେ ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ । ସେଥିରେ ସେ ଲେଖିଥିଲେ: ଏହି ସନ୍ଧିସ୍ଥଳରେ ଓଡ଼ିଆ ଯୁବକ ତା’ର କର୍ତ୍ତବ୍ୟ ସ୍ଥିର କରୁ । ସ୍କୁଲ କଲେଜରେ ପାଠପଢ଼ି ସାରିଲେ ତା’ର କର୍ତ୍ତବ୍ୟ ସମାପ୍ତ ହୁଏ ନାହିଁ । ବରଂ ଗୁରୁତର ଦାୟିତ୍ୱ ବହନ କରିବାପାଇଁ ସେ ଉପଯୁକ୍ତ ବିବେଚିତ ହୁଏ । ଯେଉଁ ଦେଶରେ ଶିକ୍ଷାପ୍ରଚାର କାଳୋପଯୋଗୀ ନୁହେଁ କିମ୍ବା ଜାତି ପକ୍ଷରେ ଅନିଷ୍ଟକାରୀ ସେଠାରେ ଶିକ୍ଷିତର କର୍ତ୍ତବ୍ୟ ଅତି ଗୁରୁତର । ଆମ ଦେଶରେ ସାଧାରଣତଃ ପାଠ ପଢ଼ି ଚାକିରୀ କରିବାକୁ କର୍ତ୍ତବ୍ୟ ମନେ କରନ୍ତି, ଏହି ଧାରଣା ଏପରି ବଦ୍ଧମୂଳ ହୋଇଗଲାଣି ଯେ ବିଦ୍ୟାଳୟରୁ ଉର୍ତ୍ତୀର୍ଣ୍ଣ ହେବା ମାତ୍ରେ ନିଜକୁ ସରକାର ନିକଟରେ ବିକ୍ରି କରିଦେବାପାଇଁ ପ୍ରତିଯୋଗିତା ଦେଖାନ୍ତି । ଯୌବନରେ ସ୍ୱାଧିନତା ହରାଇବା ଶିକ୍ଷିତ ପକ୍ଷରେ ଗୋଟାଏ ଅମାର୍ଜନୀୟ ଦୋଷ । ଯାହାର ସ୍ୱାଧିନତା ଚିନ୍ତା ନାହିଁ ତା’ର ଜୀବନରେ କୌଣସି ବିଶେଷତ୍ୱ ରହେ ନାହିଁ । ମନୁଷ୍ୟ ମାତ୍ରେ ଗୋଟାଏ ଲକ୍ଷଣ ଘେନି ପୃଥିବୀରେ ଜନ୍ମ ଗ୍ରହଣ କରିଥାନ୍ତି କିନ୍ତୁ ନିଜତ୍ୱ ହରାଇ ଦେଲେ ସେହି ଲକ୍ଷ୍ୟ ବହୁ ଦୂରରେ ରହିଯାଏ । ଓଡ଼ିଶାରେ ଅନେକ ଶିକ୍ଷିତ ସରକାରୀ କର୍ମଚାରୀ ଅଛନ୍ତି । ସେମାନଙ୍କଠାରୁ ଦେଶ ବେଶି କିଛି ପାଇବାକୁ ଆଶା କରେ ନାହିଁ । ଯୁବକର ଆତ୍ମପ୍ରତ୍ୟୟ ଆଣିବାକୁ ଓଡ଼ିଶାରେ ଯଥେଷ୍ଟ କ୍ଷେତ୍ର ଅଛି । ତା’ର ଦୃଷ୍ଟି ବର୍ତ୍ତମାନ ସଂକୀର୍ଣ୍ଣ । ତେଣୁ ସେ ଉପଯୁକ୍ତ ଶକ୍ତି ପ୍ରୟୋଗ କରି ପାରୁନାହିଁ । ଓଡ଼ିଆ କର୍ମ ପ୍ରବାହରେ ପରିବର୍ତ୍ତନ ଆଣିବା ଅତ୍ୟନ୍ତ ଆବଶ୍ୟକ ହେଲାଣି । କୃଷି, ବାଣିଜ୍ୟ ପ୍ରଭୃତିର ପୁଣି ପ୍ରତିଷ୍ଠା କରିବାକୁ ହେବ । ଆମ୍ଭମାନଙ୍କ ଜାତୀୟ ଜୀବନକୁ ଯେ ଦୁର୍ବଳତା ଗ୍ରାସିଯାଇଛି ତାକୁ ଦୂର କରିବାପାଇଁ ନିଃସ୍ୱାର୍ଥକର୍ମୀମାନେ ଏଣିକି ଅଗ୍ରସର ହେବାକୁ ହେବ । ଏସବୁ କାର୍ଯ୍ୟରେ ଓଡ଼ିଆ ଯୁବକକୁ କେହି ଆହ୍ୱାନ କରିବେ ନାହିଁ । ସେ ତା’ର ଜନ୍ମଗତ ଦାବୀ ବଳରେ ନିଜର ଶକ୍ତିର ପରିଚୟ ଦେବ । (ନବୀନ, ଫେବୃଆରୀ ୨୭, ୧୯୩୪)

 

କୃପାସିନ୍ଧୁ ସହରୀ ଜୀବନ ଭିତରେ ପଲ୍ଲୀ ସଂଗଠନ କାର୍ଯ୍ୟ ସଂପର୍କରେ ସଚେତନ ଥିଲେ । ଓଡ଼ିଶାର ସାମାଜିକ ଜୀବନରେ ପଲ୍ଲୀର ଭୂମିକାକୁ ସେ ବେଶ ଗୁରୁତ୍ୱ ଦେଇଥିଲେ । ପଲ୍ଲୀର ଶୋଚନୀୟ ଅବସ୍ଥା କଥା ଚିନ୍ତାକରି ୧୯୩୭ ମସିହାରେ ଏକ ଚମତ୍କାର ସଂପାଦକୀୟ ଲେଖିଥିଲେ ଯାହା ସମସ୍ୟା ପୀଡ଼ିତ ଓଡ଼ିଶା ସଂପର୍କରେ ତାଙ୍କର ପ୍ରତ୍ୟକ୍ଷ ଜ୍ଞାନର ପରିଚାୟକ ଥିଲା-। ଏହି ବିବରଣୀରେ ସେ ଦର୍ଶାଇଥିଲେ : “ଓଡ଼ିଶା ଗରୀବ ଦେଶ । ଓଡ଼ିଶା ଅଧିବାସୀ ଓଡ଼ିଆମାନେ ଆଜି ସବୁ ମତେ କାଙ୍ଗାଳ । ଓଡ଼ିଶାର କୃଷକ ଆଜି ଦୁଇ ବେଳା ଦୁଇ ମୁଠା ଅନ୍ନ ଖାଇବାକୁ ପାଏ ନାହିଁ । କାଞ୍ଜି ତୋରାଣୀରେ ଉଦର ପୂର୍ଣ୍ଣ କରେ । ହଜାର ହଜାର ଓଡ଼ିଆ କୁଲି, ଆଜି ଘରଦ୍ୱାର ପିଲା କୁଟୁମ୍ୱ ଛାଡ଼ି ପେଟ ବିକଳରେ ବର୍ମା, ଆସାମ, କଲିକତା ଯାଇ ପଶୁ ପରି ଖଟି ଜୀବିକା ଅର୍ଜନ କରୁଛନ୍ତି । ଓଡ଼ିଶାରେ ସହସ୍ର ସହସ୍ର ଶିକ୍ଷିତ ଆଜି କର୍ମହୀନ ହୋଇ ପଲ୍ଲୀ ପ୍ରାନ୍ତରେ ପଡ଼ି ବନର ମାଳତୀ ପରି ଶୁଖି ଯାଉଛନ୍ତି । ଅନ୍ନ ଚିନ୍ତାରେ ପଡ଼ି ସେମାନଙ୍କର ବୁଦ୍ଧିବୃତ୍ତି ଉତ୍ସାହ ସାହସ ସବୁ ଉଭେଇ ଯାଇଛି । ନିର୍ଦ୍ଧନର କି ବଳ କହି ସେମାନେ ବରାବର ଉଦାସୀନ ହୋଇ ପଡ଼ୁଛନ୍ତି । ଓଡ଼ିଶାର ନାରୀ ଜାତିର ଦୁର୍ଦ୍ଦଶା କହିଲେ ନସରେ । ପଲ୍ଲୀପ୍ରାନ୍ତର କୃଷକ କୁଲି ଶ୍ରେଣୀର ଗୃହିଣୀ ଯୁବତୀ ବାଳିକାମାନଙ୍କୁ ଯେ ଦେଖିଛି ସେ ଭାବିଛି ହାୟ ଭଗବାନ୍‍ ! ଓଡ଼ିଶା ଶିକ୍ଷା ସଭ୍ୟତାର କେଉଁ କୋଣରେ କେତେ ଦୂରରେ ପଡ଼ିଛି ? ସେମାନଙ୍କର ରୁକ୍ଷ କେଶ ଛିଣ୍ଡା ବାସ ଓ କଙ୍ଗାଳସାର କଳେବର ଦେଖି କାହାର ହୃଦୟ ଦୟାରେ ବିଗଳିତ ନହେବ ? ଶୁଖିଲା ପତର ସାଉଁଟିବା ଗୋବର ଗୋଟାଇବା-ଶାଗ ତୋଳିବା ଇତ୍ୟାଦି ଏମାନଙ୍କର ଦୈନନ୍ଦିନ କାର୍ଯ୍ୟ । ମାଣ୍ଡିଆଜାଉ କୋଳଥଜାଉ ଶାଗସିଝା ଏମାନଙ୍କର ପ୍ରଧାନ ଖାଦ୍ୟ । ମାସକ ମଧ୍ୟରେ ଏମାନେ ଦୁଇ ଚାରିଥର ପେଟପୁରା ଅନ୍ନ ଖାଇବାକୁ ପାଆନ୍ତି କି ନାହିଁ ସନ୍ଦେହ । ଆଉ ମଧ୍ୟବିତ୍ତ ଶ୍ରେଣୀର ପଲ୍ଲୀବାସିନୀ ମହିଳାମାନଙ୍କ ଅବସ୍ଥା ଆଚାର ଓ ରୀତିନୀତି ବାସ୍ତବିକ ଅଦ୍ଭୁତ ଧରଣର । ଯେପରି ମନେ ହୁଏ ଜଗତର ସମସ୍ତ କୁଶିକ୍ଷା ଓ ଅଶିକ୍ଷା ଏଇମାନଙ୍କ ନିକଟରେ ନୀଡ଼ବାନ୍ଧି ଆଶ୍ରୟ ନେଇଛି-। ଯେନତେନ ପ୍ରକାରେ ଜୀବନ ବଞ୍ଚାଇ ଧନ ସଂଚୟ କରିବା ଛଡ଼ା ଏମାନଙ୍କର ଅନ୍ୟ କର୍ତ୍ତବ୍ୟ ଅଛି ବୋଲି ମନେ ହୁଏ ନାହିଁ । ଏମାନଙ୍କର ଚାଲିଚଳଣୀ ଓ ଆଚାରବ୍ୟବହାର ଦେଖିଲେ ମାତୃଜାତି ପ୍ରତି ଯେ କୌଣସି ବ୍ୟକ୍ତିର ମନରେ ଘୃଣା ଜାତ ହେବାର କଥା । କିନ୍ତୁ ସେମାନେ ଘୃଣାର ପାତ୍ରୀ ନହୋଇ ଦୟାର ପାତ୍ରୀ ହେବା ଉଚିତ । କାରଣ ସେମାନଙ୍କର କୁଶିକ୍ଷା ଓ ଅଶିକ୍ଷାପାଇଁ ସମାଜ ଓ ଦେଶନେତାମାନେ ସଂପୂର୍ଣ୍ଣ ଦାୟୀ । ଓଡ଼ିଶାରେ ସ୍ତ୍ରୀ ଶିକ୍ଷା ପ୍ରତି ଏ ପର୍ଯ୍ୟନ୍ତ ଲୋକଙ୍କର ମନ ଆକୃଷ୍ଟ ହୋଇନାହିଁ । ସହର ବଜାରରେ ଯେ କେତେ ଜଣ ସ୍ତ୍ରୀ ଶିକ୍ଷିତା ହୋଇ ଆଜିକାଲି ବାହାରିଲେଣି । ସେମାନଙ୍କର ସଂଖ୍ୟା ନିତାନ୍ତ କମ୍-ମୁଷ୍ଟିମେୟ ।

 

ଅଧିକାଂଶ ପଲ୍ଲୀ ଆଗେ ଯେପରିଥିଲା, ବର୍ତ୍ତମାନ ସେହିପରି ପଡ଼ି ରହିଛି । ସେମାନଙ୍କ ଜୀବନକୁ ଜାଗରଣ ସ୍ପର୍ଶ କରିନାହିଁ । ବୋଇତ ଆସି କୁଳରେ ଲାଗିବାକୁ ବସିଲାଣି ଅଥଚ ସେମାନଙ୍କର ଧାନକୁଟା ପାଣି ଅଣା ଯିବାକୁ ନାହିଁ । କିଏ ସେମାନଙ୍କର କାନରେ ଏ ସମ୍ବାଦ ଦେବ-? କିଏ ସେମାନଙ୍କୁ ଜାଗରିତ କରିବ ? ଯୁବକର ପ୍ରଧାନ ଏବଂ ପ୍ରଥମ କର୍ତ୍ତବ୍ୟ ହେଉଛି ପଲ୍ଲୀ ସଂଗଠନ । ପଲ୍ଲୀବାସୀଙ୍କୁ ଯୁବକ ନ ଜଗାଇଲେ ସେମାନେ ଚିରଦିନ ଅନ୍ଧାରରେ ପଡ଼ିଥିବେ-। ଆଜିକାଲି ଅଧିକାଂଶ ଯୁବକ ପୁରପଲ୍ଲୀକୁ ଆସି ବଡ଼ ବଡ଼ ସହରରେ ସ୍କୁଲ କଲେଜରେ ଶିକ୍ଷାଲାଭ କରନ୍ତି–ଶିକ୍ଷା ଶେଷରେ ଜୀବିକାର୍ଜନପାଇଁ ସହର ବଜାରରେ ଆଶ୍ରୟ ନିଅନ୍ତି ଓ ଚିରଦିନପାଇଁ ନିଜର ଜନ୍ମସ୍ଥାନ ପଲ୍ଲୀଗ୍ରାମରୁ ବିଦାୟ ନେଇ ଆସନ୍ତି । କାରଣ ସେମାନଙ୍କୁ ଆଉ ପଲ୍ଲୀଜୀବନ ଭଲଲାଗେ ନାହିଁ । ଏହିପରି ପଲ୍ଲୀ ଅଧିବାସୀ ଅଧିକାଂଶ ଶିକ୍ଷିତ ଯୁବକ ଦିନକୁ ଦିନ ନଗରର ଜନସଂଖ୍ୟା ବଢ଼ାଉଛନ୍ତି । ଫଳରେ ପଲ୍ଲୀଗୁଡ଼ିକ ଯେପରି ସେପରି ପଡ଼ି ରହିଛି । ପଲ୍ଲୀର ଉନ୍ନତିପାଇଁ ଆଜି ଯୁବକର ସମବେତ ଚେଷ୍ଟା ଆବଶ୍ୟକ । ପଲ୍ଲୀ ସଂଗଠନ କାର୍ଯ୍ୟ ବର୍ତ୍ତମାନ ଅବସ୍ଥାରେ ଦେଶହିତୈଷୀମାନଙ୍କର ଏକମାତ୍ର କର୍ତ୍ତବ୍ୟ । ପଲ୍ଲୀରେ ଶିକ୍ଷା ସଂସ୍କାର ପ୍ରଚାରକରିବା–ପଲ୍ଲୀବାସୀଙ୍କୁ ପରିଷ୍କାର ପରିଚ୍ଛନ୍ନତା ଶିଖାଇବା–ସେମାନଙ୍କର ମନରେ ଶିକ୍ଷାର ପ୍ରେରଣା ଆଣିଦେବା ସେମାନଙ୍କର ଅଭାବ ଅଭିଯୋଗ କର୍ତ୍ତୁପକ୍ଷମାନଙ୍କୁ ଜଣାଇ ତାହାର ବିହିତ ପ୍ରତିକାରକରିବା–ସେମାନଙ୍କ ସହିତ ମିଳିମିଶି ସେମାନଙ୍କୁ ଆପଣାର କରିବା–ଏହିସବୁ ଯୁବକ କରିବାକୁ ହେବ । ପଲ୍ଲୀ ନଜାଗିଲେ ଦେଶର ଉନ୍ନତି ଅସମ୍ଭବ । ପଲ୍ଲୀ ହେଉଛି ଦେଶର ମେରୁଦଣ୍ଡ–ଏକଥା ପ୍ରତ୍ୟେକ ଯୁବକ ସ୍ମରଣ ରଖିବାକୁ ହେବ ।” (ନବୀନ, ୨୬ ଅକ୍ଟୋବର ୧୯୩୭)

 

ପୂଜ୍ୟପୂଜାପାଇଁ କୃପାସିନ୍ଧୁ ସଦାଜାଗ୍ରତ ଥିଲେ । ଓଡ଼ିଶାରେ ପ୍ରତିଭା ପୂଜାର ଉତ୍କଟ ଅଭାବକୁ ସେ ଲକ୍ଷ୍ୟ କରିଥିଲେ । ସେଥିପାଇଁ ୧୯୪୦ରେ ଆଚାର୍ଯ୍ୟ ହରିହର ଜୟନ୍ତୀ ଅବକାଶରେ ସେ ସ୍ପଷ୍ଟ ଭାବରେ ଲେଖିଥିଲେ : “ଜାତୀୟ ନେତାଙ୍କୁ ଯେପରି ଭାବେ ସମ୍ମାନ କରିବା କଥା ସେପରି ଭାବେ ହେଉନଥିବାରୁ ଆମ୍ଭମାନଙ୍କ ମଧ୍ୟରୁ ଅନେକ ତ୍ୟାଗୀ, କର୍ମୀ ଓ ଦେଶହିତୈଷୀ ନିଜ ନିଜର କର୍ମମୟ ଜୀବନର ଅବସାନ ପରେ ବିସ୍ମୃତିର ବିରାଟ ଅନ୍ଧକୂପ ମଧ୍ୟରେ ନିକ୍ଷିପ୍ତ ହୁଅନ୍ତି । ଭାରତର ଅନ୍ୟାନ୍ୟ ପ୍ରଦେଶରେ ଜାତୀୟ ନେତାଙ୍କ ଜୀବଦ୍ଦଶାରେ କିପରି ସମ୍ମାନ ଦେଖାଯାଇଥାଏ ପୁଣି ସେମାନଙ୍କର ମରଣ ପରେ ସେମାନଙ୍କ ସ୍ମୃତିପୂଜାପାଇଁ କିପରି ଆୟୋଜନ କରାଯାଏ ତାହା ଉତ୍କଳୀୟ ଜନସାଧାରଣ ଭଲ ଭାବରେ ଜାଣନ୍ତି ଅଥଚ ନିଜ ଦେଶର ଜାତୀୟ ନେତାଙ୍କୁ କିପରି ସମ୍ମାନ ଦେବାକଥା ସେ କଥା କେହି ହେଲେ କଳ୍ପନା କରୁନଥିବା ବଡ଼ କ୍ଷୋଭର ବିଷୟ । ଜାତୀୟ ନେତାଙ୍କ ପ୍ରତି ଏପରି ଉଦାସୀନ ଭାବ ଦେଶ ଓ ଜାତି ପକ୍ଷରେ ଖୁବ୍ ସାଂଘାତିକ । କାରଣ ଏଥିଦ୍ୱାରା ଜାତୀୟ ଇତିହାସର ଅଙ୍ଗ ଦୁର୍ବଳ ହୋଇ ପଡ଼ିବା ଖୁବ ସମ୍ଭାବନା । ପୁଣି ଜାତିର ଭବିଷ୍ୟତ ବଂଶଧରମାନ କୌଣସି ଜାତୀୟ ବୀରଙ୍କ ମହତ୍ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜ ନିଜର ବ୍ୟକ୍ତିଗତ ଜୀବନ ଗଠନ କରିବା ଲାଗି ଅବସର ପାଇପାରିବେ ନାହିଁ । ଆମ୍ଭେମାନେ ନବୀନର ଏହି ସଂକୀର୍ଣ୍ଣ ସ୍ତମ୍ଭ ମଧ୍ୟରେ ବରାବର କହି ଆସୁଛି ଯେ ପ୍ରତିଭା ପୂଜାର ଅଭାବ ଓଡ଼ିଶାର ଗୋଟାଏ ଉତ୍କଟ ପାରଂପାରିକ ଦୁର୍ବଳତା । ଏହି ଓଡ଼ିଶାରେ କୁଳବୃଦ୍ଧ ମଧୁସୂଦନ ଓ ଲୋକ ବଂଧୁ ଗୋପବଂଧୁ ପ୍ରମୁଖ ଜାତୀୟ ବୀରମାନେ ଜାତୀୟ ଜୀବନ ଗଠନ କରିବାକୁ ଯାଇ କିପରି ପ୍ରାଣ ପର୍ଯ୍ୟନ୍ତ ଉତ୍ସର୍ଗ କରିଅଛନ୍ତି ତାହା କାହାରିକୁ ଅବିଦିତ ନାହିଁ । ଅଥଚ ସେମାନଙ୍କ ଜୀବନ କାଳରେ କୌଣସି ସ୍ମୃତି ମନ୍ଦିର ସ୍ଥାପିତ ହୋଇନାହିଁ । ଏହି ଉଦାସୀନତାର କାରଣ ନିର୍ଦ୍ଦେଶ କରିବା ସହଜ ନୁହେଁ ।” ସେହି ଅବକାଶରେ ଆଚାର୍ଯ୍ୟ ହରିହର ଦାସଙ୍କ ପ୍ରତି ସମ୍ମାନ ଜଣାଇ ସେ ପ୍ରକାଶ କରିଥିଲେ-ଆମ୍ଭମାନଙ୍କ ମଧ୍ୟରେ ଏହି ଓଡ଼ିଶାରେ ଜଣେ ତ୍ୟାଗବୀର ଅଛନ୍ତି ଯେ କି ଆଜିଯାଏ ନିତାନ୍ତ ଅପ୍ରକାଶିତ ଓ ଅଲକ୍ଷିତ ଭାବରେ ନିଜର କର୍ମମୟ ଜୀବନ ଅତିବାହିତ କରୁଛନ୍ତି-। ସେ ମହାତ୍ମା ଆଚାର୍ଯ୍ୟ ହରିହର ଦାସ । ଆଚାର୍ଯ୍ୟ ହରିହର ଉତ୍କଟ ତ୍ୟାଗ, ନିଷ୍ଠା ଓ ସେବାଧର୍ମର ଯେଉଁ ଜ୍ୱଳନ୍ତ ଆଦର୍ଶ ଦେଖାଇ ଆସୁଅଛନ୍ତି ତାହା ଉତ୍କଳୀୟମାନଙ୍କର ଗୋଟାଏ ଜାତୀୟ ସଂପଦ ହୋଇ ରହିବା କଥା । ସମଗ୍ର ଦେଶର ଜନସାଧାରଣଙ୍କୁ ବାତ୍ସଲ୍ୟ ଭାବରେ ଦେଖି ସମଗ୍ର ଦେଶକୁ ନିଜର ପରିବାର ମନେ କରି ସେ ଆଜି ନିଃସ୍ୱାର୍ଥ ଭାବରେ କିପରି ନିଜର ନିରାଡ଼ମ୍ବର ଜୀବନ କଟାଇ ଆସୁଛନ୍ତି ତାହା ଦେଶବାସୀ ସମସ୍ତେ ଜାଣନ୍ତି । ଏପରି ଜଣେ ମହାତ୍ମାଙ୍କୁ ଉପଯୁକ୍ତ ଭାବେ ସମ୍ମାନ ଦେଖାଇବା ଦେଶବାସୀଙ୍କ ପ୍ରଧାନ କର୍ତ୍ତବ୍ୟ । (ନବୀନ, ୨୩ ଜାନୁଆରୀ, ୧୯୪୦)

 

ସେହିପରି ମୃତ ଓଡ଼ିଆ କର୍ମୀ ଓ ସଂଗଠକ, ନେତା ତଥା ସମାଜସେବୀ ନିରଂଜନ ପଟ୍ଟନାୟକ, ବ୍ରଜକିଶୋର ଦାସଙ୍କ ପରି ଅନେକ ମୃତବ୍ୟକ୍ତିମାନଙ୍କର ସ୍ମୃତି ଚାରଣ କରି ସେମାନଙ୍କର ମହାନ୍ ଅବଦାନକୁ ଲୋକଲୋଚନକୁ ଆଣିଥିଲେ । ଗଡ଼ଜାତ ରାଜାମାନଙ୍କର ଗଠନାତ୍ମକ କାର୍ଯ୍ୟମାଳା କିପରି ସମଗ୍ର ଓଡ଼ିଶାରେ ପରିଚିତ ହେବ ସେ ସଂପର୍କରେ ଧାରାବାହିକ ଭାବରେ ଗଡ଼ଜାତ ପ୍ରସଙ୍ଗ ତାଙ୍କ ସମ୍ବାଦପତ୍ରରେ ସଂଯୋଜିତ କରି ଗଡ଼ଜାତର ଓଡ଼ିଆତ୍ୱକୁ ଉପସ୍ଥାପିତ କରିଥିଲେ ।

 

।। ୯ ।।

 

ନରେନ୍ଦ୍ର ଦେବଙ୍କର ଜୁନ୍ ମାସ ୧୫ ତାରିଖ ୧୯୫୩ ମସିହାରେ ରାତ୍ର ୩ ଘଣ୍ଟା ୨୦ ମିନିଟରେ ବ୍ରହ୍ମପୁରଠାରେ ଅକାଳ ବିୟୋଗ ଘଟିଥିଲା । ଏହା ପୂର୍ବରୁ କେତେ ମାସ ଧରି ସେ ପୀଡ଼ିତ ଥିଲେ । ତାଙ୍କ ମୃତ୍ୟୁ ସମ୍ବାଦରେ କେବଳ ବ୍ରହ୍ମପୁର ନୁହେଁ ଓଡ଼ିଶାରେ ନୁହେଁ ଓଡ଼ିଶାର ବହୁ ବିଶିଷ୍ଟ ସାହିତ୍ୟିକ ଓ ନେତା ଗଭୀର ଶୋକ ପ୍ରକାଶ କରିଥିଲେ । ସେହି ଦୁଃଖଦ ଅବସ୍ଥାରେ ସତ୍ୟ ନାରାୟଣ ପଟ୍ଟନାୟକ ନରେନ୍ଦ୍ର ଦେବଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରି ଏକ କବିତା ଲେଖିଥିଲେ । ଏହି କବିତାଟି ନିମ୍ନରେ ଉଦ୍ଧାର କରାଯାଇଛି–

 

ହେ କବି ନରେନ୍ଦ୍ର

ନିୟତିର ଏ କି ଉପହାସ

ନେଇଛି ତୁମକୁ କିଏ

ନ ପୁରୁଣୁ ଏ ଜାତିର କୋଟି ଅଭିଳାଷ ।

 

ସାହିତ୍ୟ ସାଧନା ଲାଗି

ଆମରଣ ଦୁଃଖ ଦୈନ୍ୟ ଭୋଗୀ

ଉଚ୍ଚକୋଟିର ଦୀପ୍ତି,

ଦୂରେ ବହୁ ଦୂରେ ଦେଖି

ଚାଲିଗଲ “ତେନସିଂ” ପରି ଆଗକୁ ନିରେଖି

ଅଭିଯାତ୍ରୀ ମରର ମଣିଷ ପରି

ସାହା ସାଥି ଧରି

ବିକଳ ଚାତକ ସମ ଶୁଷ୍କ ମେଘେ

କେବେ କେବେ ହେରି ।

 

ପଡ଼ିଛି ନିୟତିର କଟୁ ଉପହାସେ

କିନ୍ତୁ ପରାହତ ହୋଇନାହିଁ

ଜାତନାର ତିକ୍ତ ଅନୁପ୍ରାସେ ।

ହତାଶ ହୋଇନ ଦିନେ

ପଛଘୁଞ୍ଚା ନଥିଲାତ କେବେ

ଉଡ଼ୁଥିଲା କଳ୍ପନାର ନଭଶ୍ଚୁମ୍ବୀ ଧ୍ୱଜା

ଦବି ନାହିଁ ରଥଚକ୍ର ଲବେ

ସତେ କି ଯାଇଛ ଆଜି

ସ୍ୱପ୍ନ ସୌଧ ପଡ଼ିଲାକି ଭାଜି

ଆସିବନି ଫେରି ଆଉ କେବେ

ସଂଗୀତ ସାହିତ୍ୟ କଳା ମରିବ ନୀରବେ ?

 

ଭଂଜ କଂଜ ଗଞ୍ଜାମର ଏହି ମାଟି ପରେ

ଗୁଂଜରିତ ସଦା ଯହିଁ ମଂଜୁ କବିତାରେ

ଭାବିଥିଲ ତୋଳିବାକୁ ଉଚ୍ଚ ଅଟ୍ଟାଳିକା

ଭାଙ୍ଗିଗଲା ତାହା ପଡ଼ି ଶୃଙ୍ଗ ଶିଖୁଁ

ତୁଙ୍ଗ ନିହାରୀକା

ଆହେ କଳ୍ପନା ବିଳାସୀ

ସଦାଶାନ୍ତିର ପିୟାସୀ

କୋଟି ଜନତାର ପ୍ରାଣ-

ଅକାଳେ ଶୁଣି ତବ ତିରୋଧାନ

କ୍ଷଣକାଳ ସ୍ତମ୍ଭୀଭୂତ ହୋଇଲା ନିଃସ୍ୱନ;

ତଦ ଦୟା, କ୍ଷମା, ସେବା ଅବିରାମ

ସାର୍ଥକ କରିଯାଇଛି କୃପାସିନ୍ଧୁ ନାମ

କବିକୁଳେ ସାହିତ୍ୟ ଆଳାପୀ

ସଂଗୀତରେ କଳାପ କଳାପୀ

ଦୀନଜନେ ଆକଣ୍ଠ ବିଳାପୀ

ଶିଷ୍ଟ ଜନେ ସୁମିଷ୍ଟ ମେଳାପୀ

ଥିଲ ତୁମେ ଅଛ ସବୁ ଦିନେ

ଲିଭିବନି ସେହି ସ୍ମୃତି ପଡ଼ୁଥିବ ମନେ

(ତେଣୁ) ଏ ଦେଶର ନିରନ୍ନ ଅଭିଶପ୍ତ ଜାତି

ସମକଣ୍ଠେ ଗାଏ ତବ ଆତ୍ମାର ସଦ୍‍ଗତି

ଆହେ ସ୍ୱର୍ଗଗାମୀ

ଘେନ ଏ ଜନତାର ବିନତି ନମାମି

(ନବୀନ, ସେପ୍ଟେମ୍ବର ୮, ୧୯୫୩)

 

ସେହି ଅବକାଶରେ ଶଶିଧର ପଟ୍ଟନାୟକ ଏକ କବିତାରେ ନରେନ୍ଦ୍ର ଦେବଙ୍କୁ ଶ୍ରଦ୍ଧା ନିବେଦନ କରିଥିଲେ । ସେହି ଅମର ନରେନ୍ଦ୍ର କବିତାଟି ଏଠାରେ ଉଦ୍ଧାର କରାଯାଇଛି :

 

ସଞ୍ଜ କଞ୍ଜର ମାଧୁରୀ ପୁଞ୍ଜ

ଫୁଟୁଥିଲା ଯାର ମୁଖେ

କମ୍ର ନମ୍ରତା ଚିର ବଂଧୁତା

ଅଙ୍ଗ ଭୂଷା ଯାର ମୁଖେ

ସେତ ଅମର ନରେନ୍ଦ୍ର

ଚାଲିଗଲା ସତେ ସୁରେନ୍ଦ୍ର ଭବନେ

ମହୁରୀ ଗଗନ ଚନ୍ଦ୍ର

ଯାଇନି ପରା ନୟନ ପଥେ

ଉଭାହୁଏ ବାରଂବାର

କଳ୍ପନା ଦେବୀ ଚୁମ୍ବନେ ପରା

ରସାଣିତ ଗଣ୍ଡଧାର

ପ୍ରାଣ ପୁଲକ ସାରଲ୍ୟ

ମିଳିବ କି ଆହା ! ଶ୍ରାନ୍ତ ପଥିକେ

କରିବ ଗଳାର ମାଲ୍ୟ

ଚିର ଚରଣେ ଅରୁଣ ରାଗେ

ସୁପ୍ତ ବିନାଶୀ ସ୍ପନ୍ଦନେ

 

ଡାକୁଥିଲା ଯେ ଉଠରେ ଉଠ

ଓଡ଼ିଆ ଶିଳ୍ପୀ ସନ୍ତାନେ !

“ନବୀନ” ଆଞ୍ଜୁଳି ତୁର୍ଣ୍ଣ

ଲେଖନୀ ମୁକୁଳ ବାସନା କୁସୁମେ

ମାତାପାଇଁ କର ପୂର୍ଣ୍ଣ ।

ଅତ୍ୟାଚାରୀର ଦର୍ପିତ ରୀତି

ପାଳନ ଛନ୍ଦେ ଶୋଷଣ

ସତ୍ୟଶିବର ଆତ୍ମ ସଂସ୍ଥାନ

ମନଧ୍ୟାନୁ ବିସ୍ମରଣ

ନଥିଲା ତା’ର କପାଳେ

କୃପାସିନ୍ଧୁ ସେତ ପାପସିନ୍ଧୁ କିଂପା ।

ହୁଅନ୍ତା ବିଳାସୀ ମେଳେ ।

ରାଜ୍ୟ ନଥାଇ କେହିରେ ରାଜା

ସେହିତ ନରେନ୍ଦ୍ର ଦେବ

ମୁକୁଟେ ତା’ର ପ୍ରଭାତୀ ତାରା-

ଉଜ୍ଜଳ ମଣି ବିଭବ

ସାହିତ୍ୟ ପ୍ରେମିକ ରଜା

ଚାଲିଗଲା ବୋଲି ବକ୍ଷୁ ନିଗାଡ଼ି

ଅଶ୍ରୁ ଦିଅନ୍ତି ପରଜା

‘ନନ୍ଦନେ’ ତେଣେ କୋଇଲି ଗାଏ

ଝଙ୍କାରେ ଅଳି ଗୁଂଜନେ

ଝଙ୍କୃତ ପ୍ରାଣେ ମର୍ଦ୍ଦଳ ଟିପି

ମୁଗ୍ଧ ନରେନ୍ଦ୍ର ରାଜନେ

ଅପ୍‍ସରା ଫୁଲ ରେଣୁ

ବିଞ୍ଚି ନାଚନ୍ତି ଗୋପିକା ସରାଗେ

ଧରନ୍ତି ଯେବେ ସେ ବେଣୁ

ସ୍ୱାଗତ ଉତ୍ସବେ ଭଂଜ ଶାରଳା

ଖାରବେଳ କପିଳେନ୍ଦ୍ର

ଉତ୍କଳ ସିଂହ ଉତ୍କଳ ମଣି

ପଚାରନ୍ତି ହେ ନରେନ୍ଦ୍ର ?

ଉତ୍କଳର କି ସନ୍ଦେଶ ?

ପରାଣ ଶୀତଳ ହେବ ଶୁଣି କ୍ଷଣେ

କହ ଅବିଳମ୍ବେ ଲେଶ

ସଂଗୀତ ରସ ଆତ୍ମ ବିସ୍ମୃତି

ବିସ୍ମୃତି କୋଳେ ନିକ୍ଷେପି

ଶୈଳ ଦରଦୀ କରୁଣ କଣ୍ଠେ

ଉଚ୍ଛ୍ୱାସ ବୁକେ ଚାପି

କହନ୍ତି ଯେ ଗୁଣମଣି

ଦଳଜାତିଗଣ ଦଳାଦଳି ଲାଗି

କାନ୍ଦେ ଉତ୍କଳ ଜନନୀ

ଷଡ଼େଇକଳା- ମାତୃ ମଥାରେ

ମୁଷ୍ଟି ପ୍ରହାର ସତତ

ପୁତ୍ରେ ନାହିଁ ତ ପୂର୍ଣ୍ଣ ମମତା

ସଂସ୍କୃତି ତହିଁ ନିହତ ।

(ନବୀନ, ସେପ୍ଟେମ୍ବର ୮, ୧୯୫୩)

 

ରାଜ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ସେ ସର୍ବସାଧାରଣଙ୍କ ସହିତ ଘନିଷ୍ଠ ଭାବରେ ମିଳାମିଶା କରିଥିଲେ । ସେ ଜଣେ ହୋମିଓ ପ୍ୟାଥିକ୍ ଡକ୍ଟରର ଜ୍ଞାନ ଅର୍ଜ୍ଜନ କରିଥିବାରୁ ଔଷଧ ବିନା ମୂଲ୍ୟରେ ବିତରଣ କରୁଥିଲେ । ସେ ବିଶିଷ୍ଟ ବ୍ୟବସାୟୀ, ସାମ୍ବାଦିକ, ସମାଜସେବୀ, ବ୍ରହ୍ମପୁର ପୌର ପ୍ରତିଷ୍ଠାନର କାଉନସିଲର ଏବଂ ବ୍ରହ୍ମପୁର ଅର୍ବାନ୍ ବ୍ୟାଙ୍କର ଡିରେକ୍ଟର ଥିଲେ। ସେ ଦେଶ ମିଶ୍ରଣ ଆନ୍ଦୋଳନରେ ବିଶେଷ ଅଂଶ ଗ୍ରହଣ କରିଥିଲେ ଏବଂ ବହୁ ଜନହିତକର ଅନୁଷ୍ଠାନ ମାନଙ୍କରେ ସଂଶ୍ଳିଷ୍ଠ ରହି ଅତି ନିଷ୍ଠାପର ଓ ଦକ୍ଷତାର ସହିତ ସମସ୍ତ କାର୍ଯ୍ୟ କରି ଆସିଥିବା ହେତୁ ସେ ବିଶେଷ ଜନପ୍ରିୟତା ଲାଭ କରିପାରିଥିଲେ । ତାଙ୍କର ସୌମ୍ୟ ସୁନ୍ଦର କାନ୍ତି, ମଧୁର ବାକ୍ୟ ଓ ସୌଜନ୍ୟ ସ୍ନିଗଧ ବ୍ୟବହାରରେ ମୁଗ୍‍ଧ ହୋଇ ଏକଦା ଅନନ୍ତ ପ୍ରସାଦ ପଣ୍ଡା ନବୀନରେ ଧାରାବାହିକ ଲେଖାମାନ ପ୍ରକାଶ କରିଥିଲେ । ସେ ରାଜବଂଶରେ ଜନ୍ମିଥିଲେ କିନ୍ତୁ ତାଙ୍କର ପୋଷାକ ପହରଣ, ଚାଲିଚଳଣ, ଆଚାର ବ୍ୟବହାର ଜଣେ ସାଧାରଣ ନାଗରିକ ପରି ଥିଲା । ନବୀନ ସାହିତ୍ୟ ପରିଷଦ କରି ସେ ପ୍ରତ୍ୟେକ ସଭାପରେ ଭୋଜିସଭା କରାଇ ବଂଧୁମାନଙ୍କୁ ପ୍ରମୋଦିତ କରିଥିଲେ । କେବେ କେବେ ନାଟ୍ୟ ଗୀତର ଆସର ମଧ୍ୟ ଜମିଥିଲା । “ନବୀନ” ଥିଲା ତାଙ୍କ ସାହିତ୍ୟ ସାଧନାର ମୁଖପତ୍ର ଓ ମହୁରୀ ରାଜବାଟୀ ଥିଲା ତାଙ୍କ ସାହିତ୍ୟ ସାଧନାର ଲୀଲାଭୂମି । ସମାଜର ଉନ୍ନତିପାଇଁ, ଜାତିର ଉନ୍ନତିପାଇଁ ଦେଶର ଉନ୍ନତିପାଇଁ ସେ ଅକାତରେ ତାଙ୍କର ସର୍ବସ୍ୱ ଢାଳି ଦେବାକୁ ସର୍ବଦା ପ୍ରସ୍ତୁତ ଥିଲେ । ଦୟା ଓ ଦାନ ଥିଲା ତାଙ୍କ ଜୀବନର ଏକ ଶ୍ରେଷ୍ଠ ନୀତି । ଅନେକ ଦୁଃସ୍ଥ ଗରିବ ଛାତ୍ର ମଧ୍ୟ ତାଙ୍କଠାରୁ ସାମୟିକ ସାହାଯ୍ୟ ପାଇ ଅଧ୍ୟୟନ କରୁଥିଲେ । ନାଗରିକ ହିସାବରେ ସ୍ଥାନୀୟ ମ୍ୟୁନିସ୍‍ପାଲଟି ପରିଚାଳନାଠାରୁ ଆରମ୍ଭ କରି ଠାକୁରାଣୀ ଯାତ୍ରାର ପରିଚାଳନା ପର୍ଯ୍ୟନ୍ତ ସବୁ ପ୍ରକାର ସାମାଜିକ କାର୍ଯ୍ୟରେ ତାଙ୍କର କିଛି ନା କିଛି ସଂପର୍କ ଥିଲା । ନବୀନକୁ ସାମାନ୍ୟ ବ୍ୟବସାୟ ମୁଖୀ କରିବାକୁ ଯାଇ ତାହାର ସାହିତ୍ୟିକ ପ୍ରଭାବ ମଝିରେ କ୍ଷୁର୍ଣ୍ଣ କରାଯାଇଥିଲେ ମଧ୍ୟ, ନରେନ୍ଦ୍ର ଦେବଙ୍କର ତୁଙ୍ଗ ପରିକଳ୍ପନାର ଆଭାସ (ନବୀନ ସାହିତ୍ୟିକମାନଙ୍କୁ ଉତ୍ସାହ ପ୍ରଦାନ) ବହୁ ବର୍ଷ ପର୍ଯ୍ୟନ୍ତ ରହିଥିଲା ।

 

ଓଡ଼ିଆ ଭାଷା ଓ ସାହିତ୍ୟର ସମ୍ୟକ୍ ସମୃଦ୍ଧି ଦିଗରେ ସେ କମ୍ ଚେଷ୍ଟା ଓ ଚିନ୍ତା କରି ନଥିଲେ । ଅବଶ୍ୟ ଉତ୍କଳ ଭାରତୀଙ୍କ ଗଳ ଦେଶରେ ଲମ୍ବାଇବାପାଇଁ ସେ ଗୁଡ଼ିଏ ହାର ଗୁନ୍ଥିନଥିଲେ । କିନ୍ତୁ କବିତା ରୂପକ ଯେଉଁ କେତୋଟି ଗୁଚ୍ଛ ଉତ୍କଳ ଭାରତୀଙ୍କ ଶିରୋଦେଶରେ ମଣ୍ଡି ଯାଇଥିଲେ ତାହା ମଣିମୁକ୍ତା ଭଳି ଚିରକାଳ ଜଳୁଥିବ । ନରେନ୍ଦ୍ର ଦେବଙ୍କ ସାହିତ୍ୟ ପ୍ରାଣକୁ ପ୍ରଂଶସା କରି ନାରାୟଣ ଶାସମଲ ଲେଖିଥିଲେ-ଦିନେ ସନ୍ଧ୍ୟାରେ ସେ ନବୀନ ସାହିତ୍ୟ ପରିଷଦର ଏକ ବୈଠକରେ ଉପସ୍ଥିତ ଥିଲେ । ସେଦିନ ଆଲୋଚ୍ୟ ବିଷୟ ଥିଲା “ଓଡ଼ିଆ ସାହିତ୍ୟରେ ପଡ଼ୋଶୀ ଭାଷା ସହିତ ସମ୍ବଦ୍ଧ” ଅନେକ ଲୋକ ବକ୍ତୃତା ଦେଲେ ଓ ପରିଶେଷରେ ସଭାପତି ମଧ୍ୟ ସାରଗର୍ଭକ ଭାଷଣ ଦେଲେ । କିନ୍ତୁ ଏ ସବୁ ମଧ୍ୟରେ ସେ ଲକ୍ଷ୍ୟ କରୁଥିଲେ ଗୋଟିଏ ବିଷୟ ତାହା ହେଲା ଉଦ୍ୟୋକ୍ତା ନରେନ୍ଦ୍ର ଦେବଙ୍କ ଉଦ୍‍ବେଗ ଓ ଅସ୍ଥିରତା । ମଝିରେ ମଝିରେ ସେ ଅନେକ ନିକଟକୁ ଯାଇ ଛିଡ଼ା ହୋଇ କିଛି କହିବାପାଇଁ ନାନା ଅନୁନୟ, ବିନୟ ଓ ଜବରଦସ୍ତି ମଧ୍ୟ କରୁଥାନ୍ତି-। ଶାସମଲ୍ ନିଜେ ମଧ୍ୟ ସେଥିରୁ ନିଷ୍କୃତି ପାଇ ନଥିଲେ । ଏଥିରୁ ନରେନ୍ଦ୍ର ଦେବଙ୍କର ସ୍ୱଦେଶ ପ୍ରୀତି ଓ ସାହିତ୍ୟାନୁରାଗ ଅନନ୍ୟ ସାଧାରଣ ଥିବାର ଜଣାଯାଏ ।

 

କୃପାସିନ୍ଧୁ ଜଣେ ଲେଖକ ଥିଲେ, କିନ୍ତୁ ଲେଖା ସହିତ ତାଙ୍କର ଯୋଗାଯୋଗ ନଥିଲା । ସେ ସଂଗୀତଜ୍ଞ ଥିଲେ, କିନ୍ତୁ ଗୀତ ଗାଉନଥିଲେ, ସେ ନେତା ଥିଲେ ତାଙ୍କର ବିବୃତ୍ତି ନଥିଲା । ସେ ରାଜା ଥିଲେ ତାଙ୍କର ରାଜ୍ୟ ନଥିଲା । ବ୍ରହ୍ମପୁରର ଏପରି କୌଣସି ବିଶିଷ୍ଟ ଅନୁଷ୍ଠାନ ନଥିଲା ଯାହା ସହିତ ଯେ ସଂପୃକ୍ତ ନଥିଲେ । ରୟଲ୍ ଛାପାଖାନା ତାଙ୍କର କୀର୍ତ୍ତି ହେଲେ ହେଁ ତାଠାରୁ ସେ ଦୂରରେ ରହୁଥିଲେ । ସେ ଜଣେ ଯଥାର୍ଥ ସାହିତ୍ୟ ରସିକ ଓ ଗ୍ରାହକ ଥିଲେ । ଭଂଜଙ୍କର ଛାନ୍ଦ ଓ କବିସୂର୍ଯ୍ୟ ସଂଗୀତର ସମଜଦାର୍ ହିସାବରେ ତାଙ୍କର ସୁନାମ ଥିଲା । ନରେନ୍ଦ୍ର ଦେବ ପ୍ରତ୍ୟେକ୍ଷ ଜାତୀୟ ସଂଗ୍ରାମରେ ଯୋଗ ନଦେଲେ ମଧ୍ୟ ଜାତୀୟ ଆନ୍ଦୋଳନ ପ୍ରତି ତାଙ୍କର ନୈତିକ ସହାନୁଭୂତି ରହିଥିଲା । ଓଡ଼ିଆର ଆତ୍ମ ମର୍ଯ୍ୟାଦା କ୍ଷୁର୍ଣ୍ଣ ହେଲେ ସେ ସହି ପାରୁନଥିଲେ ।

 

ପରିଶେଷରେ କବି କୁଞ୍ଜବିହାରୀ ଦାଶଙ୍କ ମନ୍ତବ୍ୟକୁ ଏହାରେ ଉଦ୍ଧାର କରାଯାଇ କୃପାସିନ୍ଧୁ ଚରିତର ମୂଲ୍ୟାୟନ କରାଯାଇପାରେ–

 

ବଡ଼ ବଡ଼ ପତ୍ରିକାମାନେ ଯେତେବେଳେ ନୂଆ ଲେକକମାନଙ୍କୁ ଖିଡ଼ିକି ଅର୍ଗଳି ବନ୍ଦ କରି ଦେଇଥାନ୍ତି ସେତେବେଳେ ନବୀନର ଦୁଆର ମେଲାଥାଏ । ଯେ ଲେଖିବ ଲେଖ, କାହାରିକି ମନା ନାହିଁ । ଭଲ ମନ୍ଦ ବିଚାର କରି ବର୍ତ୍ତମାନ ଲାଭ ନାହିଁ । ଲେଖୁ ଲେଖୁ ସବୁ ଆପେ ସଜାଡ଼ି ହୋଇଯିବ । ‘ନବୀନ’ ନବୀନର କୋମଳ ଅନ୍ତରରେ ଆତ୍ମ ପ୍ରତ୍ୟୟର କନକ ପ୍ରଦୀପ ଜଳାଇ ରଖେ । “ନବୀନ” ଯଥାର୍ଥରେ ନବୀନର । ଲେଖାରେ କିଛି ମୂଲ୍ୟ ଥାଉ ବା ନଥାଉ, ଲେଖକ ଯେ କୌଣସି ପନ୍ଥୀ ହୋଇଥାଉ, ନବୀନର ଉଦାର ଅନ୍ତରରେ ତାକୁ ସ୍ଥାନ ମିଳେ । କୃପାସିନ୍ଧୁ ଧନରେ ରାଜା ନଥିଲେ, ମନରେ ରାଜା ଥିଲେ । ତାଙ୍କର ମୃଣ୍ମୟ ରାଜ୍ୟ ନଥିଲା । କିନ୍ତୁ ଲୋକଙ୍କର ଚିନ୍ମୟ ପ୍ରଦେଶରେ ସେ ରାଜତ୍ୱ କରୁଥିଲେ । ତାଙ୍କର ଅମାୟିକ ସ୍ୱଭାବ, ରାଜୋଚିତ ଉଦାରତା ବଳରେ ସେ ବହୁ ଅନ୍ତର ଜୟ କରିଥିଲେ ।

•••

 

ପରିଶିଷ୍ଟ

 

୧୯୩୦ ମେ ୧୩ ନବୀନ ପ୍ରଥମ ସଂଖ୍ୟାରୁ ୧୯୩୧ ଶେଷ ପର୍ଯ୍ୟନ୍ତ ସଂଖ୍ୟାମାନଙ୍କରେ ସଂପାଦକ କୃପାସିନ୍ଧୁ ଏକ ସଂପୂର୍ଣ୍ଣ ଭିନ୍ନ ଧରଣର ସଂପାଦକୀୟ ଅଭିମତ ଦେଇଥିଲେ । ସେ ସବୁ ତାଙ୍କର କାବ୍ୟିକ ମନର ପରିଚୟ ଦିଅନ୍ତି । ସେ ସବୁ ସମ୍ବାଦଧର୍ମୀ ନହୋଇ ମାନସ୍ତାତ୍ତ୍ୱିକ ବିବରଣୀ ବହନ କରନ୍ତି । ଏହି ପରିଶିଷ୍ଟରେ ସେହି ଭିନ୍ନ ସଂପାଦକୀୟ ସ୍ତମ୍ଭମାନଙ୍କ ମଧ୍ୟରୁ କେତୋଟି ଉଦ୍ଧାର କରାଯାଇଛି । ଏହା ସହିତ ୧୯୩୦ ମସିହାରେ ନବୀନରେ ପ୍ରକାଶିତ ତାଙ୍କର ଦୁଇଟି କବିତା ମଧ୍ୟ ଉଦ୍ଧାର କରାଯାଇଛି । ପାଠକମାନେ ଏସବୁ ମାଧ୍ୟମରେ କୃପାସିନ୍ଧୁ ନରେନ୍ଦ୍ର ଦେବଙ୍କର ଦୃଷ୍ଟିକୋଣ ସହିତ ପରିଚିତ ହୋଇପାରିବେ ।

 

ନବୀନ / ୧୯୩୦ ମେ ୧୩ / ମଙ୍ଗଳବାର

 

ସଂପାଦକୀୟ ଉପରେ ଥିଲା

 

“ହୀନ ନୟନରେ ନ ଦେଖେ କିଛି ସେ

ହୃଦୟ ଯାହାର ଉଚ୍ଚ”

 

ସଂପାଦକୀୟ

 

ଚାଲିଗଲା ଶୈଶବ ମଧୁର

ପ୍ରିୟବର, ନବୀନ, ସୁନ୍ଦର ।

କେତେ ବାଲି ଖେଳ, କେତେ କୋଇଲିର ଡ଼ାକ,

ବସି ହସି ଶଶି ଦେଖା ।

(ଏବେ) ଯୌବନ, ପଛକୁ ଚାହିଁ

କହଇ ମନର ଦୁଃଖେ,

“କାହିଁ ଅଛ ତୁମେ ପ୍ରିୟତମ –

କୁଟିଳତା-ଜଟିଳତା-ଅନଭିଜ୍ଞ, ସୁଚାରୁ ଶୈଶବ” ।

 

ମେ ୨୦, ୧୯୩୦, ନବୀନ

ସଂପାଦକୀୟ

 

ସୁଖ, ଦୁଃଖ ନେଇ ମନୁଷ୍ୟର ଜୀବନ, ନିରବଚ୍ଛିନ୍ନ ସୁଖଶାନ୍ତି କେବେ କାହାର ଭାଗ୍ୟରେ ଘଟେ ନାହିଁ । ଦୁଃଖ ବୋଲ, ସୁଖ ବୋଲ, ସବୁ ନିଜ କର୍ମର ଫଳ, କୁକର୍ମରୁ କୁଫଳ, ସୁକର୍ମରୁ ସୁଫଳ ଏହାର ପଥରୁଦ୍ଧ କରିବା କାହାର ସାଧ୍ୟ ନାହିଁ ଭ୍ରାନ୍ତ ମନୁଷ୍ୟ ଅନେକ ସମୟରେ ଅନ୍ଧବିଶ୍ୱାସରେ ଜଡ଼ି କର୍ମାନୁଗତ ଫଳ ଏହା ଭୁଲିଯାଏ । ଭଗବାନଙ୍କୁ ନିର୍ଭର କରେ ଯାଗ, ଯଜ୍ଞ, ଜପ ଭଜନରେ ତାଙ୍କୁ ତୃପ୍ତ କରାଇ ତାଙ୍କ ହାତରେ ସ୍ୱାର୍ଥ ସାଧନ କରିବା ଇଚ୍ଛା କରେ–ଏହା ବିଡ଼ମ୍ବନା ମାତ୍ର ।

 

କର୍ମକୟ ଜୀବନ-ଜଗତ ବିସ୍ତୀର୍ଣ୍ଣ, ଉନ୍ମୁକ୍ତ କ୍ଷେତ୍ର-କର୍ମ କରିବାକୁ ହେବ, ଆଦର୍ଶ କର୍ମ ଦରକାର; ତହିଁରେ ହିଁ ଜଗତର କଲ୍ୟାଣ-ଧର୍ମବୋଲ, ସତ୍ୟ ବୋଲ ଯାହା କିଛି ବୋଲ ସବୁ କର୍ମ ଅଧିନରେ , ଭଗବାନ ଆମ ଦେହରେ ଶକ୍ତି ଦେଇଛନ୍ତି ସବୁ କର୍ମ କରିବାପାଇଁ ।

 

ଜଣେ ହାହାକାରରେ ପ୍ରାଣ ହରାଉଛି, ଅନ୍ୟଜଣେ ହାହାକରି ହସୁଛି–ଏଇ ହସ ଓ କାନ୍ଦ ମଧ୍ୟରେ କି ଗୋଟାଏ ପାର୍ଥକ୍ୟ ନାହିଁ ? ଦେବତାର ଭେଦଭାବ କି ଅନୁଭବ ହେଉନାହିଁ ? ସେ ସମସ୍ତଙ୍କୁ ସମାନ ଦେଖିବାର ନ୍ୟାୟ ଥିଲା–କାରଣ ମଧ୍ୟ ବହୁତ ଥିଲା; କିନ୍ତୁ ସେପରି ସେ କରୁନାହାନ୍ତି–କର୍ମାନୁଯାୟୀ ଫଳ ଏହା ସ୍ପଷ୍ଟ ହେଉନାହିଁ କି ?

 

ମନୁଷ୍ୟକୁ ସୁବିଧା ଦରକାର । ସେହି ସୁବିଧା ଓ ସୁଯୋଗ ନ ମିଳିବା ଯାଏ ମନୁଷ୍ୟର କୃତିତ୍ୱ ଲୁଚି ରହିଥାଏ-ସମୟର ମୂଲ୍ୟ ବୁଝିବାକୁ ହେବ-ସମୟ ଏକା ଆମର ହର୍ତ୍ତା, କର୍ତ୍ତା । ସମୟର ତାଡ଼ନାରେ ଆମର ପତନ, ତା’ର ଆଲିଙ୍ଗନରେ ଆମର ଉତଥାନ । କର୍ମ, ସମୟର ସହାନୁଭୂତି, ଆମର ଜୀବନ ଗଢ଼ିବାପାଇଁ ଉଭୟର ମୈତ୍ରୀ ବିଶେଷ ଦରକାର-ମୁକ୍ତି ଆଦର୍ଶ ନିଷ୍ଠାପର ତ୍ୟାଗରେ-ଆଦର୍ଶ ନଥିଲେ ସବୁ ବୃଥା ।

 

ପୁଣ୍ୟବନ୍ତ ବା ପାପୀ, କର୍ମବନ୍ତ ବା ନିଷ୍କର୍ମା କିଏ ଜନ୍ମରୁ ନୁହେଁ । ବଂଶଗତ ମଧ୍ୟ ନୁହେଁ–

 

“କରମ ନିମନ୍ତେ ନାହିଁ ବଂଶ ପ୍ରୟୋଜନ-

କର୍ମଯୋଗୁଁ ଲୋହ ଅଶୀ ରହେ ସମାଦରେ

ଶୋଭିତ ହେବାକୁ ସ୍ୱର୍ଣ୍ଣ ଲାଗେ ତା ପାଦରେ ।”

 

କର୍ମର ଜ୍ୱଳନ୍ତ ଆଲୋକରେ ଆମେ ଆଲୋକିତ ହେବାକୁ ହେବ-କର୍ମ ଆମର ଦେବତା-ତା’ର ପାଦରେ ସେବାକଲେ ମହାକର୍ମୀ ହୋଇ ଉଠିବ । କର୍ମ କ୍ଷେତ୍ର ଉନ୍ନତ-କର୍ମକ୍ଷେତ୍ର ବିରାଟ-ବିସ୍ତୀର୍ଣ୍ଣ-ମହାନ୍ ।

 

ମେ ୨୭, ୧୯୩୦, ନବୀନ

ସଂପାଦକୀୟ

 

ସ୍ତ୍ରୀ ଧର୍ମର ବନ୍ଧନ, ଗୃହର ଆକର୍ଷଣୀୟ ଶକ୍ତି, ସଂସାରର ଶାନ୍ତି ନିକେତନ । ସନ୍ୟାସୀ କହେ “ଯଦି ସ୍ୱର୍ଗ ପ୍ରାପ୍ତିର ଇଚ୍ଛା କର ସ୍ତ୍ରୀର ମୁଖାବଲୋକନ କରନାହିଁ ।” ରମଣୀର ପ୍ରଣୟ ପବିତ୍ର ମୁଖ ଦେଖିବ ନାହିଁ ତ କିପରି ବୁଝିବ ସ୍ୱର୍ଗ କିପରି-ଦେବତା କିପରି-ଦେବୀ କିପରି–ସେମାନଙ୍କର ପବିତ୍ରତା କିପରି–ସେମାନଙ୍କର ସୁଖ କିପରି ? ରମଣୀର ମୁଖ ଦେଖିବ ନାହିଁତ ଶିଖିବ କିପରି ଭକ୍ତି ପ୍ରୀତି କ’ଣ-ସହିଷ୍ଣୁତା କ’ଣ-ଆତ୍ମ ବିସର୍ଜନ କ’ଣ ? ଜାଣିବ କିପରି ସୀତା କିଏ–ସାବିତ୍ରୀ କିଏ–ଦୌପଦୀ କିଏ ? କିପରି ବୁଝିବ ଅନନ୍ତ ସ୍ନେହ-ଅନନ୍ତ ପ୍ରେମ କାହାକୁ କୁହାଯାଏ ? ଧର୍ମଶିକ୍ଷାପାଇଁ ରମଣୀର ହୃଦୟଛଡ଼ା ଆଉ ଆଦର୍ଶ କ’ଣ ଅଛି ?

 

ଯେଉଁଦିନ ସେ ବିବାହ କଲା, ସ୍ୱାମୀ ସାଗରରେ ଝାମ୍ପ ଦେଲା-ସେହିଦିନୁ ତାରି ସ୍ୱାମୀ, ପିତା, ମାତା, ସ୍ୱାମୀ ହିଁ ଭାଇ ବଂଧୁ-ସ୍ୱାମୀ ଜ୍ଞାନ ସ୍ୱାମୀ ଧ୍ୟାନ-ଇହୋଲୋକ, ପରଲୋକ, ସ୍ୱାମୀ ଚତୁର୍ଭୁଜ-ସ୍ୱାମୀ ଚରଣାରବିନ୍ଦ ତା’ର ଭବସାଗରର ଭେଳା । ସ୍ତ୍ରୀ ଓ ସ୍ୱାମୀର ଏହା ହିଁ ସଂପର୍କବନ୍ଧନ-

 

ଗୋଟିଏ ପ୍ରସଙ୍ଗରେ ସ୍ତ୍ରୀ ଆମର ଦାସୀ ନା ଆମେ ତାହାର ଦାସୀ ? ଏଥିରେ ମଧୁର ଉତ୍ତର ଯେଉଁଠାରେ ପ୍ରେମ, ସ୍ନେହ, ମାୟା, ବନ୍ଧନ ସେଠାରେ ପରସ୍ପର ପରସ୍ପର ଦାସତ୍ୱ ବନ୍ଧନରେ ବନ୍ଧା । ସୁଖ ଓ ସୌନ୍ଦର୍ଯ୍ୟ ପୂର୍ଣ୍ଣ ସଂସାର ଦେଖିବାକୁ ମିଳେ ଗୃହିଣୀର ଢଳ ଢଳ ମୁଖ ପଦ୍ମରେ । ଶୋକ-ତାପ-ଦୁଃଖ-ବାତ୍ୟା-ସନ୍ତାପିତ ଯେତେବେଳେ ପୁରୁଷ ସେତେବେଳେ କିଏ ସେ ଗୃହଲକ୍ଷ୍ମୀ-ମହାଲକ୍ଷ୍ମୀ ଆସି ଆଲିଙ୍ଗନ କରି ସବୁ ତାପ ସବୁ ଶୋକ ଉଡ଼ାଇ ନିଏ । ଯେତେବେଳେ ପୁରୁଷ ରୋଗଶର୍ଯ୍ୟାରେ ସେତେବେଳେ କିଏ ସେ ଦେବୀ, ଚକ୍ଷୁ ଢଳଢଳ କରି ଭଗବାନଙ୍କଠାରେ ଅଶ୍ରୁନୈବେଦ୍ୟ ଢାଳି ଦିଏ–ଏହାଠାରୁ ଅଧିକ ଆଉ ପୁରୁଷ ସ୍ତ୍ରୀଠୁଁ କ’ଣ ଚାହେଁ ? ଏହିପରି ପବିତ୍ର ନିଧିକୁ ଯେ ଉପେକ୍ଷା କରେ–ତା’ର ଉପରେ ଜଘନ୍ୟ ଅତ୍ୟାଚାର କରେ, ସେ ମୂର୍ଖ, ନୀଚ, ନରାକାରେ ପିଶାଚ।

 

ନାରୀର ସୁକୁମାର ବ୍ୟବହାରରେ ପୁରୁଷର ଚରିତ୍ର ପୁଷ୍ଟ । ସେ ପୁରୁଷର କାର୍ଯ୍ୟ କେବେ କରିପାରେ ନାହିଁ–କଲେ ଉଭୟ ଜାତିର ପତନ ଆସେ । ନାରୀଜାତିର ମର୍ଯ୍ୟାଦା ନଷ୍ଟ ହୁଏ । ନାରୀତ୍ୱର ହ୍ରାସ ସଂଗେ ସଂଗେ ସମାଜ, ସମାଜ ସଂଗେ ଧର୍ମ, ଧର୍ମ ସଂଗେ ଦେଶ ଭାଙ୍ଗିପଡ଼େ । ସଜାଡ଼ିବାର ସାଧ୍ୟ ନାଇ । ନାରୀର ଶୋଭା ସଭା ଗୃହରେ ନୁହେଁ-ରାଜଦାଣ୍ଡରେ ନୁହେ-ଗୃହିଣୀ ଗୃହଲକ୍ଷ୍ମୀ ସେ, ତା’ର ଶୋଭା ଗୃହକୋଣରେ ଓଢ଼ଣା ଆବରଣରେ ।

 

ଜୁନ ୩, ୧୯୩୦, ନବୀନ

ସଂପାଦକୀୟ

 

ଏଇ ଯେ କ୍ରନ୍ଦନ । ଗଗନ ଫଟାଇ, ଭବନ କଂପାଇ, କ୍ରନ୍ଦନରୋଳ ଉଠୁଛି–ଏ ଗଭୀର ରାତ୍ରିରେ କାହାର ସଂସାର ଭାଙ୍ଗି ପଡ଼ିଲା । ଏଇ କ୍ରନ୍ଦନରେ ଯେ ବହୁକାଳ ବିସ୍ମୃତ ସୁଖ-ସ୍ୱପ୍ନ ଆସି କର୍ଣ୍ଣରେ ଆଘାତ ଦେଉଛି ।

 

ଅନ୍ୟ ଆଡ଼େ ଏ କିଏ ? ରଜନୀ ଜ୍ୟୋସ୍ନାମୟୀ ଦେଖି ମଧୁର ରାଗିଣୀ କରି ମଧୁମାସରେ ମଧୁରାନ ଗାଉଛି-ପ୍ରତ୍ୟେକ ସ୍ୱର ଲହରୀରେ ଯେ ମାଧୁର୍ଯ୍ୟ ବିକୀର୍ଣ୍ଣ କରିଯାଉଛି–ଗୀତ ଧ୍ୱନିରେ ଯେ ହୃଦୟକୁ ଆଲୋଡ଼ିତ କରିଦେଉଛି–ଗଗନ ବକ୍ଷରେ କୌମୁଦୀର ହାସ କି ଆନନ୍ଦ, କି ପବିତ୍ର । କିନ୍ତୁ କାହିଁ କେଉଁଠାରୁ ଆନନ୍ଦ ମିଳିଲା ?

 

ଏଇ ଯେ କ୍ରନ୍ଦନର ମହାରୋଳ ଶୁଭୁଛି । ଏଇ ଶରୀର କଂପିଉଠୁଛି । ଏଇ ବହୁ ଜଳାକୀର୍ଣ୍ଣ ନଗରୀ ଯେ ନିର୍ଜ୍ଜନ ବୋଧ ହେଉଛି-ସମସ୍ତ ଦିଗ ଯେ ଶୂନ୍ୟ ଦିଶୁଛି; ଯେପରି ମାଧୁର୍ଯ୍ୟରେ, ସୌନ୍ଦର୍ଯ୍ୟରେ ଅଗ୍ନି ଜଳି ଉଠୁଛି ।

 

ଏଇ, ଏଇ ପୁଣି ସେହି ମଧୁର କଣ୍ଠ-ନିସୃତ ସଂଗୀତସୁଧା । ଶୈଶବ; ଯେତେବେଳେ ପୃଥିବୀ, ମଧୁର ଥିଲା, ପ୍ରତି ପୁଷ୍ପରୁ ମହାସୁଗନ୍ଧ ଆସିଥିଲା-ପତ୍ର ମର୍ମରରେ ଦେହ ଚମକି ଉଠୁଥିଲା–ପ୍ରତି ମନୁଷ୍ୟ ମୁଖରେ ସରଳତା ଦେଖା ଦେଉଥିଲା–ଏଇ ସଂଗୀତରେ ସେହି ଶୈଶବର ମଧୁବୋଳା ସ୍ମୃତି । ସେତେବେଳେ ଯେଉଁ ଆନନ୍ଦ ଆଜି ଏ ନୀରବ ଅର୍ଦ୍ଧରାତ୍ରରେ ସେହି ଆନନ୍ଦ-ସେହି ଶୈଶବ-ବହୁଦିନ ବିସ୍ମୃତ ଆନନ୍ଦ-ସେତେବେଳେ ସଂଗୀତ ଶୁଣି ଯେଉଁ ଆନନ୍ଦ ଅନୁଭବ ହେଉଥିଲା ଆଜି ଏଇ ସଂଗୀତ ଶୁଣି ସେଇ ସଂଗୀତ-ବାସନା ରହିତ ଶୈଶବ ମଧୁର ଆନନ୍ଦ । ସେଇ ଚଞ୍ଚଳ ନିର୍ମଳ ପ୍ରକୃତି ମନେ ପଡ଼ୁଛି-ମୁହୁର୍ତ୍ତପାଇଁ ଯେପରି ଶୈଶବ ଫେରିଆସିଛି । ଜଂଜାଳ-ଜ୍ୱାଳାମୟ ଜୀବନ-ଆଘାତ ପରେ ଆଘାତ-ଆଲୁଅରେ ରେଖାନାହିଁ-ଚନ୍ଦ୍ରର ଦେଖାନାହିଁ । ଏହିପରି ସମୟରେ ଶରତ-ସୁନ୍ଦର ଜ୍ୟୋସ୍ନାରେ, ସେହି ଶୈଶବ-ପୂର୍ବ ସ୍ମୃତି ଧରି ଏଇ ସଂଗୀତ କର୍ଣ୍ଣରେ ପଶୁଛି । ତେଣୁ ଏତେ ମଧୁର ଏ ସଂଗୀତ ।

 

ପୁଣି କ୍ରନ୍ଦନ-କାହିଁକି ବିକଳ କ୍ରନ୍ଦନ ଶୁଭୁଛି-ଆକାଶର ତାରା ଲିଭି ଆସୁଛି-ସୁବାସିତ କୁସୁମରେ ଏ କି ଦୁର୍ଗନ୍ଧ ଉଠୁଛି-ଜଗତ ବାଲୁକାମୟ, ଆଲୋକହୀନ, ମରୁଭୂମିପରି ବୋଧ ହେଉଛି ଏ ସ୍ଥଳ ପାର ହେବାପାଇଁ ପଥ ନାହିଁ–ଏ ଅନ୍ଧକାରରେ ଆଲୋକ ଦେଖାଦେବ ନାହିଁ ।

 

ଏଇତ ମାନବ ଜୀବନ-ଏକ ଆଡ଼େ ଚିତ୍ତ ପ୍ରଫୁଲକରା ଅପସରା କଣ୍ଠ-ନିଶୃତ-ସଂଗୀତ; ଅନ୍ୟ ଆଡ଼େ ହୃଦୟତନ୍ତ୍ରୀ ଛିନ୍ନକାରୀ ହାହାକାର କ୍ରନ୍ଦନ ।

 

ଜୁନ୍ ୧୦, ୧୯୩୦, ନବୀନ

ସଂପାଦକୀୟ

 

କାହିଁରେ ଶାନ୍ତି ମିଳିଲା ନାହିଁ । ନନ୍ଦନର ପାରିଜାତ, ସାଗରମନ୍ଥନର ଅମୃତଭଣ୍ଡ, ଜଳଦର ସୌଦାମିନୀ, ହିମାଦ୍ରିର ହେମଚୂଡ଼ା ଅନନ୍ତ-ନିର୍ମଳ-ଶରତ ନଭୋମଣ୍ଡଳରେ ପୂର୍ଣ୍ଣ ଶଶଧର, କାନନର ବ୍ରତତୀ ସାଗର ଲହରୀର ନୃତ୍ୟ, କାହିଁ କାହିଁରେ ତ ଶାନ୍ତି ମିଳିଲା ନାହିଁ । ଏଇ ଅଶାନ୍ତିମୟ ମରୁରେ ଯେ ଦେହ ଜଳି ଜାଉଛି ।

 

ଜାଣେ ନାହିଁ ପରକାଳ ଅଛି କି ନାହିଁ–ପାପପୁଣ୍ୟ ଅଛି କି ନାହିଁ । କିନ୍ତୁ ଏଇଠାରେ ଏଇ ସଂସାରରେ ଦେଖାଯାଉଛି ଭୁପତି ଭିଖାରୀ ହେଉଛି । କୁଟୀରବାସୀ ମୁକୁଟଧାରୀ ହେଉଛି । ଏଇ ଅବସ୍ଥା-ବିପର୍ଯ୍ୟୟ ଦଶାର ପରିବର୍ତ୍ତନ କାହିଁକି ହୁଏ ? ଏ ଯେଉଁ ଅଶାନ୍ତି ଭୋଗ କରୁଛି-ହସ୍ତ, ପଦ ଅବଶ ହୋଇ ଯାଇଛି । ଶରୀର ସ୍ପନ୍ଦନହୀନ ବୋଧ ହେଉଛି। ଏ ହୃଦୟ ମନ୍ଦିରରେ ଯାହାକୁ ରଖି ଦିବାନିଶି ପୂଜା କରେ, ଚକ୍ଷୁ ଆଗରେ କଳ୍ପନା କି ସ୍ୱପ୍ନ ସୁଖ ଅନୁଭବ କରେ ବିଶ୍ୱବ୍ରହ୍ମାଣ୍ଡ ମହାନନ୍ଦମୟ ଲାଗେ ସେହି ଶାନ୍ତିର କମନୀୟ ମହିମାମୟ ମୂର୍ତ୍ତିର କାହିଁ ଜୀବନରେ କେଉଁଠି ଦର୍ଶନ ପାଇଲା ? ଜ୍ୱାଳାମୟ ପ୍ରାଣ କେଉଁଠି ଶୀତଳ ହେଲା । ତାହେଲେ ଚିର ଅଶାନ୍ତିରେ ଏ ଜୀବନ ସରିଯିବ, ଶାନ୍ତିର କ୍ଷୀଣରେଖା ଦେଖାଦେବ ନାହିଁ । ହେଲା, ଶାନ୍ତି ସ୍ୱର୍ଗର ଦେବୀ ହୋଇଲେ କି କରୁଣାମୟୀ ନୁହେଁ । ମୋର ଦୁର୍ଦ୍ଦଶାରେ କି ତା’ର ହୃଦୟରେ ଦୟାସଂଚାର ହେଉନାହିଁ । ସେ ପରା ପ୍ରଣୟର ଅଶାନ୍ତ ସ୍ନେହର ମନ୍ଦାକିନୀ ? ସେପରା ରୂପରେ ଲକ୍ଷ୍ମୀ, ଗୁଣରେ ସରସ୍ୱତୀ, ତେବେ କିଏ କି କହିପାରିବ କେଉଁ ମନ୍ତ୍ରରେ କେଉଁ ପ୍ରାଣରେ କେଉଁ ପୂଜାରେ ଡ଼ାକିଲେ ଡ଼ାକ ଶାନ୍ତି ଦେବୀ ଶୁଣିବେ ? ଦେଖାଦେଇ ଏଇ ଅବସନ୍ନ ଦେହ ସିଥିଳ ଇନ୍ଦ୍ରିୟରେ ନବୀନ ପ୍ରାଣ ଖେଳାଇଦେବେ । ଶରତ-ପୂର୍ଣ୍ଣିମା-ରଜତ-ଶୁଭ୍ର-ଜ୍ୟୋସ୍ନା ପୁଲକିତ ରଜନୀରେ, ଗୋଲାପ-କୁସୁମ ସୁବାସରେ, ବସନ୍ତ ପବନ ହିଲ୍ଲୋଳରେ, ଭ୍ରମର ଗୁଂଜିତ ସୁମନଶୋଭିତ ଉପବନରେ, ସ୍ରୋତସ୍ୱିନୀ ସାଗର ଦର୍ଶନ ପାଇପାରିଲୁ ନାହିଁ । ମନେ ହେଉଛି ବେଳେବେଳେ ଶାନ୍ତିର ଦେଖାହୁଏ–ଉତ୍ତପ୍ତ ବାଲୁକାପୂର୍ଣ୍ଣ ସୁବିସ୍ତୀର୍ଣ୍ଣ ମରୁପ୍ରାନ୍ତରରେ କ୍ଷୁଦ୍ରଜଳାଶୟ ପରି ଥରେ ଅଧେ ଶାନ୍ତିରେ ଦେଖାହୁଏ ।

 

ଜୁନ୍ ୧୭, ୧୯୩୦, ନବୀନ

ସଂପାଦକୀୟ

 

ବାତୁଳ ହେବି–ତହିଁରେ ହିଁ ସୁଖ–ଯେତିକି ଜଗତରେ ତତ୍ତ୍ୱ ଅନୁସନ୍ଧାନ କରିବାପାଇଁ ପ୍ରାଣ ବ୍ୟାକୁଳ ତେତିକି ଅଶାନ୍ତିରେ ଜୀବନ ଜଟିଳ କୁଟିଳ ହୋଇ ପଡ଼ୁଥିବ-ମମତାରେ ପ୍ରାଣ ଘାରି ହୋଇଯାଉଥିବ । ଏହି ସଂସାରରେ କିଏ କାହାକୁ ନେଇ ପ୍ରାଣର ସହିତ ବ୍ୟସ୍ତ ହୁଏ ନାହିଁ । ଜଣକପାଇଁ କି ନିସ୍ୱାର୍ଥ ଭାବରେ ଆଉ ଜଣକର ପ୍ରାଣ କାନ୍ଦିଉଠେ ନାହିଁ–ଯଦି କିଏ କାହାପାଇଁ, କାନ୍ଦେ ସ୍ୱାର୍ଥ ନେଇ-ନିଜର ମହାଆକାଂକ୍ଷା ନେଇ, ସ୍ନେହ ବୋଲ, ବଂଧୁ ବୋଲ - ନିଜର ଯେ କେହି ଆତ୍ମିୟ ବୋଲ ସମସ୍ତଙ୍କର ସ୍ୱାର୍ଥ ନେଇ ଯେ କିଛି ଆଦର, ଅନୁଗ୍ରହ, ଅଭ୍ୟର୍ଥନା–ମୋର କାନ୍ଦରେ ତାଙ୍କ ପ୍ରାଣରୁ ପ୍ରାଣର କାନ୍ଦ ଉଠିବ ନାହିଁ ବରଂ ମୋର ପତନରେ ହିଁ ସେମାନଙ୍କର ଏକ ପ୍ରକାର ତୃପ୍ତି, ମୋର ଅସମୟରେ ସେମାନେ ଆଧିପତ୍ୟ ବିସ୍ତାର କରିବାରେ ବ୍ୟସ୍ତ, ଏଇପରି ସଂସାରରେ, ଏଇପରି ବଂଧୁବାନ୍ଧବ ନେଇ ଗୃହ ସଂସାର କରି ମସ୍ତିଷ୍କ ଚାଳନ କରା ବୃଥା–ଭ୍ରମପୂର୍ଣ୍ଣ–ବାତୁଳ ହେଲେ ଆଉ ମସ୍ତିଷ୍କ ଠିକ୍ ରହେ ନାହିଁ ? ସଂସାର ସୁଖ ଦୁଃଖ ପାପପୁଣ୍ୟ କିଛି ଜଣାଯାଏ ନାହିଁ- ତେଣୁ ବାତୁଳ ହେବି–ତେବେ ବୋଧହୁଏ ଯାଇ ଶାନ୍ତ ହେବି । ପ୍ରଶାନ୍ତ ଅନନ୍ତ ଜଗତର ମାଧୁରୀ ଉପଲବଧି କରିପାରିବି–ବାତୁଳ ହୋଇ ଚନ୍ଦ୍ରକୁ ଧରିବି, କୋକିଳକୁ ବିଦ୍ରୂପ କରି ତା’ର ସୌକୁମାର୍ଯ୍ୟ ଶିକ୍ଷା କରିବି–ସାଗରର ଅନନ୍ତ ଜଳରେ ଝାମ୍ପଦେଇ ତା ସହିତ କ୍ରୀଡ଼ା କରିବି–ସାଗରର ରତ୍ନରେ ମୋର ତୃପ୍ତି–ସେହି ରତ୍ନପାଇଁ ମୁଁ ବାତୁଳ–ଆକାଶର ନକ୍ଷତ୍ର ଗଣିବି–ଗୋଟି ଗୋଟି କୋଟି କୋଟି ତାରା ଗଣି ନେବି–ସେହି ତାରା ଗଣି ତା’ର ତାଲିକା ରକ୍ଷା କରିବାପାଇଁ ମୁଁ ବାତୁଳ–ଏହିପରି ବାତୁଳ ହେବି । ଏ ସଂସାରର ଜ୍ୱାଳା ଏ ସଂସାରର ହିଂସା ଏ ସଂସାରର ଦ୍ୱେଷ କିଛି ସ୍ପର୍ଶ କରିପାରିବ ନାହିଁ । ସାଗରରେ ଭାସିବି-ଆକାଶକୁ ଯିବି ସେଇଠାରେ ଅମୃତପାନ କରିବି–ସାଗରରେ ମୋର ଶାନ୍ତି, ଆକାଶରେ ମୋର ଆନନ୍ଦ, ଏ ସ୍ୱାର୍ଥପର ଜଗତରେ ମୋର କିଛି ନାହିଁ । ତେଣୁ ବାତୁଲ ହେବି ହାହା ହସିବି କାହାର କଥା ଶୁଣିବି ନାହିଁ ଶୁଣିଲେ ବୁଝିବି ନାହିଁ । ସଂସାରର କଥା କିଛି ନ ବୁଝିଲେ ହିଁ ସୁଖୀ । ଯେତେ ସଂସାରର ସଂଘର୍ଷଣରେ ମନୁଷ୍ୟ ଘର୍ଷିତ ହେଉଥିବ ତେତିକି ତା’ର ମସ୍ତିଷ୍କ ବୃଦ୍ଧି ପାଉଥିବ । ବେଳୁବେଳ ସଂସାରର ସବୁ ବିଷୟ ତନ୍ନତନ୍ନ କରି ବୁଝିବାକୁ ଶକ୍ତି ଆସୁଥିବ–ସେଥିରେ ହିଁ ଅତୃପ୍ତି, ଅଶାନ୍ତି, ସେଥିରେ ହିଁ ମରଣ ।

 

ଜୁନ୍ ୨୪, ୧୯୩୦, ନବୀନ

ସଂପାଦକୀୟ

 

ଏଇ ଅଗ୍ନି ଜଳି ଉଠୁଛି–ଶ୍ମଶାନ ଚିତାଗ୍ନି ଜଳି ଉଠୁଛି, ହତଭାଗ୍ୟର ଶ୍ରୀଅଙ୍ଗ ଏଇ ଅଗ୍ନିରେ ଧ୍ୱଂସ ହେଉଛି–ହତଭାଗ୍ୟ କେତେ କଳ୍ପନା କରିଥିଲା, କେତେ ଗଗନରେ ଭବନ ବାନ୍ଧିଥିଲା–ସବୁ ଏଇଠାରେ ଶେଷ –ଏଇଠାରେ ଳୟ କବିର କବିତା, ବିଜୟୀର ବିଜୟ, ଶଙ୍ଖଧ୍ୱନୀ, ଦାମ୍ଭିକର ଦାମ୍ଭିକତା, ସୁନ୍ଦରର ସୌନ୍ଦର୍ଯ୍ୟ, ପୂଜାରୀର ପୂଜା, ସଂଗୀତଜ୍ଞର ସଂଗୀତ, ବିବେକୀର ବିବେକ, ଧନୀର ଗର୍ବ, ମାନିର ଅହଂକାର, ରାଜାର ରାଜତ୍ୱ ସବୁ ଏଠାରେ ଶେଷ, ସବୁ ଏଠାରେ ବିଲୁପ୍ତ । ଏଇ ଯେ ଅଗ୍ନି ଆହୁରି ଜଳି ଉଠୁଛି–ପ୍ରକୃତିର ମହାସୃଷ୍ଟି ମନୁଷ୍ୟଙ୍କୁ ଭସ୍ମ କରିଦେବାପାଇଁ, ଅଗ୍ନି ଧୁ ଧୁ ଜଳି ଉଠୁଛି । ସୌନ୍ଦର୍ଯ୍ୟର ଲୋପସାଧନ, ଜରାପରା ଅଗ୍ନିର ବ୍ୟବସାୟ–ସେ ଚନ୍ଦ୍ରକୁ ଧରିଥିଲା–ସୂର୍ଯ୍ୟ ପରି ଆଲୁଅ ଦେଉଥିଲା–ତାରା ସଂଗେ ହସୁଥିଲା-–ସାଗର ସଂଗେ କ୍ରିଡ଼ା କରୁଥିଲା । କୋକିଳ ପରି ଗାନ ଗାଉଥିଲା । ଏଇ ଜଳିଯାଉଛି-। କେହି ରକ୍ଷାକରି ପାରିଲେ ନାହିଁ–ଅଗ୍ନିର କର୍ତ୍ତବ୍ୟରେ ସାଗର ମଧ୍ୟ ବାଧାଦେଇ ପାରିଲା ନାହିଁ । ପାରିବ କିପରି ? ଶକ୍ତି କାହିଁ ? ଏଇ ମାନବ ଯାହାର କଳ୍ପନା ଶତସାଗର ଗଢ଼ି ଭାଙ୍ଗିପାରେ–ଯେଉଁ ମାନବ ଅଗସ୍ତି ଋଷି ଏକା ଚଳୁକେ ସପ୍ତସାଗର ଶୁଖାଇ ଦେଇଥିଲେ–ସେ ଯେତେବେଳେ ଭସ୍ମିଭୂତ-ସାଗର କରିବ କ’ଣ ? ଯେଉଁ ସାଗର ବାଡ଼ବାଗ୍ନି ଗ୍ରାସରୁ ନିଜକୁ ରକ୍ଷା କରିପାରୁନାହିଁ ସେ ବା କରିବ କ’ଣ ? ଜଳ ଅଗ୍ନି କେହି ବାଧାଦେଇ ପାରିବେ ନାହିଁ–ଲକ୍ ଲକ୍ ଜିହ୍ୱା ବିସ୍ତାର କରି ଜଳି ଉଠ ତୋର ଶକ୍ତି ଅସୀମ–ତୋର ତେଜ ଅସହ୍ୟ–ତୁ ସର୍ବଗ୍ରାସୀ–ତୋର ଭେଦାଭେଦ ଜ୍ଞାନ ନାହିଁ ।

 

କିନ୍ତୁ ଅଗ୍ନି, କଲୁ କ’ଣ ? ମାନବ, ଜଗତର ସାର ସୃଷ୍ଟି–ପ୍ରକୃତିର ବରପୁତ୍ର ମାନବ–ଯାହାର କଳ୍ପନା ଅନନ୍ତ–ଯାହାର ହସ୍ତରେ ତୁ କ୍ରୀଡ଼ା ପୁତ୍ତଳି, ଯାହାର କୋପାନଳରେ ସାରା ଜଗତ ପୋଡ଼ି ଭସ୍ମ ହୋଇ ଯାଆନ୍ତା –ସେହି ମାନବକୁ ତୁ ପୋଡ଼ି ଭସ୍ମକରି ଦେଲୁ ? ଧିକ୍ ମାନବ, ତୋ ଶକ୍ତିକୁ, ଏତେ ଅସୀମ ତୋର ଶକ୍ତି –ଏଇ ଶକ୍ତି ହୋଇ ଗର୍ବୋନ୍ମତ୍ତ ହୋଇ ଧରାକୁ ସରା ମଣୁଥିଲୁ-? ଏଇ ଶକ୍ତି ଘେନି ସୂର୍ଯ୍ୟଙ୍କୁ ଗ୍ରାସ କରିବାକୁ ଚାହିଁଥିଲୁ ? କାହାନ୍ତି ତୋର ପିତା ମାତା ଭାଇ ବଂଧୁ ଆତ୍ମୀୟ ସ୍ୱଜନ ? ଯାହାଙ୍କ ସୁଖପାଇଁ ରକ୍ତ ପାଣିକରି ଦୁଃଖରେ ଶତଶତ ଲୋତକର ନଦୀ ସୃଷ୍ଟି କରିଥିଲୁ ? କାହିଁ ତୋର ଅଙ୍କ ଲକ୍ଷ୍ମୀ ଯେ ତୋର ମଳିନ ବଦନ ଦେଖି ଲୋତକରେ ବକ୍ଷ ପ୍ଳାବି ଦେଉଥିଲା ? କାହାନ୍ତି ତୋର ଭଗବାନ, ଯାହାଲାଗି ଭକ୍ତି ବାତୁଳ ହୋଇ ପ୍ରାଣ ଦେଉଥିଲୁ । ସମସ୍ତେ ନୀରବ, ଅଗ୍ନି ତେଜରେ ସମସ୍ତଙ୍କ ଚକ୍ଷୁ ଶୁଷ୍କ କେହି ରକ୍ଷା କରିପାରିଲେ ନାହିଁ-–ଯା ମୂଢ ! ପୋଡ଼ି ଭସ୍ମ ହୋଇଯା–ଏଇ ପରିଣାମ ହିଁ ତୋର ଯୋଗ୍ୟ ପୁରଷ୍କାର–ଅନନ୍ତର ସନ୍ତାନତୁ–ଅନନ୍ତ ତେଜରୁ ତୋର ଜନ୍ମ ତୁ ଯଦି ମୋହାନ୍ଧ ନହୋଇ ନିଜ ତେଜ ନିଜେ ରକ୍ଷା କରିଥାନ୍ତୁ–ତେହାହେଲେ ଅଗ୍ନିର କି ଛାର ଶକ୍ତି–ତୋତେ ପୁଣି ଭସ୍ମ କରିଦିଅନ୍ତା–ତୋର ସେ ମହାତେଜ ନିକଟରେ ତିଷ୍ଠିପାରନ୍ତା । ଯାଃ –ସବୁ ଶେଷ । ତେଜ, ବୀର୍ଯ୍ୟ, ଶୌର୍ଯ୍ୟ ସବୁ ଭସ୍ମସାତ୍-–ଦେଖ ଅନ୍ଧ ମାନବ–ଏଇ ଶେଷ ପରିଣାମ–ମୋହାନ୍ଧର ଏଇ ଶେଷଗତି ।

 

ଜୁଲାଇ ୧, ୧୯୩୦, ନବୀନ

ସଂପାଦକୀୟ

 

ଭଗବାନ ଏ ବୋଝ ଓହ୍ଲାଇ ଦିଅ–ବହନ କରିବାପାଇଁ ନିତାନ୍ତ ଅକ୍ଷମ–ମନେ ହୋଇଥିଲା ଭାରି ସବଳ ମୁଁ–ଭାରି ଦମ୍ଭ ମୋର ମଥା–ହେଲା ନାହିଁ–ପାରିଲି ନାହିଁ–ତେଣୁ କହେ ଭଗବାନ ବୋଝ ଓହ୍ଲାଇ ଦିଅ –ଅଶ୍ରୁ ଶୁଖି ଯାଉ–ଘୁର୍ଣ୍ଣିତ ମଥା ସ୍ଥିର ହେଉ–ଏଇ ଚନ୍ଦ୍ର ହସୁଥିଲା, କୋଇଲି ଗାଉଥିଲା–ତରଙ୍ଗ ନାଚୁଥିଲା–ତେଜସ୍ୱିନୀ କୁଳୁକୁଳୁ ବହୁଥିଲା–ମଳୟ ମୋହୁଥିଲା–ପ୍ରଳୟ ଆସିଲା ଜଳଦର ବଜ୍ର ବାଜଣା ବଜାଇ ବିଜୁଳି ଆଲୁଅ ଧରି ବୃଷ୍ଟି ରାଜତ୍ୱ କଲା–ଏହା ସହିବାପାଇଁ ମୋ ପରି ଦୀନ ପ୍ରଜାର ଶକ୍ତି ନାହିଁ କ୍ଷୀଣ ମଥା ଜଳି ଆସୁଛି, ପ୍ରାଣ ଉଡ଼ିଯାଉଛି–ତେଣୁକରି କହେ ଭଗବାନ, ବୋଝ ଓହ୍ଲାଇଦିଅ । କାମ, କ୍ରୋଧ, ଲୋଭ, ମୋହ, ମାଶ୍ଚର୍ଯ୍ୟର ପ୍ରତିଧୂନ୍ଦି ହେବାପାଇଁ ଏ ଦେହରେ ଶକ୍ତି ନାହିଁ–ହତାଶ କରନା ପ୍ରଭୁ–ସମ୍ଭାଳିବା ମୋର ଶକ୍ତିନାହିଁ ।

 

ରାଜନୀତି ମୁଁ ଜାଣେ ନା, ରାଜନୀତି ଜଟିଳତାରେ ମୋର ପ୍ରବେଶ ନାହିଁ–ମୁଁ ହସୁଛି ଫୁଲ ସଂଗରେ, ଗାଉଛି କୋକିଳର ଗାନ କାନ୍ଦୁଛି ଟିଟିଭର କାନ୍ଦଣା–ଆଲିଙ୍ଗନ କରୁଛି ବସନ୍ତ ମଳୟ ହିଲ୍ଲୋଳ । ବଜ୍ର ବାଜଣା ଶୁଣିବାପାଇଁ ମୋର ଶକ୍ତି କାହିଁ ? ସାଗର ଗର୍ଜ୍ଜନରେ ଦେହ ଥରିଯାଏ । ପେଚକର, ଶାଗୁଣାର ସ୍ୱରରେ ହୃଦୟ କାନ୍ଦି ଉଠେ । ତେଣୁ କହେ ମହାରାଜ–ମହାପ୍ରଭୋ । ଏ ରୂଦ୍ର ରାଜତ୍ୱର ମୁଁ ବହୁ ଦୂରରେ–ଶ୍ରାନ୍ତ ମୁଁ ଶିଥିଳ ମୋ ଅଙ୍ଗ । ରୂଦ୍ରତା ସହିପାରିବି ନାହିଁ–ବିଭୀଷିକା ଦେଖି ପାରିବି ନାହିଁ–ସବୁ ଭୀଷଣ ବୋଧ ହେଉଛି । ଗୋଲାପରେ–ଶଶଧରରେ–ବସନ୍ତରେ । ବିଳାସରେ ଅଗ୍ନି ଜଳିଲାପରି ପ୍ରତୀୟମାନ ହେଉଛି । ତେଣୁ କହେ ମୋ ବୋଝଟା ବଡ଼ ଭାରଯୁକ୍ତ । ଏଇ ଭାରରୁ ହେ ଅନ୍ତର୍ଯ୍ୟାମୀ । ଉଦ୍ଧାର କର–ନୋହିଲେ ଭଗବାନ ମୋର ତୁମେ କେହି ନୁହଁ । ମୁଁ ତୁମର ନାମ ଉଚ୍ଚାରଣ ପର୍ଯ୍ୟନ୍ତ କରିବି ନାହିଁ । ଯଦି ଏ ଦୀନରେ ଡାକ କର୍ଣ୍ଣରେ ପ୍ରବେଶ ନକରେ, ବେଦ ବେଦାନ୍ତର ଦେବତା–ହିନ୍ଦୁର ଦେବତା-–ନା ଏଇକ୍ଷଣି କିଛି କହିପାରୁ ନାହିଁ–ଖାଲି ମନପ୍ରାଣରେ ଭଗବାନଙ୍କୁ ଡାକୁଛି ।

 

“ଆସ ଗୋ ଦେବତା

ଆସଗୋ ଅବ୍ୟକ୍ତ

ମୋର ବୋଝ ଓହ୍ଲାଇ ଦିଅ”

 

ଜୁଲାଇ ୧୫, ୧୯୩୦, ନବୀନ

ସଂପାଦକୀୟ

 

ବିଚିତ୍ରତା କଳ୍ପନା ଚାତୁରୀ–କେତେ କଳ୍ପ କଳ୍ପି ବିଶ୍ୱ ଶିଳ୍ପୀ ରଚିଲା ଏ ସୁନ୍ଦର ସଂସାର–ଯହିଁ ସୌନ୍ଦର୍ଯ୍ୟ ବିଭତ୍ସ ଭରା–ଅମୃତେ ଗରଳ–ସାରଲ୍ୟେ କୋଟିଲ୍ୟ ପୁଣି ଆଲୋକେ ଅନ୍ଧାର । ଏଇ ଶରତର ପୂର୍ଣ୍ଣିମା ଶଶାଙ୍କ–ବିମଳ ରଜତ କାନ୍ତି ଶୀତଳ କିରଣ ଜାଳେ ପରିପ୍ଳାବି ଦ୍ୟୁଲୋକ ଭୂଲୋକ–ଉଇଁ ଆସେ ଧୀରେ ଧୀରେ ସୁନୀଳ ଗଗନ କୋଳେ । ଆହା କି ସୁନ୍ଦର ମାଧୁରୀ । ଜ୍ଞାନହୀନ ଦୁଗ୍ଧପୋଷ୍ୟ ଶିଶୁ ଦେଖି ସୁଦ୍ଧା ହସି ହସି ଲୋଟିଯାଏ ଜନନୀର କୋଳେ । ଏଇ ଆସିଗଲା କଜ୍ୱଳ-ଜଳଦ ଘନଘୋର ଅନ୍ଧକାର ଘୋଟିଲା ଜଗତ–ଲୁଚିଗଲା ଶରତର ଶଶି–ପାପିଆର ତାନ ପରିବର୍ତ୍ତେ ଶୁଣାଗଲା ଅଶନି ଗର୍ଜନ । କାହିଁଗଲା ସେ ହୃଦୟ ଉନ୍ମାଦକର କୋମଳ କିରଣ–ସୂଚି ଭେଦ୍ୟ ଅନ୍ଧକାର ମଧ୍ୟେ କ୍ଷମେ କ୍ଷଣେ ଝଲକିଲା ମାତ୍ର ବିଦ୍ୟୁତ ଚମକ–ବରଷିଲା ବାରି ଅନର୍ଗଳ–ଭାଙ୍ଗିଗଲା ମୁହୂର୍ତ୍ତକେ ସୌନ୍ଦର୍ଯ୍ୟର ହାଟ । ଏଇ ଆସିଗଲା ହସନ୍ତ ବସନ୍ତ –କୁସୁମ ବିକାଶ ଛଳେ ହସାଇ ରସାଇ ସମସ୍ତ ଜଗତ–ପ୍ରକୃତିର ସାରା ଅଙ୍ଗ ପଲ୍ଳବେ କୁସୁମେ ହେଲା ଉତ୍‍ଫୁଲିତ । ସ୍ଥାନେ ସ୍ଥାନେ ବିରାଜିଲା କୋଟି ବୃନ୍ଦାବନ- ହୃଦେ ହୃଦେ ଶୋଭାର ଯମୁନା କଲ୍ଳୋଳିତ । ମୁଗ୍ଧସ୍ୱନେ କଦମ୍ବ କାନନେ ବିଳସିଲା କେତେ ମୋହନ ମୂରଲୀ–ସ୍ଥାବର ଜଙ୍ଗମ ହେଲେ ଆତ୍ମହରା–କାହିଁ ଥିଲା କ୍ରୁର ଅକ୍ରୁର ରୂପୀ ଏ ନିଷ୍ଠୁର ନିଦାଘ –ଭାଙ୍ଗିଦେଲା ବୃନ୍ଦାବନ ଶୋଭା–ପ୍ରକୃତିର ବ୍ରଜପୁରୀ କରି ଛାରଖାର ଘେନିଗଲା ରସରାଜ ବସନ୍ତ ମାଧୁରୀ–ତେଣୁ କହେ ସୌନ୍ଦର୍ଯ୍ୟେ ବିଭତ୍ସ- ଆଲୋକେ ଅନ୍ଧାର ଭରା ଏ ସାରା ଜଗତ ।

 

ଏଇ ପ୍ରେମମୟୀ ପୂର୍ଣ୍ଣେନ୍ଦୁ ବଦନା–ହୃଦୟ ଚନ୍ଦନ ସ୍ୱର୍ଗର ନବୀନା–ଏଇ ପିତାମାତା ଆତ୍ମୀୟ ସ୍ୱଜନ ସଂପଦେ ବିପଦେ ସଙ୍ଗୀ ସଖା ଗଣ । ନିରତେ ପ୍ରେମରତ–ପ୍ରେମରେ ଗଢ଼ା ଏ ଜଗତ । ପତ୍ନୀ କହେ ପ୍ରାଣେଶ୍ୱର–ମାତା କହେ ଧନମୋର–ପିତା କହେ ବାପ ମୋର–ସଖା କହେ ପ୍ରିୟବର–ସମସ୍ତଙ୍କ ଲାଗି ଏ ଶରୀର । କିନ୍ତୁ ହାୟ ଏ କି ଦୃଶ୍ୟ ବୃଦ୍ଧ ପିତା ମାତା, ବୃଦ୍ଧ ବଂଧୁଗଣ–ବିଗତ ଯୌବନା ପ୍ରେୟସୀ ରତନ । ଶିଥିଳ ଏ ଅଙ୍ଗ, ସଂସାର ସଂଗ୍ରାମ କ୍ଷୁବ୍‍ଧ । କ୍ଳାନ୍ତି ପ୍ରାଣ ଆଜି ବୁଲେ ବିଶ୍ରାମ ଆଶାରେ । ଯାହାଲାଗି ସ୍ୱାର୍ଥବଶ ପ୍ରାଣ ଆଜୀବନ କରେ ଘୋର ରଣ–କେତେ ଦ୍ୱନ୍ଦ୍ଵଯୁଦ୍ଧ–କେତେ ଛନ୍ଦ ଆଚରଣ–ବ୍ୟାଘ୍ର ମୁଖୁ ନିଶଙ୍କ ହୃଦୟେ କରେ ଖାଦ୍ୟାପହରଣ–ସେହି ପିତାମାତା ଆତ୍ମୀୟ ସ୍ୱଜନ ନୀରବ ନିଥର ଏବେ–ଚାଲିଗଲେ ପଦେ ନପଚାରି କିଛି–ବିଚାରିଲେ ନାହିଁ ଥରେ କି କରିବ ପୁତ୍ର ଏକାକି ଏ ଭବେ–ଯାହା ଲାଗି ସରାହୁଏ ଧରା ପ୍ରେମ ଉନ୍‍ମାଦେ, ପଡ଼ିଲେ ଯାହାର ଅଙ୍ଗେ କୋମଳ କୁସୁମ –ପ୍ରସ୍ତର ଆଘାତ ସମ ଲଗାଇ ହୃଦେ–ଯାହାର ଅଧର କୋଣେ ଇଷତ୍ ହାସ୍ୟ ରେଖା ଦେଖି ଶତ ଶଶି ଫୁଟିଉଠେ ହୃଦୟ କନ୍ଦରେ ସେଇ ପ୍ରେମମୟୀ ଆନନ୍ଦର ଧନ ଚାଲିଗଲା କାହିଁ ? ଆସକ୍ତ ହୃଦୟ ହେଲା ନାହିଁ ତୃପ୍ତ । ମଧୁମୟ ପ୍ରେମାମୃତ ଭରା ସୁନ୍ଦର ଜଗତ ହେଲା ତିକ୍ତ ଓ ବିଷାକ୍ତ । ତେଣୁ କହେ ଅମୃତ ଗରଳେ ଗଢ଼ା ଏ ଜଗତ ।

 

ଏଇ ଶିଶୁ–ନିତାନ୍ତ କୋମଳ ଶିଶୁ –ଜାଣେ ନା ଧରା କି ପଦାର୍ଥ । ପ୍ରଭାତ କୁସୁମ ସମ ସରଳ ହୃଦୟ ତା’ର ପବିତ୍ର ବିମଳ । ତରଳ ଆନନ୍ଦ ସ୍ରୋତେ ଭାସେ ଅବିରଳ । ଯାହାଠାରୁ ପାଏ ଆଦର ଆଶ୍ୱାସନା ତାକୁ ମଣେ ଆପଣାର । ନାହିଁ କ୍ଷୋଭ, ନାହିଁ ଭୟ, ନାହିଁ ଚିନ୍ତା–ସ୍ୱଚ୍ଛ ସ୍ନିଗ୍ଧ ହୃଦତାର ନିର୍ମଳ ସର୍ବଦା, କାହୁଁ ଆସିଲା ଯୌବନ, ଶିଶୁର ତରଳ ସରଳ ଭାବ ଉଡ଼ିଗଲା କାହୁଁ, ହୃଦ ହେଲା କୁଟିଳ । ଜଟିଳତା ଭରା ।

 

ଜୁଲାଇ ୨୨, ୧୯୩୦, ନବୀନ

ସଂପାଦକୀୟ

 

ବିଦ୍ରୂପ କରନା–ଏ ବିଦ୍ରୂପ କରିବାର ସମୟ ନାଇଁ–ସହାନୁଭୂତି ଦେଖାଅ । ପତନ ଉତ୍‍ଥାନ ସୃଷ୍ଟିର ଚିରନ୍ତନ ପ୍ରଥା–ଆଜି ତା’ର ପତନ ହୋଇଛି ଦୁର୍ବଳ ହୋଇଛି–କିନ୍ତୁ କାଲି ଏପରି ଗୋଟାଏ ତା’ର ପରିବର୍ତ୍ତନ ଆସିଯିବ–ସିଂହ ବିକ୍ରମରେ ଗର୍ଜନ କରିଉଠିବ–ତା’ର ସାମୟିକ ପରିବର୍ତ୍ତନରେ ବିଚଳିତ ହୁଅନା–ବିଦ୍ରୂପର ହାସ ହସନା–ସେ ମଧ୍ୟ କବି ଥିଲା- ଚିତ୍ରକରି ଜାଣୁଥିଲା–ସଂଗୀତର ମଧୁମୂର୍ଚ୍ଛନାରେ ଦିଗ୍‍ବିଦିଗ୍ ଚମକାଇ ଦେଉଥିଲା । ଦୁଗ୍‍ଧ ଫେନନିଭ ସୁକୋମଳ ହଂସୁଳି ତୁଳିରେ ଶୟନ କରୁଥିଲା–ଗଗନ ଚୁମ୍ଭି ପ୍ରାସାଦ ଶିଖରରେ ବିଚରଣ କରୁଥିଲା–ଆଧିପତ୍ୟର ରକ୍ତ ପତାକା ତା’ର ଉଡ଼ୁଥିଲା–ସେ ଏବେ ମର୍ମଛିଣ୍ଡା ଦୁଃଖର ବିଜୟ ପତାକା ତଳେ–ତେଣୁ କି ତାକୁ ତୁ ବିଦ୍ରୂପ କରିବୁ–ମାନବ ଭଗବାନଙ୍କ ଏ କୌତୁକ ଦେଖି ଆଶ୍ଚର୍ଯ୍ୟ ହୋଇଯାଏ–ଆବାକ ହୋଇଯାଏ–ଚକ୍ଷୁରୁ ଅଶ୍ରୁ ବୁହାଇ ଦିଏ କିନ୍ତୁ ତାକୁ ତା’ର ହତଭାଗ୍ୟରେ ହତାଶ ସମୟରେ କୌତୁକ କରନା–ସୃଷ୍ଟିର ଏହା ହିଁ ବିଚିତ୍ରତା–ପରିବର୍ତ୍ତନ ହିଁ ପ୍ରକୃତିର ଦିବ୍ୟ–ସୌନ୍ଦର୍ଯ୍ୟ, ସେହି ଅମର ସୌନ୍ଦର୍ଯ୍ୟ ଯେ ଜୀବନରେ ପ୍ରତିକ୍ଷଣ ଉପଲବ୍‍ଧି କରୁଛି–ସେ ସୁଖୀ–କିଏ ଅସ୍ୱୀକାର କରିବ ନାହିଁ, ସୁଖ ଅପେକ୍ଷା ଦୁଃଖର ଗୁରୁତା ବେଶି, କିନ୍ତୁ ଏ ଦୁଃଖର ଗୁରୁଭାରକୁ ଲଘୁ କରିବାପାଇଁ ଅନୁଶୀଳନ ଦରକାର–ପ୍ରକୃତି ସୌନ୍ଦର୍ଯ୍ୟରେ ମୁଗ୍ଧ ହେବା ଦରକାର–ପ୍ରକୃତିକୁ ପଢ଼ିବାକୁ ହେବ–ପ୍ରକୃତିର ସବୁ ସୁନ୍ଦର, ସବୁ ମଧୁର । ବିଜୁଳି ମେଘରେ ବଜ୍ର ଫୁଟୁଛି, ରୁଦ୍ର ଆକାର ଧାରଣ କରୁଛି । ତେବେ ସୁଦ୍ଧା ପ୍ରକୃତି ମଧୁର । ବତାସ ବହୁଛି ଝଡ଼ ତୋଫାନ ଭୟଙ୍କର–ତେବେ ସୁଦ୍ଧା ପ୍ରକୃତି ସୁନ୍ଦରୀ–ନିଜର ସମସ୍ତ ପ୍ରକାର ପରିବର୍ତ୍ତନରେ ପ୍ରକୃତି ରାଣୀ ହସୁଛି–ସେଇ ହସରେ ମନୁଷ୍ୟ ହସ ମିଶାଇ ପାରିଲେ ସେ ସୁଖୀ-–ଖାଲି ଶରତଚନ୍ଦ୍ରର ହସରେ–ବସନ୍ତ ପବନର ସୌକୁମାର୍ଯ୍ୟରେ–ମନୁଷ୍ୟ ଆତ୍ମହରା ହେଲେ ହେବ ନାହିଁ–ହସ ମିଶାଇଲେ ହେବ ନାହିଁ–ରୁଦ୍ରଭୂକମ୍ପରେ, ବଜ୍ରର ଚମକରେ–ମନୁଷ୍ୟ ମୋହିତ ହେବାକୁ ହେବ–ପ୍ରକୃତିକୁ ପୂଜା କରିବାକୁ ହେବ–ତେବେ ଯାଇ ମନୁଷ୍ୟ ସୁଖୀ । ତା’ର ଜୀବନରେ ବିଷାଦକାଳିମା ରେଖା ଦେଖାଦେବ ନାହିଁ–ସେତେବେଳେ ସେ ନିଜକୁ ନିଜେ ଚିହ୍ନିପାରିବ । ପତନ ଉତ୍‍ଥାନରେ ବିଚଳିତ ହେବାକୁ ହେବ ନାହିଁ–ପତନରେ ବିଦ୍ରୂପ, ଉତ୍‍ଥାନରେ ହାସ ଆସିବ ନାହିଁ ।

 

ଜୁଲାଇ ୨୯,୧୯୩୦, ନବୀନ

ସଂପାଦକୀୟ

 

ନା–ଆଉ ବୁଝାଇବା ଉଚିତ ନାଇଁ ଆଉ ସେ ବୁଝି ପାରିବ ନାହିଁ–ବୁଝିବା ଶକ୍ତି ତା ଭିତରେ ନାଇଁ–ଖୋଲା ହୃଦୟ ଯଦି ବୁଝିପାରିଲା ନାହିଁ ସେ ବଡ଼ କିପରି , ସେ ରାଜା କାହିଁକି ? ଯେ ଅନ୍ୟର ହୃଦୟ ବୁଝେ–ଅନ୍ୟର ମଧୁର ଅନ୍ତରରେ ଯେ ଅନ୍ତର ମିଶାଇ କାନ୍ଦି ହସି ଜାଣେ ସେ ରାଜା–ସେ ଅନ୍ତର୍ଯ୍ୟାମୀ ।

 

ସବୁଠାରେ ମନୁଷ୍ୟ ଅନ୍ତର ଖୋଲିଦେଲେ ହେବ ନାହିଁ, ପ୍ରାଣ ବିକ୍ରି କରିଦେଲେ ହେବ ନାହିଁ,–ଅନେକ ଅକ୍ଷେତ୍ର ଅଛି । ଅନେକ ଅସ୍ଥାନ ଅଛି–ସେଇଠାରେ ହୃଦୟର ମର୍ଯ୍ୟାଦା ନାଇଁ, ଖୋଲାପ୍ରାଣର ମୂଲ୍ୟନାଇଁ । ସେ ବଡ଼ ଲୋକ କିପରି ? ଆଧିପତ୍ୟ, ଧନଜନର ଆଧିପତ୍ୟ–କ୍ଷଣସ୍ଥାୟୀ–କ୍ଷଣକରେ ତୋଫାନ ଆସି ସବୁ ଉଡ଼ାଇ ନେଇଯିବ–ଅଧିପତି ନିର୍ବାକ ନିସ୍ପନ୍ଦ ଭାବରେ ଅନାଇ ରହିଥିବ–ତା’ର ସୁନାର ସଂସାର ନିମିଷରେ ଭାଙ୍ଗିଯିବ–ତା’ର–ସେହି ଅଧିପତିର ବାହ୍ୟ ଚାକଚକ୍ୟରେ ମନୁଷ୍ୟ ଭୁଲିଗଲେ ହେବ ନାହିଁ–ଭାସିଗଲେ ହେବ ନାହିଁ–ସର୍ବନାଶ ଆସିଯିବ ।

 

ସେ ଭଗବାନଙ୍କର ମଧୁର ପ୍ରକୃତି ଦେଖି ନାହିଁ । ଏତେ ସୌଭାଗ୍ୟ ପାଇପାରି ନାହିଁ–ମଳୟ ହିଲ୍ଲୋଳରେ କୋଇଲିର ନିଶାନ୍ତ ଗାନ ଶ୍ରବଣ କରି ପାରିନାହିଁ । ନିଶିଥର ନିବିଡ଼ ଅନ୍ଧକାରରେ ସେ କେବେ ପ୍ରକୃତିର ମୋହନ ମାଧୁରୀ ନିର୍ଜନରେ ହସିହସି ଦେଖିନାହିଁ–ଶ୍ରାବଣର ବର୍ଷାଧାରା ଦେଖି ଶିଖି ପଚି ନାଚି ନାଇଁ–ବଜ୍ର–ରୁଦ୍ର ଚମକରେ ହଠାତ୍ ଚମକିତ ପ୍ରାଣରେ ପ୍ରକୃତିର ମହନୀୟ ଶୋଭାକୁ କେବେ ପୂଜା କରିନାହିଁ, ନିରନ୍ଧ୍ର ନିରବ କାନନରେ କେବେ ଆତ୍ମହରା ହୋଇ ବିଚରଣ କରି ନାହିଁ–ବିରାଟ ଅନନ୍ତ ବିଚିତ୍ର ସାଗର କୋଳରେ କେବେ ନିସ୍ତବ୍‍ଧ ହୋଇ ମଧୁର ଗମ୍ଭୀର ଗର୍ଜନ ଶ୍ରବଣ କରି ନାଇଁ । ଶ୍ମଶାନରେ ବିକଳ ବିସ୍ପାରିତ ଚକ୍ଷୁରେ କେବେ ବାସନାରହିତ ହୋଇ ଶବଦାହ ଦେଖି ନାହିଁ–ସୂର୍ଯ୍ୟାସ୍ତର ରକ୍ତିମ ଆଭାର କେବେ ସେ ପୂଜାରୀ ହୋଇନାହିଁ । କିପରି ବୁଝିବ ଖୋଲା ଅନ୍ତରର ଅବ୍ୟକ୍ତ ମର୍ଯ୍ୟାଦା ।

 

ତେଣୁ କହେ ବୁଝାଇ ପାରିବି ନାହିଁ, ସେ ଶୁଣିବ ନାହିଁ ବୁଝିବ ନାହିଁ–ସେ ଧନ ନେଇ ଜନନେଇ ଆଧିପତ୍ୟ ବିସ୍ତାର କରିବାରେ ବ୍ୟସ୍ତ । ମୁଁ ଅନନ୍ତର ପୂଜାରୀ, ପ୍ରକୃତିର ସେବକ–ମୋ ଧନ, ଜନ, ପ୍ରକୃତି ପୂଜାପାଇଁ–ଯେ ଏଇ ପୂଜାର ମର୍ଯ୍ୟାଦା ଜାଣେ ନାହିଁ, ଶୁଖିଲା ଅହଂକାର ଯାର ଏକମାତ୍ର ଆନନ୍ଦ, ଏକମାତ୍ର କାମନା, ତା ନିକଟରେ ମୋର କିଛି ଦାବୀ ନାହିଁ କିଛି କହିବାର ନାହିଁ–

 

ପୂଜା ବ୍ୟର୍ଥ ହେବ ନାହିଁ ଅନ୍ତର୍ଯ୍ୟାମୀ ପୂଜାର ମୂଲ୍ୟ ବୁଝିବେ–ସ୍ୱାର୍ଥ ନ୍ୟସ୍ତ ସହସ୍ରକୁ ନେଇ ଯେଉଁ ଅନ୍ଧପୂଜା ହୁଅନ୍ତା ତା ନହେଲା–କାଷ୍ଠ ପାଷାଣର ସପ୍ତଦଳ ପ୍ରାସାଦରେ କେବେ ମୋହନ ପ୍ରକୃତିର ପୂଜା ହୋଇ ପାରିବ ନାଇଁ–ପୂଜାରୀରେ ଉପଯୁକ୍ତ ସ୍ଥଳ–କୁଳୁକୁଳୁ ବାହିନୀ ଋଷି ଆଦରଣୀ ସରିତ ସାଗରର ବିମଳ ମିଳନ ସ୍ଥଳ–ଦିବା ନିଶିଥ ଆଲିଙ୍ଗନର ମାହେନ୍ଦ୍ର ଅମୃତ ବେଳା–ଜୀବନ ମରଣ ସମୟର ନିଠୁର ନିର୍ମମ ମୁହୁର୍ତ୍ତ ।

 

ଅଗଷ୍ଟ ୫, ୧୯୩୦, ନବୀନ

ସଂପାଦକୀୟ

 

ହସ ହସ ଜୀର୍ଣ୍ଣ କୁଟିର ! ଶାର୍ଣ୍ଣ ପ୍ରାଣ ଭରି ଉତ୍ତରଳ ହାସ୍ୟେ ମାତିଉଠୁ ! ଏତେ ଦିନ ଦୈନ୍ୟ–ଜୀର୍ଣ୍ଣପ୍ରାଣେ ସୁପ୍ତ ପ୍ରାୟଥିଲୁ ଅଚେତନ । ଆଜି ମୁକୁଳିତ ଭାଗ୍ୟ–ସୁଫଳିତ ଆଶା ତୋର, ଅଯୋଗ୍ୟ ତୁ ଯାର–ଆଜି ସେହି ମହାଭାଗ, ଅଯୋଗେ ତୋ ଅଙ୍କେ ବିରାଜିତ । ଧନ୍ୟ ଧନ୍ୟ କୁଟୀର ! ଧନ୍ୟ ଭାଗ୍ୟ ମୋର । କେଉଁ ପୁଣ୍ୟ ଫଳେ ମାନ୍ୟବର ପୂଜ୍ୟପାଦ ମୋର ଅତିଥି ଏ ଦୀନ କୁଟୀରେ । ଜାଣେନା, କି ସତ୍କାରେ କେଉଁ ଉପଚାରେ ପୂଜିବି ଚରଣ–କାହୁଁ ବା ପାଇବି ସ୍ୱର୍ଣ୍ଣମୟ ରତ୍ନସିଂହାସନ । ମୁଁ ଯେ ଦୀନ ହୀନ ନିରୀହ ଗରିବ, ଭୂତଳ ଆସନ ମୋର ଏକଇ ସମ୍ବଳ, କି ଅଛି ମୋହର, କେଉଁ ସମାରୋହେ କରିବି ବା ରାଜ ଅଭ୍ୟର୍ଥନା–କ୍ଷମ ରାଜାଧିରାଜ । ଅସମୟ ଆଗମନତବ । ଚାଲିଗଲାଣି ସେ ଋତୁ ବସନ୍ତ–ନଚେତ୍ ମାଧବୀ ମୁକୁଳ ଆସନେ, ମଳୟ ଆଲଟେ କୋକିଳର କୁହୁଗାନେ କରିଥାନ୍ତ ଅଭ୍ୟର୍ଥନା ତବ–ଏ ଯେ ଘୋର ଶିଶିର ସମୟ-–କୁହୁକାଳିମାରେ ଭରା ମୋ କୁଟୀର । ଅତିମାତ୍ର ଶିଶିର ବେଦନା–ବ୍ୟଥିତ ପ୍ରାଣର ବିଗଳିତ ତୁଷାର କଣିକା, ଧୋଇଦେବି ଚରଣ ଯୁଗଳ । କିନ୍ତୁ ସେ ଯେ ରାଜିବ ଚରଣ ପାରିବ କି ସହି ହିମ ତୁଷାର ସ୍ପରଶ । ହୋଇଥାନ୍ତା ହେଲେ ସୁନିର୍ମଳ ଶରତ ସମୟ–ରଜତ ଜୋଛନା ଜଳେ ପାତି ସିଂହାସନ ପକାଇ ଦିଅନ୍ତି କାଶ କୁସୁମ ଆଲଟ । କାହୁଁ କି ପଦାର୍ଥ ପାଇବି ଅଧୁନା - ନାହିଁ ପଦ୍ମଦଳ, ନାହିଁ ମାଧବୀ ମୁକୁନ୍ଦ, ନାହିଁ ବସନ୍ତ ମଳୟ, ନାହିଁ ଶରତର ଚାନ୍ଦ ।

 

ବଡ଼ ଅସମୟେ ଆସିଗଲ ବଂଧୁ ! ବଂଧୁ ବୋଲି କଲି ସମ୍ବୋଧନ–ଯେଣୁ ଉଦାର କରୁଣା ବାରିଧି ତୁମ୍ଭେ । ଆସ ଆସ ଦେବ ଆସିଅଛ ଯେବେ ଦୟାକରି ଏ ଦୀନ କୁଟୀରେ–ଫିଟାଇ ଦେଉଛି ଅନ୍ତର ଦୁଆର, ବସ ଆସି ହୃଦ ସିଂହାସନେ ଆନନ୍ଦାଶ୍ରୁ ନୀରେ ଧୋଇ ଭକତି କୁସୁମେ ପୂଜିବି ଚରଣ । କିନ୍ତୁ ହେଲା ନାହିଁ ମୋର ମନୋମତ ଅଭ୍ୟର୍ଥନା, ଏତେ ନୁହେଁ–ନୂଆ କଥା, ବହୁଦିନୁ ଯେଉଁଦିନୁ ମୋର ବିଲୋଳିତ ପ୍ରାଣ–ମୂଳେ କରୁଣା ସଲିଳ ଢାଳି ଉଜ୍ଜୀବିତ କରିଦେଲ ପର୍ଯ୍ୟୁସିତ ପୁଷ୍ପ, ସେହିଦିନୁ ଦେବ । ଏହି ଭାବେ ପୂଜୁଛି ଚରଣ ପ୍ରତିମୂର୍ତ୍ତି ତବ ସ୍ଥାପି ହୃଦୟ ଆସନେ । ବହୁଦିନ ବିତିଗଲା ଚାହିଁ ଚାହିଁ ତବ ଆଗମନ ପଥ ବ୍ୟଗ୍ର–ବିସ୍ଫାରିତ–ନେତ୍ରେ ବ୍ୟାକୁଳ ହୃଦୟେ । ଚାଲିଗଲା କେତେ କେତେ ବସନ୍ତ ଶରତ କେତେ ସାଜସଜ୍ଜା ମୋର ବ୍ୟର୍ଥତାରେ ହେଲା ପରିଣତ–ଅବଶେଷ ଫିଟିଗଲା ଯେବେ ଶିଶିରର ପ୍ରଥମ ପ୍ରଭାତ, ଚତୁର୍ଦ୍ଦିଗେ କୁହେଳିକା ଦେଖି ହେଲି ମୁଁ ହତାଶ–ସେହି ସମୟେ ଦୟାବାନ୍ ଅର୍ପିଲ ଚରଣ ଏ ଦୀନ କୁଟୀରେ-। ଅତି ଆକସ୍ମିକ ଆଗମନ ତବ । ଅନୁକଂପା କରି ଯଦି ଆସିଛ କୁଟୀରେ ଅନୁନୟ କରେ-। ତ୍ରୁଟି ମୋର କରିବ ମାର୍ଜନା । ତବ ଚରଣ ସ୍ପରଶେ ପବିତ୍ର ହେଲା ମୋ କୁଟୀ–ଜାଣିଲି ନିଶ୍ଚୟ ତୁଟିଯିବ ଏଥର ମୋ ଏ କୁହୁକାଳିମା–ଏତେ ଦିନେ ସ୍ୱାର୍ଥକ ହେଲା ମୋ ଜନ୍ମ–ମାଗେ ଏହି ଭିକ୍ଷା ମାତ୍ର ରାଜୀବ ଚରଣେ । ଏହିପରି ଥରେ ଥରେ ଅସମୟେ ଦେଉଥିବ ଦେଖା, ମୋର ଚିର ଅସମୟ ଜୀବନର ସଖା ।

 

ଅଗଷ୍ଟ ୧୨, ୧୯୩୦, ନବୀନ

ସଂପାଦକୀୟ

 

ସେ ରାଜତ୍ୱର କିଛି ନିୟମ ନାହିଁ–କିଛି ଅର୍ଥ ନାହିଁ–ଯେଉଁ ରାଜତ୍ୱରେ ହସର ମୂଲ୍ୟନାହିଁ–ଆନନ୍ଦର ମର୍ଯ୍ୟାଦା ନାହିଁ । ମଳୟାନୀଳରେ କୋକିଳର ମର୍ଯ୍ୟାଦା ଯେଉଁ ସମ୍ରାଟ ହୃଦୟଙ୍ଗମ କରିପାରୁନାହିଁ–ତା’ର ସମ୍ରାଟତ୍ୱରେ କିଛି ଆସ୍ଥା ନାହିଁ । ଜୋଛନା ନିଶିର ଟିଟିଭକୁ ଯେ ଶର ସନ୍ଧାନ କରେ, ପବିତ୍ର କୁସୁମ ଅଙ୍ଗରେ ଯେ ବଜ୍ର ପ୍ରହାର କରେ, ପୁଷ୍ପିତା ଲତାକୁ ଯେ ଭାଙ୍ଗି ଛାରଖାର କରେ–ସେ ସମ୍ରାଟ ହୃଦୟରେ ପ୍ରାଣ ନାହିଁ । ପ୍ରାଣ ଥିଲେ ମଧ୍ୟ ସେ ପ୍ରାଣ ପ୍ରାଣ ନୁହେଁ କେବଳ ଗୋଟାଏ ଚଳନ୍ତ ଜଡ଼ପିଣ୍ଡ ମାତ୍ର । ସମ୍ରାଟ ସେ–ଶତଶତ ଲୋକର ଦଣ୍ଡ ମୁଣ୍ଡ ଭାର ତା ହସ୍ତରେ ନ୍ୟସ୍ତ–କୋଟି କୋଟି ଦୀନ ଦରିଦ୍ରର ରକ୍ଷକ ସେ ତା’ର ହୃଦୟରେ ଯଦି ପ୍ରକୃତିର ସୌନ୍ଦର୍ଯ୍ୟର ଛାୟା ନପଡ଼ିଲା–ସେ ଯଦି ପ୍ରାଣରେ ପ୍ରାଣ ମିଶାଇ ହସି କାନ୍ଦି ନଜାଣିଲା–ତା’ର ହୃଦୟ ଯଦି କ୍ଷଣେ କ୍ଷଣେ ଭାବରସରେ ତରଙ୍ଗିତ ନହେଲା–ତା’ର ମନ ଯଦି ଉତ୍ତୁଙ୍ଗ ପର୍ବତ ଶିଖରରୁ ସାଗରର ଭୂତଳ ପର୍ଯ୍ୟନ୍ତ ଗତି ନକଲା–ତା’ର ନୟନରେ ଯଦି କ୍ଷଣେ କ୍ଷଣେ ବିଦ୍ୟୁତ ନ ଚମକିଲା–ତେବେ ସେ କି ସମ୍ରାଟ ? ଅହମିକା ଯାର ପଥପ୍ରଦର୍ଶକ–ଅନ୍ଧକାର ଯାର ବିଳାସ ଭବନ–ସେ କି ସମ୍ରାଟ ପଦବାଚ୍ୟ ? ସମ୍ରାଟ ସେ ଯେ ଅନ୍ତରରେ ପ୍ରକୃତିର ପ୍ରତିକୃତି ଆଙ୍କି ବାହ୍ୟରେ ତା’ର ପୂଜାକରେ । ସମ୍ରାଟ ସେ - ଯେ ଦୂର ଗଗନର ନୀଳିମାରେ ମୁଗ୍‍ଧ ହୋଇ ସାଗର ଗଗନର ମିଳନ ମାଧୁରୀ ସ୍ତବଧ ନେତ୍ରେ ଚାହିଁ ରହେ । ସମ୍ରାଟ ସେ–ଯାର ନୟନରେ ଜଳ ଅଛି ଅଧରରେ ହାସ ଅଛି–ଯାର ହୃଦୟ ଘନିଭୂତ ବରଫ ଖଣ୍ଡପରି ମସୃଣ ଚିକ୍‍କଣ–ଖରାରେ ତରଳିଯାଏ–ଶୀତରେ ଜମାଟ ବାନ୍ଧି କଠିନ ହୋଇଯାଏ–ଜଳରେ ଭାସି ଉଠେ–ସ୍ଥଳରେ ପ୍ରସ୍ତରଠାରୁ ଗୁରୁବୋଧ ହୁଏ । ସମ୍ରାଟ ସେ–ଯେ ପ୍ରକୃତିର ନିତ୍ୟ ନୂତନ ପ୍ରାଣାଳୀରେ ନିଜକୁ ଭାଙ୍ଗିଗଢ଼ି ଜାଣେ । ସମ୍ରାଟ ହୋଇ ଯଦି ବିରାଟ ପ୍ରକୃତିର ମହନୀୟ ସୌନ୍ଦର୍ଯ୍ୟ ଦେଖି ସ୍ତମ୍ଭୀଭୂତ ନହେଲା–ସମ୍ରାଟ ହୋଇ ଯଦି ପାର୍ଥକ୍ୟମୟ ପୃଥିବୀର ବିଭିନ୍ନ ଦୃଶ୍ୟ ଦେଖି ଆତ୍ମହରା ନହେଲା-ସମ୍ରାଟ ହୋଇଯଦି ଶତ ସୁପ୍ତ ସିଂହର ପରାକ୍ରମ ପ୍ରଚ୍ଛନ୍ନ ରଖି ବାହ୍ୟରେ ଶାନ୍ତ ଶିଶୁପରି ନିରୀହ ନହେଲା–ସମ୍ରାଟ ହୋଇ ଯଦି ସନ୍ନ୍ୟାସୀର ତ୍ୟାଗ ବିଳାସୀର ଭୋଗଦ୍ୱାରା ସମଭାବରେ ଅନୁପ୍ରାଣିତ ନହେଲା–ତେବେ ସେ କି ସମ୍ରାଟ–ସେପରି ସମ୍ରାଟକୁ କି ଜଗତ ପୂଜା କରିବ–ସେପରି ସମ୍ରାଟ କି ଭୟଭକ୍ତିର ଉପଯୁକ୍ତ ପାତ୍ର ହୋଇ ପାରିବ ?

 

ଅଗଷ୍ଟ ୧୯, ୧୯୩୦, ନବୀନ

ସଂପାଦକୀୟ

 

ମନ ! ଭାବିଛୁ କି ଥରେ ତୋର ପରିମାଣ କ’ଣ ? କାହିଁ ଯିବ ତୋର ଏ ବିଦ୍ୟୁତ ଜିଣା ଗତି ପ୍ରଖରତା ? କେଉଁ ସାଗରରେ ଲୀନ ହେବ ଏହି ତୋର ଉଦ୍‍ବେଳିତ ପ୍ରବଳ ପ୍ରବାହ ? ଏତେ ଯେ ତୁ ଉଚ୍ଛୃଙ୍ଖଳ, ଏତେ ଚଞ୍ଚଳ, ଭାବିଛୁ କି ଥରେ କେତେ ଦିନେ କେଉଁଠାରେ ଲଭିବୁ ବିଶ୍ରାମ ? ଏଇ ତୋର ସୁନ୍ଦର ଶରୀର ଯାହାଲାଗି ସାଗରର ଅଚଳ ଗରଭେ ଖୋଜି ବୁଲୁ ଅମୂଲ୍ୟ ରତନ–ମରୁପ୍ରାନ୍ତେ ମରିଚିକା ପଛେ କରୁ ବିଚରଣ–ଶୂନ୍ୟରେ ପ୍ରାସାଦ ଗଠନ ଆସେ ଅବିରଳ ଅବିଶ୍ରାନ୍ତ କରୁ ପରିଶ୍ରମ–ଯାହାଲାଗି କରୁତୁହି ନିତ୍ୟ ନବ ଅସାଧ୍ୟ ସାଧନ–ଭାବିଛୁକି ଥରେ ତା’ର ପରିଣାମ କ’ଣ ? ଭାବିଦେଖ ମନ ! ତୋର ଗତି ପରିବର୍ତ୍ତନ–କାଳକ୍ରମେ କେଉଁ ପରି ଗତି ତୋର ହେଉଛି, ନୂତନ ? ଥିଲୁ ଯେବେ ସରଳ ସୁଶାନ୍ତ ସୁକୁମାର ଶିଶୁ–ନଥିଲା ତୋ ସ୍ୱାଧିନତା-–ପିତା ମାତା–ଆତ୍ମା ପରିଜନ ଥିଲେ ତୋର ପଥ ପ୍ରଦର୍ଶକ–ତେତେବେଳେ ଗତି ତୋର ଥିଲା କେଉଁ ଦିଗେ ?

 

ଦେଖୁ ଦେଖୁ କଟିଲା ଶୈଶବୀ ଆସିଗଲା ଉଦ୍ଦାମ ଯୌବନ–ପ୍ରକୃତିର ସୌନ୍ଦର୍ଯ୍ୟରେ ହେଲୁ ତୁ ବିଭୋର–ସୌନ୍ଦର୍ଯ୍ୟ ମଦିରା ପାନେ ସ୍ୱଚ୍ଛାଚାରୀ ଭାବେ ଧରାପୃଷ୍ଠେ କଲୁ ବିଚରଣ । ଦିନୁ ଦିନ ଭୋଗଲିପ୍‍ସା ତୋର ବଢ଼ିଗଲା କ୍ରମେ–ଆଶା ଆକାଂକ୍ଷା ତୋ ହୋଇଲା ଅସୀମ–ଶୋଭାରେ ଶିକାରୀ ହୋଇ ଭ୍ରମିଲୁ ଏ ସାରା ସଂସାର–ତେତେବେଳେ କେଉଁ ପଥେ କେତେ ଭାବେ କଲୁ ତୁ ଗମନ ! କେତେ ଗିରି ନଦୀ କାନ୍ତାର ପ୍ରାନ୍ତର କେତେ ବିଜନ ବିପଥ କେତେ ପିଛଳ, ସରଳ ପଥ କଲୁ ତୁ ଭ୍ରମଣ । ତେବେ ସୁଦ୍ଧା ଚଞ୍ଚଳ ଚରଣ ତୋର ନହେଲା ଅବଶ୍ୟ । ନିଜେ ଗଢ଼ିଦେଲୁ ଏକ ନୂତନ ଜଗତ–ସେ ଜଗତର ଲାଳନପାଳନେ ଆଜୀବନ ରହିଲୁ ତୁ ବ୍ୟସ୍ତ-–ମୋହମାୟା ଅନ୍ଧକାରେ ଭରିଲା ନୟନ–ସ୍ୱାଧୀନ ଚରଣ ତୋର ହୋଇଲା ଆବଦ୍ଧ–ଗତିପଥ ବଦଳିଲା କ୍ରମେ । ତେବେ କହ ଦେଖି ମନ, କେଉଁ ପଥ ତୋର ସରଳ ସୁଗମ ? କେଉଁ ପଥ ସୀମା କେତେ ଦୂର ? ପାଗଳ ମନ, ଖୋଲି ଦେ ତୋ ମୋହ ଆବରଣ–ନୟନ ଫିଟାଇଥରେ ସୂକ୍ଷ୍ମଭାବେ କର ନିରୀକ୍ଷଣ-। କାହିଁଗଲା ଶୈଶବର କ୍ରୀଡ଼ା ପୁତ୍ତଳିକା–କାହିଁଗଲା ଯୌବନର ନନ୍ଦନ ଉଦ୍ୟାନ- କାହିଁ ତୋର ସୁନ୍ଦର ଜଗତ ? କାହିଁ ତୋର ସ୍ୱାଧୀନତା ସୌରଭ ଗୌରବ ? ବୃଥା–ସବୁ ବୃଥା –କ୍ଷଣକର ଚପଳାଚମକ ମାତ୍ର । ବୁଝିଲୁ ଏଥର ଗର୍ବ ଦମ୍ଭତୋର ଅସ୍ଥାୟୀ ଅଚିର–କ୍ଷଣ ଶୋଭୀ ଜଳର ବୁଦ୍‍ବୁଦ ମାତ୍ର । କାଳଏକା ବଳୀୟାନ–କାଳ କରେ କ୍ରୀଡ଼ା ପୁତ୍ତଳି ତୁ । କ୍ରୁର କାଳର ଏକଇ ଫୁତ୍‍କାରେ ସବୁ ଶେଷତୋର । ବଡ଼ ବିଚକ୍ଷଣ ସେହି କାଳ-–ତା ନିକଟେ ଖଟିବ ନାହିଁ ତୋର ଛଳନା ଚାତୁରୀ–ଦେଖିବ ନାହିଁ ତୋର ସେ ସ୍ୱରୂପ ସୌନ୍ଦର୍ଯ୍ୟ କିବା ବିଷୟ ବିଭବ–ଦିନେ ଅଲକ୍ଷିତ ଭାବେ ଆକର୍ଷି ତୋ କେଶ ଘେନି ଯିବ କୋଳେ–ସେଇ ତୋର ଶେଷ ସୀମା–କାଳ କୋଳେ ନିହିତ ତୋ ସମସ୍ତ ଶକତି ।

 

ଅଗଷ୍ଟ ୨୬, ୧୯୩୦, ନବୀନ

ସଂପାଦକୀୟ

 

ବଡ଼ ଭୟ ହେଉଛି–ବଡ଼ ବ୍ୟାକୁଳ ଲାଗୁଛି–ମରଣ ଯେପରି ସହସ୍ର କରାଳ ମୁଖରେ ଗ୍ରାସ କରିବାକୁ ଆସୁଛି–ଏଥିରେ ମନୁଷ୍ୟର କି ଚିନ୍ତାଶକ୍ତି ରହିବ–କି ସାରା ସାର ସେ ଉପଲବ୍‍ଧି କରିପାରିବ–ତେବେ ସୁଦ୍ଧା ମନୁଷ୍ୟ ମରିବାକୁ ଇଚ୍ଛା କରେ ନାହିଁ–ମରଣକୁ ଦେଖି ସୁଦ୍ଧା–ମରଣର ରୁଦ୍ର ସ୍ପର୍ଶରେ ରହି ସୁଦ୍ଧା ମନୁଷ୍ୟ ମରୁନାହିଁ–ମହାରୋଗାକ୍ରାନ୍ତ–ଅଙ୍ଗବିହୀନ-–ଜ୍ୱାଳାମୟ–ହତଶ୍ରୀ, ସର୍ବସ୍ୱ ହରାଇ ସୁଦ୍ଧା ବଞ୍ଚିବାପାଇଁ ଇଚ୍ଛା କରୁଛି–ଏଇଥିରେ ହିଁ ସୃଷ୍ଟିର ବୈଚିତ୍ର୍ୟ ଅଛି–ଏଇଥିରେ ହିଁ ମାଧୁରୀ ନିହିତ । ମରଣକୁ ଅତି ନିକଟରେ ଦେଖି ସୁଦ୍ଧା ମନୁଷ୍ୟ ମରିପାରୁନାହିଁ–ଚିରରୋଗୀ କେଉଁ ସୌଭାଗ୍ୟ କଳ୍ପନା କରି ମରଣକୁ ଏତେ ଭୟ କରୁଛି-? ତା’ର ସେ ଦୃଢ଼ ଅଙ୍ଗଶ୍ରୀ ପାଇବ ବୋଲି ? ତା’ର ସେ ହୃତ ସୌନ୍ଦର୍ଯ୍ୟ ପାଇବ ବୋଲି ? କଦାଚ ନୁହେଁ–ଜ୍ୟୋତ୍ସ୍ନାର ଆକାଶବ୍ୟାପୀ ସୌନ୍ଦର୍ଯ୍ୟ ସେ ଦେଖିପାରୁ ନାହିଁ–ସାଗରର ନିତ୍ୟ ନର୍ତ୍ତନରତ ରୁଦ୍ର କୌତୁକ ସେ ମୁଗ୍‍ଧ ନେତ୍ରରେ ଚାହିଁ ପାରୁନାହିଁ, ବସନ୍ତ ସଞ୍ଜରେ ନିର୍ଝରିଣୀ କୁଳୁ ମଧୁର ରାଗିଣୀ ସେ ଶୁଣିପାରୁ ନାହିଁ । ଏଇ ବିଶ୍ୱବ୍ୟାପିନୀ ପ୍ରକୃତିର ଅନନ୍ତ ଅବ୍ୟକ୍ତ ମାଧୁର୍ଯ୍ୟ ପ୍ରାଣରେ ଉପଲବଧି କରିବାର ସୌଭାଗ୍ୟ ଆଉ ତା’ର ନାଇଁ–ଏତେ କଷ୍ଟରେ ଏତେ ଶୋକରେ ଏତେ ରୋଗରେ ମନୁଷ୍ୟ ମରଣକୁ ବରଣ କରିପାରୁ ନାହିଁ କାହିଁକି ? ଏଇ ଭିତରେ ଏକା, ଭଗବାନ ବୋଲ, ପ୍ରକୃତି ବୋଲ, ଯାହା କିଛି ବୋଲ, ତହିଁର ମହାତତ୍ତ୍ୱ ନିହିତ ଅଛି–ସେହି ତତ୍ତ୍ଵଟିକ ମନୁଷ୍ୟର ଗୋଚରରେ ନଥିବାରୁ ସେ ମରିପାରୁ ନାହିଁ, ପ୍ରକୃତି ଛାରଖାର ହୋଇପାରୁ ନାହିଁ–ଯେତିକି ଏହି ତତ୍ତ୍ୱ ଆଲୋଚନା କରିବାକୁ ଗଲେ–ତେତିକି ଜଟିଳ ହୋଇ ପଡ଼ୁଛି–ସେତିକି ମନୁଷ୍ୟ ଅତୃପ୍ତ ହୋଇ ଉଠୁଛି- ସେତିକି ଅଶାନ୍ତି ଆସିଯାଉଛି –ତେବେ ମରଣ ନଥିଲେ କି କ୍ଷତି ହୁଅନ୍ତା–ଦୁଃଖ ନଥାଇ ଖାଲି ସୁଖ ଥିଲେ କି ଅସୁନ୍ଦର ହୁଅନ୍ତା–ନିଶ୍ଚୟ ଭଲ ହୁଅନ୍ତା ନାହିଁ-–ମରଣ ନଥିଲେ ମନୁଷ୍ୟ ଜୀବନର ଜୀବନ୍ତ ସୌନ୍ଦର୍ଯ୍ୟ ଉପଭୋଗ କରିପାରନ୍ତା ନାହିଁ–ଦୁଃଖ ନଥିଲେ ସୁଖର ଦିବ୍ୟ ଆଲୋକରେ ଆଲୋକିତ ହୋଇ ପାରନ୍ତା ନାହିଁ–ତେଣୁ ହିଁ ଏ ଅନନ୍ତ ବିଧାନ, ତେଣୁ ହିଁ ଜୀବନ ମରଣ, ସୁଖ ଦୁଃଖ–ଏହା ନଥିଲେ ଜୀବନର ପୂର୍ଣ୍ଣତା ଲାଭ ହୁଅନ୍ତା ନାହିଁ–ଅପୂର୍ଣ୍ଣ ରହନ୍ତା–ମରଣ ଥିବାରୁ ହିଁ ଆଜି ଜୀବନ ସୁନ୍ଦର–ଜୀବନ ପବିତ୍ର–ଜୀବନ ବିଚିତ୍ର–ପ୍ରକୃତି ବିଜୟୀ ।

 

ସେପ୍ଟେମ୍ବର ୨, ୧୯୩୦, ନବୀନ

ସଂପାକକୀୟ

 

ମିଶିଗଲା ସୌର–କର–ସ୍ରୋତ ପଶ୍ଚିମ–ଜଳଧି ସୁନୀଳ ସଲିଳେ ଶୁଷ୍କ ନଦୀ ଶର୍ଯ୍ୟା ସମ ସ୍ଥାନେ ସ୍ଥାନେ ସ୍ତରେ ସ୍ତରେ ଶୋଭାପାଏ ଧବଳ ଜଳଦ । ନାହିଁ ଆଜି ବରଷାର ସେ ରୁଦ୍ର ତାଣ୍ଡବ–ଲୁଚି ଅଛି କାହିଁ ସେ ଆଜି ଅଜ୍ଞାତବାସେ–ଯେହ୍ନେ ବିରାଟେ ପାଣ୍ଡବ । ମେଘମୁକ୍ତ ନିର୍ମଳ ଗଗନ–ଫୁଟି ଉଠେ ଗୋଟି ଗୋଟି ଉଜ୍ଜ୍ୱଳ ତାରକା ମିଟି ମିଟି କରି ଚକ୍ଷୁ ସୁପ୍ତୋଥିତ ପ୍ରାୟ-। ସଂଗେ ସଂଗେ ନବମୀ ଶଶି ଉଇଁ ଆସେ ହସି ହସି ସରସେ ସଲଜ୍ଜେ ଧୀର ମନ୍ଥର ଗମନେ–ଯେହ୍ନେ ଅସ୍ୱର୍ଯ୍ୟପରଶା ପତିପ୍ରାଣଗତା ଲଜ୍ଜା ବିଲୋକିତା ହିନ୍ଦୁକୁଳ ବଧୁ । କହ ଚନ୍ଦ୍ରଦେବ ! ତୁମେ କି ସେଇ ସୁନ୍ଦର ଚନ୍ଦ୍ରମା ? ଯାହା ଦେଖି ଶୈଶବେ ମୁଁ ହସୁଥିଲି ଅଜ୍ଞାତ ହରଷେ । “ଜହ୍ନମାମୁଁ” ବୋଲି ଡାକି ଡାକି ଉଲ୍ଲସିତ ଚିତେ ଶିଶୁ ପ୍ରାଣ ମୋର ଭରି ଉଠୁଥିଲା ବିପୁଳ ପୁଲକେ । ଏଇତ ସେହି ଗଗନ–ତୁମେ ତ ସେହି ଚନ୍ଦ୍ର । ତେବେ ଏକି ପରିବର୍ତ୍ତନ ମୋର, ଯେଉଁ ଚକ୍ଷୁ ଦେଖୁଥିଲା ଶୈଶବେ ତୁମର ଏଇ ଅମର ସୁଷମା–ଯେଉଁ ବିମଳ ଆନନ୍ଦ ଅନୁଭବ କରୁଥିଲା ଶାନ୍ତ ପ୍ରାଣ ମୋର–କାହିଁ ସେ ସୁଷମା–କାହିଁ ସେ ଆନନ୍ଦ ? ଏକି ନବଭାବ ଜାଗିଉଠେ ମନେ ? ମନେ ହୁଏ ଯେହ୍ନେ କେତେ ସ୍ମୃତି ବିଜଡ଼ିତ ତୁମରି ବଦନେ–ଜାଗି ଉଠେ କେତେ ବିଳାସ ବାସନା, ସୁପ୍ତ ପ୍ରାୟ ଯାହା ଥିଲା ଅତୀତ ଗରଭେ ।

 

ସତେ କି ସୁନ୍ଦର ତୁମେ ଚନ୍ଦ୍ରଦେବ ? ଆଶୈଶବୁ ମୁଗ୍ଧ ମୁହିଁ ତବ ସ୍ନିଗଧ ସୌନ୍ଦର୍ଯ୍ୟରେ-। ଯେତେବେଳେ ଦେଖିଦିଏ ତବ ଏଇ ପ୍ରଫୁଲ୍ଲ ଆନନ–ଭୁଲିଯାଏ ସବୁ–ସୁଖ, ସବୁ ଶୋକ, ମରଣ ଭୀଷଣ–ହୁଏ ସନ୍ତରଣ ଇଚ୍ଛାତବ ତରଳ ରଜତ ଜ୍ୟୋତ୍ସ୍ନାର ତରଙ୍ଗେ ତରଙ୍ଗେ । ସୁଧାକର-! ଏ କି କଲ ? ଲୁଚାଇଲ ତବ ଦିବ୍ୟ ଜ୍ୟୋତି କିମ୍ପା ଏଇ ଜଳଦ ଖଣ୍ଡର ମଧ୍ୟେ–ସୁଖ–ସ୍ୱପ୍ନ–ସୁଧା–ପାନରତ ପ୍ରାଣ ହୁଏ ବିଦଗ୍‍ଧିତ–ଲୁଚନା, ଲୁଚାଅନା, ଅଙ୍ଗଶ୍ରୀ ସୁନ୍ଦର । ଦୁର୍ବଳକୁ କନ୍ଦାଅନା ପ୍ରଭୁ । ଦୁର୍ବଳ ପୀଡ଼ନେ, ଦୁର୍ବଳ ମାରଣେ କହ ଦେଖି ନିଶିନାଥ, କି ଯଶ କି ପୁଣ୍ୟ ଅର୍ଜ୍ଜନ ହେବ ତବ–ଅନ୍ତରର ତନ୍ତ୍ରୀ କର ନାଇଁ ଛିନ୍ନ –ଏଇ ସୌଭାଗ୍ୟ–ଏଇ ମହାସ୍ମୃତିପୂଜା ଭାଙ୍ଗ ନାଇଁ ଦେବ ।

 

ନବମୀର ଚାନ୍ଦ ! ନବୀନ ସୁନ୍ଦର, କହ ଦେଖି–ଏ ସଂସାରେ କିମ୍ପା ଏତେ ବ୍ୟସ୍ତ ଏ ଜୀବନ–କରେ ପ୍ରାଣ ମରୁ ସନ୍ତରଣ, ଧାଇଁ ଅଛି ମନ ଲକ୍ଷହୀନ । ଏଇ ପ୍ରକୃତିର ଗତିବିଧି ଅଗୋଚର ନରେ–ମରଣର ମଧ୍ୟେ ରହି ଦେଖେ ମନ ଜୀବନର ସୌନ୍ଦର୍ଯ୍ୟ । ତେଣୁ ହିଁ ଜୀବନ ମଧୁର–ତିକ୍ତ ପ୍ରାଣ ସୁଧାମୟ–ସୁପ୍ତପ୍ରାଣ ନିତ୍ୟ ଜାଗରିତ–ଦଗ୍‍ଧ ପ୍ରାଣ ନିତ୍ୟ ପଲ୍ଲବିତ । ଶରତ ଚନ୍ଦ୍ରମା ! ଥାଉ ଏତିକିରେ ଆଜି–ପୂର୍ଣ୍ଣିମୀରେ ପୂର୍ଣ୍ଣ ଆଶା ନେଇ ପୁଣି ଦେଖା–ସେଇଦିନ ଗଗନ ଭୂବନ ବ୍ୟାପୀ ଅଖଣ୍ଡ ସୁନ୍ଦର ଜୋଛନା ତରଙ୍ଗେ ଭାସୁଥିବ ପ୍ରଭୁ ଶରତ ଶିଶିର ସିକ୍ତ ଅନନ୍ତ ନିଳିମା ମଧ୍ୟେ–ପୁଣି ହେବ ସେଇ ଦିନ ଦେଖା ।

 

ସେପ୍ଟମ୍ବର ୧୬, ୧୯୩୦, ନବୀନ

ସଂପାଦକୀୟ

 

ଯୁବକ ! ଯୌବନ–ମଦ–ମତ୍ତ ଉଦ୍‍ଭ୍ରାନ୍ତ ଯୁବକ ! ବାସନା ବିଳାସୀ, ଇନ୍ଦ୍ରିୟ ଲାଳସୀ, ଏତେ ଉଚ୍ଛୃଙ୍ଖଳ ତୁହି ? କେଉଁ ଚିତ୍ର ନିତ୍ୟ ଦେଖି ଅରୁଣାକ୍ତ ରକ୍ତିମ ନୟନେ, ସୋପାନ–ବିଭୋର ପ୍ରାଣେ, ହସି ଖେଳି ଦିବାନିଶି କଂପାଉ ମେଦିନୀ ? କିଏ ଦେଲା ତୋତେ ଏତେ ଆଧିପତ୍ୟ ? ପ୍ରକୃତିର ସାରସୃଷ୍ଟ ସମସ୍ତ ପଦାର୍ଥ ଏକାକି ତୋର ଉପଭୋଗ୍ୟ ? ଏକି ସ୍ୱେଚ୍ଛାଚାର ତୋର ? ପ୍ରାକୃତିକ ଜଗତର ଯାହାକିଛି ସୁନ୍ଦର ସରସ-ଶରତର ଅନନ୍ତ ନୀଳିମାମୟ ନିର୍ମଳ ଆକାଶ–ଶଶାଙ୍କର ଗଳିତ ରଜତ କାନ୍ତି କୋମଳ କିରଣ–ବସନ୍ତର ମୃଦୁମନ୍ଦ ମଳୟ ସମୀର–ପ୍ରଫୁଲ୍ଲିତ କୁସୁମର ବିକସିତ ସୌନ୍ଦର୍ଯ୍ୟ ସୁବାସ- ଏଇ ସମସ୍ତ କି କେବଳ ତୋପାଇଁ ସୃଷ୍ଟି ! କହ ଦେଖି କେତେ ଦିନ ତୋର ଦୀପ୍ତ ତେଜ, ଶୌର୍ଯ୍ୟ, ବୀର୍ଯ୍ୟ, ସୌନ୍ଦର୍ଯ୍ୟ, ସାହାସ ? ଆରେ ଆରେ କାମନା କାନନ ଚପଳ କରୁଙ୍ଗ ! ଜାଣୁନାକି କାଳବ୍ୟାଧ ପଛେ ପଛେ ତୋର ? ସୁଦକ୍ଷ ଶିକାରୀ ସୁସଜ୍ଜିତ ଧନୁର୍ବାଣ ଧରି ଦଳବଳ ସହ ଧାଏଁ ତୋତେ ଆକ୍ରମିବାପାଇଁ । ଏଇ ଦେଖ, ଆଗେ ତୋର ଗଲେଣି ଯେତେକ କାଳ–ବ୍ୟାଧ ଜାଲେ ପଡ଼ି ହେଉଛନ୍ତି ଛଟପଟ–ଆବଦ୍ଧ ଚରଣ, ନିସ୍ତେଜ ନୟନ, ନିଷ୍ପ୍ରଭ ପରାଣ, ଜାଣୁନା କି ଭ୍ରାନ୍ତ ସେଇ ଜାଲେ ତୁହି ନିଶ୍ଚେ ପଡ଼ିଯିବୁ ଦିନେ । ଭାବି ଦେଖ ଯାହାକୁ ତୁ ସୁନ୍ଦର ସହସ ଭାବି ଉପଭୋଗ ଆଶେ ମନପ୍ରାଣ ଢାଳି ମଣିହରା ଫଣି ପ୍ରାୟ ଧାଉଁ ଅବିରତ-ସେହି ସବୁ କାଳ–ବ୍ୟାଧ କୌଶଳ–ଚାତୁରୀ । ସୌନ୍ଦର୍ଯ୍ୟର ପ୍ରଲୋଭନ ପସରା ଦେଖାଇ ମୁଗଧ କରି ଟାଣିନିଏ ତୋତେ–ତା’ର ଜାଲେ ପକାଇବାପାଇଁ । ଏଇ ଯେଉଁ ରମଣୀର ତରଙ୍ଗ ଚାହାଣୀ, ରକ୍ତିମ ଅଧର, ଉନ୍ନତ ବକ୍ଷଶ୍ରୀ–ଯାହା ଲାଗି ସ୍ୱର୍ଗସୁଖ ମଣୁତୁଚ୍ଛ–ଠେଲିଦେଇ ନିଶଙ୍କ ଚରଣେ, ସେଇ ଏକା କାଳବ୍ୟାଧ–ଶ୍ରେଷ୍ଠ ପ୍ରଲୋଭନ । ଯେଉଁଦିନୁ ରମଣୀର ସୌନ୍ଦର୍ଯ୍ୟ ମଦିରା ପାନେ ହେଲୁ ଆତ୍ମହରା–ସେଇ ଦିନୁଁ ଜାଣିଥା ନିଶ୍ଚୟ କାଳବ୍ୟାଧ ହସ୍ତଗତ ତୁହି- ରକ୍ଷା ନାହିଁ–ରକ୍ଷା ନାହିଁ ଆଉ ।

 

ସେପ୍ଟେମ୍ବର ୨୩, ୧୯୩୦, ନବୀନ

ସଂପାଦକୀୟ

 

ସୁପ୍ତ ଜଗତ–ନୀରବ ପ୍ରକୃତି–ଅମାନିଶା ଘନଘୋର ଅନ୍ଧକାରେ ଭରା । ଅବିଶ୍ରାନ୍ତ ବରଷଇ ବାରି ଅନର୍ଗଳ । ଘନକୃଷ୍ଣ ମେଘଜାଳେ ଆବୃତ ଗଗନ–ନାହିଁ ତାରା–ନାହିଁ ଶଶି–ନାହିଁ ଆଲୋକର ରେଖା–ତମୋମୟ ସାରା ଗଗନ ଭୁବନ । ମଧ୍ୟେ ମଧ୍ୟେ ଚମକଇ ବିଦ୍ୟୁତ ଝଲକ–ହତାଶ ଜୀବନେ କ୍ଷୀଣ ଆଶାରେଖା ପ୍ରାୟ, ଅନ୍ଧକାର ବିଳସଇ ପୂର୍ଣ୍ଣ ପ୍ରସ୍ତାବ ବିସ୍ତାରି । ମନେହୁଏ ଜଗତର ସମସ୍ତ ତିମିର ଲୁକାୟିତ ଯେତେ ଯେଉଁ ସ୍ଥାନେ ସବୁ ଆଜି ଏକତ୍ରିତ ହୋଇ ମଗ୍ନ ମହୋତ୍ସବେ ! ଅନ୍ଧକାର ସ୍ୱାଧୀନ ରାଜତ୍ୱ–ବରଷାର ଭୀଷଣ ତାଣ୍ଡବ–ରଜନୀର ଘୋର ନିସ୍ତବ୍‍ଧତା–ଏକାଧାରେ ତ୍ରିବେଣୀ ସଂଯୋଗ । କହିବୁକି ରଙ୍ଗମୟୀ ପ୍ରକୃତି ସୁନ୍ଦରୀ ! ଏକି ଭୀମକାନ୍ତି ତୋର–କାହିଁ ତୋର ସେ ଚନ୍ଦ୍ରିକା ଚର୍ଚ୍ଚିତ ଉଜ୍ଜ୍ୱଳ ଅଙ୍ଗଶ୍ରୀ ? ଏଇ କି ମା ପ୍ରଳୟର ପ୍ରତିମୂର୍ତ୍ତି ତୋର ? କେତେବେଳେ କେଉଁ ବେଶ କେତେ ରୂପ ଧରୁ ନାହିଁ ତ କଳନା । ଚଳଚ୍ଚିତ୍ର ଚପଳ ମାଧୁରୀ ସମ ସୌମ୍ୟ ବପୁ ତୋର, କ୍ଷଣେ କ୍ଷଣେ ଭିନ୍ନ ଭିନ୍ନ ଆକାରରେ କରୁ ସୁସଜ୍ଜିତ । କେତେବେଳେ ମନୋହର ସୁନ୍ଦର ସ୍ୱରୂପ ଦେଖି ବିମୋହିତ ହୁଏ ମନପ୍ରାଣ- ଆହା କି ସୁନ୍ଦର ମାଧୁରୀ ସେ ? ବାସନ୍ତୀ ଉଷାରେ ଅବା ପୂର୍ଣ୍ଣିମା ନିଶାରେ ଯେଉଁ ବିମୋହିତ ମୁଗ୍‍ଧ ମାଧୁରୀ ଧରି ଦେଖାଦେଉ ଜଗତ ନୟନେ–କାହିଁ ତା’ର ପଟାନ୍ତର । ମନେହୁଏ ଶତପ୍ରାଣେ ସହସ୍ର ନୟନେ ଦେଖିଥିବି ଆଜୀବନ ସେହି ରମ୍ୟ ଛବି । ଆଜି ପୁଣି ଏକି ବେଶ ? ଦରଶନେ ଭୀତତ୍ରସ୍ତ ହୁଏ କ୍ଷୁଦ୍ର ପ୍ରାଣ । କହ ଦେଖି ରୂପସୀ ଲଲାମ କି ସୌନ୍ଦର୍ଯ୍ୟ ଦେଖି ଆଜି ସାଜିଛୁ ଏ ଭୀମ ରୁଦ୍ର ବେଶ ? ଘନକୃଷ୍ଣ ଆବରଣେ ଆଚ୍ଛାଦିତ ଅଙ୍ଗ–ବିଦ୍ୟୁତ ବିକାଳ ଛଳେ କଂପାଇ ଗଗନ ଭୂବନ । ସାଜେ କି ମା ଏଇ ବେଶ ତୋତେ ? କ୍ଷୁଦ୍ରପ୍ରାଣ ବୁଝି ନପାରଇ କି ସୌନ୍ଦର୍ଯ୍ୟ ନିହିତ ଏ ବେଶେ । ମନେପଡ଼େ ବାସୁଦେବ କୃଷ୍ଣ ଜନ୍ମକଥା-ସତ୍ୟବାନ–ସାବିତ୍ରୀ କାହାଣୀ, ତେବେ କି ମା ଏଇ ଭୀମବେଶେ ତୋର ଗୁପ୍ତ ଉଦ୍ଦେଶ୍ୟ ନିହିତ । ବଜ୍ରର ଔରସୁ ଜନ୍ମି ବାଡ଼ବାର ସ୍ତନ୍ୟେ ପାଳିତ ଯେ ଜୀବ । ସେ ଏକା ସକ୍ଷମ ସିନା ଦେଖିବାକୁ ଏ ବିଭତ୍ସ ସୌନ୍ଦର୍ଯ୍ୟ–ବୁଝିବାକୁ ତୋର ଏ ଗୁପ୍ତ ଉଦ୍ଦେଶ୍ୟ ।

 

ସେପ୍ଟେମ୍ବର ୨,୧୯୩୦, ନବୀନ

ସାହିତ୍ୟ

 

ଆସ ପ୍ରାଣ ସଖା –

ଆସ ପ୍ରାଣ ସଖା ଆଶାର ଆଲୋକ

ଆଲୋକିତ ହେଉ ପଥ ହେ ।

ନାହିଁ ତ କାମନା ଏକା ଏ ବାସନା

ହସହସ ମୁଖେ ଚାହିଁ ହେ –

ତୁମରି ନାମରେ ନୟନ ମେଲିଲୁ

ପୁଣ୍ୟ ପ୍ରଭାତେ ଆଜି

ତୁମରି ନାମରେ ଉଠିଲା ବୀଣା

ଗଗନେ ଗଗନେ ବାଜି

ଉଇଁ ଅଛି ରବି ନବୀନ ଆଲୋକେ

ଦୀପ୍ତ ମୁକୁଟ ମାଜି

ତୁମପାଇଁ ପ୍ରଭୁ ନିଖିଳ ଭୁବନ

ବାହାରେ ଆସିଛି ସାଜି - ୧

ବଳଦିଅ ଦେହେ ବଳଦିଅ ପ୍ରାଣେ

ଅନ୍ତରେ ଦିଅ ଶକତି

ଏ ଦୀନ ହୃଦୟେ ଲୁଟାଇଦେଇ ହେ

କରିବୁ ପୂଜା ଆରତି

ଅଯୋଗେ ଆସିଛ ହେ ରାଜ ଅତିଥି

ନାହିଁ ରାଜ ଉପଚାର

ଅର୍ଘ୍ୟ ନାହିଁ ପ୍ରଭୁ କିଦେଇ ପୂଜିବୁ

କ୍ଷମାକର କ୍ଷମାକର -୨

କୃପାସିନ୍ଧୁ ପଟ୍ଟଦେବ

 

ସେପ୍ଟେମ୍ବର ୨୩, ୧୯୩୦, ନବୀନ

ଜୟଜୟ

 

ଆଜ

ଜୀବନ–ଗଗନ–ସଞ୍ଜେ ରାଜ

ମାନସ କନକ ଚାନ୍ଦ

(ବହୁ) ଜୀବନେ ଜୀବନ ପୁଲକାଇ ତବ

ବସନ୍ତ ମଳୟ ଗନ୍ଧ ।୦।

(ତବ) ପୀୟୁଷ ସ୍ପର୍ଶେ ଉଠୁହେ ଫୁଟି

ଜୀର୍ଣ୍ଣ କୁଞ୍ଜେ କୁସୁମ କୋଟୀ

ଉଷରରେ ବହୁ ଶତ ମନ୍ଦାକିନୀ

ତୋଳିବା ତରଙ୍ଗ ମନ୍ଦ ।୧।

କୋଟି କୋଟି କଣ୍ଠେ ଉଠୁହେ ବାଜି

ଗୋଟି ଗୋଟି ତବ କୀରତି ରାଜି

ଗଗନେ ପବନେ ନିନାଦିତ ହେଉ

(ତା’ର) ଚଞ୍ଚଳ ଚମକ ଛନ୍ଦ ।୨।

ବାହୁ ହେ ବଜ୍ର ବିଜୟ ବାଜା

“ଜୟ ଜୟ ଜୟ” ହେ ମହାରାଜା

ତବଜୟ ଦିନେ ନିଅ ନିଅ ପ୍ରଭୁ

ଅନ୍ତରର ମହାନନ୍ଦ ।୩।

କୃପାସିନ୍ଧୁ ପଟ୍ଟୁଦେବ

Image